ସମୟ ସହ ସନ୍ଧି
ସମୟ ସହ ସନ୍ଧି
ଏହାହିଁ କଣ ଭାଗ୍ୟ !
ସମୟ ମୋ ସହ ଲୁଚକାଳି ଖେଳୁଥିଲା।
ଏବେ କଣ ହେବ ସରିତା ମାମ୍ ଯଦି ଜାଣିବେ ଅର୍ଣ୍ଣବ ତାଙ୍କ ପତି ଆଉ ଜଣଙ୍କୁ ବିବାହ କରିଛନ୍ତି ?
ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ମୋ ଉପରେ ନିର୍ଭର କରୁଥିଲା। ଟିକେ ଭାବିଲି ସ୍ୱାର୍ଥୀ ହେବି ନା ସାଥୀ ? ଯାହାଙ୍କୁ ଏକ ତରଫା ଭାବେ ପ୍ରେମ କରି ସାରା ଜୀବନ ଅବିବାହିତ ରହିବି ବୋଲି ସଂକଳ୍ପ ନେଇ ଥିଲି ; ତାଙ୍କୁ ହିଁ ଅଣଚାଶ ବୟସରେ ନାଟକୀୟ ଭଙ୍ଗୀରେ ବିବାହ କଲି । କେଇଟା ମାସ ଖୁସି ସାଉଁଟି ଅଣ୍ଟିରେ ପୁରେଇଛି କି ନାହିଁ ପୁଣି ଅଭିନୟ କରିବାକୁ ପଡିବ ? ପାରିବି ତ ଏ ଭୂମିକା କୁ ଠିକ୍ ନ୍ୟାୟ ଦେଇ ?
ଏକା ଥିଲି ଏକ ପ୍ରକାର ଥିଲି । ପ୍ରେମକୁ ପାଥେୟ କରି ବଞ୍ଚି ଯାଉଥିଲି ଯେନ ତେନ କୋଚିଙ୍ଗ୍ ସେଣ୍ଟରରେ ହଜି।ଭାବି ନଥିଲି କି ମାଗି ବି ନ ଥିଲି ପୌଢ଼ତ୍ୱର ଶେଷ ପାହାଚରେ ଯୌବନର ଲୀଳାଖେଳା କରିବାକୁ ? ଏପରି ଦୋଛକିରେ ଆଣି ଠିଆ କରାଇଲ ଯେ ବାଧ୍ୟ ହୋଇ ସାହାରା ଦେଲି ମୋ ପ୍ରେମକୁ । ଏଇଟା କଣ ମୋର ଅପରାଧ କି ଠାକୁରେ ? କାହିଁକି ମୋତେ ଏ ଦଣ୍ଡ ?
ମନଟିକୁ ବୁଢ଼ୀ କାଳେ ଘର ସଂସାର ମୁହାଁ କଲା ବେଳକୁ ଏ କି ମୋଡ଼ ! ପ୍ରକୃତରେ ମୁଁ ଅଲକ୍ଷଣୀ ଟିଏ ।ଟିକେ ବି ଖୁସି ବିଧାତା ମୋ କପାଳରେ ଲେଖିନି ? ଖୁସି ଟିକେ ଟାଣି ଓଟାରି ପାଇବାକୁ ଚେଷ୍ଟା କଲେ ମିଳିବ କେଉଁଠୁ ଯେ ?
ନିଜ ମନକୁ ଦୃଢ଼ କରି ବାପଝିଅଙ୍କର ମାଆ ହେଉ ହେଉ ସାହସ ଦେଇ କହିଲି, ମୁଁ ଅଛି ନା। ଯେତେ ଚିନ୍ତା ମୋତେ ଦେଇ ଦିଅନ୍ତୁ। ଏ ଅଲକ୍ଷଣୀଟି ପିଲା ଦିନୁ ଦୁଃଖ କଷ୍ଟ ସହି ସହି ମୁଣ୍ଡିଆ ପଥର ଖଣ୍ଡେ ହୋଇ ଯାଇଛି। ଆଉ କୌଣସି ଯନ୍ତ୍ରଣା ମୋତେ ବିଚଳିତ କରି ପାରିବ ନାହିଁ। ଆମେ ଗୋପନ ରଖିବା ଆମ ସମ୍ପର୍କ ଏବେ ।ସମୟ ସୁବିଧା ଓ ମୁଡ୍ ଦେଖି ପ୍ରକାଶ କରିଦେବା ସରିତା ମାମ୍ ଙ୍କ ଆଗରେ।
ଏତକ ଆସ୍ଥା ଓ ବିଶ୍ବାସ ଦେଇ ଖୋଲି ଦେଲି ମଙ୍ଗଳ ସୂତ୍ର ଓ ଚୁଡ୍।ସ୍ୱପ୍ନ ଦେଖିଥିଲି ଯାହା ଠିକ୍ ତ ସେଇଆ ଘଟୁଛି। ଅର୍ଣ୍ଣବ ସାର୍ ଙ୍କ ହାତରେ ସେ ଦୁଇଟି ଧରେଇ ଦେଇ କହିଲି ଏ ସବୁ ସରିତା ମାମ୍ ଙ୍କର। ମୋ ଗଳାରେ ଦେଖିଲେ ସନ୍ଦେହ କରିବେ।ମୋ ପାଖେ ତୁମ ଦେଇଥିବା ସିନ୍ଦୁର ଓ ଶଙ୍ଖା ତ ଅଛି। ଏତିକି ମୋ ପାଇଁ ଯଥେଷ୍ଟ। ଯଥା ସମ୍ଭବ ଆମେ ସରିତା ମାମ୍ ଙ୍କ ଆଗେ ଜଗି ରଖି ଚଳିବା।
ଅର୍ଣ୍ଣବ ସାର୍ ପ୍ରତିବାଦ କରି କହିଲେ , "ନା ଲକ୍ଷ୍ମୀ ମୁଁ ନିଜେ ହାତରେ ତୁମକୁ ଏସବୁ ସ୍ୱ ଇଚ୍ଛାରେ ପିନ୍ଧେଇ ଦେଇଛି । ସରିତା ସ୍ଥାନ ତୁମେ ନେଇ ସାରିଲଣି।ଆଉ ମୋ ହୃଦୟରୁ ତୁମକୁ କାଢ଼ିବା ଅସମ୍ଭବ।ତୁମେ ମୋ ଜୀବନର ଖୁସି ଓ ଶାନ୍ତି ଆଣି ଆସିଛ। ତୁମ ସହ ଏପରି ନିଷ୍ଠୁର ଆଚରଣ କରି ପାରିବି ନାହିଁ। ମୋତେ ଏତେ ସ୍ୱାର୍ଥପର ହେବାକୁ କୁହ ନାହିଁ ବରଂ ସବୁ ସତ କହି ଦେବି ସରିତାଙ୍କୁ। ସୁ ର ଭଲ ପାଇଁ ଏବଂ ମୋର ବଞ୍ଚିବା ପାଇଁ ସାଥୀଟିଏ ଆବଶ୍ୟକ ଥିଲା ।ଏଣୁ ମୁଁ ଲକ୍ଷ୍ମୀଙ୍କୁ ପତ୍ନୀ ରୂପେ ଗ୍ରହଣ କରିଛି।ତୁମେ ଯଦି ଆଜି ବଞ୍ଚିଛ ତ କେବଳ ଏଇ ଲକ୍ଷ୍ମୀ ସେବା ଓ ଅର୍ଥ ପାଇଁ।"
ଏବେ ଏସବୁ କହିବା ସମୟ ନୁହେଁ।କେତେ ଶ୍ରମ, ଅର୍ଥ ଓ ସେବା ବଳରେ ଆମେ ସରିତା ମାମ୍ ଙ୍କୁ ପାଇଛେ। ଡ଼କ୍ଟର କଣ କହିଥିଲେ ମନେ ନାହିଁ କି ? ଚମତ୍କାର ହୋଇ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି ମାମ୍। ଉଷୁନା ଧାନ ଗଜା ହୋଇଛି ଜାଣ। କୌଣସି କାରଣରୁ ସେ ଯେପରି ଆଘାତ ନ ପାଆନ୍ତି ଡାକ୍ତର ଚେତାବନୀ ଦେଇଛନ୍ତି ନା ସାର୍ ?
ଏମିତି କଲେ କେମିତି ହୁଅନ୍ତା ସରିତାକୁ ନେଇ ମୁଁ ଅନ୍ୟତ୍ର ଭଡା ଘରେ ରହିବି। ସୁ ତୁମ ପାଖେ ରହିବ। ମଝିରେ ମଝିରେ ମୁଁ ତୁମ ଦୁହିଙ୍କ ପାଖକୁ ଆସିବି। ଏଇଟା କଲେ ଠିକ୍ ହେବ।
ନା ସାର୍ ଏ ଦୁଇଟାରୁ କେଉଁଟା ମଙ୍ଗଳକାରୀ ହେବ ନାହିଁ। ପ୍ରଥମଟି ତ ଏବେ ଆଦୋୖ ନୁହଁ । ଦ୍ୱିତୀୟ କଥା ସରିତା ମାମ୍ ଯେତେବେଳେ ସତ କଥା ଜାଣି ଯିବେ ଅବା ସୁ କେଉଁଠି ଅଛି ପ୍ରଶ୍ନ କରିବେ ସେତେବେଳେ କି ଉତ୍ତର ଥିବ ଆମ ପାଖେ ? ବରଂ ଅଧିକ ମାନସିକ ଅଶାନ୍ତି ବଢିଯିବ ତୁମର ।
ଦେଖନ୍ତୁ ସାର୍ ବୟସ ବଢୁଛି ଆମର। ପ୍ରେସର ଓ ଡାଇବେଟିସ୍ ଅନେଇଁ ବସିଛନ୍ତି ଟେନସନ୍ ହେଲା ମାନେ ବାଘ ପରି ମାଡି ବସିବାକୁ। ଏମିତି ହେବାକୁ ମୁଁ କେମିତି ଦେବି ? ତା ଛଡା ସରିତା ମାମ୍ ଙ୍କୁ ଜଗିବା ପାଇଁ , ରୋଷେଇ ବାସ କରିବାକୁ ଓ ଘର ଦ୍ୱାର ସଫା କରିବାକୁ ଆଉ ଜଣେ ଲୋକର ଆବଶ୍ୟକତା ପଡିବ। ଘର ଭଡା ସହ ଏମାନଙ୍କ ଦରମାର ଆର୍ଥିକ ବୋଝ ନଦି ହୋଇଯିବ ତୁମ ଉପରେ।ଏଣୁ ସରିତା ମାମ୍ ଏଇଠି ରହିବେ ମୋ ପାଖେ।
ଇଚ୍ଛା ନ ଥିଲେ ବି ବାପଝିଅ ସରିତା ମାମ୍ ଙ୍କୁ ମୋ ଘରକୁ ଆଣିଲେ। ଆମେ ତିନି ଜଣ ଯାକ ନାଟକର ଗୋଟେ ଗୋଟେ ଭୂମିକାରେ ଅବତୀର୍ଣ୍ଣ ହୋଇ ଅଭିନୟ କଲୁ। ଅତି ଚିହ୍ନାରୁ ଅତି ଅଚିହ୍ନା ଭଳି ହେଲୁ।ସୁ ବହୁତି ମନ ଦୁଃଖ କଲା ।ମୋ ସହ ଆଗ ପରି ଲାଗିବା ହସ ଖୁସି କରିବାକୁ ମୌକା ପାଉ ନାହିଁ ବୋଲି ଅଭିଯୋଗ ବି ବାଢିଲା। ଘରଟିରେ ସବୁବେଳେ ନୀରବତା ବିରାଜମାନ କଲା । କୋଚିଙ୍ଗ୍ ସେଣ୍ଟରୁ ମୁଁ, କଲେଜରୁ ସାର୍ ଓ ସ୍କୁଲରୁ ସୁ ଘରକୁ ଆସିବାକୁ କାହା ମନ କହିଲା ନାହିଁ ।
କୋମାରୁ ହୋସ୍ କୁ ଆସିବ ପରେ ସରିତା ମାମ୍ ଙ୍କର ବହୁତ ପରିବର୍ତ୍ତନ ହୋଇ ଯାଇଥିଲା। ଆଗର ଉଦ୍ଧତ କି ଉତ୍ସୃଙ୍ଖଳ ଗୁଣ କିଛି ନ ଥିଲା।ସାଧାରଣ ପତି ସୁହାଗିନୀ ପତ୍ନୀ ଓ ବାତ୍ସଲ୍ୟ ସ୍ନେହରେ ଭର୍ତ୍ତି ଏକ ମହନୀୟ ନାରୀକୁ ରୂପାନ୍ତରିତ ହୋଇ ସାରିଥିଲେ ସେ। ନବଜନ୍ମ ହୋଇଥିଲା ଜାଣ ତାଙ୍କର।
ଦିନରେ ନର୍ସ ସରିତା ମାମ୍ ଙ୍କ ଦେଖା ଶୁଣା କରୁଥିଲେ ।ନାଇଟ୍ ଡିୟୁଟି କରିବା କାମରେ ନିଯୁକ୍ତ ହୋଇଥିଲି ମୁଁ। ଦିନ ସାରା କୋଚିଙ୍ଗ୍ ସେଣ୍ଟରରେ ରହଣି।ରାତିରେ ସରିତା ମାମ୍ ଙ୍କ ଜଗୁଆଳି କାମଟି ମୋର।
ମୋ ବେଡ୍ ରୁମ୍ ରେ ମାମ୍ ଙ୍କ ବେଡ୍ ଅର୍ଣ୍ଣବ ସାରଙ୍କ ବେଡ୍ ପାଖରେ ପଡିଥିଲା। ସେ ରୁମକୁ ମୋର ଯିବା ଆସିବାରେ ପାବନ୍ଧି ଥିଲା। ନିଜ ଘରେ ଚାକରାଣୀ ଜୀବନ ଜୀଉଁ ଥିଲି ମୁଁ ।ବିଚିତ୍ର ଥିଲା ଏଇ ଜୀବନର ଅନୁଭୁତି।ଭବିଷ୍ୟତ ଟି ମୋର ଅନ୍ଧାର ଆଡ଼କୁ ଗତି କରୁଥିଲା କ୍ଷିପ୍ର ବେଗରେ।
ଅର୍ଣ୍ଣବ ସାର୍ ଓ ସରିତା ମାମ୍ ଙ୍କ ସେବା ଯତ୍ନରେ କଟି ଯାଉଥିଲା ମୋ ଦିନ। ରୁମ୍ ବାହାର ସିଡି ପାଖ ରୁମ୍ ରେ ରହିବା ବ୍ୟବସ୍ଥା ହୋଇଥିଲା ମୋର। ନାଇଟି ଡିୟୁଟି କରୁଥିବା ନର୍ସ କମ୍ ଚାକରାଣୀ ଭୂମିକାରେ ଅଭିନୟ କରୁଥିଲି।ଏଣୁ ଚାକରାଣୀ ରହିବା ଓ ଚଳଣି ମୋତେ ନିଜର କରିବାକୁ ହେଲା। ଆସ୍ତେ ଆସ୍ତେ ମାମ୍ ଭଲ ହେଉଥିଲେ। କଥା କହୁଥିଲେ। ପଚାରୁଥିଲେ ମୋ ବିଷୟରେ।ଘରେ ମୋର କିଏ କିଏ ଅଛନ୍ତି ମିଷ୍ଟର୍ କଣ କରନ୍ତି ଇତ୍ୟାଦି।
ମୋର ଗୋଟେ ପନ୍ଦର ବର୍ଷର ଝିଅ ଓ ମିଷ୍ଟର୍ ଜଣେ ଅଟୋ ଡ୍ରାଇଭର ବୋଲି ମିଛ କହୁଥିଲି ତାଙ୍କୁ। ଅହରହ କାଠ ଗଡ଼ ପରି ଶୋଇ ରହୁଥିଲେ ସରିତା ମାମ୍।କିନ୍ତୁ କହି ପାରୁଥିଲେ ଏବଂ ବୁଝି ପାରୁଥିଲେ ସବୁ ।ପଛ ଦିନର କଥା କହି ଦୁଃଖ ପ୍ରକାଶ କରୁଥିଲେ ।ନିଜ ଉଗ୍ର ଅତ୍ୟାଧୁନିକ ଜୀବନ ଶୈଳୀ ପାଇଁ କରୁଥିଲେ ମନସ୍ତାପ।କହୁଥିଲେ ବୁଝିଲୁ ଲକ୍ଷ୍ମୀ ! ଚମତ୍କାର ହୋଇ କୋମାରୁ ଯେପରି ଉଠିଲି ସେମିତି ଯଦି ମୋର ସମସ୍ତ ଅଙ୍ଗ ହଠାତ୍ ଚଳକ୍ଷମ ହୋଇ ପାରନ୍ତା ତାହେଲେ ଖୁସିରେ ଭରି ଦିଅନ୍ତି ଅର୍ଣ୍ଣବ ଓ ସୋନାର ଜୀବନ ।
ନିଜ ଭୁଲ୍ ପାଇଁ ହଜେଇ ଆସିଥିବା ଲୋଭନୀୟ ଜୀବନକୁ ଜୀଇଁବାର ଦୁର୍ବାର ଇଛା ସରିତା ମାମ୍ ଙ୍କ ଆଖିରେ ଲହଡି ପିଟୁଥିଲା। ଅନୁତାପ ଠାରୁ କାଳେ ବଡ଼ ଦଣ୍ଡ ନ ଥାଏ ? ସରିତା ମାମ୍ ଅନୁତାପ କରି ପ୍ରାୟଶ୍ଚିତ କରୁଛନ୍ତି ।
କୁହନ୍ତି ଲକ୍ଷ୍ମୀ ! ବହୁତ ଅନ୍ୟାୟ କରିଛି ଅର୍ଣ୍ଣବଙ୍କ ପ୍ରତି। ଅର୍ଣ୍ଣବ ଙ୍କ ଖୁସି ପାଇ ଏତେ ଟିକେ ବି କିଛି କରିନାହିଁ। ଉତ୍ସୃଙ୍ଖଳ ଉଦ୍ଧତ ହୋଇ ପିଅପିଇ କରିଛି। ପିଇ ଗାଡି ଚଳାଉ ଚଳାଉ ଧକ୍କା ହୋଇ ଆଜି ମୋର ଏ ଅବସ୍ଥା।ମନ ଇଛା ଯାହା ଚାହିଛି କରିଛି। ସୋନାକୁ ମାଆର ମମତାରୁ ବଞ୍ଚିତ କରିଛି। ମୁଁ ଆଧ୍ୱନିକ ସୁଅରେ ଭାସି ଯାଇ କେଉଁ ଅମୁଲ୍ୟ ନିଧି ହରେଇଛି ଏବେ ଭାବୁଛି। ସତରେ ଯଦି ମୁଁ ଦୈବି କୃପାରୁ ଚଳକ୍ଷମ ହୋଇ ପାରନ୍ତି କଣ କରନ୍ତି ଜାଣିଛୁ ?
କଣ କରନ୍ତେ ମାମ୍ ? ବୋକା ପରି ପଚାରେ ।
ଅର୍ଣ୍ଣବଙ୍କୁ ନେଇ ଏକଦମ୍ ନୂଆ ଏକ ଜୀବନ ଆରମ୍ଭ କରନ୍ତି । ସୋନା , ମୁଁ ଓ ଅର୍ଣ୍ଣବ ବହୁତ ଭଲ ଭଲ ସ୍ଥାନ ହଲୀ ଡେ ରେ ବୁଲିବାକୁ ଯାଆନ୍ତୁ।ଏପରିକି ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରନ୍ତୁ।କିନ୍ତୁ ଅର୍ଣ୍ଣବ ଏଇଲେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି।ତାଙ୍କ ଭିତରେ ମୋ ପ୍ରତି ପ୍ରେମ ବଦଳରେ ଅଧିକ ଦୟା । ଲାଗୁଛି ସତେ କି ଅର୍ଣ୍ଣବ ମୋ ସ୍ଥାନରେ ଆଉ କାହାକୁ ବସେଇ ସାରିଛନ୍ତି। ଏବେ ତାଙ୍କ ଜୀବନର ବୋଝ ଓ ଅଲୋଡ଼ା ହୋଇ ଯାଇଛି ଯେଣୁ।
ଏତକ କହି ସାରିଲା ବେଳକୁ କିଛି ଲୁହ ମାମ୍ ଙ୍କ ଆଖିରେ ଢଳ ଢଳ ହୋଇ କୂଳ ଲଙ୍ଘିବାକୁ ତତ୍ପର ହୁଅନ୍ତି।
ମୁଁ ବି କେଉଁ ରୋକିପାରେ ମୋ ଭିତର ଲୁହ ! ମାମ୍ ସତକୁ ସତ ଯଦି ହୋସ୍ କୁ ଆସିଲା ପରି ଦିନେ ଉଠି ପଡିବେ ଏବଂ ନିଜ ସଂସାର ଦାୟିତ୍ୱ ନେଇଯିବେ ତ ମୋର କଣ ହେବ ? କୁଆଡେ ଯିବି ମୁଁ ? ସବୁଦିନ କଣ ଚାକରାଣୀ କି କେୟାର ଟେକର ହୋଇ ରହି ପାରିବି ତ ? ଏତକ ଭାବି ଖୁବ୍ ସ୍ୱାର୍ଥପର ହୋଇ ଯାଉଥିଲି । ସରିତା ମାମ୍ ଙ୍କର ତ ସବୁ। ମୋର କଣ ଥିଲା ଯେ ? ଝିଅ ତାଙ୍କର ପତି ବି ତାଙ୍କର । ଦିନ କେଇଟା ସ୍ତ୍ରୀ ହୋଇ ଝିଅ ଓ ଝିଅ ବାପାର ଦାୟିତ୍ୱ ତୁଲାଉଥିଲି ସିନା ସ୍ଥାୟୀ ସ୍ତ୍ରୀ ଟିଏ ହେବା ମୋ କପାଳରେ କଣ ଅଛି ? ବରଂ ଭଲ ଯେଉଁ ସମ୍ପତ୍ତି ସରିତା ମାମ୍ ଙ୍କ ଅଧିକାର ତାଙ୍କୁ ଫେରେଇ ଦେବା ଉଚିତ।
ଏଣୁ ମୋ ପ୍ରେମ ଅର୍ଣ୍ଣବ ସାର୍ ଓ ସୋନାର ଖୁସି ପାଇଁ ନିରୁର୍ଦ୍ଦିଷ୍ଟ ହୋଇଗଲି। ସେବେଠାରୁ କେହି ଦେଖିନି ମୋତେ ରାଜଧାନୀରେ।
ସମୟ ମୋ ସହ ଲୁଚକାଳି ଖେଳିଲା ବେଳେ ମୁଁ ଲୁଚକାଳି ଖେଳିଲି ନିଜ ସହ।