ଶିକ୍ଷାର ମୂଲ୍ଯ
ଶିକ୍ଷାର ମୂଲ୍ଯ
ଦିଅ ମହଲା ଉପରକୁ ଚଢି ରମାକାନ୍ତ ବାବୁ ଧଇଁ ସଇଁ ହୋଇ ଯାଉ ଥାନ୍ତି । କେତେ ଯେ ଆଉ ହନ୍ତସନ୍ତ ହେବାକୁ ପଡିବ ତାଙ୍କୁ କେଜାଣି । ରମାକାନ୍ତ ବାବୁ ଶିକ୍ଷକ ପଦରୁ ଅବସର ନେବାର ପାଞ୍ଚ ବର୍ଷ ହେଇଗଲାଣି । କିନ୍ତୁ ଏ ଯାଏ ତାଙ୍କର ଫାଇନାଲ ପେନସନ ମିଳିନାହିଁ ।ଆଜିର ଯୁଗରେ ଯାହାର ଧନ ନାହିଁ, କ୍ଷମତା ନାହିଁ, ସେମିତି ଅସହାୟ ମଣିଷର କେହି ସହାୟତା କରିବାକୁ ନ ଥାନ୍ତି । ମୁହଁରୁ ଝାଳ ପୋଛି ଅଫିସ ଆଗରେ ବସିଥିବା ପିଅନ କୁ ଜିଲ୍ଲାପାଳ ଙ୍କ ସହ ଦେଖା କରିବା କଥା କହିଲେ । ପିଅନ ରୋକଠୋକ ମନା କରିଦେଇ କହିଲା , " ସାର୍ , ଆସୁନହାନ୍ତି । ସେ ଆସିଲେ ଦେଖା କରିବ । ଅପେକ୍ଷା କର । " କଣ କରିବେ । ପାଖରେ ପଡିଥିବା ବେଞ୍ଚରେ ଯାଇ ବସିଲେ । ଗରମ ଦିନ । ରମାକାନ୍ତ ବାବୁ ଘରୁ ପାଣି ବୋତଲ ଟା ଆଣିବାକୁ ଭୁଲି ଯାଇଥିଲେ । ଶୋଷ ରେ ତଣ୍ଟି ଶୁଖିଯାଉ ଥାଏ । ଏଇ ସମୟରେ ଜିଲ୍ଲାପାଳ ଶୁଭକାନ୍ତ ମିଶ୍ର ନିଜ ଅଫିସ ଭିତରକୁ ଗଲେ। ଭିତରୁ ଘଣ୍ଟି ଶବ୍ଦ ଶୁଣି ପିଅନ ଟା ଦୌଡି ଦୌଡି ଭିତରକୁ ଗଲା । ସାଂଗେ ସାଂଗେ ବାହାରକୁ ଆସି ରମାକାନ୍ତ ବାବୁଙ୍କୁ ଭିତରକୁ ଯିବାକୁ କହିଲା । ରମାକାନ୍ତ ବାବୁ ଦ୍ୱିଧା ଭର ମନରେ ଭିତରକୁ ଗଲେ । ସେ ଶୁଣିଥିଲେ ନୂଆ ହୋଇ ଆସିଥିବା ଜିଲ୍ଲାପାଳ ସମସ୍ତଙ୍କର ସୁବିଧା, ଅସୁବିଧା କଥା ଶୁଣୁଛନ୍ତି ଏବଂ କାମ ବି କରି ଦେଉଛନ୍ତି । ଦେଖାଯାଉ ତାଙ୍କ ଭାଗ୍ୟରେ କଣ ଅଛି । ଯଦି ତାଙ୍କ ପେନସନ କାମଟା ହୋଇଯାଏ ତେବେ ସେ ଆଶ୍ବ ସ୍ତ ହେବେ । ରୋଗା ଦେହରେ ଏଇ ବୟସରେ , ଏଠିକି ସେଠିକି ଦୌଡିବା ତାଙ୍କ ପକ୍ଷରେ ଆଉ ହୋଇପାରୁନି ।ଯା ହେଉ ଭିତରକୁ ଯିବା ପରେ ଭିତରେ AC ରୁମ ରେ ତାଙ୍କୁ ଟିକିଏ ଆରାମ ଲାଗିଲା ।ସେ ଭିତରକୁ ଯିବା ପରେ ,ଜିଲ୍ଲାପାଳ ହଠାତ୍ ଚେୟାର ରୁ ଉଠି ଆସି ରମାକାନ୍ତ ବାବୁଙ୍କୁ ଜୁହାର ହେଲେ ।ରମାକାନ୍ତ ବାବୁ ଆଶ୍ଚର୍ଯ୍ଯ ହୋଇ ତାଙ୍କୁ ଚାହିଁ ରହିଲେ । ଜିଲ୍ଲାପାଳ ଶୁଭକାନ୍ତ ହସି ହସି କହିଲେ , " ସାର୍, ମୁଁ ଆପଣଙ୍କ ଶୁଭକାନ୍ତ । ଆପଣ ମୋର ପ୍ରିୟ ଶିକ୍ଷକ । ମୋତେ ପଢାଇବାକୁ ଆମ ଘରକୁ ଆସୁଥିଲେ । ଆପଣଙ୍କ ଆଶୀର୍ବାଦ ରୁ ଆଜି ମୁଁ ଏଇ ଜାଗାରେ ପହଞ୍ଚି ପାରିଛି । ମୁଁ ଅଫିସ ଭିତରକୁ ଆସିଲା ବେଳେ ଆପଣଙ୍କୁ ବାହାରେ ଦେଖି ଚିହ୍ନି ପାରିଥିଲି । " ଏଇଆ କହି ସେ ରମାକାନ୍ତ ବାବୁଙ୍କୁ ନେଇ କେୟାରରେ ବସାଇ ଦେଲେ । ଥଣ୍ଡା ପାଣି ଗିଲାସ ଟି ତାଙ୍କୁ ଦେଲେ । ରମାକାନ୍ତ ବାବୁ ପାଣି ପିଇ ଆଶ୍ଚର୍ଯ୍ୟ ଓ ଖୁସିରେ ଶୁଭକାନ୍ତକୁ ଚାହିଁ ଥାନ୍ତି ।ମନେ ପଡୁଥିଲା ତାଙ୍କର, ଏଇ ଶୁଭକାନ୍ତ ତାଙ୍କ ସ୍କୁଲର ବିଚକ୍ଷଣ ଛାତ୍ର ଥିଲା । ଆଜି ସେ ତା ବୁଦ୍ଧିମତ୍ତା ର ପରିଚୟ ଦେଇ ଆଜି ଏମିତି ଏକ ପଦବୀରେ ଆସୀନ । ଶୁଭକାନ୍ତ ରମାକାନ୍ତ ବାବୁଙ୍କ ସମସ୍ତ କଥା ଶୁଣି ସାଂଗେ ସାଂଗେ ନିଜ ସେକ୍ରେଟାରୀ କୁ , ଆଠଦିନ ଭିତରେ ତାଙ୍କ କାଗଜ ପତ୍ର ପ୍ରସ୍ତୁତ କରି ପେନସନ ଯେମିତି ଯଥାଶୀଘ୍ର ମିଳିବ ,ତାର ବ୍ୟବସ୍ଥା କରିବାକୁ ଆଦେଶ ଦେଲେ ।ରମାକାନ୍ତ ବାବୁ ଶୁଭକାନ୍ତ ର ତାଙ୍କ ପ୍ରତି ଏଇ ସମ୍ମାନ ବୋଧ ଅଭିଭୂତ କରୁଥାଏ ।
ରମାକାନ୍ତ ବାବୁ ଯିବା ଆଗରୁ ଶୁଭକଶୁଭକାନ୍ତ କୁ ଆଶୀର୍ବାଦ କରି କହିଲେ, " ମୁଁ ଆଜି ତୋ ପରି ଛାତ୍ର ପାଇ ଧନ୍ୟ ହେଲି । ମୋ ଶିକ୍ଷାଦାନର ମାନ ରକ୍ଷା କରିଛୁ ।ଆଜି ପରି ସମୟରେ କୌଣସି କାର୍ଯ୍ୟ ପାଇଁ କ୍ଷମତା, ପ୍ରତିପତ୍ତି, ଅର୍ଥ ନଥିବା ଲୋକଙ୍କର ଅସହାୟତାର ସୁଯୋଗ ନେଇ ଶାସନ ବିଭାଗର ତଳୁ ଉପର ଯାଏ କର୍ମଚାରୀ ମାନେ ଯେଉଁ ହଇରାଣ କରୁଛନ୍ତି , ସେଥିରେ ଦୁସ୍ଥ କର୍ମଚାରୀ ଜଣକ କି ହନ୍ତସନ୍ତ ହେଉଛନ୍ତି ,ସେକଥା ଯିଏ ଭୋଗୁଛି ,ସିଏ ଜାଣୁଛି । ସମସ୍ତେ ଯଦି ତୋ ପରି ଶିକ୍ଷାର ମହତ୍ତ୍ବ ବୁଝନ୍ତେ ,ନିଜ ପଦବୀ ର ସଦୁପଯୋଗ କରନ୍ତେ ,ତା ହେଲେ ଅସହାୟ ମଣିଷକୁ ଏତେ ଦୁର୍ଦ୍ଦଶା ଭୋଗିବାକୁ ପଡନ୍ତାନି ।ଶିକ୍ଷା କୁ ଧନ ଓ କ୍ଷମତା ର ତରାଜୁ ରେ ତଉଲି ତା ମୂଲ୍ଯ କୁ ହ୍ରାସ କରି ଦେଉଛନ୍ତି । ତୁ ଶିକ୍ଷାର ମର୍ଯ୍ଯାଦା ରକ୍ଷା କରିଛୁ । ଭଗବାନ ତୋର ମଙ୍ଗଳ କରନ୍ତୁ ।ଏମିତି ମୋ ପରି ଅସହାୟଙ୍କର ସହାୟତା କରୁଥିବୁ । ପ୍ରକୃତ ଶିକ୍ଷାର ମୂଲ୍ୟ ଯେ ମୁଁ ତୋତେ ବୁଝାଇ ପାରିଛି ସେଥିପାଇଁ ଗର୍ବିତ । " " ନାଁ ସାର୍, ଏସବୁ ତୁମ୍ଭର ମୁଁ ଆପଣଙ୍କ ପାଖରୁ ଶିଖିଛି । ଆପଣ ହିଁ ମୋତେ ପ୍ରକୃତ ଶିକ୍ଷା ର ମହତ୍ତ୍ବ ବୁଝାଇଛନ୍ତି ।ଧନ୍ୟବାଦ, କ୍ଷମତା , ପ୍ରତିପତ୍ତି ଠାରୁ ଶିକ୍ଷାର ସ୍ଥାନ ଯେ କେତେ ଉର୍ଦ୍ଧ୍ବ ରେ , ସେ କଥା ମୁଁ ଆପଣଙ୍କ ପାଖରୁ ଶିଖିଛି । ଆଶୀର୍ବାଦ କରନ୍ତୁ ମୁଁ ଏହିପରି ଭାବରେ ମୋ ଶିକ୍ଷା , ପଦବୀର ମର୍ଯ୍ୟାଦା ସବୁଦିନ ରକ୍ଷା କରି ପାରିବି । " ଶୁଭକାନ୍ତ ନିଜ ଡ୍ରାଇଭରକୁ ଡାକି ରମାକାନ୍ତ ବାବୁଙ୍କୁ ଘରେ ଛାଡି ଦେବାକୁ ଆଦେଶ ଦେଲେ । ରମାକାନ୍ତ ବାବୁ ମନା କଲେ ବି ସେ ନ ଶୁଣି କହୁଥାନ୍ତି, " ନା ସାର୍, ଏତେ ଖରାରେ ଏତେ କଷ୍ଟ କରି କାହିଁକି ଯିବେ । ଡ୍ରାଇଭର ଆପଣଙ୍କୁ ଘରେ ଛାଡିଦେବ ଓ ଆପଣଙ୍କ ଘରଟା ଦେଖି ନେବ । ମୁଁ ପରେ ପେନସନ ହେଇଗଲେ ନିଜେ ଯାଇ ଆପଣଙ୍କୁ ଜଣାଇଦିଆଯିବ ଆସିବି । " ରମାକାନ୍ତ ବାବୁଙ୍କ ଆଖିରେ ଲୁହ ଦି ଟୋପା ଟଳମଳ କରୁଥାଏ । ଢେର ସାରା ଆଶୀର୍ବାଦ କରି ସେ ଘର ମୁହାଁ ହେଲେ ।