ଚୁପ୍
ଚୁପ୍
ପ୍ରଥମ ଚାକିରୀ ମୋର ଏକ ନାମୀ ସଫ୍ଟୱେର୍ କମ୍ପାନୀରେ । ତିନି ମାସ ଟ୍ରେନିଂ ହାଇଦ୍ରାବାଦ୍ ରେ ସରିବା ପରେ ପୋଷ୍ଟିଂ ଦିଲ୍ଲୀରେ । ପ୍ରଥମ ଚାକିରୀର ଉନ୍ମାଦନା ସହ ଭୟ ବି ଅନେକ ଥାଏ । କଲେଜର ଚାରି କାନ୍ଥରୁ ବାହାରି ହଠାତ୍ ଦୁନିଆକୁ ସାମ୍ନା କରିବା ଯେ କଷ୍ଟ ଧୀରେ ଧୀରେ ବୁଝା ପଡୁଥାଏ । ସାଂଗ, ସହକର୍ମୀ ଏ ଦୁହେଁ ବି ସମାନ ନୁହନ୍ତି ବୋଲି ବି ଅଂକିତାକୁ ଦେଖିବା ପରେ ବୁଝି ଯାଇଥାଏ ।
ଅଂକିତା, ଦିଲ୍ଲୀରେ ମୋର ପ୍ରୋଜେକ୍ଟରେ ସିନିୟର । ମୁଁ ନୂଆ ବେଳକୁ ତାର ସେ ପ୍ରୋଜେକ୍ଟରେ ହିଁ ତିନି ବର୍ଷର ଅଭିଜ୍ଞତା । ହଁ, କମ୍ପାନୀର ନିୟମ ଯେ ଯିଏ ଯେତେ ଜୁନିଅର ସିନିଅର ହେଲେ ବି ପରସ୍ପରକୁ କେବଳ ନାଁ ଧରି ଡାକିବେ, ସରକାରୀ ଅଫିସ ପରି ସାର୍ ମାଡାମ୍ ସମ୍ବୋଧନ କରିନୁହେଁ । ଏଥିପାଇଁ ବୟସ, ଅଭିଜ୍ଞତାର ତାରତମ୍ଯ ଥିଲେ ବି ଆମେ ପରସ୍ପରକୁ ନାଁ ରେ ହିଁ ଡାକୁ ।
ଆମେ ଲଣ୍ଡନର ଏକ କମ୍ପାନୀର ପ୍ରୋଜେକ୍ଟରେ କାମ କରୁଥାଉ । ପ୍ରତିଦିନ ସକାଳେ ଲଣ୍ଡନ ଅନ୍ ସାଇଟ୍ ଟିମ୍ ରୁ କଲ୍ ଆସେ ଦିନରେ କଣ କଣ କରିବାର ଅଛି । ମଝି ମଝିରେ ବି କାମ କେତେ ଦୂର ଗଲା, କଣ ଅସୁବିଧା ଜାଣିବାକୁ ଟିମ୍ କନଫରେନ୍ସ କଲ୍ ହୁଏ । ସେମିତି ଦିନ ଶେଷରେ ବି ଦିନ ଯାକର ପ୍ରୋଗ୍ରେସ୍ ଜାଣିବା ପାଇଁ କନଫରେନ୍ସ କଲ୍ ହୁଏ । ଯେହେତୁ ମୁଁ ନୂଆ ଥାଏ କଲ୍ ରେ ଚୁପ୍ ଚାପ୍ ରହେ, ସବୁ ଶୁଣେ କେବେ କିଛି କହେନି । ଯଦି ମତେ ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରଶ୍ନ କରାଯାଏ ତେବେ ଉତ୍ତର ଦିଏ ନଚେତ୍ ଚୁପ୍ ରହେ ।
ଅଂକିତା ସବୁ କନଫରେନ୍ସ କଲ୍ ରେ ପୁରା ଆକ୍ଟିଭ୍ । ଦିନ ଯାକର କଣ କଣ କାମ ହେଇଛି ଅନର୍ଗଳ ଗପିଯିବ । ପ୍ରଥମ କେତେ ଦିନ ଦେଖିଲି ଏ ଝିଅ ଦିନ ଯାକ ବସି ମୋବାଇଲରେ କାହା ସହ ଗପୁଛି ନ ହେଲେ ଚାଟିଂଗ୍ କରି ଦାନ୍ତ ଦେଖଉଛି । କାମ କେତେବେଳେ କରୁଛି । ଧୀରେ ଧୀରେ ଧ୍ଯାନ ଦେଲି ଯାହା ଦିନ ଯାକର କାମ ଆଗେଇଛି ବୋଲି ସେ କହୁଛି ସେ କାମ ତ ମୁଁ କରିଛି । ଏ କିଛି ନ କରି ମୋ କାମ ପାଇଁ ବାହା ବାଃ ନଉଛି ।
ମନରେ ଇର୍ଷା ଆସୁଥିଲା ଅଂକିତା ପାଇଁ, ହେଲେ ଚୁପ୍ ରହିବା ନିଜର ମୂର୍ଖାମି ଏବଂ ପ୍ରଶଂସା ଚୋରେଇବା ଏକ କଳା ବୋଲି ଚାକିରି ଜୀବନର ପ୍ରଥମ ଶିକ୍ଷା ପାଇଯାଇଥିଲି ।