Prasanta kumar Hota

Inspirational

3  

Prasanta kumar Hota

Inspirational

ସମ୍ପର୍କ

ସମ୍ପର୍କ

8 mins
407


ସୂର୍ଯ୍ୟାସ୍ତର ସୁନେଲି ଆଭା ଦେଖୁ ଦେଖୁ ସନ୍ଧ୍ୟା କେତେବେଳୁ ଯେ ଅତୀତ ହୋଇ ଗଲାଣି ତାହା ଅବିନାଶ ପ୍ରକୃତିସ୍ଥ ହୋଇ ସାରିଲା ପରେ ଜାଣି ପାରିଲେ। ତାଙ୍କର ଘରକୁ ଫେରିବା ବେଳ ହେଇ ଯାଇଥିଲା। ଘରେ ବୁଢୀ ଅର୍ଥାତ୍ ତାଙ୍କ ଧର୍ମପତ୍ନୀ ଧୁମୀ ଅପେକ୍ଷାରେ ଅନେଇ ରହିଥିବ।

ହଁ ଯିବାକୁ ହେବ ଶୀଘ୍ର କହି ବାର୍ଦ୍ଧକ୍ୟର ପାଦ ଦୁଇଟି ଆଗକୁ ବଢାଇଲେ। ମନ ଯେତେ ଦ୍ରୁତ ଗତିରେ ଚାଲିବାକୁ ଚାହୁଁଥିଲେ ବି ଗୋଡ ଦୁଇଟି ସେହି ଅନୁସାରେ ବଢୁ ନଥାନ୍ତି। ମନଟା ବିଳମ୍ବ ପାଇଁ ବ୍ୟସ୍ତ ଲାଗୁଥାଏ। ବୁଢୀଟା ଖଟ ଉପରେ ଗର ଗର ହେଇ ଖାଲି କଡ ଲେଉଟାଉ ଥିବ। ଆଜକୁ ବହୁତ ଦିନ ହେଲାଣି ଖଟରୁ ଉଠି ପାରୁନି ବୋଲି ଚିଡି ଚିଡି ବି ହେଇ ଗଲାଣି। ପୁଅ ଝିଅ ଜନ୍ମ କରି ବି ନକଲା ଭଳିଆ। କେହି ଗୋଟିଏ ଆସୁ ନାହାନ୍ତି। ତାକିଲେ ଯାଇ କିଏ କେମିତି ଆସିବେ। ସତେଯେମିତି ଭାରି କର୍ତ୍ତବ୍ୟପରାୟଣ। ମନଟା ସବୁ ଆଡୁ ଭାବି ଭାବି ବ୍ୟସ୍ତ ହୋଇ ଯାଉଥାଏ।

ଅବିନାଶ ସ୍ତ୍ରୀଙ୍କର ସବୁ କଥା ନିଜେ ବୁଝନ୍ତି। କାହା ଉପରେ ନିର୍ଭର କରନ୍ତି ନାହିଁ। ଜଣେ ମହିଳା ଘରେ ନର୍ସ ଭାବରେ କାମ କରେ। ସେ ରୋଷେଇ କାମ ବି କରିଦିଏ। ଆଉ ଜଣେ କାମବାଲି ପ୍ରତିଦିନ ଆସି ବାସନ ଧୋଇ ଦିଏ। ଘର ବି ଝାଡୁ ମାରିଦିଏ। ଦୈନନ୍ଦିନ ଜୀବଚର୍ଚ୍ଚା ଜୀବନରେ ଏତିକି ମାତ୍ର। ନିଜେ ରୋଜଗାର କରି ରଖିଛନ୍ତି ତେଣୁ କାହା ପାଖରେ ହାତ ପତାନ୍ତି ନାହିଁ କି କାହାକୁ ଅତି ମାତ୍ରାରେ ନିର୍ଭର କରନ୍ତି ନାହିଁ। ନିଜ ଜୀବନଶୈଳୀ ନିଜ ନିଷ୍ପତ୍ତି ନିଜ ଆଚରଣ ଏପରିକି ନିଜର ପ୍ରାୟ ସବୁଥିରେ ସେ ଏକ ଆତ୍ମସନ୍ତୋଷ ଅନୁଭବ କରିଥାନ୍ତି। ସେହି ଆତ୍ମସନ୍ତୋଷ ବୋଧେ ତାଙ୍କୁ ଏପର୍ଯ୍ୟନ୍ତ କିଛି ମାତ୍ରାରେ ସୁସ୍ଥ କରି ରଖିଛି। କିଏ କଣ ଭାବିଲା ବା କଣ ଭାବିବ ଏପରି ଆବେଗ କେହି ମୁହଁ ଖୋଲି ନକହିଲା ପର୍ଯ୍ୟନ୍ତ ସେ ଗୁରୁତ୍ୱ ଦିଅନ୍ତି ନାହିଁ ।

ଟଙ୍କା ପଇସା ପାଖରେ ଅଛି ତ ଯଥେଷ୍ଟ । କାହାର ସେ ଅନିଷ୍ଟ କରୁ ନାହାନ୍ତି । କାହାକୁ ଖରାପ କଥା କହୁ ନାହାନ୍ତି। ଏତିକି ତ ଜୀବନର ଧ୍ୟେୟ ପାଇଁ ଯଥେଷ୍ଟ। ଏହାଠାରୁ ଆହୁରି ଅଧିକ ମଥା ପିଟିବା କଣ ଦରକାର। ପ୍ରାୟତଃ ଏହି ଦର୍ଶନରେ ଚିନ୍ତା ଧାରା ରଖି ସେ ଜୀବନ ବିତାଇଦେଲେ। ବର୍ତ୍ତମାନ କିନ୍ତୁ ସମୟର ଅପରାହ୍ନରେ ସେ ଦେଖୁଛନ୍ତି ନିଜ ଦର୍ଶନର ବାସ୍ତବତା ଭିନ୍ନ । ଯାହା କେବଳ ସାମୟିକ ପରିତୁଷ୍ଟି ଦେଇଥାଏ ଆର୍ଥିକ ସ୍ଵଛଳତାର ଆବରଣ ଭିତରେ। ସମ୍ପର୍କ ର ପରିସୀମା ଭିତରେ ନୁହେଁ। କିନ୍ତୁ ଏବେ ଏହି ପରିପକ୍ଵ ବୟସରେ ସେ ବା କଣ କରି ପାରିବେ!

ମୁଁ କଣ କରିବି? ଏହି କଥାକୁ ମନ ଭିତରେ ଭାବି ଭାବି ଅବିନାଶ ଆଗକୁ ଗୋଡ ବଢାଉ ଥାନ୍ତି। ନିଜ ପୁଅ ଝିଅ ଜ୍ୱାଇଁ ସମସ୍ତେ ଏହି ସହର ଭିତରେ ଥାଇ ବି କାହାର ତାଙ୍କ ପାଖରେ ରହିବାର ଇଛା ନାହିଁ। ଯେମିତି ମନ ଭିତରେ ରହିବା ପାଇଁ ଅସଂଖ୍ୟ କୁଣ୍ଠାବୋଧ। କେବଳ ଡାକିଲେ ଆସିବେ। ସେଇଟା ବି ବୋଧହୁଏ ନିଜ ଆତ୍ମ ସମ୍ମାନ ପାଇଁ।

ଅବିନାଶ ଭାବନାରେ ଯେତେ ଚେଷ୍ଟା କଲେ ବି ପୂର୍ଣ୍ଣଛେଦ ପକାଇ ପାରୁ ନଥାନ୍ତି। ନିଜକୁ ପ୍ରଶ୍ନ କଲେ ଅବିନାଶ - ମୁଁ କଣ ଏତେ ଖରାପ? ମୋ ପାଖରେ ସମୟ କାଟିବା ପାଇଁ କାହାର ବି ଆଗ୍ରହ ଆସୁନି। ଘର ଦୁଆର ସବୁ ଖାଲି ଅଛି। କେହି ରହିବା ପାଇଁ ବି ଇଛା କରୁ ନାହାନ୍ତି। ପୁଅକୁ ପଚାରିଲେ ବୋହୂ କହୁଛି ଆମେ ଥିଲା ବେଳେ ତ ବୋଉଙ୍କର ଅସୁବିଧା ହେଉଥିଲା। ବାରମ୍ବାର କହୁଥିଲେ ଘର ଅଛି ବୋଲି ଆରାମରେ ଅଛି। ନିଜେ ଘର ନେଇ ରୁହ ଜାଣିବ। ଏବେ ଘର ନେଇ ରହିଲାରୁ ଆମ ସୁଖ ଦିଶୁନି ବୋଲି ବାରମ୍ବାର ଘରକୁ ଡାକୁଛନ୍ତି। ଏଭଳି ଉତ୍ତରରେ ଅବିନାଶ ଚୁପ। ବୁଢୀ ଖାଲି କହେ ଏମିତି କଣ କଥା ଧରି ବସନ୍ତି? ସାଙ୍ଗେ ସାଙ୍ଗେ ବୋହୁ ଜବାବ ଦେଇ ଦିଏ। ଆପଣ ମାନେ ଉଠି ବସି ପାରୁ ନାହାନ୍ତି ବୋଲି ଆମେ ମନେ ପଡିଲୁ। ଠିକ୍ ଅଛି ଆପଣ ଉଠି ବସି ଚଲାବୁଲା କରନ୍ତୁ ଆମେ ଆସି ରହିବୁ। କଥା ସେତିକିରେ ରହିଯାଏ। ପୁଅ କହିଦିଏ ତମେ କାହିଁକି ବ୍ୟସ୍ତ ହେଉଛି ଆମେ ତ ବେଳେ ବେଳେ ଆସି ଦେଖି ଯାଉଛୁ।

ଅବିନାଶ ନିଜ କୋହ ଲୁଚାଇ ରଖନ୍ତି। ଯେଉଁ କଷ୍ଟ ଯିଏ ନିଜେ ନଭୋଗିଛି ତାର ବେଦନା ସେ କାହୁଁ ବୁଝିବ। ଅବିନାଶଙ୍କର ମନେ ପଡ଼ିଲା ଥରେ ସେ ନିଜେ ଯୋର କରି କହିଲାରୁ ବୋହୂ କହିଲା - ତମେ କେତେ ନିଜ ବାପା ଭାଇଙ୍କୁ ଆଣି ପାଖରେ ରଖିଥିଲ ଆମେ ଜାଣିଛୁ। ତମେ ତାହେଲେ କଣ ସେମାନଙ୍କୁ ଜାଣି ଶୁଣି କଷ୍ଟ ଦେଉଥିଲ। ଅବିନାଶଙ୍କର କୌଣସି ଯୁକ୍ତି ବୋହୂର କଥାକୁ କାଟି ପାରେ ନାହିଁ। ସମୟ ପୁଣି ତା ବାଟରେ ଗଡି ଚାଲେ। ଝିଅ ମାନେ ବି ଦୟାରଖି ଆସୁଥିଲେ ଯେ ଏବେ ପିଲାମାନଙ୍କ ପାଠପଢା ନାଁରେ ଆଉ ଆସୁ ନାହାନ୍ତି। ଜ୍ୱାଇଁ ର ତ ବିଲକୁଲ ଆଗ୍ରହ ଥିଲା ପରି ଲାଗେ ନାହିଁ। କେତେବେଳେ ଡାକିଲେ ଯାହା ଆସିବେ। ଯଦି ନଡାକିଲି ଫୋନରେ କଥା ହେଇ ନିଜ ଦାୟିତ୍ଵ ସାରି ଦିଅନ୍ତି। ନାତି ନାତୁଣୀଙ୍କ କଥା ଛାଡ। ଆମ ସମ୍ପର୍କ କେବଳ ନାମରେ ମାତ୍ର। ପଚାରିଲେ କହୁଛନ୍ତି କଣ ପାଇଁ ଯିବି। ଆସିଲେ ବି ମୋବାଇଲ ଧରି ବସି ପଡିବେ ଯେ ଆମ ଆଡେ ଅନାଇବାକୁ ଫୁରସତ୍ ନଥିବ।

ଘର ପାଖରେ ପହଞ୍ଚିଲା ବେଳକୁ ଦେଖିଲେ ତାଙ୍କ ଜ୍ୱାଇଁ ରାଜୁ ମଟର ସାଇକେଲରେ ଷ୍ଟାଣ୍ଡ ମାରୁଛନ୍ତି। ମନଟା ତାଙ୍କର ଖୁସି ହୋଇଗଲା।

ଅବିନାଶ ପଚାରିଲେ କଣ ଏକୁଟିଆ ଆସିଲେ। ରାନୀ ଆଉ ପିଲାମାନଙ୍କୁ ସାଙ୍ଗରେ ଆଣିଲେନି।

- ନା, ସେମାନେ ମନାକଲେ।

ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି କହି ଆଣିଥିବା ପ୍ୟାକେଟ ବଢାଇ ଦେଲେ ଓ କହିଲେ - ବୋଉ ଫୋନ୍ କରି ମିଠା ଖାଇବେ ବୋଲି କହିଥିଲେ - ତେଣୁ ରାନୀ କିଛି ରସଗୋଲା ପଠେଇଛି।

ଅବିନାଶ ପ୍ୟାକେଟ ଧରି କିଛି ସମୟ ଭାବ ବିହ୍ବଳ ହୋଇଗଲେ। ଭାବିଲେ ବାହାଘର ପରେ ଝିଅ ଦେଇକି ବି ନିଜେ କେବେ ମିଠା ନେଇ ଯାଇ ନାହାନ୍ତି। ପାଖରେ ଅଛନ୍ତି ବୋଲି ଯେତେବେଳେ ଯାଉଥିଲେ ବାଡି ସଜନା ନହେଲେ ଘରେ ପରା ହୋଇ ରଖା ହେଇଥିବା ନଡିଆ ଦି'ଟା ନେଇ ଯାଉଥିଲେ। ନାତି ନାତୁଣୀଙ୍କ ସାଙ୍ଗରେ ଭଲ ଭାବରେ ମିଶିଲେ ଥଟା ମଜା କଲେ ସିନା କିଏ ଆଶା କରିବ ବା ମାଗିବାର ସାହସ କରିବ, ଦୂରତା ରଖିଲେ କିଏ କଣ ପାଇଁ ପଚାରି ବସିବ। ସେମିତି ବି ଘରକୁ ଯଦି ଝିଅ ଜ୍ବାଇଁ ସନ୍ଧ୍ୟା ସମୟରେ ଆସୁଥିଲେ ମିଠା କାକରା ଖର୍ଚ୍ଚ ପଡିବ ବୋଲି ରାତି ନ'ଟା ପର୍ଯ୍ୟନ୍ତ ବାଧ୍ୟ କରି ରଖାଉଥିଲେ ଓ ରୁଟି ଡାଲମା ଦେଇ ବିଦା କରୁଥିଲେ। ନିଜ ବୁଦ୍ଧିରେ ସେତେବେଳେ ସେ ବହୁତ ଖୁସି ହେଉଥିଲେ। କିଏ କଣ ଭାବିବ ସେଟା ତାର ସମସ୍ୟା ବୋଲି ସେ ଚିନ୍ତା କରୁଥିଲେ।

ରାଜୁ ଚିନ୍ତାରେ ବ୍ୟାଘାତ ଦେଇ ଶ୍ବଶୁରଙ୍କୁ କହିଲା - ବାପା ମୁଁ ଯାଉଛି ବୋଉଙ୍କୁ କହିଦେବେ ମିଠା ଖାଇବାକୁ।

ଅବିନାଶ ଶୁଣି ବ୍ୟସ୍ତ ହୋଇଗଲେ - କହିଲେ, ଘର ଭିତରକୁ ଟିକେ ଆସ

-ନାଇ ଥାଉ ଆଉ କେତେବେଳେ। ମୋର କାମ ଅଛି। ରାଜୁ କହିଲା ।

ଅବିନାଶ କହିଲେ ମୋର ଟିକିଏ କଥା ହେବାର ଥିଲା ପାଞ୍ଚ ଦଶ ମିନିଟ ବସ। ବୋଉ ସାଙ୍ଗରେ ବି ଦେଖା ହେଇଯିବ।

ରାଜୁ ବିରୋଧ କରି ପାରିଲା ନାହିଁ। ହୋଉ କହି ରାଜୁ ଅବିନାଶ ସହିତ ଭିତରକୁ ଗଲା। ବୋଉଙ୍କ ପାଖକୁ ଚେୟାର ଗୋଟିଏ ଭିଡି ଆଣି ବସିଲା ଓ ପଚାରିଲା - କେମିତି ଅଛନ୍ତି? ବୋଉ ତାଙ୍କର ଚିରାଚରିତ ଢଙ୍ଗରେ ଆମୂଳଚୁଳ ଗପିବାକୁ ଲାଗିଲେ। ରାଜୁ ଅନାଗ୍ରହ ଜନିତ କଷ୍ଟ ହେତୁ ସବୁଆଡ଼େ ଖାଲି ଅନାଉଥାଏ। ଉଦ୍ଦେଶ୍ୟ ଅନ୍ୟମନସ୍କ ରହିଲେ କଥା ଗୁଡାକ ଆଉ ମୁଣ୍ଡ ଭିତରେ ପଶିପାରିବ ନାହିଁ। ବୋଉ ବୋଧେ ବୁଝି ପାରିଲେ କଥା ବଦଳାଇ ପଚାରିଲେ ତୁମ ବାପା ମାଆ କେମିତି ଅଛନ୍ତି?

ଆପଣ କଣ ସତରେ ଜାଣିବା ପାଇଁ ଆଗ୍ରହ କରୁଛନ୍ତି। ରାଜୁ ସ୍ଵାଭାବିକ ଢଙ୍ଗରେ କହିଲେବି ଶ୍ଳେଷୋକ୍ତି ବାରି ହେଇ ପଡୁଥିଲା।

ବୋଉ ମୁହଁ ବୁଲାଇ କହିଲେ -ହଁ ଜାଣିବା ପାଇଁ କାହିଁକି ଆଗ୍ରହ ହେବନି। ଆମ ପରି ସେମାନେ ବି ତ ବୁଢ଼ା ବୁଢୀ ହେଇ ଯିବେଣି।

-ହଁ ଯେ ବୋଉ। ଯେତେବେଳେ ଆପଣ ଉଠି ବସି ପାରୁଥିଲେ କେବେ ତ ଦିନେ ପଚାରି ନାହାନ୍ତି କି ଘରକୁ ଆସି ଦେଖି ଯାଇ ନାହାନ୍ତି। ସେଥିପାଇଁ ଏମିତି କହିଦେଲି। ସମସ୍ତେ ଭଲ ଅଛନ୍ତି।

-ତମେମାନେ ଆମ କଥା ଏମିତି ଧରି ବସିଲେ ହେବ।

ରାଜୁ କଥାକୁ ଆଉ ଆଗକୁ ନବଢାଇବା ପାଇଁ କହିଲା-- ହଁ ବୋଉ କଥା ଧରି ଲାଭ ବି କଣ।

ବୋଉ ଟିକିଏ ତେରଛା ନଜରରେ ଦେଖି ଆଖି ଘୁରାଇ ଆଣିଲେ। ଅବିନାଶଙ୍କୁ ଚାହିଁ କହିଲେ - ଆସିକି ଟିକେ ପାଖରେ ବସୁନ।

ଅବିନାଶ ଆସି ପାଖରେ ବସିଲେ। ରାଜୁ ଆଡକୁ ଚାହିଁ କହିଲେ ତମକୁ ଆଜି ଗୋଟିଏ କଥା କହିବାକୁ ଭାରି ମନ ହେଉଛି। ତମର ଭାଗବତ ଜ୍ଞାନ ଅଛି ବୋଲି ମୁଁ ତମକୁ କହୁଛି । ଆଜି ସନ୍ଧ୍ୟାରେ ଆମର ଯାହା ଆଲୋଚନା ହେଉଥିଲା ସେଥିରୁ ଗୋଟିଏ ପଦ ବୁଝି ହେଲେବି ନବୁଝିଲା ପରି ଲାଗୁଛି। ତମେ ଟିକିଏ ସହଜ ଭାବରେ କହି ଦେଲେ ଭଲ ଲାଗନ୍ତା।

ରାଜୁ ନିଜ ପ୍ରଶଂସା ଶୁଣି ଲଜ୍ଜା ପାଇ କହିଲା ମୋର ଭାଗବତ ଜ୍ଞାନ ନାହିଁ। ମୁଁ ଖାଲି ଟିକିଏ ପଢାପଢି କରେ ଯାହା।

ଅବିନାଶ କିନ୍ତୁ ଛାଡିଲେ ନାହିଁ କହିଲେ ଯାହା ଜାଣିଛ କହିବାକୁ ପଡିବ।

ଅବିନାଶଙ୍କ ଯୋର୍ କୁ ରାଜୁ ଏଡାଇ ପାରିଲା ନାହିଁ ବାଧ୍ୟ ହୋଇ ପଚାରିଲା -କୋଉ ପଦଟି କୁହନ୍ତୁ?

ଅବିନାଶ ସାଙ୍ଗେ ସାଙ୍ଗେ ସଂଜତ ହୋଇ ବସି ପଡି କହିଲେ - ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଆଜି ଏ ବିଷୟରେ ସନ୍ଧ୍ୟା ବେଳେ ବହୁତ ତର୍ଜମା ହେଉଥିଲା। ବାକ୍ୟଟି ସରଳ ହେଲେ ବି ବହୁତ ଗଭୀର ପରି ଲାଗୁଛି। ତମେ ନିଶ୍ଚିତ ଭାବରେ ଏହାର ଅର୍ଥ ଜାଣିଥିବ।

ରାଜୁ ନିଜ ଶ୍ବଶୁର ଅବିନାଶଙ୍କର ଏପରି କହିବା ଦେଖି ପ୍ରଥମେ ତାଙ୍କୁ ବୁଝିବାକୁ ଚେଷ୍ଟା କଲେ ତାପରେ କହିଲେ ମୁଁ ଯାହା ବୁଝିଚି ଓ ଅନ୍ୟ ମାନଙ୍କ ଠାରୁ ଶୁଣିଛି ତାହା ସରଳ ଭାଷାରେ କହିବାକୁ ଗଲେ ଏହିପରି - ପ୍ରାଣୀର ଭଲ କଣ ନା ମନ୍ଦ ବାଣୀ। ମରଣ କାଳେ ତାହା ଜାଣି ଅର୍ଥାତ୍ ମରଣ ସମୟରେ ପ୍ରାଣୀ ଯଦି ତାର ମନ୍ଦ ବାଣୀ ବା କରିଥିବା କର୍ମ ବିଷୟରେ ଜାଣି ପାରିବ ତାହେଲେ ତା ପାଇଁ ଭଲ। କାରଣ ନିଜ ମନ୍ଦ କର୍ମ ଆଚରଣ ବା କଥା ଜ୍ଞାତ ହୋଇ ପାରିଲେ ସେ ଅନୁତାପର ଅନଳରେ ପାପମୁକ୍ତ ହୋଇ ଯାଏ ଓ ଆତ୍ମଶାନ୍ତି ପାଏ।

ଅବିନାଶ ଜିଜ୍ଞାସୁ ନୟନରେ ସବୁ ଶୁଣୁଥାନ୍ତି କିନ୍ତୁ ଭ୍ରମ ରହିଗଲା ପରି ପଚାରିଲେ -ଯଦି ପ୍ରାଣୀ ମନ୍ଦ ବାଣୀ ଜାଣି ନପାରିବ ତାହେଲେ କଣ ଖରାପ୍।

ରାଜୁ ସେଇ ମୁଦ୍ରାରେ ଥାଇ କହିଲା ଯଦି ପ୍ରଥମଟି ସତ୍ୟ ତାହେଲେ ତାର ଅନ୍ୟଥା ହେଲେ ବିପରୀତ ଘଟିବ ବୋଲି ନିଶ୍ଚିତ ଅନୁମାନ କରାଯାଇ ପାରେ। ତାପରେ ଅନ୍ତଚେତନାରେ ଭୂଲ ସ୍ଵୀକାର କଲେ ସିନା ହୃଦୟର ପରିବର୍ତ୍ତନ ହେବ। ହୃଦୟରେ ପରିବର୍ତ୍ତନ ଆସିଲେ ସିନା ଆତ୍ମା ଶୁଦ୍ଧ ହେବ। ଆତ୍ମା ଶୁଦ୍ଧ ହେଲେ ସିନା ସଦଗତି ଆସିବ। ନଚେତ ମଣିଷ ନିଜର ପ୍ରତ୍ୟେକ କାର୍ଯ୍ୟ ଓ କଥାକୁ ବିଚାର ଶୂନ୍ୟ ଭାବରେ ଠିକ୍ ବୋଲି ଭାବି ଅନ୍ଧାରରେ ବୁଡି ରହିବା ସାର ହେବ। ଏତିକି କହି ରାଜୁ ଉଠିବାକୁ ଆରମ୍ଭ କଲା।

ଅବିନାଶ ପୁଣି ଅଟକାଇ ପଚାରିଲେ - ତାହେଲେ ମୋତେ କାହିଁକି ମୋର ମନ୍ଦ କର୍ମ ଦିଶୁ ନାହିଁ। ମୋର ତ ମରିବା ବେଳ ଆସି ଗଲାଣି। ମୁଁ କଣ ଏତେ ଆତ୍ମଗର୍ବୀ ଓ ଅହଂକାରୀ।

ରାଜୁ କଣ କହି ଉତ୍ତର ଦେବ ବୁଝି ପାରିଲା ନାହିଁ। ପଚାରିଲା - ମୋତେ ଏସବୁ କାହିଁକି ପଚାରୁଛନ୍ତି। ଆପଣଙ୍କ ଭୁଲ ଯଦି ଆପଣଙ୍କୁ ଦିଶୁ ନାହିଁ ତାହେଲେ ଆଉ କାହାକୁ ଦିଶିବ କେମିତି। ଯିଏ ଦେଖି ପାରିଲା ସିଏ ଭାଗ୍ୟବାନ। ପଦଟିର ଅର୍ଥ ଏତିକି।

ଆପଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଭଗବାନ କେବେ ତ ସଦୟ ହେବେ।

ଅବିନାଶ ବୋଧେ ଏହି ଉତ୍ତରରେ ସନ୍ତୁଷ୍ଟ ହେଲେ।

ରାଜୁର ଚାଲି ଯିବା ପଥକୁ ଦେଖୁଥାନ୍ତି ଅବିନାଶ। ଯେମିତି ବିନା ଆଗ୍ରହରେ ଆସିଥିଲା ସେମିତି ଆଗ୍ରହ ଶୁନ୍ୟ ହୋଇ ଚାଲିଗଲା। ଏଠାରେ ରହିଲେ ଯେମିତି ଅଣନିଃଶ୍ଵାସୀ ହେଇଯିବ।ସବୁ ସମ୍ପର୍କ ଥାଇ ମଧ୍ୟ ତାଙ୍କର ଯେମିତି କେହି ସମ୍ପର୍କିତ ନାହାନ୍ତି। ସମ୍ପର୍କ ବିହୀନ ହୋଇ ରହିବା କେତେ କଷ୍ଟ ସତେ ଏ ବାର୍ଦ୍ଧକ୍ୟ ଜୀବନରେ! ଯେଉଁ ଠାରେ ପୁଅ ଝିଅ ସ୍ଵତଃ ସମ୍ପର୍କିତ ହୋଇ ମଧ୍ୟ ସମ୍ପର୍କରେ ରହି ପାରୁ ନାହାନ୍ତି ସେଠି ଅନ୍ୟ ମାନଙ୍କୁ କେତେ ବା ଆଶା କରା ଯାଇପାରେ।

ଅବିନାଶ ନିଜ ଜୀବନର ଅତୀତ ପୃଷ୍ଠା କୁ ଓଲଟାଇ ଦେଖୁଥାନ୍ତି। ସେ କଣ ଅନ୍ୟମାନଙ୍କ ଠାରୁ କିଛି ନିଆରା ଥିଲେ। କାଇଁ ନୁହେଁ ତ। ସେ ବି ସ୍ଵାର୍ଥପର ଭାବରେ ଜୀବନ ବିତାଇଛନ୍ତି। ନିଜ ଆଖି ଆଗରେ ନିଜ ପରିବାର ଛଡା ଆଉ କେହି ଦେଖା ଯାଇ ନାହାନ୍ତି। ଏପରିକି ଝିଅ ବାହା ଦେଇ ସାରିଲା ପରେ ଝିଅ ମଧ୍ୟ ପର ହେଇ ଯାଇଛି। ଘରକୁ ଆସିଲେ ଯେମିତି ଏକ ଅନାହୂତ ଖର୍ଚ୍ଚ ଆସି ପହଞ୍ଚି ଗଲା ପରି ବୋଧ ହେଇଛି। ଆତ୍ମୀୟତା ଯେମିତି ଟଙ୍କା ପାଖରେ ତୋଉଲିବାକୁ ପଡୁଥିଲା। ନିଜର ଆତ୍ମୀୟତାକୁ ଦେଖାଇବାକୁ ଯାଇ ସେ ଅନେକ ଥର କହିଛନ୍ତି - ତମେ ମାନେ ସମସ୍ତେ ଆସୁଥିବ । ଦେଖା ହେଲେ ଖୁବ୍ ଭଲ ଲାଗିବ ଓ ଦେଖା କରି ସାରି ପୁଣି ଫେରି ଯାଉଥିବ। ଦେଖା କରିସାରି ପୁଣି ଫେରିଯିବ ବୋଲି କହିବା ପଛରେ କେତେ ଆନ୍ତରିକତା ଥିଲା କେବଳ କହିଥିବା ଲୋକ ସିନା ଜାଣି ପାରିବ ଅନ୍ୟମାନେ କେବଳ ଅନୁମାନ କରିବେ। ଅବିନାଶ ନିଜକୁ ପୁଣି ଥରେ ପଚାରିଲେ ସତରେ କଣ ତାଙ୍କର ଏପରି କହିବାରେ ଆନ୍ତରିକତା ଥିଲା। ଯଦି ଥିଲା ତାହେଲେ ସେ ବି ତ ସେମିତି ଯାଇ ପାରିଥାନ୍ତେ ଅନ୍ୟମାନଙ୍କ ଘରକୁ। ଅନ୍ୟକୁ କହିବାର ଆବଶ୍ୟକତା କଣ। ଯାହା ନିଜ ଦ୍ଵାରା କରି ହୁଏ ନାହିଁ ତାହା ଅନ୍ୟ ଠାରୁ ଆଶା କରିବା ଏକ ଅହଂକାର ନୁହେଁ ତ ଆଉ କଣ! ଅନେକ ଭୁଲ ଅହଂକାର ଓ ସ୍ଵାର୍ଥରୁ ସୃଷ୍ଟି ହୁଏ। ଯେତେ ଛପେଇବାକୁ ଚେଷ୍ଟା କଲେ ମଧ୍ୟ ସେ ବାଟ ଖୋଜି ବାହାରି ଆସେ। ସେଥିପାଇଁ ନିଷ୍କପଟ ଓ ନିସ୍ଵାର୍ଥପର ବ୍ୟକ୍ତି ର କୌଣସି ଥିରେ ଦୁଃଖ ରହେ ନାହିଁ କି ଦୁଃଖ ଆସିଲେ ଭାଙ୍ଗି ପଡେନାହିଁ। ତାର ସମ୍ପର୍କ ଥାଇ ଯେମିତି ସେ ସମ୍ପର୍କିତ ହେଇପାରେ ସମ୍ପର୍କ ନଥାଇ ବି ସେ ସମ୍ପର୍କିତ କରିପାରେ।

ବୁଢୀ କେତେବେଳୁ ଚାହିଁ ରହିଥିଲା। ଅବିନାଶଙ୍କୁ ।ଏତେ ସମୟ ନୀରବ ଦେଖି ପଚାରିଲା ଜ୍ବାଇଁ କଣ କହିଲେ କି?

- ନା କିଛି ନାହିଁ

ଏତେ ଭାବୁଛ କଣ

- ଭାବୁଛି ଜୀବନରେ କଣ ଭୁଲ କରିଛି

ତମର କଣ ଭୁଲ। ତମେ କଣ କାହାର ଖାଇଛ ନା କାହାକୁ ମାରିଛ। ସେ ବେକାର କଥାଗୁଡିକ ଚିନ୍ତା କରି ମୁଣ୍ଡ ଖରାପ କରନାହିଁ।

ଅବିନାଶ କିଛି କହିଲେ ନାହିଁ। ଭାବିଲେ ପତ୍ନୀ ସହିତ ସମ୍ପର୍କ ଯେମିତି ବିନା ପ୍ରେମରେ ମଜଭୁତ ହୋଇ ପାରେ ନାହିଁ ସବୁ ସମ୍ପର୍କ ସେମିତି ବିନା ପ୍ରଚେଷ୍ଟାରେ ଗଢି ହୁଏ ନାହିଁ। ବିନା ପ୍ରଚେଷ୍ଟାରେ ସମ୍ପର୍କ ଆଶା କରିବା ବୃଥା। ଅବିନାଶ ମୋବାଇଲ ଉଠାଇ ନିକଟରେ ରହୁଥିବା ସମସ୍ତ ସମ୍ପର୍କିତଙ୍କୁ ଫୋନ କରି କହିଲେ -କାଲି ମୋ ଘରେ ଖାଇବା ହେଉଛି ଆସିବ।

ଫୋନ୍ ରଖି ସାରିଲା ପରେ ଏକ ଅଜଣା ଆତ୍ମବିଶ୍ୱାସ ଦଲକାଏ ପବନ ଧକ୍କା ମାରିଲା ପରି ଦେହ ଭିତରକୁ ପଶିଗଲା।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational