ସ୍ମୃତି ର ସେ ଅପରାହ୍ନ
ସ୍ମୃତି ର ସେ ଅପରାହ୍ନ
ରିଚାର ଛୁଟି ଥିବାରୁ ସକାଳୁ ବସି ଘର ସଫା କରୁଥାଏ । ବାପା ମାଆଙ୍କର ଏକମାତ୍ର ସନ୍ତାନ ସେ । ସେ ସରକାରୀ ଦପ୍ତରରେ କିରାଣୀ ଭାବେ କାର୍ଯ୍ୟରତ । ବାପା ତା'ର ପାରାଲିସିସରେ ଆକ୍ରାନ୍ତ ଆଉ ମା' ସେ ସବୁ ଚିନ୍ତା କରି ରୁଗ୍ଣ । ଘରେ ବଢିଲା ଝିଅ । ତା' ବୟସର ଝିଅ ବାହା ହୋଇସାରିଲାଣି । କେତେ ଜଣଙ୍କର ପିଲା ଛୁଆ ସ୍କୁଲ ମଧ୍ଯ ଗଲେଣି । ହେଲେ ରିଚା ତା' ଜିଦ୍ରେ ଅଟଳ । ମା' କହିଲେ ରିଚା ସଫା ସେତିକି ଥାଉ । ଗୋଟିଏ ତ ଦିନ ଛୁଟି । ବିଶ୍ରାମ କ'ଣ ନେବୁ ଖାଲି କାମ କରୁଥା ।
ରିଚା କହିଲା ମା' ତୁ କାହିଁକି ଏତେ ବ୍ୟସ୍ତ ହେଉଛୁ? ନିଜ ଘର କାମ ଆଉ କିଏ କରିବ? ମା' କହିଲେ ମୁଁ କରିବି ଟିକିଏ ଭଲ ଲାଗିଲା ପରେ । ମୋ ଝିଅଟା ଏତିକି ଖଟିବ ତା' ପୁଣି ତା' ବାପ ଘରେ । ଦୁନିଆ କ'ଣ କହିବ ମୋତେ, ସାବତ ମା' ବୋଧହୁଏ । ସେଥିପାଇଁ ଝିଅ ଟାକୁ ଏତେ ଖଟଉଛି । ରିଚା କହିଲା ମା' ତୁ ବେଶୀ ଭାବୁଛୁ ଅଯଥାରେ, ଦୁନିଆ ଜାଣିଛି ଯେ ମୁଁ ତୋର ଜନ୍ମ କଲା ଝିଅ ବୋଲି । ତାହା ହେଲେ ତୁ ମୋ ସାବତ ମା' ହେଲୁ କେମିତି? ମା' କହିଲେ ମୋ ଝିଅକୁ କିଏ କଥାରେ ପାରିବ? ଏହା କହି ଗଲେ ରିଚାର ବାପାଙ୍କୁ ଔଷଧ ଦେବାକୁ ।
ରିଚା ଘର ଝାଡ଼ୁ ଝାଡ଼ୁ ଗୋଟିଏ ଡାଏରୀ ପାଇଲା । ବହୁତ ପୁରୁଣା ଦିନର ଡାଇରୀ । ତାକୁ ଖୋଲୁ ଖୋଲୁ ଦେଖିଲା ସେଥିରେ ଆଗରେ ଗୋଟିଏ ହାତ ଅଙ୍କା ଚିତ୍ର, ଯେଉଁଥିରେ ଛୋଟ ଝିଅଟିର ହାତକୁ ବାପା, ମା' ଧରିଛନ୍ତି । ସେଥିରେ ଲେଖା ହୋଇଛି ମୋ କୁନି ପରିବାର । ରିଚା ଆଖିରୁ ଲୁହ ବୁନ୍ଦାଟିଏ ଖସି ତା' ଉପରେ ପଡିଗଲା । ସେ ଭାବିଲା ମୋ ବାପା ଏଠି ଠିଆ ହେଇପାରୁଥିଲେ । ହେଲେ ଏବେ ସେ ଶଯ୍ୟାଶାୟୀ । ତା' ପର ପୃଷ୍ଠା ସବୁକୁ ଦେଖୁ ଦେଖୁ ଅତୀତର ଗୋଟିଏ ଫର୍ଦ୍ଦ ଉପରେ ତା'ର ନଜର ଅଟକିଗଲା । ସେଦିନର ଶାନ୍ତ ଅପରାହ୍ନର ସ୍ମୃତି ସବୁ ଜୀବନ୍ତ ହୋଇଉଠିଥିଲେ ଯେମିତି । ସେଦିନ ଥିଲା ରବିବାର । ଅପରାହ୍ନରେ ରୋହିତ ଆସିଥିଲା ରିଚାର ଘରକୁ ଗଣିତ ଖାତା ନେବା ପାଇଁ । ରିଚାର ସାଙ୍ଗ ରୋହିତ । ଦୁଇ ଜଣ ଭଲ ସାଙ୍ଗ । ଏକା ଶ୍ରେଣୀରେ ପଢନ୍ତି । ରିଚା କହିଲା ଗଣିତ ଖାତା ଦେବି ଯେ ବଦଳରେ କ'ଣ ଦେବୁ? କହିଲା ଯାହା ମାଗିବୁ, ଦେବି । କହିଲା ହଉ ଏବେ ଯା ଆମ ପଡିଶା ଘର ବାଡ଼ିରେ ସ୍ୱର୍ଣଚମ୍ପା ଗଛରୁ ଗୋଟିଏ ଫୁଲ ଆଣି ଦେବୁ । ସେ ଫୁଲର ବାସ୍ନା ମୋତେ ବହୁତ ଭଲ ଲାଗେ । କେତେଥର ମାଗିଲାଣି । ତାଙ୍କ ବୁଢୀ ଆଈ ଦଉନି । ଯେତେ ଶୀଘ୍ର ଆଣିବୁ ସେତେ ଶୀଘ୍ର ଖାତା ନେବୁ । ନ ଆଣିପାରିଲେ ତୋ ଘରକୁ ଫେରିଯିବୁ ।
ରୋହିତ ଭାବିଲା ସେ ଆଜି ମଲା । ଯଦି ଫୁଲ ନ ଆଣେ ରିଚା ବିଲକୁଲ ଖାତା ଦେବନି । ସେ ଭାରି ଏକ ଜିଦିଆ ଝିଅ । ଖାତା ଯଦି ନ ନେବ ଗଣିତ ନ କରିପାରିଲେ ସ୍କୁଲରେ ମାଡ ଖାଇବ ଗଣିତ ସାରଙ୍କଠୁ । ଆଉ ଏଠି ଯଦି ଧରା ପଡିଯାଏ, ବୁଢୀ ଆଈ ଘରେ କହି ପିଠିରୁ ଛାଲ ଉତୁରେଇ ଦେବ । ହେଲେ ଆଉ କିଛି ଉପାୟ ବି ତ ନାହିଁ ।
ଯାହା ହେଉ ମା' ମଙ୍ଗଳାଙ୍କୁ ମୁଣ୍ତିଆ ମାରି ରୋହିତ, ରିଚା ପଡିଶା ଘର ଫାଟକ ଉପରେ ଚଢି ଏପଟ ସେପଟ ଦେଖିଲା । ମହାନ୍ତି ମଉସାଙ୍କ ଗାଡି ନାହିଁ । ମାଉସୀ ବି ଦେଖାଯାଉନାହାଁନ୍ତି । ବୋଧହୁଏ ବାହାରକୁ ଯାଇଛନ୍ତି । ବୁଢୀ ଆଈ ଶୋଇଛି । ଏବେ ସୁବିଧା ହେବ । ଆରାମରେ ଫୁଲ ଗଛରେ ଚଢି ଫୁଲ ଆଣି ଦେବି । ଯାହା ହେଉ ଗଛରେ ଚଢି ଵହୁ କଷ୍ଟରେ ଗୋଟିଏ ଫୁଲ ପତ୍ର ସହ ଛିଣ୍ଡାଇ ଆଣି ପହଞ୍ଚିଲା । ରିଚା କହିଲା ଆଣିଛୁ ତାହେଲେ ଫୁଲ । ଉତ୍ତରରେ ରୋହିତ କହିଲା ତୋ ଫୁଲ ନେ । ମୋତେ ଖାତା ଦେ । ତୋ ଯୋଗୁଁ ଆଜି ମୁଁ ଚୋରି କଲି । ରିଚା କହିଲା ଧରା ତ ପଡିନୁନା । ରୋହିତ କହିଲା ଧରା ପଡିଥିଲେ ବୁଢୀ ଆଈ ଆଜି ଶିଳରେ ମୋତେ ଧନିଆ ପତ୍ର ବାଟିଲା ପରି ବାଟି ଦେଇଥାନ୍ତ । । ରିଚା ହସିକି କହିଲା ହଉ ବୀର ପୁତ୍ର ଗଣିତ ଖାତା ନେ । ଆଉ ଜଲଦି ଯା । ଫୁଲଟିକୁ ନେଇ ରିଚା ଡାଏରୀରେ ଅଠାରେ ଲଗେଇ ଦେଲା । ଆଜି ଏତେ ଦିନ ପରେ ଶୁଖିଲା ଫୁଲ ଯାହାର ପାଖୁଡା ସବୁ ଝଡି ଯାଇଛି ଦେଖି ସେଦିନର ସେ ଅପରାହ୍ନର ସ୍ମୃତି ସବୁ ତା ମନ ଭିତରେ ଜୀଇଁ ଉଠୁଥିଲା । ଡାଏରୀର ସେ ଫର୍ଦ୍ଦକୁ ବନ୍ଦ କରି ଭିଜି ଯାଇଥିବା ଆଖିକୁ ପୋଛିଲା ରିଚା ।
ଭାବିଲା କେତେ ଶୀଘ୍ର ବଦଳିଗଲା ସବୁ କିଛି । ରୋହିତ ସହ ବନ୍ଧୁତା ପ୍ରେମରେ ପରିଣତ ହେଲା । ପରିବାରର ସ୍ୱୀକୃତି
ରେ ସବୁକିଛି ଠିକ୍ ଚାଲିଥିବା ବେଳେ ତା'ର ବାପାଙ୍କର ପାରାଲିସିସ୍ ହେଲା । ରୋହିତର ମା' ସର୍ତ୍ତ ରଖି କହିଲେ ବିବାହ ପରେ ରିଚା ତା'ର ବାପାଙ୍କ ଧ୍ୟାନ
ରଖିପାରିବ ନାହିଁ । ରିଚାର ଉତ୍ତର ଥିଲା, ବାପାଙ୍କ ଧ୍ୟାନ ରଖିପାରିବିନି ହେଲେ କାହିଁକି? ମୁଁ ମୋ ବାପା, ମାଆଙ୍କର ଏକମାତ୍ର ସନ୍ତାନ । ମୁଁ ଯଦି ବୁଝିବିନି ଆଉ କିଏ ବୁଝିବ? ମା' କହିଲେ ମୁଁ ବୁଝିବି ରିଚା, ତୁ ଚୁପ୍ ରହ । ସେ କହିଲା ମା' ତୁ ଏବେ ସିନା ବୁଝିନେବୁ ଆଉ ଆଗକୁ? ରିଚାର ମା' କହିଲେ ଆଗକୁ ବି ମୁଁ ସମ୍ଭାଳିନେବି । କୋଉ ମା' ନ ଚାହେଁ ତା' ଝିଅର ସଂସାର ବସି ଯାଉ ବୋଲି? ରିଚା କହିଲା ମା' ମୁଁ ଏତେ ସ୍ୱାର୍ଥପର ହେଇପାରିବିନି । ମୋ ସୁଖ ପାଇଁ ବାପାଙ୍କର ଏଭଳି ଅବସ୍ଥାରେ ତାଙ୍କୁ ଏକୁଟିଆ କରି ଚାଲିଯିବା ଝିଅ ମୁଁ ନୁହେଁ । ଆଉ ଏଭଳି ମାନସିକତା ନେଇ ବଞ୍ଚୁଥିବା ଘରକୁ ମୁଁ ବୋହୂ ହେଇ ଯିବାକୁ ପସନ୍ଦ ବି କରୁନି । ସେମାନେ ବେଳୁ ଜାଣିଛନ୍ତି ଏକମାତ୍ର ସନ୍ତାନ ଭାବେ ମୋର ବାପା ମାଆଙ୍କ ପାଇଁ ଅନେକ କର୍ତ୍ତବ୍ୟ ଅଛି । ସେବେ ତ ମନା କରିପାରିଥାନ୍ତେ । ଏବେ କାହିଁକି?
ରୋହିତର ମା' ନଛୋଡ଼ବନ୍ଧା । ଆଉ ରିଚା ବି ଛାଡିବା ଝିଅ ନୁହେଁ । ରୋହିତ ବି ମା'କୁ ତା'ର ଅନେକ ବୁଝେଇଲା । ରୋହିତର ବାପା ବହୁତ ଭଲ ଲୋକ । ସେ ବି ଅନେକ ଚେ଼ଷ୍ଟା କଲେ । ସବୁ ଫସର ଫାଟିଗଲା । ସେଦିନ ରୋହିତକୁ ରିଚା କହିଥିଲା ସେ ସେଇଦିନ ଫେରିବ ଯେଉଁଦିନ ତା ମା' କିଛି ସର୍ତ୍ତ ରଖିବେନି ।
ସେ ଘଟଣାକୁ ଚାରି ବର୍ଷ ବିତିଗଲାଣି । ରୋହିତ ତା' ପରେ ଅନେକ ଥର ଫୋନ୍ କରିଛି । ରିଚା ବିଲକୁଲ କଥା ହେଇନି । ତା' ପରେ କେବେ ଯେମିତି ତା' ସହ ଦେଖା ନହେଉ, ସେଥିପାଇଁ ଢେଙ୍କାନାଳରୁ ଭୁବନେଶ୍ୱର ବଦଳି ହେଆସିଯାଇଛି ପରିବାର ସହ । ରିଚା ଭାବୁଛି ସେ କେବେ ବି ବିବାହ ପରେ ରୋହିତ ମାଆବାପାଙ୍କୁ ଅଣଦେଖା କରିନଥାନ୍ତା । ସେ ଭାବିଥିଲା ସେ କେତେ ଭାଗ୍ୟବାନ । ତା'ର ଦି ଦିଟା ବାପା ମାଆ ।
ଏତିକି ବେଳେ ମା' ଡାକିଲେ ରିଚା ଆସେ ଦେଖିବୁ କିଏ ଆସିଛି? ରିଚା ଯାଇ ଦେଖିଲା ବେଳକୁ ରୋହିତ ତା'ର ବାପା ମାଆଙ୍କ ସହ ବସିଛି । ରିଚା ଭାବିଲା ସ୍ୱପ୍ନ ଦେଖୁଚିକି ସେ ଆଉ? ନା ନା ରୋହିତ ଆସିଛି ସତରେ । ରିଚା ଯାଇ ରୋହିତ ବାପା ମାଆଙ୍କୁ ପ୍ରଣାମ କଲା । ରୋହିତର ମା' କହିଲେ ଝିଅ ମୋତେ କ୍ଷମା କରିଦେ । ଆଜି ମୋ ସର୍ତ୍ତ ପାଇଁ ସମସ୍ତେ କଷ୍ଟ ପାଉଛ । ରିଚା କହିଲା ମାଉସୀ ଆପଣ ମୋ ଠୁ ବଡ । ମୋତେ କ୍ଷମା ମାଗି ଆଉ ଲଜ୍ଜିତ କରନ୍ତୁ ନାହିଁ । ମୋର ସେଦିନର ବ୍ୟବହାର ପାଇଁ ମଁଅ ଆପଣଙ୍କୁ କ୍ଷମା ମାଗୁଛି । ରିଚାର ମା' କହିଲେ ଯା' ସର୍ବତ ଆଣେ । ଯାଉଛି କହି ରିଚା ଗଲା ରୋଷେଇ ଘରକୁ । ରୋହିତ ପଛେ ପଛେ ଗଲା ରିଚାର ।
ରିଚା ସର୍ବତ ଗ୍ଲାସ ରୋହିତ ହାତକୁ ବଢେଇ ଦେଉଥିଲା ବେଳେ ରୋହିତ କହିଲା ମୁଁ ରାଗିଛି ତୋ ଉପରେ ।
ମୋ ଫୋନ୍ ତ ଉଠଉନଥିଲୁ ଆଉ ବଦଳି ହେଇ ଆସିଗଲୁ ଜଣେଇଲୁନି । ରିଚା କହିଲା ସେ ସମୟ କଠୋର ଥିଲା ରୋହିତ । ମୁଁ କ'ଣ ଏସବୁ କରି ଖୁସି ହେଉଥିଲି । ତୁମଠାରୁ ଦୂରେଇବାର ଯନ୍ତ୍ରଣାରେ ବେଶୀ ଆଘାତ ମୁଁ ପାଉଥିଲି । ଆଉ କ'ଣ ମୋ ଭଲପାଇବା ପାଇଁ ମୋ ବାପାମାଆଙ୍କୁ ଛାଡି ଚାଲିଯାଇଥାନ୍ତି । ଯିଏ ନିଜ ଜନ୍ମ କଲା ବାପାମାଆଙ୍କର ହୋଇପାରିବନି ସେ ତୁମ ସ୍ତ୍ରୀ ହେବାପାଇଁ ବି ଯୋଗ୍ୟ ନୁହେଁ । ରୋହିତ କହିଲା ହଉ ସେସବୁ ଛାଡି ଏବେ ରାଜି ହେଇଯାଅ ବିବାହ ପାଇଁ । ଯାହା ହେଉ ମା' ମାନିଗଲା । ଏସବୁ ସେ ସେତବେଳେ ବୁଝିଲା ଯେତେବେଳେ ଅଜା ଆଈଙ୍କୁ ମାମୁଁ ମାଇଁ ପଚାରିଲେନି । ମା' ସେମାନଙ୍କୁ ଆଣି ପାଖରେ ରଖି ସେବା କରୁଛି । ତା' ପରେ ନିଜେ କହିଲା, ସେଦିନ ତା'ର ସେ ମାନସିକତା ପାଇଁ କେତେ ଲଜ୍ଜିତ ସେ । ଖାଲି ପୁଅ କାହିଁକି? ଝିଅ ମାନଙ୍କର ମଧ୍ୟ ବିବାହ ପରେ ଅନେକ କର୍ତ୍ତବ୍ୟ ଅଛି କରିବା ପାଇଁ । ବାସ୍ ଦୁଇ ପରିବାରକୁ ବାନ୍ଧିବାକୁ ପରିଶ୍ରମ, ସ୍ନେହପ୍ରେମର ଆବଶ୍ୟକତା ରହିଛି ।
ରିଚା କହିଲା ଏକଦମ୍ ଠିକ୍ । ଏହା କହି ସର୍ବତ ଦେଇକି ଆସୁ ଆସୁ ରୋହିତର ମା' କହିଲେ ସମୁଦୁଣୀ ଆଉ ବିଳମ୍ବ ନୁହେଁ । ଯେତେ ଜଲ୍ଦି ହେବ ବିବାହର ବନ୍ଦୋବସ୍ତ କରିବା । ରିଚାର ମା' କହିଲେ ହଁ ସମୁଦୁଣୀ ।
ରିଚା ଆଉ ରୋହିତ ଦୁହେଁ ଖୁସି ହେଉଥିଲେ ଏସବୁ ଶୁଣି । ରିଚାର ମା' କହୁଥିଲେ ଖାଇବା ଆଜି ଏଇଠି ହିଁ ଖାଇବେ ଆପଣମାନେ । ରୋହିତର ବାପା କହୁଥିଲେ ଏଠି ଆଉ ସେଠି କ'ଣ ସମୁଦୁଣୀ? ଦୁଇଟା ଯାକ ତ ଆମ ନିଜ ଘର । ନହେଲେ ପୁଣି ରିଚା ବିବାହ ପାଇଁ ମନା କରିଦେବ । ସମସ୍ତେ ହସିଲେ ଏସବୁ ଶୁଣି । ରିଚାର ଏତେ ଦିନର ଦୁଃଖ ସବୁ ଖୁସିର ପରିବର୍ତ୍ତିତ ହେବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଜଣଉଥିଲା ।