Swarup Nayak

Children Stories Inspirational

3  

Swarup Nayak

Children Stories Inspirational

ଜେଜେଙ୍କ ପ୍ରଶ୍ନ

ଜେଜେଙ୍କ ପ୍ରଶ୍ନ

2 mins
583


ଜେଜେମା ଗପ କହନ୍ତି, ରାଜା, ରାଣୀ, ରାଜକୁମାର, ବୁଢୀ ଅସୁରୁଣୀ, ଟୁଆଁଟୁଇଁ କେତେ ଗପ । ତାଙ୍କ ଗପରେ ବାଘ କଥା କହେ, ମାଛ-ମାଙ୍କଡସାଂଗ ହେଇ ଗପ କହନ୍ତି, ବିଲୁଆ-ମଣିଷର ବାଜି ଲାଗେ, ଏମିତି କେତେ କଣ । ହେଲେ ଜେଜେ ସତ ଶୁଣାନ୍ତି । ହଁ ଯଦି ରାମାୟଣ, ମହାଭାରତର ଅସ୍ତିତ୍ୱକୁ ସତ ମାନି ନିଆଯାଏ ତେବେ ଜେଜେ ସତ ଶୁଣାନ୍ତି । ତା ବାହାନାରେ ଯାହା ଶିକ୍ଷା ଦିଅନ୍ତି ସେ କଥା ମୋ କୁନି ମୁଣ୍ଡ ସେତେବେଳେ ସବୁ ବୁଝିପାରେନା, ଆଜି ବୁଝିଲାବେଳକୁ କାହାଣୀ ଶୁଣେଇବା ପାଇଁ ଜେଜେ ନାହାନ୍ତି ।


ସେଦିନ ଜେଜେଙ୍କୁ ଗପ ପାଇଁ ଜିଦ୍ କଲାବେଳେ ଜେଜେ ଗପ ନ କହି ପ୍ରଶ୍ନ କରିଥିଲେ । କହିଲେ ଆଚ୍ଛା କହିଲୁ, ରାମାୟଣରେ ହନୁମାନ ଆଉ ମହାଭାରତରେ ଅର୍ଜୁନର ଭୂମିକା ତ ସମାନ । ଭଗବାନ ମଣିଷର ଲୀଳା କରିବା ସମୟରେ ଦୁଇ ଯୁଗରେ ଏ ଦୁଇଜଣ ଏଥିରେ ମୂଖ୍ଯ ସହଯୋଗୀ ଥିଲେ । ତେବେ କହ ହନୁମାନଙ୍କର ଏତେ ମନ୍ଦିର ଅଛି ହେଲେ ଅର୍ଜୁନଙ୍କର କାହିଁ ନାହିଁ ? କଣ ହନୁମାନଙ୍କୁ ଭଗବାନ ବନେଇଦେଲା ହେଲେ ଅର୍ଜୁନଙ୍କୁ ନୁହେଁ ?


ଜେଜେ ଯଦି ସେଦିନ ସେ ପ୍ରଶ୍ନର ଉତ୍ତର ଦେଇନଥାନ୍ତେ ବୋଧେ ଆଜି ବି କେହି ଏ ପ୍ରଶ୍ନ କରିଥିଲେ ମୁଁ ନିରୁତ୍ତର ରହିଥାନ୍ତି । ସେଦିନ ସେ କୁନି ମୁଣ୍ଡ ହଲେଇଲି ଜାଣିନି ବୋଲି । ଜେଜେ ଆରମ୍ଭ କଲେ, “ଆରେ ବୋକା, ହନୁମାନ ଭଗବାନଙ୍କୁ ବିନା ପ୍ରଶ୍ନରେ ମାନି ନେଇଥିଲେ । ସମୁଦ୍ର ଡେଇଁ ସୀତାଙ୍କ ସନ୍ଧାନରେ ଯିବୁ ? ହଁ ଯିବି । ଲକ୍ଷ୍ମଣ ମୂର୍ଛିତ ଅଛି ବିଶଲ୍ଯକରଣୀ ଆଣିବୁ ? ବିଶଲ୍ଯକରଣୀ କେମିତି ଦିଶେ ନ ଜାଣି ବି ବିନା ପ୍ରଶ୍ନରେ ଗନ୍ଧମାର୍ଦ୍ଦନ ଉଠେଇ ଆଣିଲେ । ହେଲେ ଅର୍ଜୁନ ତର୍କ କରନ୍ତି । ଭଗବାନ ମଝି ଯୁଦ୍ଧଭୂମିରେ ଠିଆ କରି କହିଲେ ମୁଁ ତୋ ସହ ଅଛି ଉଠା ଗାଣ୍ଡିବ । ପ୍ରଶ୍ନ କଲେ ଅର୍ଜୁନ, କାହିଁକି ଯୁଦ୍ଧ କରିବି, ଏମାନେ ମୋର ଭାଇ, ଗୁରୁଜନ, ଜ୍ଞାତିକୁଟୁମ୍ବ । ଭଗବାନ ବଡ କଷ୍ଟରେ ବୁଝେଇଲେ ପରା ।”


” ଆଚ୍ଛା ଏବେ କହ ଭଗବାନ କିଏ ହବ ? ଯେ ଭଗବାନଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖି ନିଜ ଦାୟିତ୍ୱ ତୁଲାଏ ସେ ନା ଯେ ଭଗବାନଙ୍କୁ ବି ଦ୍ୱନ୍ଦ ରଖି ପ୍ରଶ୍ନ କରେ ସେ ?”


ସବୁ ବୁଝିଗଲା ଭଳି ‘ଯେ ବିଶ୍ୱାସ ରଖେ’ କହି ମୁଣ୍ଡ ଟୁଙ୍ଗାରୁଥିଲି ମୁଁ ।


Rate this content
Log in