ମଧୁ ଦିଦି
ମଧୁ ଦିଦି
ଦୁଇ ଧାଡି ଲେଖିବା ପାଇଁ ଦୁଇ ହଜାର ଧାଡି ପଢିବା ଦରକାର । ଭଲ ପଢିନଥିବା, ବୁଝିନଥିବା ଲୋକ ଚାରି ଧାଡି ଗାରେଇ ଦେଇ ନିଜକୁ କବି ବା ଲେଖକ କହିବା ହାସ୍ଯାସ୍ପଦ । ମୁଁ ନିଜ ପ୍ରଥମ ଲେଖିବାର ଶ୍ରେୟ ଦେବି ପଢିବାର ପଢିବାର ଅଭ୍ଯାସକୁ । ଏ କାହାଣୀ ତାଂକ ପାଇଁ ଯେ ଏ ଅଭ୍ଯାସ ମୋ ଭିତରେ ଆଣିଥିଲେ ।
ଅଷ୍ଟମ ଶ୍ରେଣୀରେ ନୂଆ ସରକାରୀ ଉଚ୍ଚ ବିଦ୍ଯାଳୟରେ ନା ଲେଖେଇଥାଏ । ତା ଆଗରୁ ଶିଶୁମନ୍ଦିରରେ ସପ୍ତମ ଯାଏ ପଢୁଥିଲି । ଯେହେତୁ ଶିଶୁମନ୍ଦିରରେ ପ୍ରଥମ ହେଉଥିଲି ସବୁ ପରୀକ୍ଷାରେ ହାଇସ୍କୁଲରେ ସାର୍ ଦିଦି ମାନେ ପ୍ରଥମ ଦିନରୁ ଭଲ ପିଲା ହିସାବରେ ମାନିନେଇ ଥିଲେ । ବହୁତ ଆଦର ବି କରୁଥିଲେ, ବେଳେବେଳେ ଛୋଟ ଛୋଟ ଭୂଲରେ ଆକଟ ବି କରୁଥିଲେ ।
ସେଦିନ ସବୁ କ୍ଲାସ୍ ସରିଲା ପରେ ମତେ ମଧୁ ଦିଦି ଡାକି କହିଲେ “ଦେଖ, ମତେ ସ୍କୁଲ ଲାଇବ୍ରେରୀ ଦାୟିତ୍ୱ ଦିଆଯାଇଛି । କାଲିଠାରୁ ମତେ ଟିକେ ସାହାଯ୍ଯ କରିବୁ । ଖେଳ ଛୁଟି କି ଅଲଗା ଖାଲି ସମୟରେ ମୁଁ ତତେ ଡାକିଦେବି, ଆମେ ମିଶି ଲାଇବ୍ରେରୀ ସଜାଡି ଦବା ।” ଆମ ସ୍କୁଲରେ ବି ଲାଇବ୍ରେରୀ ଅଛି ଏକଥା ମତେ ଜଣା ନଥିଲା । ସେବେ ଯାଏ ଦେଖି ବି ନଥିଲି କୋଉଠି ଅଛି । ହେଲେ ଦିଦି କହୁଛନ୍ତି ମାନେ ଥିବ ନିଶ୍ଚୟ ।
ତା ପରଦିନ ମଧୁ ଦିଦି ଡାକି ଲାଇବ୍ରେରୀ ନେଲେ । ପ୍ରଧାନ ଶିକ୍ଷକଂକ ଚାମ୍ବର ଓ ଷ୍ଟାଫ୍ କମନ ରୁମ ମଝିରେ ଯୋଉ ଛୋଟ ରୁମ୍ ସବୁବେଳେ ତାଲା ପଡେ ସେଇଟା ଲାଇବ୍ରେରୀ ବୋଲି ସେବେ ଜାଣିଲି । କବାଟ ଖୋଲି ଦେଲାବେଳକୁ ଯେମିତି ଭୂତ ଫିଲ୍ମରେ ଘର ଖୋଲିଦେଲେ ବୁଢିଆଣୀ ବସା, ବହି ଝାଡିଦେଲେ ଧୁଳି ଖସିପଡୁଛି ସେ ଅବସ୍ଥା । ବହୁତ ପରିଶ୍ରମ ଲାଗିଲା ଆମ ଦୁଇ ଜଣଂକୁ ତାକୁ ସଜାଡିବାକୁ ।
ସଜାଡିବା ସମୟରେ ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ ନାଁ ମାନଂକ ସହ ମୋର ପ୍ରଥମ ପରିଚୟ । ଗୋଟେ ବହି ମାତ୍ର ଗୋଟିଏ ଗପରେ ସରିଯାଏ, ତାକୁ ଉପନ୍ଯାସ କହନ୍ତି ଏ କଥା ବି ପ୍ରଥମ ଥର ଜାଣିଲି । ଅନେକ କବିତା, ଗଳ୍ପ, ଉପନ୍ଯାସ ବହି ଦିଦିଂକ ଠାରୁ ନେଇ ପଢେ, ପଢିସାରି ଆଣି ଫେରେଇଦିଏ । ଅପରିଣତ ବୟସରେ ବି ନ ପଢିବା କିଛି କଥା ପଢି ଜଲଦି ବଡ ହେଇ ଯାଇଥିଲି ଅବଶ୍ଯ । ଏ ପଢିବାରୁ ଆଗ୍ରହ ଆସିଲା ଲେଖିବା ପାଇଁ । କବିତା, ଗଳ୍ପ ସେବେଠାରୁ ଲେଖିବା ଆରମ୍ଭ କରି ଆଜିଯାଏ ଲେଖୁଛି ।
ମଧୁ ଦିଦି, ସେଦିନ ଖାଲି ସ୍କୁଲ ଲାଇବ୍ରେରୀ ସଜଡା ହେଇନଥିଲା, ଜଣେ ମଣିଷ ବି ସଜଡା ହେଇଯାଇଥିଲା ।