Minakshi Samal

Inspirational

2  

Minakshi Samal

Inspirational

ଶୃଙ୍ଖଳରୁ ମୁକ୍ତି

ଶୃଙ୍ଖଳରୁ ମୁକ୍ତି

2 mins
92



ବଡ ସୁଧାର ଥିଲା ସେ ଭାଇ ଭଉଣୀଙ୍କ ମଧ୍ୟରେ । ବାପା ମାଆଙ୍କର ବାଧ୍ୟ ସନ୍ତାନ ଥିଲା ବୋଲି ତାକୁ ଦିଆଯାଉଥିବା କାମ ସବୁ ମନଦେଇକି କରିଦେଉଥିଲା । ସାନଭାଇ ଭଉଣୀଙ୍କୁ କାଖେଇ ଧରି ବୁଲୁଥିଲା ସେମାନେ ବଡ ହେବା ପର୍ଯ୍ୟନ୍ତ । ନିଜଠାରୁ ଚାରିବର୍ଷ ସାନ ଭଉଣୀ ଅପେକ୍ଷାକୃତ ଭାରି ଥିଲା ତା ପାଇଁ । ପ୍ରାଣପଣେ ତାକୁ ଉଠାଇ, କାଖେଇ ବୁଲିବାର ପ୍ରୟାସ କଲାବେଳେ ଭାରସାମ୍ୟ ନରଖିପାରି କେବେକେବେ ତଳେ ପକେଇ ଦେଇ ବାପାମାଆଙ୍କ ଠାରୁ ମାଡ ମଧ୍ୟ ଖାଉଥିଲା । ତା ପରେ ପରେ ଆଉ ଦୁଇଟି ଭାଇ ଭାଉଣୀଙ୍କୁ ସେମିତି ବିନା ଦ୍ୱିଧାରେ କାଖେଇ କାଖେଇ ଅଣ୍ଟା ତାର ବଧିରା ହୋଇଯାଇଥିଲେ ମଧ୍ୟ ସଂତୃପ୍ତିର ହସ ଖେଳୁଥିଲା ତା ମୁହଁରେ । 

ଘରର ଅନେକାଂଶ କାମ ମାଆ ତା ଦ୍ୱାରା କରାଉଥିଲା । ଭଲକରି ଜାଣିଥିଲା ଯେ ଯେତେ କଷ୍ଟ ହେଲେମଧ୍ୟ ଇଏ ପାଟି ନଫିଟାଇ ସବୁ କାମ କରିଯିବ । ବାପା ମାଆ ମଧ୍ୟ ବଡ ପକ୍ଷପାତିତା କରନ୍ତି । ଫାଙ୍କି ମାରୁଥିବା ପିଲାଟିକୁ କାମ କରିପାରୁନି ବୋଲି ସାର୍ଟିଫିକେଟ ଦେଇ ତାକୁ ଦାୟିତ୍ୱରୁ ମୁକ୍ତ କରିଦେଇ ବାଧ୍ୟ ପିଲାଟି ଉପରେ ସବୁତକ ବୋଝ ଲଦିଦିଅନ୍ତି । 

ଡେଙ୍ଗା ମୁଣ୍ଡରେ ଢେଙ୍ଗା ପାହାର ଉକ୍ତିଟି ଘରେ ଘରେ ପ୍ରଚଳିତ । ଆଜିକାଲି ଅବଶ୍ୟ ଏ ପ୍ରଥାକୁ ବିରୋଧ କଲେଣି କର୍ତ୍ତବ୍ୟର ଚାପରେ ପେଶୀ ହେଉଥିବା ଜ୍ୟେଷ୍ଠ ସନ୍ତାନମାନେ । ତଥାକଥିତ ପୂର୍ବପୁରୁଷ ମାନଙ୍କ ଦ୍ୱାରା ବନାଯାଇଥିବା ରାସ୍ତାର କଣ୍ଟକିତ ପଥରେ ଜ୍ୟେଷ୍ଠ ସନ୍ତାନମାନେ ଲହୁଲୁହାଣ ହୋଇ ଗତି କରୁଥିବା ବେଳେ କନିଷ୍ଠ ସନ୍ତାନମାନେ ଖୁବ ଶ୍ୱସ୍ତିରେ ନିଃଶ୍ୱାସ ମାରନ୍ତି । ସମସ୍ତ ଦାୟିତ୍ୱବୋଧରୁ ଦୂରେଇଯାଆନ୍ତି । 

ଏ କଥା ଧୀରେ ଧୀରେ ଚନ୍ଦ୍ରିମାର ହୃଦବୋଧ ହେବାକୁ ଲାଗିଥିଲା । ଭଲ ଭଲ ଜିନିଷ ଯଦି କିଏ କେବେ ନେଇକି ଘରକୁ ଆସନ୍ତି ସେଥିରେ ମଧ୍ୟ ସେ ପକ୍ଷପାତିତା ସ୍ପଷ୍ଟ ଦେଖିପାରେ । ଘରକୁ ଅତିଥି ଆସିଲେ ସେମାନଙ୍କ ସତ୍କାର କରିବା ଦାୟିତ୍ୱ ତା ଉପରେ ପଡେ । 

ଏତେ କଷ୍ଟ ହେଲାପରେ ମଧ୍ୟ ସବୁକାମ ସାରି ଲଣ୍ଠନ ଆଲୁଅରେ ପଢିବସେ ସେ । ପଢିବାରେ ଭାରି ମନ ତା'ର । ଶ୍ରେଣୀରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବାଯୋଗୁଁ ଗୁରୁଜୀ,ଗୁରୁମାଙ୍କର ଭାରି ପ୍ରିୟ ସେ । 

ସମୟ ତାର ବାଟରେ ଆଗେଇ ଚାଲିଥିଲା । ଚନ୍ଦ୍ରିମା ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ ପାଶ କଲା । 

ଆଗକୁ ପଢିବାକୁ ଅଦମ୍ୟ ଇଛାକୁ ମନତଳର ସିନ୍ଦୁକରେ ତାଲା ପକେଇ ସବୁଦିନ ରଖିବାକୁ ପଡିଲା ତାକୁ କାରଣ ବାପାଙ୍କର ଚାରୋଟି ସନ୍ତାନଙ୍କର ଭରଣପୋଷଣ ତଥା ସେମାନଙ୍କର ଶିକ୍ଷାଦୀକ୍ଷାର ପାରିବା ପଣିଆ ଉପରେ ଭରସା କରିପାରୁନଥିଲା ସେ । 

ସାନ ଭାଇଭଉଣୀଙ୍କ ବଡ ହେବା ସହିତ ସେମାନଙ୍କର ଅଳିଅର୍ଦ୍ଦଳୀ ସବୁ ଦାବୀରେ ପରିଣତ ହେଉଥିବାର ଦେଖିଲେ ମଧ୍ୟ ସେ କେବେ କୌଣସି ଜିନିଷ ପାଇଁ ବାପା ମାଆଙ୍କ ପାଖରେ ଦାବି କରିପାରୁନଥିଲା । ନିଃସ୍ୱାର୍ଥପରତାର ମୂର୍ତ୍ତିମନ୍ତ ପ୍ରତୀକ ବନିଯାଇଥିଲା ସେ । 

ନିଜ ନିଜର ପସନ୍ଦର ଜୋଡି ମଧ୍ୟ ବନାଇ ନେଇଥିଲେ ସେମାନେ । କଲେଜରେ ପଢିବାର ଦାବିକୁ ବାପାଙ୍କୁ ମାନିବାକୁ ପଡିଥିଲା । ସେମାନଙ୍କ ଦାବିରେ କୌଣସି କଟକଣା ନଲାଗୁଥିବା ବେଳେ ନିଜକୁ ନିଜେ ଏତେ ସହିଷ୍ଣୁ ଦେଖାଇବାର ଯେଉଁ ପୀଡା ସେ ନିଜେ ଉଠାଉଥିଲା ସେଥିପାଇଁ ତାକୁ କେହି ତ ବାଧ୍ୟ କରୁନଥିଲେ । ତେବେ ସେ ନିଜେ ନିଜର ଇଛାର ଗଳା କାହିଁକି ଦବାଉଥିଲା । ଏଇ ପ୍ରଶ୍ନ ରହିରହି ତାକୁ ବିଚଳିତ କରୁଥିଲା । ଶେଷରେ ସେ ସିଦ୍ଧାନ୍ତ ନେଲା ନିଜର ଏଭଳି ସହିଷ୍ଣୁ ପ୍ରବୃତ୍ତିକୁ ବଦଳାଇବା ପାଇଁ । ନିଜେ ଆତ୍ମନିର୍ଭରଶୀଳ ହୋଇ ନିଜର ଉଚ୍ଚଶିକ୍ଷାର ଭାର ନିଜେ ନେବାର ପଣ ନେଇ ଆଗାମୀ ଦିନର ସକାଳର ଅପେକ୍ଷା କରିବାକୁ ଲାଗିଲା । 


PROMPT-10



Rate this content
Log in

Similar oriya story from Inspirational