ସହଯୋଗ
ସହଯୋଗ
ସେତେବେଳେ ମୋର ପୋଷ୍ଟିଂଗ୍ କଣିହା ସ୍ଥିତ ଏନ୍.ଟି.ପି.ସି କ୍ଯାମ୍ପସ୍ ଷ୍ଟେଟ୍ ବ୍ଯାଂକ୍ ରେ ଥାଏ । ଦିନେ ଜଣେ ଭଦ୍ରବ୍ଯକ୍ତି ଆସି ମୋତେ ଦେଖାକଲେ । କହିଲେ ଚାରି ଲକ୍ଷ ଟଂକାର ଗୋଟେ ଫିକ୍ସ ଡିପୋଜିଟ୍ କରିବାର ଅଛି, ହେଲେ ଯେମିତି ପ୍ରତି ତିନି ମାସରେ ସୁଧ ଟଂକା ତାଂକ ଜମାଖାତାକୁ ଯିବ । ଦରମା ଆସୁଥିବା ଖାତାକୁ ନୁହେଁ, ଅନ୍ଯ ଏକ ଜମାଖାତାକୁ । ମୁଁ ତାଂକ ଦରକାର ଅନୁଯାୟୀ ବ୍ଯବସ୍ଥା କରେଇଦେଲି ।
ସେବେଠାରୁ ସେ ପ୍ରତି ତିନି ମାସରେ ଥରେ ଆସନ୍ତି, କେତେ ଟଂକା ସୁଧ ଯାଇଛି ପଚାରି ବୁଝନ୍ତି । ସବୁ ସୁଧ ଟଂକା ଏକାବେଳେ ଉଠେଇ ନେଇ ଚାଲିଯା’ନ୍ତି । ଧୀରେ ଧୀରେ ମୋର ମନରେ ସନ୍ଦେହ ସୃଷ୍ଟି ହେଲା । ଦରମା ଆସୁଥିବା ଖାତାରେ ଲକ୍ଷ ଲକ୍ଷ ଟଂକା ଅଛି ହେଲେ ତାକୁ ନ ଉଠେଇ ଏ ଖାତାରୁ ପୂରା ଟଂକା କାହିଁ ନେଉଛନ୍ତି ।
ଦିନେ ଅନେକ ଭାବି ଭାବି ଏ ପ୍ରଶ୍ନ ତାଂକୁ ପଚାରିଦେଲି । ଉତ୍ତରରେ ସେ କହିଲ
େ, “ସାର୍, ଏକୋଇଶି ବର୍ଷର ପୁଅ ମୋର, ଇଂଜିନିୟରିଂ କରୁଥିଲା । ସାଂଗ ମାନଂକ ସହ ବଣଭୋଜିରେ ଯାଇଥିଲା । ଗାଧେଇଲା ବେଳେ ଗୋଡ ଖସିଗଲା, ପୁଅ ସବୁଦିନ ପାଇଁ ଚାଲିଗଲା । ତା ପଢା ପାଇଁ ଏ ଟଂକା ରଖିଥିଲି । ଏବେ ସେ ତ ନାହିଁ, ଏ ଟଂକା କାହାପାଇଁ । ଖବରକାଗଜ ଦେଖେ, କାହାର କେଉଁଠି ଚିକିତ୍ସା ଲାଗି ଟଂକା ଦରକାର । ନିଜେ ଏ ସୁଧ ଟଂକା ଯାଇ ଦେଇ ଆସେ ତାଂକ ପାଖରେ । ମୋ ପୁଅ ନହେଲେ ନାଇଁ କାହା ପୁଅ ତ ବଂଚିଯାଉ ।”
ଏକ ନିଶ୍ୱାସରେ କହିଗଲେ ସେ । ତାଂକ ଆଖିରେ ଠୋପେ ଲୁହ ନାଇଁ, କାନ୍ଦି କାନ୍ଦି ଆଗରୁ ଶୁଖିଯାଇଥାଇପାରେ । ମୋ ଆଖି ଓଦା ହେଇସାରିଥାଏ ସେତେବେଳକୁ । ପିଲାଦିନେ ବହିରେ ଥିବା ଗୋପବନ୍ଧୁ ଆସି ମୋ ସାମ୍ନାରେ ସତେ ବସିଛନ୍ତି । ସେଦିନ ନିଷ୍ପତ୍ତି ନେଲି ମୋ ଜୀବନରେ ଏ ରାସ୍ତାରେ ଯିବି । ସମୟର ଅଭାବ ଯୋଗୁ ନିଜେ ଯାଇପାରେନା ସତ, କିନ୍ତୁ ନିଜ ସାଧ୍ଯମତେ ସହଯୋଗର ଛୋଟ ହାତ ବଢେଇବାକୁ କେବେ ଭୂଲେନି ।