ସମୟ ସାଥିରେ ଦିନେ
ସମୟ ସାଥିରେ ଦିନେ


ଆମେ ଦୁଇ ବନ୍ଧୁ ସାଙ୍ଗ ହୋଇ ବାହାରିଲୁ ସମୟ ଓ ମୁଁ
' ଜୀବନକୁ କେମିତି କେମିତି ଭୋଗିଲ , ବନ୍ଧୁ ? ' କଥା ଆରମ୍ଭ କରିବାକୁ ଯାଇ ମୋତେ ପଚାରିଲା ସେ।
' କିଛି ଭୋଗି ପାରିଲିନି।ବହୁତ କିଛି ବାକି ରହିଗଲା। ' ମୁଁ କହିଲି।
' ଗୋଟାଏ ଜୀବନରେ କ'ଣ ସବୁକିଛି ଭୋଗି ହୁଏ ! ତେବେ କ'ଣ ଭୋଗିଲ ? ଆଉ କ'ଣ ସବୁ ବାକି ରହିଲା ? ' ସେ କହିଲା।
' ମୋର ପୁରୁଣା ଡାଏରୀ ପୃଷ୍ଠାରେ ଥିବା ମୋର ପ୍ରଥମ ପ୍ରେମିକାର ଶୁଖି ଯାଇଥିବା ଗୋଲାପଟିକୁ ଆହୁରି ଦେଖିବାର ଇଚ୍ଛା ଥିଲା। ' ମୁଁ କହିଲି।
' ତେବେ ତୁମେ ତାକୁ ଭୁଲି ପାରିନାହଁ ଏଯାଏ। ' ସେ କହିଲା।
' କେମିତି ଭୁଲି ପାରିବି ? ପାନ୍ଥଶାଳାରେ କେତେ ଯେ ରାତି ବିତେଇଛି ତା' ସହିତ ଅଙ୍ଗାରରେ ତା' ନାଁ ସହିତ ମୋ ନାଁକୁ ଯୋଡି କେତେ ଲେଖିଛି ମୁଁ ' ମୁଁ କହିଲି।
' ଏମିତି ଅନେକ କଥା ରହି ହୋଇଯାଏ। ' ସେ କହିଲା।
' ହେଲେ ସେସବୁ ମୁଁ ଲୁଚାଇ ରଖି ପାରିଲିନି। ଯାହାକୁ ଜୀବନରେ ପାଇଲି କହୁ କହୁ ସବୁକଥା କହିଲା ବେଳକୁ ସେ କହିଲେ - ସବୁକଥା ମୋତେ କହିବା କ'ଣ ଦରକାର ? ତୁମେ ତ ଗପ ଲେଖୁଛ। ସେସବୁ ଗପରେ ଲେଖ। ' ମୁଁ କହିଲି।
' ଭଲ କଥା। ଗପରେ ନିଜକୁ ପ୍ରକାଶ କରିବାରେ ଅସୁବିଧା ନ ଥାଏ। କିଛି ଭଲ ପ୍ରେମ ଗପ ତ ଲେଖି ହୋଇଥିବ ନିଶ୍ଚେ। ' ସେ କହିଲା।
' ହଁ,ଅନେକ ପ୍ରେମ ଗପ ଲେଖିଛି। ହେଲେ ମୋର ଅବସୋସ ଯେ ସେ ତାଙ୍କ ନିଜକୁ ପ୍ରକାଶ କରି ପାରିଲେନି ମୋ ଆଗରେ। ଯେତିକି କହିଲେ ତା' ଠାରୁ ବେଶୀ ଲୁଚାଇଲେ। ' ମୁଁ କହିଲି।
' ସେଭଳି ଉପାଦାନରେ ନାରୀର ଜୀବନଟା ଗଢା। ସବୁ କଥା ଖୋଲି କହି ପାରନ୍ତିନି ସେମାନେ। ତା' ଛଡା ସେସବୁ ଆମ ପାଇଁ ଅନାବଶ୍ୟକ ମଧ୍ୟ। ' ସେ କହିଲା।
' ହଁ,ସେତିକି ବୁଝିବାକୁ ବାଧ୍ୟ ହେଲି। ତାଙ୍କ ସହିତ ମିଶି ଘରଟିଏ ଗଢିବାକୁ ପ୍ରୟାସ କଲି। ରମଣରେ ରାତି ବିତେଇଲି। ହେଲେ କିଛି ବି ପୂର୍ଣ୍ଣ ହୋଇ ପାରିଲାନି। ସବୁ ଯେମିତି ଅଧାରୁ ରହିଗଲା। ' ମୁଁ କହିଲି।
' ଯେତିକି ଯାହା ପାଇଁ ଗଢିବାକୁ ଥାଏ, ସେତିକି ସେ ଗଢିଥାଏ। କିଛି ବାକି ରହିଯିବା ଭଳି ଲାଗେ। କିନ୍ତୁ ପ୍ରକୃତରେ କିଛି ବି ବାକି ନ ଥାଏ ଆଉ। ' ସେ କହିଲା।
' ସେମିତି ଭାବି ପାରୁନି। ଆହୁରି ଅନେକ ରାତି ଶାନ୍ତିରେ ଶୋଇବାକୁ ଚାହିଁଥିଲି। ହୋଇ ପାରିଲାନି। ଜୀବନ ଶେଜରେ ମୋର ରାତି ରାତି ନିଦ ବାକି ରହିଗଲା। ତୁମେ ଡାକିଲ ଚାଲି ଆସିଲି ତୁମ ସହିତ। ' ମୁଁ କହିଲି।
ସେ ହସିଲା। କହିଲା - ' ମୋର ବିଶ୍ୱାସ ଏବେ ତୁମେ ଶାନ୍ତିରେ ଶୋଇ ପାରିବ। ଜୀବନଟା ପରା କର୍ମମୟ। ଶାନ୍ତିରେ ଶୋଇ ପାରେ କି ମଣିଷ ଜଣେ ଜୀବନ ସରେ,କର୍ମ ସରେ ନାହିଁ ପରା। '
ଆମେ ଦୁହେଁ ଷ୍ଟେସନରେ ପହଞ୍ଚିଗଲୁ।
ଯେଉଁ ଟ୍ରେନରେ ଆମର ଯିବାର ଥିଲା, ତାହା ଆସି ପହଞ୍ଚିବାର ସୂଚନା ମିଳିଲା।
' କଥା ତ ଆରମ୍ଭ ହୋଇନାହିଁ। କେତେବେଳେ ଏତେ ଗୁଡେ ବାଟ ସରିଗଲା ? ' ମୁଁ କହିଲି।
' କଥା କ'ଣ ସରେ କେବେ ? ବାକି ଯାହା ରହିଗଲା ସେସବୁ ରହିବାକୁ ଦିଅ। ଟ୍ରେନ୍ ଛାଡିବାର ଶେଷ ଘୋଷଣା ଶୁଭିଲାଣି ପରା। ଏବେ ନିଜ ସ୍ଥାନରେ ବସିବାର ସମୟ। ' ସେ କହିଲା।
ଆଉ ବିଳମ୍ବ ନ କରି ଆଗେ ଆଗେ ମୁଁ ଟ୍ରେନକୁ ଉଠିଲି। ପଛକୁ ବୁଲି ଚାହିଁଲି। ହେଲେ ମୋର ସାଥି ସମୟକୁ ଆଉ କେଉଁଠି ଦେଖୁ ନ ଥିଲି।
କୁଆଡେ ହଜିଗଲା ଏ ସମୟ !
କେମିତି ଜାଣି ପାରିଲିନି ମୁଁ !
ଏବେ ଏଇ ପ୍ରଶ୍ନ ପଚାରୁଥିଲି ନିଜକୁ। ଟ୍ରେନ୍ ମୋତେ ସେଇ ଆଡକୁ ନେଇ ନେଇ ଯାଉଥିଲା, ଯେଉଁଠି ପହଞ୍ଚିଗଲେ ଆଉ ଫେରି ପାରେନାହିଁ ମଣିଷ।