Sambit Srikumar

Tragedy Inspirational Others

4.7  

Sambit Srikumar

Tragedy Inspirational Others

ଶ୍ମଶାନ

ଶ୍ମଶାନ

3 mins
119


ଶ୍ମଶାନ! ଏ ଶବ୍ଦଟା ଶୁଣିବାକୁ ଏତେ ଭଲ ଲାଗେନି କହାକୁ ବି। କିନ୍ତୁ ଧୃବ ସତ୍ୟର ପ୍ରତୀକ ସେ। ଶ୍ମଶାନ ଠାରୁ କେହି ବଡ଼ ନାହିଁ ଏ ଦୁନିଆଁରେ। ତା ପାଖରେ ସମସ୍ତେ ସମାନ, ବଡ ସାନର ବାଛବିଚାର ନାହିଁ। ଧନୀ, ଗରିବ, ରୋଗୀ ଭୋଗୀ ବୈରାଗୀର ଶେଷ ଠିକଣା ତାରି କୋଳରେ ଛଅ ସାତ ଫୁଟ୍ ଜାଗା ମାତ୍ର। ତାହା ବି ପୁଣି କିଛି କ୍ଷଣ ପାଇଁ। ସେଇଥିପାଇଁ ହିଁ ନାଁ ଟା ତାର ଶ୍ମଶାନ!

ହଟ୍ଟନାଥ ମଙ୍ଗରାଜ, ହଟ୍ଟକେଶ୍ଵରପୁର ଗାଁର ପ୍ରବଳ ପ୍ରତାପୀ ଜମିଦାର ଥିଲେ ଗୋଟିଏ ସମୟରେ। ନିଜ ନାମରେ ନାମିତ କରାଇଥିଲେ ଗାଁକୁ ଜୀବିତାବସ୍ଥାରେ। ଯଦିଓ ଜମିଦାରୀ ଉଚ୍ଛେଦ ହୋଇଗଲାଣି ବହୁଦିନରୁ କିନ୍ତୁ ଦାମ୍ଭିକତାରେ ଆସିନି କମ୍ କୌଣସି, ଯେହେତୁ ଗାଁର ନିରିହ ଲୋକମାନଙ୍କ ପାଇଁ ସେ ଆଜିବି ରାଜା ସାହେବ!

ଅମାପ ଭୂସମ୍ପତ୍ତି ଓ ଧନରାଶିର ଅଧିକାରୀ ସେ। ସେଇଥିପାଇଁ ଇନ୍ଦ୍ର ଚନ୍ଦ୍ର ବି ମାନନ୍ତିନି ମଙ୍ଗରାଜେ। ନିହାତି କ୍ରୁର ପ୍ରବୃତ୍ତିର ବ୍ଯକ୍ତିତ୍ବ, ଅନ୍ୟର ସୁବିଧା ଅସୁବିଧାରେ ସାହାଯ୍ୟ କରିବା ପରିବର୍ତ୍ତେ ଉପହାସ କରନ୍ତି। ଗାଁ ଲୋକେ ତ ତାଙ୍କର ବେଠିଆ, ବେଠି ଖଟିବେ ପୀଢ଼ି ପରେ ପୀଢ଼ି। ମଣିଷ ବୋଲି ବିବେଚନା କରନ୍ତି ନାହିଁ ସେମାନଙ୍କୁ ସେ। ସାମାନ୍ୟତମ ତ୍ରୁଟି ପାଇଁ କଠୋର ଦଣ୍ଡ ବିଧାନ କରନ୍ତି ମଙ୍ଗରାଜେ, ଯେପରିକି ଆଉ କେହି ତାର ପୁନରାବୃତ୍ତି ନକରେ।

ଖଣ୍ଡ ମଣ୍ଡଳଟା ଯାକର ଝିଅ ବୋହୁ ମାନେ ମଙ୍ଗରାଜଙ୍କ ଡରରେ ବାଟ ଚାଲିପାରନ୍ତି ନାହିଁ। ଯେବେ ବି ଘରୁ ବାହାରନ୍ତି ହାତେ ଲମ୍ବର ଓଢ଼ଣା ଟାଣି ନିଜକୁ ଜମିଦାରଙ୍କ ଦୃଷ୍ଟିରୁ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି। ଅନେକ ମହିଳାଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଛି ଜମିଦାରଙ୍କ କାମନା ବାସନାର ଦୁର୍ବାର ଲାଳସା। କିନ୍ତୁ ପ୍ରତିବାଦ କରିବାକୁ କାହାରି ପାଖରେ ସତସାହସ ନାହିଁ। ଯଦି କେହି ମୁହଁ ଖୋଲିବାକୁ ଚେଷ୍ଟା କରେ ତାର ମୁହଁ ବନ୍ଦ ହୋଇଯାଏ ସବୁଦିନ ପାଇଁ।

ତାଙ୍କ ଅଞ୍ଚଳର ନେତା, ମନ୍ତ୍ରୀ, ଅଫିସର, ପୋଲିସ୍ ସବୁ ମଙ୍ଗରାଜଙ୍କ ଆୟତ୍ତରେ। ସମସ୍ତେ ଯୋଡ ହସ୍ତରେ ସବିନୟ ଅନୁରୋଧ କରନ୍ତି ତାଙ୍କୁ କିଛି ବି କାମ କରିବାକୁ ହେଲେ। ବିନା ଅନୁମତିରେ ତାଙ୍କର ପତ୍ରଟିଏ ବି ହଲେନାହିଁ ସେଠି। ସମ୍ଭବତଃ ସୂର୍ଯ୍ୟ ଚନ୍ଦ୍ରଙ୍କ ବ୍ୟତିତ ଅନ୍ୟ ସମସ୍ତେ ତାଙ୍କ ଇଛା ଅନୁସାରେ ଆତଯାତ! ଚାଟୁକାର ଦଳେ ବେଢି ରହିଥିଲେ ତାଙ୍କ ଆଖପାଖରେ ସବୁବେଳେ। ପ୍ରଜାଙ୍କୁ ଶୋଷଣ କରିବାକୁ ନୂଆ ନୂଆ ଉପାୟ କୁମନ୍ତ୍ରଣା କରନ୍ତି।

ପର୍ବପର୍ବାଣୀ ଓ ନିଜ ଜନ୍ମଦିନରେ ବାଧ୍ୟତାମୂଳକ ଭାବେ ଭେଟି ଆଦାୟ କରନ୍ତି ମଙ୍ଗରାଜେ! ଭେଟିର ଏଇ ତାଲିକା ବେଶ୍ ସୁଦୀର୍ଘ ଓ ପ୍ରଶସ୍ତ। ନିଜ ନିଜର ସାଧ୍ୟମତେ ପ୍ରଜାମାନେ ଭେଟି ଅର୍ପଣ କରନ୍ତି ଜମିଦାରଙ୍କୁ। ଯିଏ ନଦେଇ ପାରେ କୋରଡା ମାଡ ଖାଏ ସେ। ଭାଗ୍ୟକୁ ନିନ୍ଦିବା ଛଡ଼ା ପ୍ରଜାଙ୍କର ଅନ୍ୟ ଗତି ନାହିଁ!

ଏମିତି ଦିନେ ମଙ୍ଗରାଜଙ୍କ କାଳ ପୁରିଗଲା। ଶେଷ ଇଚ୍ଛା ଥିଲା ପୁରୀ ସ୍ଵର୍ଗଦ୍ଵାରରେ ହେବ ଅନ୍ତିମ ସଂସ୍କାର, ଯଦ୍ୱାରା ଜୀବନ କାଳରେ କରିଥିବା ସମସ୍ତ ପାପରୁ ମୁକ୍ତି ପାଇ ସ୍ବର୍ଗାରୋହଣ କରିପାରିବେ। ଇଚ୍ଛା ମୁତାବକ ପରିବାର ବର୍ଗ ଶବକୁ ନେଇ ଗଲେ ପୁରୀ। ହେଲେ ଏ କଣ ପ୍ରାଣ ଘଟ ଛାଡି ଚାଲିଗଲା ପରେ କେହି ଆଉ ତାଙ୍କୁ ରାଜା ସାହେବ କହୁନଥିଲେ, ବରଂ ଶବ ବୋଲି ଡାକୁଥିଲେ। ପାଖକୁ ଆସିବାକୁ ଦ୍ବିଧା ଅନୁଭବ କରୁଥିଲେ ମଡା ଛୁଆଁ ହେବାର ଡରରେ।

ସ୍ବର୍ଗଦ୍ବାରରେ ମଡାଚଣ୍ଡିଆମାନେ ଶୁଆଇଦେଲେ ମଙ୍ଗରାଜଙ୍କ ଶବକୁ ଅଚଞ୍ଚା କାଠ ଉପରେ। ସେମାନଙ୍କ ପାଇଁ ମଙ୍ଗରାଜେ ଜମିଦାର କିମ୍ବା ରାଜା ସାହେବ ନଥିଲେ, ବରଂ ଅନ୍ୟାନ୍ୟ ଶହ ଶହ ମୃତକଙ୍କ ପରି ସାମାନ୍ୟ ଶବଟିଏ ଥିଲେ। ଅନ୍ତିମ ସଂସ୍କାର ନିମନ୍ତେ ଧାଡ଼ିରେ ଥିଲେ। ଯେଉଁ ଦେହ ଦିନେ ତୂଳୀତଳ୍ପ ଶେଜରେ ଶୋଉଥିଲା ଆଜି କାଠ ଉପରେ, କି କଷ୍ଟ ନ ପାଉଥିବ ଆହାଃ! ନଥିଲା ସେଠି ମଙ୍ଗରାଜଙ୍କ ସମ୍ପତ୍ତି, ପ୍ରତିପତ୍ତି ନା ଥିଲା ଗର୍ବ ଅହଙ୍କାର। ସବୁ କିଛି ଚୂରମାର ହୋଇ ଲୋଟିପଡିଥିଲା ମାତ୍ର ଛଅ ସାତ ଫୁଟ୍ ଜମି ଉପରେ।

ପୁଅ ବୋଲି ଯାହାକୁ ଅତି ଯତ୍ନରେ ପାଳିଥିଲେ ମୁହଁରେ ନିଆଁ ଦେବା ପରେ ଆଉ ପଛକୁ ଥରୁଟିଏ ମଧ୍ଯ ଫେରି ଚାହିଁଲା ନାହିଁ। ହଟ୍ଟନାଥ ମଙ୍ଗରାଜ ଦେବରୁ ପ୍ରେତ ହୋଇଯାଇଥିଲେ ନିଜ ପରିବାର ପାଇଁ। ଏତିକିରେ କଥା ସରିନଥିଲା। ମଡାଚଣ୍ଡିଆମାନେ ବାରମ୍ବାର ବାଉଁଶରେ କେଞ୍ଚାକେଞ୍ଚି କରୁଥିଲେ ତାଙ୍କର ଦୁର୍ମୂଲ୍ୟ ଶରୀରକୁ। ଓଃ କି କଷ୍ଟ! ଯେଉଁ ଶରୀରକୁ ଅତ୍ୟନ୍ତ ଯତ୍ନରେ ସୁଠାମ ସୁଗଠିତ କରି ରଖିଥିଲେ, ଯାହା ପାଇଁ ଏତେ ଗର୍ବ ଅନୁଭବ କରୁଥିଲେ, ତାକୁ ଶେଷରେ ଅଗ୍ନିର ଲେଲିହାନ ଶିଖା ଗ୍ରାସ କରିଗଲା।

କିଛି କ୍ଷଣର ବ୍ଯବଧାନରେ ପଞ୍ଚଭୂତରେ ବିଲିନ ହୋଇଗଲା ଶବ। ଯେଉଁଠୁ ଆସିଥିଲା ଫେରିଗଲା ସେଇଠିକୁ। ମହୋଦଧି କୂଳରେ କିନ୍ତୁ ମଙ୍ଗରାଜଙ୍କ ପ୍ରେତାତ୍ମା ଘୁରି ବୁଲୁଥିଲା ଅତୃପ୍ତ ହୋଇ ନିମିଷକ ମଧ୍ୟରେ ନିଃସ୍ବ ହେବାର ଚରମ ଅବସାଦରେ....



Rate this content
Log in

Similar oriya story from Tragedy