STORYMIRROR

Sunanda Mohanty

Inspirational

4  

Sunanda Mohanty

Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

2 mins
247


ରାତି କେତେ ହେବ କେଜାଣି, ହଠାତ୍ ନିଦ ଭାଙ୍ଗିଗଲା ପ୍ରଦୀପଙ୍କର, ଧଡପଡ ହୋଇ ଉଠି ଲାଇଟ ଦେଇ , ଦେଖିଲେ ପୁଅ ନଶୋଇ, ସୋରିଷତେଲ ମାଲିସ କରୁଛି ବସି ତାଙ୍କ ପାଦରେ। ଅଭିଭୂତ ପ୍ରଦୀପ ବାବୁ । ଦିଲ୍ଲୀ ଛାଡ଼ିବା ପୂର୍ବରୁ ବାପା ମାଆ ଥରେ ଆସି ନିଶ୍ଚିନ୍ତ ହରିଦ୍ଵାର, ଋଷିକେଶ, ମଥୁରା, ବୃନ୍ଦାବନ ଦେଖି ଯିବାକୁ, ଏକରକମ ଅନୁନୟ ବିନୟ ହୋଇ ଟିକେଟ କାଟି ଆଣିଥିଲା ପୁଅ ବାପା ମାଆ ଙ୍କୁ ସୁଦୂର ପୁରୀ ସହରରୁ। ମାଆର ପସନ୍ଦ ଅନୁଯାୟୀ ଫେରିବା ଟିକେଟ ଫ୍ଲାଇଟରେ କରିଥିଲା ତ ବାପାଙ୍କ ପସନ୍ଦର ଟ୍ରେନ୍ ଟିକେଟ କରିଥିଲା ରାଜଧାନୀ ଏକ୍ସପ୍ରେସରେ। ହେଲେ ପୁଅ ଯେମିତି ଶୁଣିଥିଲା ରାଜଧାନୀ ଏକ୍ସପ୍ରେସ ର ଏସି କମ୍ପାର୍ଟମେଣ୍ଟରେ ମାଆକୁ ଅଣନିଶ୍ଵାସୀ ଲାଗୁଛି ତ ତତକ୍ଷଣାତ୍ ଟ୍ରେନରୁ ଓହ୍ଲେଇ ପଡ଼ିବାକୁ କହିଥିଲା। ଏତେ ଗୁଡ଼ାଏ ଟଙ୍କା ପାଣିରେ ପଡିଲା ଭାବି ବାପା, ପ୍ରଦୀପବାବୁ ବ୍ୟସ୍ତ ହୋଇପଡ଼ିଥିଲେ । ପୁଅ ପଲ୍ଲବ ବୁଝେଇଦେଇଥିଲା ବାପାଙ୍କୁ, ମାଆ ସୁସ୍ଥ ରହିବା ଅପେକ୍ଷା ଟଙ୍କା କଣ ବଡ। ତାପର ନନଏସି ଏକ୍ସପ୍ରେସରେ ଦୁହିଁଙ୍କ ଆସିବା ସୁବିଧା କରି ଘରକୁ ଆଣିଥିଲା।

   ଏକୁଟିଆ ହୋଟେଲ ବା କିଛି ମଗେଇ ଖାଇ ଚଳି ଯାଉଥିବା ପଲ୍ଲବ ବାପା ମାଆ ଙ୍କ ଖାଦ୍ୟ ପାଇଁ ନିହାତି ସଚେତନ ହୋଇ ସବୁଆଡେ ବୁଲେଇ ନେଇଥିଲା, ଆଉ ଅନୁଭବ କରିଥିଲା ବାପା ଚାଲି ପାରୁନାହାଁନ୍ତି ଆଗଭଳି ତ ରହି ରହି ବାପାଙ୍କ ଚାଲିବା ସୁବିଧା ଅନୁଯାୟୀ ସବୁଆଡେ ବୁଲେଇ ଦେଖେଇଥିଲା। ପଞ୍ଜାବ, ରାଜସ୍ଥାନ, ଜାମ୍ମୁ ଆଦି ଜାଗା ଗୁଡ଼ିକ ଖୁବ୍ ସତର୍କତା ସହ ବାପା ମାଆଙ୍କୁ ବୁଲାଇ ସାରିବା ପରେ ଆଗ୍ରା ତାଜମହଲ ରେ ବାପାଙ୍କ ପାଇଁ ହୁଇଲ ଚେୟାରର ବନ୍ଦୋବସ୍ତରେ ଶାନ୍ତିରେ ବାପାଙ୍କୁ ନେବ ଭାବିଲା ବେଳକୁ ବାପା କିନ୍ତୁ କଷ୍ଟେ ମଷ୍ଟେ ଚାଲିଯିବେ ବ୍ୟସ୍ତ ହୁଅନା ବୋଲି ପଲ୍ଲବକୁ କହି ସବୁଆଡେ ଢିପେଇ ଢିପେଇ ଚାଲିଥିବାର ଦେଖି, ଘରକୁ ଫେରି, ବାପା ଶୋଇପଡ଼ିଲା ପରେ ତାଙ୍କ ଗୋଡ ପାଦରେ ସୋରିଷ ତେଲ ଘଷିଦେଉଛି ଦେଖି ଉଭୟ ବାପା ମାଆ କାନ୍ଦିପକେଇ ଆଶୀର୍ବାଦ ଢ଼ାଳୁଥିଲେ, ହେଲେ ପଲ୍ଲବ କହୁଥିଲା, ଦିଲ୍ଲୀ ଛାଡ଼ିବା ପୂର୍ବରୁ ସୋରିଷ ତେଲ ସାରିଦେବାକୁ ଯାଇ ସେ ଏପରି କରୁଥିଲା । ବାପା ମାଆଙ୍କୁ ବୁଝିବାକୁ ବାକି ନଥିଲା, ଏ କଳି ଯୁଗରେ ବି ଶ୍ରବଣ କୁମାରମାନେ ତଥାପି ଅଛନ୍ତି, ଆଉ ସେମାନଙ୍କ ଭିତରୁ ତାଙ୍କ ପୁଅ ଜଣେ । ଏକଥା ଭାବି ଆନନ୍ଦାଶ୍ରୁ ଗଡି ପଡୁଥିଲା ପ୍ରଦୀପ ବାବୁଙ୍କ ଆଖିରୁ । ମାଆ କହିଥିଲେ ହେ ପ୍ରଭୁ ନବଗ୍ରହ ମୋ ପୁଅର ସମସ୍ତ ରିଷ୍ଟ ଖଣ୍ଡନ କରି ତାକୁ କୋଟି ପରମାୟୁ ଦିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational