ଶାବର ଶ୍ରୀକ୍ଷେତ୍ର
ଶାବର ଶ୍ରୀକ୍ଷେତ୍ର
ବିଭିନ୍ନ ପୁରାଣ ତଥା ଶାସ୍ତ୍ର ମାନଙ୍କରୁ ଜଣା ଯାଏ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି, ଶବର ପୂଜିତ ଦେବତା l ମହାପ୍ରଭୁଙ୍କ ଆଦି ରୂପ ଶ୍ରୀନୀଳମାଧବ ଶବରରାଜ ବିଶ୍ଵାବସୁଙ୍କ ଦ୍ୱାରା କେଉଁ ନିଭୃତ ଗିରି କନ୍ଦରରେ ଉପାସିତ ହେଉଥିଲେ, ଯାହାଙ୍କୁ ବ୍ରାହ୍ମଣ ବିଦ୍ୟାପତିଙ୍କ ସାହାଯ୍ୟରେ ଠାବକରି ଅବନ୍ତୀ ନରେଶ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜଗନ୍ନାଥ ରୂପେ ଦେଉଳ ତୋଳି ପ୍ରତିଷ୍ଠା କଲେ l ତ୍ରେତା ଯୁଗରେ ଶବରୀ ଅଇଁଠା କୋଳି ଖାଇ ପ୍ରଭୁ ନାମ ବହିଛନ୍ତି, ଶବରୀ ନାରାୟଣ l ସେହି ଶବରୀନାରାୟଣ ଏବେ ସ୍ଵୟଂ ଲୀଳା ଦ୍ବାରା, ନିଜ ନାମକୁ ସାର୍ଥକ କରି ଆବିର୍ଭୁତ ହୋଇଛନ୍ତି ଆଦିମ ଅଧିବାସୀ ଓ ଶବର ଅଧ୍ୟୁସିତ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ l ଇଚ୍ଛାମୟଙ୍କ ଲୀଳା ବଡ଼ ବିଚିତ୍ର,ଏଠାରେ କିପରି ସେ ଆବିର୍ଭୂତ ହେଲେ ସେ କାହାଣୀ ମଧ୍ୟ ବିଚିତ୍ର l
ସମୟ ଥାଏ ୧୯୭୨ ମସିହାର ମଇମାସ l ଛଅରୁ ନଅ ତାରିଖ, ଚାରିଦିନ ବ୍ୟାପି କୋରାପୁଟ ଠାରେ ଆରମ୍ଭ ହେଲା ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଏକ ସର୍ଵ ଭାରତୀୟ ସମ୍ମିଳନୀ l ବହୁ ଗବେଷକ ଏବଂ ବିଦ୍ୱାନ ଏଥିରେ ଯୋଗ ଦେଇଥାନ୍ତି l ଶ୍ରୀଜଗନ୍ନାଥ ଶବରଙ୍କ ଆରାଧିତ ଦେବତା, ଆଲୋଚକ ମାନଙ୍କ ଏହି ଆଲୋଚନା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଲା l ଉଦଯାପନ ଦିବସ ଦିନ ବହୁ ଭକ୍ତଙ୍କ ଉପସ୍ଥିତିରେ ସମ୍ମିଳନୀ କକ୍ଷରେ ଆୟୋଜିତ ହେଲା ସାଂସ୍କୃତିକ କାର୍ଯ୍ଯକ୍ରମ l ମଞ୍ଚରେ ଅଧିଷ୍ଠିତ ଥାନ୍ତି ଚତୁର୍ଦ୍ଧାମୂର୍ତ୍ତି l କାର୍ଯ୍ୟକ୍ରମ ଦେଖିବାପାଇଁ ଆଖପାଖ ଗ୍ରାମରୁ ଆସି ରୁଣ୍ଡ ହୋଇଥାନ୍ତି ବହୁ ସଂଖ୍ୟକ ଆଦିବାସୀ l
କାର୍ଯ୍ଯକ୍ରମ ଖୁବ୍ ସୁନ୍ଦରଭାବେ ଚାଲିଥାଏ l ଦର୍ଶକ ମାନେ ମନ୍ତ୍ରମୁଗ୍ଧହୋଇ ଉପଭୋଗ କରୁଥାନ୍ତି, ଏହି ସମୟରେ ଦେଖାଗଲା ଜଣେ ଆଦିବାସୀ ଶବରୀ ମହିଳା ମଞ୍ଚ ଉପରକୁ ଉଠୁଛନ୍ତି l ମହିଳାଙ୍କୁ ଦେଖି ପୁରୀରୁ ଯାଇଥିବା, ଦାମୋଦର ବାବୁ ତାଙ୍କୁ ବାଧା ଦେଲେ l ଶବରୀବୁଢ଼ୀ ରାଗିଯାଇ ନିଜ ଭାଷାରେ କହିଲା, ଆମ ଠାକୁରଙ୍କୁ ତୁମେ ନେଇ ଯାଇଛ l ମୁଁ ଯାଉଛି ତାକୁ ଟିକିଏ କୁଣ୍ଢାଇ ଗେଲ କରିବି l ଆମ ଦେବତାକୁ ଆମେ ଦେଖିବୁ l ତୁମେ କାହିଁକି ବାଧା ଦେଉଛ l ଶବରୀ ବୁଢୀର ଜିଦ ଦେଖି ସେଠାରେ ଉପସ୍ଥିତ ଥିବା ଜଗନ୍ନାଥଧର୍ମ ଓ ସଂସ୍କୃତିର ଅନନ୍ୟ ପ୍ରବକ୍ତା ଡକ୍ଟର ସଦାଶିବ ରଥଶର୍ମା ତାକୁ ଅନୁମତି ଦେଲେ l ବୁଢ଼ୀ ସିଧା ଚାଲିଗଲା ଚତୁର୍ଦ୍ଧା ବିଗ୍ରହଙ୍କ ପାଖକୁ l ତାଙ୍କୁ ଭକ୍ତିଭରା ପ୍ରଣାମକରି ହସ୍ତ ଯୋଡ଼ି ଠିଆହେଲା l କିଛି ସମୟ ପରେ ଦେଖାଗଲା ବୁଢ଼ି ତା ମଇଳା ଲୁଗା କାନିରୁ ଆଣିଥିବା ବନ ଫଳସବୁ କାଢି, ଠାକୁରଙ୍କୁ ଖା ଖା କହି ତାଙ୍କ ପାଟିରେ ଘଷି ଦେଉଛି l ଆଖିରୁ ବହି ଯାଉଛି ଅବାରିତ ବାରି l ରଥଶର୍ମା ଶବରୀର ଭକ୍ତି ଦେଖି ଆଉ ଧୈର୍ଯ୍ୟଧରି ରହି ପାରିଲେ ନାହିଁ l ସେ ଭାବ ଗଦ୍ଗଦ ହୋଇ କହି ପକାଇଲେ, 'ପ୍ରଭୁ ! ଆପଣ ଶବର ଦେବତା l ଆଉ ଇଏ ଶାବର ଶ୍ରୀକ୍ଷେତ୍ର' l
ଏହାଥିଲା ମହାପ୍ରଭୁଙ୍କ ସ୍ଵୟଂ ଲୀଳା l କିଏ ପ୍ରଭୁଙ୍କ ଇଚ୍ଛାକୁ ବାଧା ଦେଇ ପାରିବ l ସେହି ବର୍ଷ ଶାବର ଶ୍ରୀକ୍ଷେତ୍ର ପ୍ରତିଷ୍ଠା ପାଇଁ କମିଟିଟିଏ ଗଢ଼ା ହେଲା l କୋରାପୁଟ ସହରର ମଧ୍ୟଭାଗରେ ଥିବା ଗୋଟିଏ ଉଚ୍ଚ ପାହାଡ଼କୁ ନୀଳଶୈଳ ନାମରେ ନାମିତ କରା ଗଲା l ଜୁନ୍ ମାସ, ନୀଳଶୈଳ ଉପରେ ଏକ ଟିଣ ଘରେ ପ୍ରତିଷ୍ଠା ହେଲେ ନବକଳେବର ଦାରୁ ନିର୍ମିତ ତଥା ଶ୍ରୀକ୍ଷେତ୍ରରୁ ଆନୀତ ଶ୍ରୀ ଜୀଉମାନଙ୍କ ଚତୁର୍ଦ୍ଧା ବିଗ୍ରହ l ଘାତ ପ୍ରତିଘାତ ମଧ୍ୟରେ ଶାବର ଶ୍ରୀକ୍ଷେତ୍ର ଚୂଡ଼ାନ୍ତ ରୂପ ପାଇ ୧୯୭୮ ଜୁନମାସରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହଦେବଙ୍କ ଦ୍ବାରା ଉଦ୍ଘାଟିତ ହେଲା l ଆଜି ଶବର ଦେବତା, ପ୍ରଭୁ ଶ୍ରୀଜଗନ୍ନାଥ ଲୀଳା କରୁଛନ୍ତି, ବଣ ପାହାଡ଼ ଘେରା ଶାବର ଶ୍ରୀକ୍ଷେତ୍ର କୋରାପୁଟରେ l
ଏଠାରେ ଶ୍ରୀକ୍ଷେତ୍ର ପରି ଠାକୁର ମାନଙ୍କର ସମସ୍ତ ନୀତି କାନ୍ତି, ବେଶ ଓ ପର୍ବ ପର୍ବାଣୀ ଅନୁଷ୍ଠିତ ହୋଇଥାଏ l ଧୁମ୍ ଧାମରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ରୁ ପ୍ରବଳ ଜନ ସମାଗମ ହୁଏ l ଏହି ମନ୍ଦିରରୁ ଜୀଉ ମାନଙ୍କ ବିଭିନ୍ନ ବେଶର ଚିତ୍ର ଯାଇ ଛତିଶଗଡ଼, ଜଗଦ୍ଦଲପୁରର ଶ୍ରୀଜଗନ୍ନାଥ ମନ୍ଦିରରେ ଲାଗି ଥିବାର ମୁଁ ଦେଖିଛି l
