ଶୀତ ଅନୁଭୂତି
ଶୀତ ଅନୁଭୂତି
ଋତୁଚକ୍ର ତା ନିଜର ନିୟମ ଅନୁସାରେ ପୃଥିବୀ ଉପରେ ଆତଯାତ ହୁଏ।ଅବଶ୍ୟ କର୍କଟ କ୍ରାନ୍ତି,ମକର କ୍ରାନ୍ତି ଓ ବିଷୁବ ରେଖାର ଅବସ୍ଥିତି ଯୋଗୁଁ ପୃଥିବୀର ପ୍ରତ୍ୟେକ ଜାଗାରେ ଏକ ରକମର ଅନୁଭବ ହୁଏନା।
ପୁନଶ୍ଚ ଋତୁମାନେ ଭିନ୍ନ ଭିନ୍ନ ସ୍ଥାନରେ ନିଜର ଭିନ୍ନ ଭିନ୍ନ ରୂପ ଦେଖାଇ ଥାନ୍ତି।ଏଇ ଯେମିତି ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଲଘୁଚାପ ଯୋଗୁଁ ପ୍ରାୟତଃ ବର୍ଷା ଲାଗି ରହିଥାଏ।ଉତ୍ତର ଭାରତରେ ଶୀତର ପ୍ରକୋପ ଟିକେ ବେଶି ହୋଇଥାଏ।ସେଠାରେ ଗ୍ରୀଷ୍ମ ଋତୁ ମଧ୍ୟ କମ ଯନ୍ତ୍ରଣା ଦାୟକ ହୋଇନଥାଏ।
ପୁରୀ ସହର ବଙ୍ଗୋପସାଗର କୂଳରେ ଥିବାରୁ ଏଠାରେ ଶୀତର ପ୍ରକୋପ ଏତେ ନଥାଏ।ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କ ତୁଳନାରେ ଏଠାରେ ଶୀତଋତୁର ସମୟସୀମା ମଧ୍ୟ କମ ଥାଏ।ମୋଟା ଚଦର ବା ପତଳା ଜୟପୁରୀ ରେଜାଇରେ ଶୀତକୁ ନିୟନ୍ତ୍ରଣ କରାଯାଇପାରେ।ସେ ସମୟରେ ସମସ୍ତଙ୍କ ପାଖରେ ଅପେକ୍ଷାକୃତ କମ ଶୀତବସ୍ତ୍ରର ସମ୍ଭାର ଥାଏ।
୧୯୯୫ ମସିହାର କଥା।ନଭେମ୍ବର ମାସ ୨୮ ତାରିଖ ହୋଇଥାଏ।ସେବର୍ଷ କିଛି କାରଣ ବଶତଃ ଅଫିସ କାମରେ ମଲ୍ହାର ଙ୍କୁ ରାଞ୍ଚି ଯିବାପାଇଁ ପଡିଲା।ରାତାରାତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକ ସୁଟକେଶ୍ ରେ ରଖି ପ୍ୟାକ୍ କରିବାକୁ ପତ୍ନୀ ସୀମାକୁ କହିଲେ ସେ।
ଦୁଇଦିନ ଆଗରୁ ନିଜେ ଷ୍ଟେସନ ଯାଇ ପୁରୀ ହଟିଆ ତପସ୍ବିନୀ ଏକ୍ସପ୍ରେସରେ ଟିକେଟ କାଟି ଆଣିଥିଲେ।ଏସ୍ ନ'ନମ୍ବର ବଗିର ୧୫ ନମ୍ବର ସିଟ ମିଳିଥାଏ ତାଙ୍କୁ।ସାଇଡ ଲୋଅର୍ ବର୍ଥ। ଭାବିଲେ ,ଭଲହେଲା ରାତି ୭.୫୫ ରେ ଟ୍ରେନ ଛାଡିବା ପରେ ରାତି ନ'ଟା ସୁଦ୍ଧା ସୀମା ଦେଇଥିବା ରାତ୍ରୀଭୋଜନ ଖାଇ ଶୋଇ ଯିବି।ରାଞ୍ଚିରେ ପହଞ୍ଚିଲା ବେଳକୁ ଦିନ ଏଗାରଟା ହୋଇଯିବ।ବେଶୀ ସମୟ ଶୋଇକରି କାଟିଦେଲେ ଆଉ ବିରକ୍ତ ଲାଗିବନି।ସେସମୟରେ ଆଜିକାଲି ପରି ସ୍ମାର୍ଟଫୋନ ମଧ୍ୟ ନଥିଲା।ଥିଲେ ଅବା ତାଙ୍କର ବୋରଡମ୍ ଟିକେ କମ୍ ହୋଇପାରିଥାନ୍ତା।
ସେ ଯାହାହେଉ ଅଫିସରୁ ଆସି ଫ୍ରେଶ୍ ହୋଇ ଷ୍ଟେସନ ଯିବାପାଇଁ ମଲ୍ହାର ନିଜକୁ ପ୍ରସ୍ତୁତ କଲେ।ପୁଅ ରାସ୍ତା ଉପରକୁ ଯାଇ ରିକ୍ସାଟିଏ ଡାକି ଆଣିଲା।ଘଣ୍ଟା ଦେଖିବା ବେଳକୁ ରାତି ସାଢେ ସାତ ହେଲାଣି।ତରତର ହୋଇ ସୁଟକେଶ ନେଇ ରିକ୍ସାରେ ବସିପଡିଲେ ସେ।ପାଞ୍ଚଦିନ ପରେ ଫେରିବେ ବୋଲି ଜଣେଇ ରିକ୍ସାବାଲାକୁ ଜଲଦି ଚଲେଇବାକୁ ନିର୍ଦ୍ଦେଶ ଦେଲେ ସେ। ଘରୁ ଷ୍ଟେସନ କମ ସେ କମ ଦଶ ମିନିଟ ନିଶ୍ଚୟ ଲାଗିଯିବ।ହାତରେ ବଳିବ ପନ୍ଦର ମିନିଟ। ସେତିକି ସମୟ ଭିତରେ ଦୌଡ଼ି ଦୌଡ଼ି ଷ୍ଟେସନ ଭିତରେ ପଶି ଟ୍ରେନ ରେ ଚଢିଯିବାର ମସୁଧା କରୁଥାନ୍ତି ମନେମନେ।ଏଭିତରେ ସେ କେତେବଡ ଗୋଟିଏ ଭୂଲ ଯେ କରି ପକାଇଛନ୍ତି ତାହା ତାଙ୍କର ମନେ ନଥାଏ।
ରିକ୍ସାବାଲା ବେଶୀ ଡେରି ନକରି ଠିକ ୭ ଟା ୪୩ ରେ ରିକ୍ସା ପହଞ୍ଚାଇ ଦେଲା।ତା ହାତରେ ଭଡା ଟଙ୍କା ଧରାଇ କ୍ଷିପ୍ର ଗତିରେ ସୁଟକେଶ୍ ଟିକୁ ନେଇ ମଲ୍ହାର ଟ୍ରେନ ଦିଗକୁ ଅଗ୍ରସର ହେଲେ।ଧଇଁସଇଁ ହୋଇ ନିଜ ବଗି ଭିତରେ ପଶି ନିଜ ବର୍ଥରେ ସୁଟକେଶ୍ ଟିକୁ ରଖି ଟିକେ ବସିପଡିଲେ।ଅଳ୍ପ ସମୟ ପରେ ଟ୍ରେନଟି ନିଜର ଗନ୍ତବ୍ୟସ୍ଥଳ ଦିଗରେ ଅଗ୍ରସର ହେବାକୁ ଲାଗିଲା।
ପ୍ରଥମ ଘଣ୍ଟାଏ ଦେଢଘଣ୍ଟା ଟ୍ରେନ ଭିତରଟି କୋଳାହଳ ପରିପୂର୍ଣ୍ଣ ଥାଏ।ଏପଟ ଡବାରୁ ସେପଟକୁ କିଛି ଯାତ୍ରୀ ଯିବା
ଆସିବା କରୁଥାନ୍ତି।୯ଟା ବାଜିବାରୁ ମଲ୍ହାରଙ୍କୁ ଭୋକ ଲାଗିଲା।କାରଣ ଏଇଟା ତାଙ୍କର ରାତ୍ରୀ ଭୋଜନର ନିୟମିତ ସମୟ।ଟିଫିନ ଡବା ଖୋଲି ତା ଭିତରେ ସୀମା ଦେଇଥିବା ରୁଟି,ଭଜା,ସାଲାଡ ଖାଇନେଲେ।ଏଥର ଶୋଇବା ପାଳି।
ସୁଟକେଶ୍ ଖୋଲି ଚଦର ଖୋଜିଲେ ସେ।ଉପର ତଳ କରି ସବୁ ସାର୍ଟ ପ୍ୟାଣ୍ଟ ଆଡେଇ ଦେଖିନେଲେ। କୋଉଠି ନଥିଲା ଚଦର ବା ଶୀତବସ୍ତ୍ର।ତାଙ୍କର ହାଲୁକ ଶୁଖିବାକୁ ଲାଗିଲା।ଟ୍ରେନ ଭିତରେ କ'ଣ କରାଯାଇ ପାରିବ?ସେତେବେଳ ସମୟରେ ଏସି କୋଚ ବି ନଥିଲା ନଚେତ ସେଇଠୁ ଟଙ୍କା ଦେଇ ଭଡାରେ ଆଣିଦେଇଥାନ୍ତେ କମ୍ବଳ ଟିଏ।ଏବେ ନିଜକୁ ସେ ଉପାୟ ଶୂନ୍ୟ ମନେ କରୁଥିଲେ ।ତାଙ୍କର ମନେ ହେଉଥିଲା ବୋଧହୁଏ ଶୀତବସ୍ତ୍ରର ଛୋଟବ୍ୟାଗ ଟି ସେ ଛାଡି ଆସିଛନ୍ତି।ମୋବାଇଲ ର ପ୍ରଚଳନ ବି ନଥିଲା।ଥିଲେବି ଅଧରାସ୍ତାରେ କ'ଣ ଆଉ କରି ପାରିଥାନ୍ତେ ସେ।
ଟ୍ରେନର ଗତି ବଢିବା ସହିତ ଶୀତର କୋପ ବଢିବାକୁ ଲାଗିଥାଏ।ଟ୍ରେନର ଦରଜା ଓ ଝରକା ସବୁ ବନ୍ଦ ଥିଲେ ମଧ୍ୟ ଥଣ୍ଡା ପବନ କମ୍ପାର୍ଟମେଣ୍ଟ ଭିତରକୁ ପଶି ଆସୁଥାଏ।କୁଙ୍କୁରି କାଙ୍କୁରି ହୋଇ ବସିଥାନ୍ତି ସେ।ରାତି ଗୋଟାଏ ପାଖାପାଖି ହେବାରୁ ସୁଟକେଶ୍ ଭିତରେ ଥିବା ସମସ୍ତ ସାର୍ଟ ଖୋଲି ପିନ୍ଧି ପକେଇଲେ ସେ।ଅନ୍ୟ ଗୋଟିଏ ପ୍ୟାଣ୍ଟ କୁ ପ୍ରଥମେ ପିନ୍ଧିଥିବା ପ୍ୟାଣ୍ଟ ଉପରେ ପିନ୍ଧି ପକେଇଲେ।ସେତେବେଳେ ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଥଣ୍ଡାରୁ ବଞ୍ଚିବା।ସମସ୍ତ ଯାତ୍ରୀମାନେ ଯେହେତୁ ଶୋଇଯାଇଥିଲେ ଲଜ୍ଜା କରିବାର କାରଣ ନଥିଲା। ଗଞ୍ଜି ଗୋଟିଏ କାଢି ମଫଲର ପରି ଗୁଡେଇ ହୋଇଗଲେ ତଥାପି ବି ଶୀତ ଲାଗୁଥାଏ।
ଆଉକିଛିବି ବଞ୍ଚିନଥାଏ ସୁଟକେଶ୍ ଭିତରେ।ଅବସ୍ଥା ଅତି ଦୟନୀୟ। କିଛି କରିବାର ଉପାୟ ନଥାଏ।ନିଦ ଆସିବା ତ ଦୂରର କଥା,ଦେହ ଖାଲି ଠକ ଠକ ହୋଇ ଥରୁଥାଏ।ତେଣୁ ଜାକିଜୁକି ହୋଇ ଗୋଟିଏ କୋଣରେ ବସିଗଲେ ସେ।
କେତେବେଳେ ଆଖି ଲାଗି ଯାଇଛି ଜଣାନାହିଁ ତାଙ୍କୁ। ସକାଳୁ ଚାୟ ଚାୟ ଶବ୍ଦରେ ନିଦ ଭାଙ୍ଗିଲା ତାଙ୍କର।କଲବଲ ହୋଇ ଦୁଇକପ ଚା ସେଇ ଅଧୁଆ ମୁହଁରେ ପିଇ ନେଲେ।ସାମନା ବର୍ଥରେ ବସିଥିବା ଜଣେ ଓଡିଆ ଯୁବକ ପଚାରିଲେ.....ଭାଇନା ଆପଣ ଏମିତି କ'ଣ ବେଶ ହୋଇଛନ୍ତି?ଏଥର ପ୍ରକୃତିସ୍ଥ ହେଲେ ମଲ୍ହାର ଓ ତାଙ୍କୁ ସମସ୍ତଙ୍କ ସାମନାରେ ଲଜ୍ଜା ବି ଲାଗୁଥିଲା କିନ୍ତୁ ଶୀତର ଦାଉ ତାଙ୍କର ଲଜ୍ଜାର ମାତ୍ରା ଠାରୁ ଅନେକ ଗୁଣରେ ଅଧିକ ଥିଲା।ତେଣୁ ଲଜ୍ଜା ସମ୍ବରଣ କରି ସେ କହିଲେ...ଭୂଲରେ ଶୀତବସ୍ତ୍ରର ବ୍ୟାଗଟି ଘରେ ଛାଡିଆସିଛନ୍ତି।ଯୁବକଟି ସହୃଦୟ ଥିବାରୁ ତାଙ୍କର ଅବସ୍ଥା ବୁଝି ନିଜ ବ୍ୟାଗରେ ଥିବା ଅନ୍ୟଏକ ଚଦର କାଢି ମଲ୍ହାରଙ୍କୁ ଜବରଦସ୍ତ କରି ଘୋଡେଇ ଦେଲେ।କହିଲେ......ରାଞ୍ଚି ଷ୍ଟେସନରେ ମୁଁ ଆପଣଙ୍କ ଠାରୁ ଚଦରଟି ଫେରାଇ ନେବି।
ଦିନ ଏଗାରଟା ଦଶରେ ରାଞ୍ଚି ଷ୍ଟେସନରେ ଟ୍ରେନ ରହୁରହୁ ଧନ୍ୟବାଦ ଦେଇ ଯୁବକ ଜଣଙ୍କୁ ତାଙ୍କର ଚଦରଟି ଫେରାଇ ଟ୍ରେନରୁ ଓଲ୍ହାଇ ମଲ୍ହାର ଚାଲିଲେ ଶୀତବସ୍ତ୍ରର ଅନ୍ବେଷଣରେ।ସୌଭାଗ୍ୟ ବଶତଃ ଷ୍ଟେସନ ନିକଟ ବର୍ତ୍ତୀ ଏକ ବିରାଟ ପଡିଆରେ ଶୀତବସ୍ତ୍ରର ପ୍ରଦର୍ଶନୀ ଲାଗିଥାଏ।ସେଠାରୁ ସମସ୍ତ ବ୍ୟବହାର୍ଯ୍ୟ ଶୀତ ପୋଷାକ କିଣି ମଲ୍ହାର ହୋଟେଲ ଅଭିମୁଖେ ଅଗ୍ରସର ହେଲେ।ଏଇ ଘଟଣାଟି ସାରା ଜୀବନ ପାଇଁ ତାଙ୍କୁ ଏକ ବଡ ଶିକ୍ଷା ଦେଇଗଲା ।