ସମୁଦ୍ର ମାଆ
ସମୁଦ୍ର ମାଆ
ସମୁଦ୍ରର ମୁଖ୍ୟ ଆକର୍ଷଣ ଢେଉ ଓ ତାର ଗର୍ଜନ। ସେଇ ଭିତରେ ମୋ ଭାବନା ସବୁ ମୋ ମନ ସମୁଦ୍ରରେ ମଥା ପିଟି ଫେରିଯାଉଥିଲେ କେବେ ଅତୀତ କେବେ ରହିଯାଉଥିଲେ ବର୍ତ୍ତମାନରେ ତ କେବେ ଭବିଷ୍ୟତ ଚିନ୍ତାଧାରାରେ ହେଉଥିଲେ ଉବୁଟୁବୁ। ମନେ ପଡ଼ୁଥିଲା ବସ ଗହଳି ଭିତରେ ମାଆଟି ଫୁଙ୍ଗୁଳା ଛୁଆଟିଏ କାଖେଇ ଠିଆ ହୋଇଥିବା ଦୃଶ୍ୟ। ପିଲାଟି ନାକରୁ ବୋହି ଯାଉଥିଲା ଗଙ୍ଗା ଯମୁନା ଦୁଇଧାର। ମାଆ ଟି ପୋଛି ଆଣୁଥିଲା ନିଜ ପଣତ କାନିରେ ଆଉ ପାଖରେ ପଛପଟେ ମୁଁ ଓ ମୋ ସହ ଠିଆ ହୋଇଥିବା ଯାତ୍ରୀମାନେ ନାକ ଟେକୁଥିଲା ବେଳେ ମୋର ମନେପଡ଼ିଲା ମୋ ପୁଅ ଝିଅଙ୍କ ପିଲାବେଳେ କେମିତି ନିର୍ଦ୍ଦିଷ୍ଟ କପଡା ବା ଗାମୁଛାରେ ପୋଛି ଧୁଆଶୁଖା କରାଯାଉଥିଲା, ପୁଣି ଔଷଧ ପତ୍ର ଦିଆଯିବାରେ ହେଳାରେ ଆଖିରୁ ଗଡ଼ି ଯାଉଥିଲା ଦୁଇଧାର ଲୁହ।
ଏବେ ଏବେ ଝିଅର ଝିଅ ଓ ପୁଅର ପୁଅଟିର ଯଦି ସେମିତି ଅବସ୍ଥା ଉପୁଜୁଥିଲା କେବେ ତ ଯାହା ପଡିଲା ହାତରେ, ଆଉ ୱାସିଂ ମେସିନ ସବୁବେଳେ ଫୁଲ ପୁଣି ଔଷଧ ଦିଆ ହେଉ ନହେଉ ଥାକ ଥାକ। ପୁଣି ପ୍ରତିଦିନ କୋରିଅରରେ ନୂଆ ଖେଳନା, ଟରକିସ, ଡ୍ରେସ ଇତ୍ୟାଦି। କହିଲେ ଉତ୍ତର ମିଳିବ ପିଲାଙ୍କର ବୁଦ୍ଧିମତ୍ତା ବଢିବ କେମିତି?? ପୁଣି ପୁରୁଣା ଡ୍ରେସ ଅଳ୍ପ ଛୋଟ ହୋଇ ଘରପୋଛା ହେଲାବେଳେ, ରାସ୍ତାଘାଟର ଶହ ଶହ ଫୁଙ୍ଗୁଳା ଶିଶୁଙ୍କ ମୁହଁ ନାଚିଉଠେ, ତ କେତେଖଣ୍ଡ ସାଇତି ଦେଲାବେଳେ, ପୁଅ ଝିଅ କହନ୍ତି, କାହାକୁ ସେମିତି ପୁରୁଣା ଦବୁନି, ସମସ୍ତଙ୍କର ସ୍ୱାଭିମାନ ଅଛି ନା ନାହିଁ?? ମତେ ସେତେବେଳେ କେତେ କଥା କହିବାକୁ ଇଚ୍ଛା ଥିଲେ ବି ମୁଁ ଚୁପ୍ ରୁହେ।
ହଠାତ୍ ବସ ଭିତରେ ଥିବା ମାଆ କାଖର ଫୁଙ୍ଗୁଳା ପିଲାଟି କାନ୍ଦି ଉଠିଲା, ମାଆ ପୁଣିଥରେ ତା ନାକ ପୋଛିବାକୁ ଚେଷ୍ଟା କରି ବି ନିଅଣ୍ଟ ପଣତକୁ ବାଣ୍ଟି ପାରୁନଥିବା ବେଳେ ଭ୍ୟାନିଟରୁ ଟର୍କିସଟି କାଢ଼ି ପିଲାଟିର ମାଆକୁ ବଢ଼େଇଲି, ମାଆଟି ନେଲା ଆଉ ଓହ୍ଲେଇଯିବା ପୂର୍ବରୁ ଶହେ ଟଙ୍କା ମାଆ ହାତରେ ଗୁଞ୍ଜି ଦେଇ ଭାବୁଥିଲି, ଯା ହେଉ ପିଲାଟିର ମାଆ ତ ପାଖରେ ଅଛି ସାହା ହେବାକୁ, ଆଜିକାଲି ତ
ଜନ୍ମ କରିସାରିବା ପରେ ପରେ ପିଲାକୁ ଜେଜେମାଆ ବା ଆଈ ପାଖରେ ଛାଡି କିଏ ରିସର୍ଚ୍ଚ କରିବାକୁ ଗଲାଣି ତ କିଏ ସୌନ୍ଦର୍ଯ୍ୟ ସଚେତନ ହୋଇ ଆଡେଇ ରହିଲାଣି । ସତରେ ଭବିଷ୍ୟତରେ ଶିଶୁଙ୍କ ସମସ୍ୟା ବୋଧହୁଏ ଉତ୍କଟ ସମସ୍ୟା ହୋଇ ଠିଆହେବ ଭାବୁ ଭାବୁ ଚାହିଁଲି ସମୁଦ୍ରକୁ। ପୁରା ଶାନ୍ତ। ଗୋଟେ ବି ଢେଉ ନାହିଁ, ମୋ ପାଟିରୁ ବାହାରି ପଡ଼ିଲା ମାଆ ଓ ଶିଶୁ ଉଭୟ ଉଭୟଙ୍କର ପରିପୂରକ ତଥା ଅନୁପୂରକ ହେବା ନିହାତି ଦରକାର l
ମୋ ପାଖରେ କେତେବେଳଠୁ ଆସି ବସିଥିବା ମିସେସ ଦାସ କହୁଥିଲେ ଠିକ କହିଛନ୍ତି ଭଉଣୀ, ଏହା ମାତୃଦିବସର ସ୍ଲୋଗାନ ହେଉ। ଖାଲି ସେତିକି ନୁହେଁ, ପ୍ରତ୍ୟେକ ନାରୀ ଭିତରେ ବାତ୍ସଲ୍ୟ ମମତା ଖାଲି ନିଜ ପିଲା ନୁହେଁ ଦୁନିଆଁର ପ୍ରତି ପିଲା ପାଇଁ ଜାଗିଉଠୁ। ଆପଣ କେମିତି ଅଛନ୍ତି ମିଶେସ ଦାସ, ନାତି ନାତୁଣୀଙ୍କ ଜଞ୍ଜାଳ ଭିତରେ ନିଶ୍ଚୟ ଭଲରେ ଥିବେ, ତ ମିସେସ୍ ଦାସ କହିଲେ ନାହିଁ ଭଉଣୀ ମୁଁ ମୋ ନିଜ ପିଲାଙ୍କୁ ବଡ କରିବା ଭିତରେ ଦୁନିଆଁର ପିଲାଙ୍କୁ ଭୁଲିଯାଇଥିଲି, ସେଇଥିପାଇଁ ପିଲାମାନଙ୍କୁ ନିଜ ପିଲାମାନଙ୍କର ଦାଇତ୍ୱ ଠିକଠାକ ବୁଝିବାକୁ କହି ମୁଁ ସମାଜର ଅନଗ୍ରସର ପିଲାଙ୍କ ପାଇଁ କିଛି କରିବାକୁ ପ୍ରତିଦିନ ଏହି ସମୁଦ୍ରକୂଳ କୁ ଆସେ। ତାଙ୍କ ପାଖେଥିବା ଡ୍ରେସ, ବିସ୍କୁଟ, ପାଣି ବୋତଲ, ଟର୍କିସ ଦେଖି ମୁଁ ଅନେକ କିଛି ବୁଝିଯାଇଥିଲେ ବି ସମୁଦ୍ରର ନିରବତା ବୁଝିବା କଷ୍ଟ ମନେକରୁଥିଲି ତ ମିସେସ ଦାସ ପୁଣି କହିଚାଲିଥିଲେ, ସମୁଦ୍ର, ଖାଲି ଲକ୍ଷ୍ମମାଆଙ୍କ ମାଆ ବାପା ନୁହଁନ୍ତି ବରଂ ସଭିଙ୍କ ମାଆ, ତେଣୁ ଆଜିର ଦୁନିଆଁର ଗତିବିଧି ଦେଖି ସେ ନୀରବ। ଆମ ସମସ୍ତ ନାରୀ ଜାତିଙ୍କୁ କିଛିନା କିଛି କରି ଦେଖାଇଦେବାକୁ ସମୁଦ୍ର ମାଆଙ୍କର ଏ ଆହ୍ବାନ। ମାଆ ଡାକରେ ଚାଳନା ଭଉଣୀ ସମସ୍ତଙ୍କୁ ଜାଗ୍ରତ କରିଯିବା। ମୁଁ ହସି ହସି ତାଙ୍କ ହାତ ଧରି ଉଠିଲି ତ ହଠାତ୍ ସମୁଦ୍ର ମାଆ ନିରବତା ଭାଙ୍ଗି ଜୁଆରିଆ ସାଜି କଳକଳ ଓ ଛଳଛଳ ହୋଇଉଠିଲେ ନିରବତା ଭାଙ୍ଗି, ସତେ ଯେମିତି କହୁଥିଲେ, ଆଜିର ଶିଶୁ ଆସନ୍ତା କାଲିର କର୍ଣ୍ଣଧାର।