ଶବର ଭାଗ୍ୟ
ଶବର ଭାଗ୍ୟ


ରଘୁ ମାଷ୍ଟ୍ରେ ଶବ ହୋଇଗଲେ ସେଦିନ। ବୟସ ତାଙ୍କ ସମୟକୁ ଆଣି ତାଙ୍କ ପାଖରେ ପହଞ୍ଚାଇ ଦେଇଥିଲା। ହେଲେ କାଲି ଯାଏ ବେଶ୍ ଚଳଚଞ୍ଚଳ ଥିଲେ ସେ। ଜୀବନର ପ୍ରତିଟି ମୁହୂର୍ତ୍ତକୁ ସୁଖ ଓ ସମ୍ମାନର ସହିତ ବଞ୍ଚିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା।ଜୀବନକାଳ ଭିତରେ ନିଜର ଗୋଟିଏ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ସେ।ସମସ୍ତଙ୍କର ପ୍ରିୟ ଥିଲେ।
ବନ୍ଧୁମାନେ ତାଙ୍କୁ ଆଲିଙ୍ଗନ କରିବାକୁ ଶ୍ରଦ୍ଧା ଓ ଆଗ୍ରହ ରଖୁଥିଲେ।ଛାତ୍ରଛାତ୍ରୀମାନେ ତାଙ୍କ ଚରଣ ସ୍ପର୍ଶ କରିବାକୁ ପ୍ରତିଯୋଗିତା କରୁଥିଲେ।ତାଙ୍କ ଠାରୁ ଆଶୀର୍ବାଦ ମାଗି ନେବାକୁ ସୌଭାଗ୍ୟ ମଣୁଥିଲେ। ହେଲେ ଏବେ ଏସବୁ ଅତୀତର କଥା।ଘରର ଦାଣ୍ଡ ବଖରାଟିରେ କେବଳ ଅସ୍ପୃଶ୍ୟ ଶବଟିଏ ହୋଇ ପଡି ରହିଥିଲେ ସେ। ତାଙ୍କ ମୃତ୍ୟୁର ଖବର ସବୁଆଡେ ପହଞ୍ଚିବାରେ ଆଦୌ ବିଳମ୍ବ ହୋଇ ନ ଥିଲା ସେଦିନ।ଶେଷଦର୍ଶନ ପାଇଁ ତାଙ୍କ ପାଖରେ ପହଞ୍ଚିବାକୁ କେହି ମଧ୍ୟ ଡେରି କରି ନ ଥିଲେ। ମହାନ୍ ଲୋକ ଜଣେ କେହି ମରିଗଲେ ଏପରି ହୁଏ,ହୋଇଥିଲା।ଏଥିରେ ଆଶ୍ଚର୍ଯ୍ୟ ଚକିତ ହେବାର କିଛି ନ ଥିଲା। ତାଙ୍କ ପାଦ ପାଖରେ ଧୂପ କେରାଏ ଜାଳି ଦିଆ ଯାଇଥିଲା।ଶବର ଦୁର୍ଗନ୍ଧ ଦୂର କରିବାକୁ ସମ୍ଭବତଃ ହୋଇଥିଲା ସେପରି।
ମଣିଷ ସିନା ବାସେ,ଶବ ବାସେ କ'ଣ !
ନିରାପଦ ଦୂରତ୍ୱରୁ ଲୋକମାନେ ଫୁଲମାଳ ତାଙ୍କ ଉପରକୁ ଫିଙ୍ଗି ଦେଉଥିଲେ।ଆଉ ତାଙ୍କ ପାଦ ଛୁଇଁ ନୁହେଁ, ଛୁଆନ୍ତି ହୋଇଯିବାର ଭୟରେ ଦୂରରେ ଥାଇ ତାଙ୍କୁ ଜୁହାର କରୁଥିଲେ। ପାଦ ଛୁଇଁବା ଓ ଆଶୀର୍ବାଦ ନେବାର ପ୍ରତିଯୋଗିତା ଆଦୌ ଦେଖିବାକୁ ମିଳି ନ ଥିଲା ସେଦିନ।ଦେଖିବାକୁ ମିଳିଥିଲା ଗଦା ଗଦା ଫୁଲ ଯାହା ଅତି ସୁନ୍ଦର ଭାବରେ ତାଙ୍କ ନିର୍ଜୀବ ଶରୀରକୁ ଢାଙ୍କି ରଖିଥିଲା।କେହି କେହି ତାଙ୍କ ଅତୀତକୁ ଝୁରି ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ସେଦିନ।
ତାଙ୍କ ଶବ ପାଖରେ ଘେରିଯାଇ ସ୍ତ୍ରୀ ଓ ଘରଲୋକେ ମୁଣ୍ଡକୋଡି ହାତ ଗୋଡ କଚାଡି କଚାଡି କାନ୍ଦୁଥିଲେ।ଦୂର ସହରରେ ରହୁଥିବା ତାଙ୍କର ପୁଅ ଝିଅ ସେଠାରେ ପହଞ୍ଚି ଶବ ସତ୍କାର କିପରି କରାଯିବ ସେଥିପାଇଁ ବ୍ୟସ୍ତ ଥିଲେ। ବିଳମ୍ବରେ ହେଲେ ମଧ୍ୟ ସେହିଦିନ ଗାଆଁ ମଶାଣିରେ ତାଙ୍କର ଶବ ଦାହ ହେଲା, ଯାହା ତାଙ୍କର ଶେଷ ଇଚ୍ଛା ଥିଲା।ଖୁବ୍ ଲୋକ ରୁଣ୍ଡ ହୋଇ ଦେଖିଥିଲେ ସେଦିନ ଏସବୁ।
ଦିନ କେତେଟା ବିତିଗଲା।ସବୁ କ୍ରିୟାକର୍ମ ସରିଗଲା।ଧୀରେ ଧୀରେ ଶୁଖି ଆସିଲା ସମସ୍ତଙ୍କର ଲୁହ।ସମସ୍ତେ ପୁଣି ନିଜ ନିଜର ଜୀବନଚର୍ଯ୍ୟାରେ ବ୍ୟସ୍ତ ହେବାକୁ ଆରମ୍ଭ କଲେ। ପୁଅ ଝିଅ ଆପଣା ଆପଣା ସଂସାରକୁ ନେଇ ସହରକୁ ଫେରିଲେ।କିଛି ସ୍ମୃତିକୁ ମନରେ ଧରି ଲେଉଟିଗଲେ ବନ୍ଧୁବାନ୍ଧବ।ସ୍ତ୍ରୀଙ୍କୁ ଆଉ କିଛି ଅଧିକ ଦିନ ଲୁହ ଢାଳୁଥିବାର ଦେଖିବାକୁ ମିଳିଥିଲା।ଧୀରେ ଧୀରେ ତାହା ମଧ୍ୟ ସ୍ବାଭାବିକ ହୋଇଗଲା।
ଏବେ ଗାଆଁଲୋକେ କୁହାକୁହି ହେଉଥିଲେ ମଣିଷ କୁଆଡେ ଏହିପରି ଭାଗ୍ୟ ନେଇ ଜନ୍ମ ହୋଇଥାଏ।
ହଁ.....ହୋଇଥିବ।
ସତରେ ଏହାକୁ ମଣିଷର ଭାଗ୍ୟ ବୋଲି କହିବା ନା ଶବର ଭାଗ୍ୟ !
ଶବର ଭାଗ୍ୟ !