ଶିକ୍ଷକଙ୍କ ପୁତ୍ର" ତୁମେ ହେ ଅଟଳ"
ଶିକ୍ଷକଙ୍କ ପୁତ୍ର" ତୁମେ ହେ ଅଟଳ"


ଶିକ୍ଷକ ହିଁ ଏପରି ଏକ ବ୍ୟକ୍ତିତ୍ବ ଯାହା କାହାକୁ ବି ଅତି ସହଜରେ ଲବ୍ଧ ହୁଏ ନାହିଁ । ଜଣେ ଶିକ୍ଷକ ଶିକ୍ଷକତା କରିବା ସମୟରେ ତାର ପରିବାର କଥା ଭୁଲି ସମ୍ପୂର୍ଣ୍ଣ ତ୍ୟାଗ ମନୋଭାବରେ ତାର କର୍ତ୍ତବ୍ୟ କରିଥାଏ ।ଇଂଜିନିୟର୍ ଟେ ହେଉ ଅବା ଡାକ୍ତର ବା ଯେ କୌଣସି ବୃତ୍ତିର ଜନ୍ମ କେବଳ ଏହି ଶିକ୍ଷକଙ୍କ ଠାରୁ ହିଁ ହୋଇଥାଏ ।
ଯେଉଁ ସମାଜ ଶିକ୍ଷକଙ୍କୁ ସମ୍ମାନ ଦେଇ ଶିଖି ନାହିଁ ସେ ପରି ସମାଜର ଉନ୍ନତି କେବେ ବି ସମ୍ଭବ ନୁହେଁ ।ଆଗରୁ ସମୟ ଥିଲା ଯେବେ ଛାତ୍ର ନିଜର ଅଙ୍ଗୁଠି କାଟି ଦେଉଥିଲା ,କିନ୍ତୁ ଆଜିର ଏ ସମାଜର କିଛି ବ୍ୟକ୍ତିତ୍ବ ଶିକ୍ଷକଙ୍କ ପାଇଁ ନାହିଁ ନ ଥିବା ଶବ୍ଦ ପ୍ରୟୋଗ ପାଇଁ ବି ପଛାନ୍ତି ନାହିଁ ।
କେତେକ ଭୁଲକୁ ଚିହ୍ନିତ କରିନପାରି ଶିକ୍ଷକ ସମାଜକୁ ଆଙ୍ଗୁଳି ନିକ୍ଷେପ କରିଥାନ୍ତି ।
କିନ୍ତୁ "ହେ ଅଟଳ " ତୁମେ ବି ତ ଥିଲ ଏକ ଶିକ୍ଷକର ସନ୍ତାନ ।ତୁମେ ଥିଲ କ୍ରିଷ୍ଣା ଦେବୀ ଓ କ୍ରିଷ୍ଣା ବିହାରୀ ବାଜପେୟୀଙ୍କର ସୁ-ପୁତ୍ର ।
ତୁମର ବାପା ଥିଲେ ଜଣେ ଶିକ୍ଷକ ।ତେବେ ପ୍ରଶ୍ନ ଉଙ୍କିମାରେ ଯଦି ଆଜିର କେତେକ ବ୍ୟକ୍ତି ଶିକ୍ଷକଙ୍କ ଉପରେ ଆଙ୍ଗୁଳି ଉଠେଇ ପାରୁଛନ୍ତି ତେବେ ତୁମେ ସେହି ଶିକ୍ଷକଙ୍କର ସନ୍ତାନ ହୋଇ କିପରି ଏତେ ସୁନ୍ଦର ପ୍ରତିଭାଧାରୀ ହୋଇପାରିଲ ।
ଉତ୍ତର ବି ଆପେ ଆପେ ଆସେ ---------
ସେ ସମୟରେ ଶିକ୍ଷକତା ଉପରେ ନ ଥିଲା ଏପରି ଆକ୍ଷେପ , ଯେଉଁ କାରଣରୁ ଶିକ୍ଷକ ପିତାଙ୍କ ଠାରୁ ଏତେ ସୁନ୍ଦର ଭାବେ ଶିକ୍ଷା ତୁମକୁ ମିଳିଥିଲା ଯେ ଆଜି ଏ ଦେଶ ସହ ପଡୋଶୀ ଦେଶ ମଧ୍ୟ ନିଜର ଲୁହକୁ ଅଟକାଇ ପାରୁନି ତୁମରି ବିୟୋଗରେ ।
ଏମିତି କୌଣସି ବି କ୍ଷେତ୍ର ନାହିଁ ଯେଉଁଠି ତୁମର ଗୁଣଗାନର ସ୍ବର ନ ଉଠିଛି ।ସତରେ କହିବାକୁ ଗଲେ ଶବ୍ଦକୋଷର ଶବ୍ଦ ବି କମ୍ ହୋଇଯିବ ଯେତେବେଳେ ତୁମର କିର୍ତୀ ବର୍ଣ୍ଣନା ହେବ ।
13 ଦିନ ହେଉ ଅବା 13 ମାସ ବା ପୂର୍ଣ୍ଣ ସମୟ ,ତୁମର ଦେଶକୁ ଅତି ଉତ୍ତମ ଭାବରେ ଚଳାଇ ପାରିବା କ୍ଷମତା ,ହିନ୍ଦୀ କବିତା ହେଉ ଅବା English ଗଦ୍ୟ ଲେଖା ହେଉ , କାର୍ଗିଲ୍ ଯୁଦ୍ଧ ସମୟରେ ଦେଶର ବାତାବରଣକୁ ଉତ୍ତମ ପରିଚାଳନା ,ଗୁଜୁରାଟର ଦଙ୍ଗା ସମୟର ଭୂମିକା ,ପାରମାଣବିକ (ପୋଖରାନ୍- ii)ର ପରୀକ୍ଷା ହେଉ ଯେ କୌଣସି କ୍ଷେତ୍ରରେ ଆଖି ବୁଲାଇଲେ କେବଳ ତୁମର ଏତେ ସୁନ୍ଦର ଅବଦାନ ଆଖି ଆଗକୁ ଆସେ ଯେ ତାହାକୁ ସୀମିତ ଶବ୍ଦ ର ସହାୟତା ରେ ବାକ୍ୟର ରୂପ ଦେବା ସମ୍ଭବ ନୁହେଁ ।ବିଶେଷ କରି ବିମାନ ଅପହରଣ ସମୟରେ ନିଜେ ତୁମେ ବିମାନ ଭିତରକୁ ଯିବା ଏକ ବୀରତ୍ଵର ଉଦାହରଣ ।
ଡିଲିଟ୍ ଉପାଧି ଧାରୀ ତୁମେ "ହେ ଅଟଳ" ପ୍ରତିଟି ଉପାଧି ତୁମର ମସ୍ତକର ମୁକୁଟରେ ହୀରକ ସଦୃଶ ଝଟକି ଉଠିଛି । ପଦ୍ମବିଭୂଷଣ ,ଲୋକମାନ୍ୟ ତିଳକର ଅଧିନିର୍ଣ୍ଣୟ ପୁଣି ଭାରତ ରତ୍ନର ଉପାଧି ତୁମର ବ୍ୟକ୍ତିତ୍ବକୁ କେବଳ ଭାରତ ନୁହେଁ ବରଂ ସର୍ବତ୍ର ଗାନ କରାଇ ପାରିଛି ।
ତୁମ ପରି ଆଜୀବନ କୁମାର ଥିବା ମହାନ୍ ମାନବଙ୍କର ପାର୍ଥିବ ଶରୀରକୁ ଏ ଦେଶ ହରାଇଛି ସତ କିନ୍ତୁ ମୋର ପୂର୍ଣ୍ଣ ବିଶ୍ବାସ ଦୂର ଆକାଶର ଦୀପ୍ତିମନ୍ତ ତାରକାଟେ ହୋଇ ତୁମେ "ହେ ଅଟଳ" ଏ ଜଗତକୁ ଶୀତଳ କିରଣ ସହ ସର୍ବଦା ଅନ୍ଧକାରରେ ମଧ୍ୟ ଉଚିତ ପଥ ଦେଖାଇବ ।
ମୃତ୍ୟୁ ବି ତୁମେ ପାଖରେ କିଛି କ୍ଷଣ ହାରିଯାଇଛି । କେବଳ ଦେଶର ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରାଇବାକୁ ଦେବ ନାହିଁ ବୋଲି ମୃତ୍ୟୁ ପରି ଧୃବ ସତ୍ୟକୁ ଦୁଆର ବନ୍ଧରେ ଅଟକାଇ ରଖିପାରିଲ ତୁମେ ।ଶେଷ ସମୟରେ ମଧ୍ୟ ଦମ୍ଭ ନ ହରାଇ ଜୀବନ ସହିତ ଲଢିପାରିବାର ଏ ସୁନ୍ଦର ଅବର୍ଣ୍ଣନୀୟ କଳା ବିରଳ ଏ ଜଗତରେ ।
କଳା ,ବିଜ୍ଞାନ,ଦେଶ ପ୍ରେମ, ମାନବିକତା ପ୍ରତିଟି କ୍ଷେତ୍ରରେ ତୁମର ଅବଦାନ ଦେଖି ସ୍ବୟଂ ଯମରାଜ ମଧ୍ୟ ତୁମକୁ ସମ୍ମାନ ପ୍ରଦର୍ଶନ ନିମନ୍ତେ ଦୁଆର ବନ୍ଧରେ ଗୋଟିଏ ଦିନ ଜଗି ରହିଥିଲେ ।
ଶିକ୍ଷକଙ୍କର ପୁତ୍ର ବୋଲି ବାପାଙ୍କ ଠାରୁ ଉପଯୁକ୍ତ ଏବଂ ସଠିକ୍ ଶିକ୍ଷା ଗ୍ରହଣ କରି ତୁମେ "ହେ ଅଟଳ " ଆଜି ନମସ୍ୟ ହୋଇପାରିଛ ଏ ଜଗତରେ । ସତରେ ତୁମେ ମହାନ୍ ।ମହାନ୍ ତୁମର ଗାରିମା ,ମହାନ ତୁମର ପ୍ରତିଟି ବାକ୍ୟ ।ଏ ମହାନତା ବିଶିଷ୍ଟ ବ୍ୟକ୍ତିଙ୍କୁ ପାଇ ଭାରତମାତା ଗର୍ବିତ ।
"ହେ ଅଟଳ " ତୁମର ସେହି ଅକ୍ଷୟ ଆତ୍ମା ନିକଟରେ ମୋର ଭକ୍ତିପୂତ ପ୍ରଣାମ ଆଉ ପ୍ରଣାମ କରୁଛି ସେହି ରତ୍ନଗର୍ଭା ମାତାଙ୍କର ଅମର ଆତ୍ମାଙ୍କୁ ,ଯାହାର ଗର୍ଭରୁ ତୁମ ପରି ବରଦାନ ମିଳିଛି ଏ ଦେଶମାତୃକାକୁ ।