ଶୂନ୍ୟସ୍ଥାନ
ଶୂନ୍ୟସ୍ଥାନ


କ୍ଲାସ ର ସବା ପଛ ବେଞ୍ଚ ରେ ବସୁଥିବା...
କନକନ ହେଇ ଝରକାଡକୁ ଅନାଉଥିବା-ବିଶେଷ କରି ଗଣିତ ଆଉ ଭୂଗୋଳ କ୍ଲାସ ରେ ରାସ୍ତା ଆଡେ ନଜର ରଖୁଥିବା ପିଲାଟି ଆଉ କେହି ନୁହେଁ, ମଇନା ପୁଅ ସନା I ପାଠ ର "ପ" ଅକ୍ଷର ରୁ ଖୁବ ଦୂରରେ ଅବସ୍ଥିତ ସନା ...ସେକଥା ନିଜେ ବି ବହୁତ ଥର ସ୍ୱୀକାର କରିଛି , ସେଥିଲାଗି ସେ ସାମାନ୍ୟତମ ଭାବେ ଲଜ୍ଜିତ ନୁହେଁ |
ତା କଥା ଅନୁସାରେ " ମାଗଣା ରେ ବହି, ବସ୍ତାନି, ଜାମାପଟା ମିଳୁଛି, ଆଉ ଖାଇବାକୁ ଗଣ୍ଡେ ମିଳୁଛି ଖରାବେଳେ, ଘରେ ରହିଲେ ସେତକ ବି ମିଳିବନି |
"କୋଉ ଦିନରୁ ପାଠ ଛାଡି ଦେଇଥାନ୍ତି,ବୁଝିଲୁ ରେ ଶ୍ରୀଧର ,ହେଲେ ଅଙ୍ଗନବାଡି ଦିଦି କହିଲେ ..ବୋକାଟା ନା କଣ? ଘରେ ବସିଲେ, ଵା ତୋର ଖେତ କୁ ନେଇଯିବ, ଧୁମ ଖଟେଇବ, ଆଉ ଖାଇବୁ କ'ଣ...ନା ଭାତ ଶାଗ | ଏମିତି ଇସ୍କୁଲ ଗଲେ ଚାରି ଲୋକଙ୍କ ସଂଗେ ମିଶିବୁ, କେତେ କଥା ଶିଖିବୁ, ସରକାର ଗରିବ ପିଲାଙ୍କ ପାଇଁ ମେଧାବୀ ଵୃତ୍ତି ର ବ୍ୟବସ୍ଥା କରିଛନ୍ତି, ଟିକିଏ ଚେଷ୍ଟା କଲେ ତୁ ବି ପାଇପାରିବୁ ଆଉ ଆଗକୁ ବିନା ପଇସାଖର୍ଚ ରେ ପଢ଼ିପାରିବୁ | ମୁଁ ସେଇନାଗି ଆସୁଛି ନା |
ନା ଏ ପାଠ ମୋ ମୁଣ୍ଡରେ ଧରୁଛି ନା ପଢିବାରେ ମୋର ଇଛାଅଛି ?"
ଯୁକ୍ତିରେ ସମସ୍ତଙ୍କୁ ହରେଇପାରୁଥିବା ପିଲାଟିର ଏପରି ଉଦ୍ଗିରଣ ପରେ କେହି ଆଉ ବିଶେଷ କିଛି କହିବାକୁ ସାହସ କରନ୍ତିନାହିଁ |
ସ୍କୁଲ ରୁ ତା ଘର ବେଶ ଦୂର | ଦୌଡ଼ି ଦୌଡ଼ି ଝଡ ଭଳିଆ ଆସେ, ବସ୍ତାନିଟାକୁ ଏକରକମ ଫୋପାଡ଼ି ବେଞ୍ଚ ରେ ଏକଲା ବସେ |
କହିବାକୁ ଗଲେ ବସେ କମ ସମୟ ...କ୍ଲାସ ବାହାରେ ବେଶୀ ସମୟ ଛିଡା ହୁଏ -ଡେରିରେ ଆସିବା ପାଇଁ ଆଉ ପାଠପଢିବା ସମୟ ରେ ଅନ୍ୟମନସ୍କ ହଵାପାଇଁ |
ଏସବୁ ତା ପାଇଁ ନିତିଦିନିଆ -ତେଣୁ ନା ଥାଏ ଡର କାହାକୁ ନା ସମ୍ମାନହାନୀ ର ପରୁଆ |
ସାରଙ୍କର ଲହଲହକା ପାଞ୍ଚଣ କୁ ସବୁ ଛୁଆଙ୍କର ଖୁଵ ଭୟ ---ପିଠିରେ ନ ଲାଗୁଣୁ "ଉଃ""ଆଃ" ହୁଅନ୍ତି ...ହେଲେ ସନା ର ତିଳେ ମାତ୍ର ଭୃକ୍ଷେପ ନଥାଏ | ଦେହ ଯେମିତି ଷ୍ଟିଲ ତିଆରି ...ସାର ହାଲିଆ ହେଇଯାନ୍ତି ହେଲେ ସିଏ କାଠଗଡ଼ ଟେ ଭଳିଆ ଠିଆ ହେଇଥାଏ |
ଥରେ ଥରେ ଏମିତି ପ୍ରଶ୍ନ ଗୋଟେ ଲେଖାଁ ପଚାରେ କି ମାଷ୍ଟ୍ରଙ୍କର ଅକଲ ଗୁ
ଡ଼ୁମ ହେଇଯାଏ |
ସେଦିନ ସାର ଅଙ୍କ ପଢ଼ାଉଥିଲେ | ବ୍ଲାକବୋର୍ଡ଼ ରେ ପ୍ରଶ୍ନ ଟିଏ ଲେଖି ସାରି କହିଲେ - ମନଯୋଗ ଦେଇ ପଢ ପ୍ରଶ୍ନଟି,ଏବଂ ଶୂନ୍ୟସ୍ଥାନ ଟି ପୂରଣକର |
ଆଛା, ପଛ ବେଞ୍ଚ ଆଡୁ ଆରମ୍ଭ କରିବା ଆଜି -
"ସନା!"
"ଛିଡା ହୋ! ଏତିକି ବି ଭଦ୍ରାମି ଜାଣିନୁ- ନାଁ ଡାକିଲେ ଛିଡା ହୁଅନ୍ତି ? ହଁ, ଏ ପ୍ରଶ୍ନ ର ଉତ୍ତର କହ-ମାନେ ଏଇ ଶୂନ୍ୟ ସ୍ଥାନ ରେ ଆମେ କୋଉ ସଂକ୍ଷା ଲେଖିଲେ ଉତ୍ତର ଠିକ ହବ?"
ବଡ ଅସୁବିଧାରେ ପଡିଗଲା ସିଏ - ବଲବଲ ହେଇ ଚାହିଁଲା ଦଣ୍ଡେ, କ'ଣ ଵା କହିବ?
ସାର ପଢାଉଥିଲା ବେଳେ ସିଏତ ବାହାରକୁ ଅନେଇଥାଏ, ତେଣୁ ସବୁ ତାକୁ ଚିତ୍ର ଭଳିଆ ଦିଶିଲା | ମନେ ମନେ ଭାବିଲା, ସାର ତାକୁ ଅପଦସ୍ତ କରିବାକୁ ନିଶ୍ଚେ ପ୍ଲାନ କରିଛନ୍ତି |
କହିଲା "ସାର, ମୋର ଗୋଟିଏ ଛୋଟିଆ ପ୍ରଶ୍ନ ଅଛି | ତାର ଉତ୍ତର ଆପଣ ଦେବେ |"
"ସବୁଦିନ ସ୍କୁଲ ବାହାରିବା ପର୍ଯ୍ୟନ୍ତ ବାପା ଆଉ ବୋଉ ମତେ କାମରେ ଲଗାନ୍ତି | ଏଠୁ ଘରକୁ ଯିବା ବାଟରେ ଗାଈ ଦିଟାଙ୍କୁ ଅଡ଼େଇ ନେଇ ଯାଏ, ତାଙ୍କୁ ଗୁହାଳ ରେ ବାନ୍ଧିସାରିଲେ ଯାଇକି ଅଲଗା କିଛି ପାଇଟି ଧରେ | ରାତିରେ ଖାଇଲା ବେଳେ ମୋର ପାଠପଢା ନେଇକି ଚର୍ଚା ହୁଏ |"
ବାପା କହନ୍ତି "ପାଠ ପଢିକି କ'ଣ ହାକିମ ଟେ ହେଇଯିବୁ?ଆମରି ଭିଟାମାଟି, ଚାଷବାସ, ଗୋରୁଗାଇ ଏସବୁକୁ ପର କରିଦେବୁ ?"
ବୋଉ ସେଥିରେ ଟିକେ ଜୁଆ ଦିଏ - "ତୁ ଚାକିରୀ ବାକିରି କରି କୁଆଡେ ରହିବୁ, ଆମର ବୟସ ଖସିଲାବେଳକୁ, ଦେଖାଶୁଣା କରିବାକୁ ପାଖରେ କେହିଜଣେ ନଥିବେ, ଇଏ କ'ଣ ଗୋଟେ କଥା ?"
"ଏସବୁ ଶୁଣିଲାପରେ, ଭିତରୁ କୋହ ଉଠେ, ତୁଚ୍ଛ ଲାଗେ,ପାଠପଢା, ଏ ଜୀବନ |
ଲାଗେ, ସବୁ ଯେମିତି ହଜିଯାଇଛି ...ଭିତରଟା ଖାଲି -ସେଠି ରାଜତ୍ୱ କରୁଛି ଏକ ବିରାଟ ଶୂନ୍ୟତା - ଅଙ୍କ ର ଏଇ ଶୂନ ଭଳି |"
"ଏଇ ଶୂନ୍ୟସ୍ଥାନ ଆପଣ ଭରିପାରିବେ ସାର ?"
ସପ୍ତାହଟାଏ କାଳିଆ ର ନୋଟବୂକ ଦେଖିଲେ ମୁଁ ବ୍ଲାକବୋର୍ଡ଼ ର ଶୂନ୍ୟସ୍ଥାନ ପୂରଣ କରିଦେବି |
ଖାଲି ଗୋଟିଏ ସପ୍ତାହ ସମୟ ଦିଅନ୍ତୁ |
ସେତେବେଳକୁ, ସାରଙ୍କର ଆଖି ଛଳ ଛଳ, ଆଉ ତାଙ୍କ ଲହ ଲହକ| ବେତ ମାଟିକାମୁଡି ପଡିସାରିଥିଲା |