Kanan Bala Nayak

Inspirational

3  

Kanan Bala Nayak

Inspirational

~~~ସେଫ୍ଟିପିନ୍~~~

~~~ସେଫ୍ଟିପିନ୍~~~

4 mins
570


ବୋଉ ତୁ ସେତେବେଳ ଠାରୁ ସେ ସେଫ୍ଟିପିନ୍ ଟିକୁ ହାତରେ ଧରି କ'ଣ ଭାବୁଛୁ । ବାପା ପରା ତୋତେ କେତେ ବେଳରୁ ଡାକୁଛନ୍ତି । ଗୀତିକାର ଡାକ ଶୁଣି ଭାରତୀ ନିଜ ଭାବନା ରାଜ୍ୟରୁ ଫେରି ଆସିଲେ ଆଉ କହିଲେ ଏ ସେଫ୍ଟିପିନ୍ ର ମହାନ ଗୁଣ ବିଷୟରେ ଭାବୁଥିଲି । ଗୀତିକା ଆଶ୍ଚର୍ଯ୍ୟ ହୋଇ ଭାରତୀଙ୍କ ମୁହଁକୁ ଅନାଇଲା ଓ କହିଲା ସେଫ୍ଟିପିନ୍ ର ପୁଣି ମହାନ୍ ଗୁଣ? ଭାରତୀ କହିଲେ ହଁ ସେଫ୍ଟିପିନ୍‌ ର ମହାନ୍ ଗୁଣ । ଜାଣିଛୁ ଦିନ ଥିଲା ଏଇ ସେଫ୍ଟିପିନ୍ ଦୀର୍ଘ ଦିନ ଧରି ମୋ ପାଦକୁ ସୁରକ୍ଷା ଯୋଗାଇ ଦେଉଥିଲା । ବୋଉ ତୋ ମୁଣ୍ଡ ଠିକ୍ ଅଛି ତ?ସେଫ୍ଟିପିନ୍ ପୁଣି ପାଦକୁ ସୁରକ୍ଷା?ସେଇଟା କଣ ଯୋତା ନାଁ ଚପଲ୍ ହୋଇଛି ଯେ ତୋ ପାଦକୁ ସୁରକ୍ଷା ଦେଉଥିଲା?   ଗୀତିକାର କଥା ଶୁଣି ଭାରତୀ ହସି ଦେଇ କହିଲେ ସେଇଟା ଯୋତା କି ଚପଲ୍ ନୁହଁ ତଥାପି ମୋ ପାଦକୁ ସୁରକ୍ଷା ଦେଉଥିଲା । ଗୀତିକା କହିଲା ବୋଉ ମୁଁ ତୋ କଥା କିଛି ବୁଝି ପାରୁନି ମୋତେ ଟିକେ ବୁଝାଇ କହ ।

ଭାରତୀ କହିଲେ ଏଇଟା ସେ ସମୟର କଥା ଯେତେବେଳେ ତୋ ବୋଉ ତୋ ଠାରୁ କମ୍ ବୟସର ହୋଇଥିଲା । ମୁଁ ଯେତେବେଳେ ଦଶ ବର୍ଷର ହୋଇଥିଲି ଅଚାନକ ଏକ ଦୁର୍ଘଟଣାର ଶୀକାର ହୋଇ ମୋ ବାପା ମାନେ ତୋ ଅଜା ଇହଧାମ ତ୍ୟାଗକରି ଥିଲେ । ଵୋଉ ପର‌ ଘରେ ପାଇଟି କରି ଯାହା ରୋଜଗାର କରୁଥିଲା ସେଥିରେ ଆମ ତିନି ଭାଇ ଭଉଣୀଙ୍କ ପେଟକୁ ତିନି ଓଳି ଦାନା ଦେବା କଷ୍ଟ ହେଉଥିଲା । ତେଣୁ ଆମ ମାନଙ୍କ ପାଠ ପଢ଼ା ରେ ଡୋରି ବନ୍ଧିବା ଅବସ୍ଥା ଆସିଗଲା । ଆମ ତିନି ଭାଇ ଭଉଣୀଙ୍କର କିନ୍ତୁ ଗୋଟିଏ ଜିଦି ଯେମିତି ହେଉ ଆମେ ପାଠ ପଢ଼ିବୁ । ବଡ଼ ମଣିଷ ହେବୁ । ବାପା ଆମକୁ ନେଇ ଦେଖିଥିବା ସ୍ୱପ୍ନକୁ ପୂରଣ କରିବୁ । ସେଥିପାଇଁ ସ୍କୁଲରୁ ଫେରି ଅନ୍ୟ ପିଲାମାନେ ଯେତେବେଳେ ଖେଳ କୁଦରେ ମାତୁଥିଲେ ଆମେ ତନି ଭାଇ ଭଉଣୀ (ଦୁଇ ଭଉଣୀ ଓ ଗୋଟିଏ ଭାଇ) ପୁରୁଣା ଖବର କାଗଜ ସଂଗ୍ରହ କରି ଠୁଙ୍ଗା ବନାଉ ଥିଲୁ । ଗାଁ ସମ୍ପର୍କୀୟ ଜଣେ ଦାଦା ତାକୁ ସହରରେ ଥିବା ଦୋକାନରେ ବିକ୍ରି କରି ଦେଉଥିଲେ । ସେଥିରୁ ଯାହା ମିଳୁଥିଲା ସେଥିରେ ସ୍କୁଲର ଫି ଓ ଅନ୍ୟାନ୍ୟ ଚାନ୍ଦାର ଖର୍ଚ୍ଚ ଉଠାଉ ଥିଲୁ । ଆମେ ଜୀବନର କେବେ ନୂଆ ବହି, ବ୍ୟାଗ୍ କିମ୍ବା ଚପଲଟେ ପାଇଁ ବୋଉକୁ କହି ପାରୁ ନଥିଲୁ । କାରଣ ବୋଉର ବିବଶତାକୁ ଆମେ ତା ଆଖି ର ଲୁହ ବାଟେ ଗଡି ଯାଉଥିବାର ସବୁବେଳେ ଦେଖୁଥିଲୁ ।     ବୟସରେ ଛୋଟ ଥିଲେ ମଧ୍ୟ ବୋଉ ର ସେ ବିବଶତା କୁ ଆମେ ଭଲ ଭାବରେ ବୁଝି ପାରୁଥିଲୁ ।  ମଣିଷର ଦୁର୍ଦ୍ଦିନ ବୁଝି ପାରୁ ନଥିବା କଥାକୁ ବି ବୁଝାଇ ଦିଏ । ଆଉ ନିଜ ବୟସ ଠାରୁ ଯଥେଷ୍ଟ ବୟସ୍କ କରାଇ ଦିଏ । ଗାଁର ଅନ୍ୟ ପିଲାଙ୍କ ଠାରୁ ତାଙ୍କ ପୁରୁଣା ବହି ସଂଗ୍ରହ କରି ପାଠ ପଢୁଥିଲୁ । ଆଉ ବ୍ୟାଗ୍ ର ଆବଶ୍ୟକତା ଆମକୁ କେବେ ପଡି ନଥିଲା । ବହି ଉପରେ ବହି ରଖି ହାତରେ ଧରି ସ୍କୁଲ ଯାଉଥିଲୁ । ସ୍କୁଲ ଆମ ଘର ଠାରୁ ପ୍ରାୟ ତିନି କିଲୋମିଟର ଦୂରଥିଲା । ତଥାପି ରାସ୍ତାରେ କେବେ ବହି ଗଳି ପଡୁନଥିଲା । ଆମକୁ ସେତିକି ସର୍ତ୍ତକତା ଅବଲମ୍ବନ କରିବା ପାଇଁ ପଡୁଥିଲା । ଆମେ ଭଲ ଭାବରେ ଜାଣିଥିଲୁ ଥରେ ଯଦି ଵହି ଖାତା କିଛି ହଜି ଯାଏ ତେବେ ବର୍ଷ ତମାମ ଆମକୁ ବିନା ବହି ଓ ଖାତାରେ ଚଳିବା ପାଇଁ ପଡ଼ିବ ।    ଗାଁ ପିଲାଙ୍କ ଠାରୁ ସିନା ପୁରୁଣା ବହି ଯୋଗାଡ଼ କରି ଚଳି ଯାଉଥିଲୁ କିନ୍ତୁ ସବୁଠାରୁ ହଇରାଣ ହେଉଥିଲୁ ଚପଲ ହଳେ ପାଇଁ । ଏତେ ରାସ୍ତା ଖାଲି ପାଦରେ ଯିବା ପାଇଁ ବହୁତ କଷ୍ଟ ହୁଏ । ବେଳେ ବେଳେ ପାଦରେ କଣ୍ଟା ଓ ଗୋଡ଼ି ପଶି ରକ୍ତଝରେ । ଆଉ ଥରେ ଗୋଟେ ଚପଲ କିଣାହେଲେ ସେଇଟା ସମ୍ପୁର୍ଣ୍ଣ ନଷ୍ଟ ନ ହେଲା ଯାଏ ସେଇଥିରେ କାମ ଚଳାଉ ଥିଲୁ । ଏତେ ବାଟ ଚାଲିବାକୁ ପଡୁଥିବା ହେତୁ ଯୋଗୁଁ ଅଧିକାଂଶ ସମୟରେ ଚପଲର ଫିତା ତଳ ପଟରୁ ଛିଣ୍ଡି ଯାଉଥିଲା । ସେଇ ସମୟରେ ଏଇ ସେଫ୍ଟିପିନ୍ ଗୋଟିକ ଆମ ପାଇଁ ବରଦାନ ସାବ୍ୟସ୍ତ ହେଉ ଥିଲା ।

ଚପଲ୍ ର ଛିଣ୍ଡା ଫିତାରେ ସେଫ୍ଟିପିନ୍ ମାରି ଆମେ କାମ ଚଳାଉ ଥିଲୁ । ଥରେ ଥରେ ତ ସେଇ ସେଫ୍ଟିପିନ୍ ମରା ଚପଲକୁ ପାଞ୍ଚ ଛଅ ମାସ ପର୍ଯ୍ୟନ୍ତ ପିନ୍ଧିବା ପାଇଁ ପଡୁଥିଲା । ବୋଉକୁ ନୂଆ ଚପଲଟେ ପାଇଁ କହି ପାରୁ ନଥିଲୁ । କାରଣ ନୂଆ ଜିନିଷଟେ ପାଇଁ କହିଲେ ବାପାଙ୍କ କଥା କୁ ମନେ ପକାଇ କାନ୍ଦୁଥିଲା । ଆଉ ବୋଉ ଆଖିରୁ ଲୁହ ଆମକୁ ବହୁତ କଷ୍ଟ ଦେଉଥିଲା ।     ଛିଣ୍ଡା ଚପଲକୁ ଯୋଡ଼ିବା ପାଇଁ ଏଇ ସେଫ୍ଟିପିନ୍ ହିଁ ଆମର ସହାୟତା କରୁଥିଲା । ଏଥର ବୁଝିଲୁ ମୁଁ କାହିଁକି କହୁଥିଲି ସେଫ୍ଟିପିନ୍ ମୋ ପାଦକୁ ସୁରକ୍ଷା ଦେଉଥିଲା ବୋଲି ।  ଅନେକ ସମୟରେ ଆମେ ଯେତେବେଳେ ଦାରିଦ୍ର୍ୟତା ର ତାଡନା ସହି ନ ପାରି ଭାଙ୍ଗି ପଡୁଥିଲୁ ଏଇ ସେଫ୍ଟିପିନ୍‌ ଆମକୁ ଭାଙ୍ଗି ନ ପଡି ସ୍ବପ୍ନ ସବୁ କୁ ଯୋଡି ରଖିବାର ପ୍ରେରଣା ଦେଉଥିଲା । ଏଇ ସେଫ୍ଟିପିନ୍ ସିନା ଦେଖିବାକୁ ଛୋଟ କିନ୍ତୁ ତା କାମ ପରା ମହାନ୍ । କାରଣ ସେ ସବୁ ବେଳେ ଭଙ୍ଗା ଜିନିଷ କୁ ଯୋଡି ରଖି ଥାଏ । ଗୋଟିଏ କଥା ମନେ ରଖିବୁ ମା ଯେ କୌଣସି ଜିନିଷକୁ କାଟି ଦେବା କିମ୍ବା ଭାଙ୍ଗି ଦେବା ବହୁତ ସହଜ କିନ୍ତୁ ତାକୁ ଯୋଡ଼ିବା ବହୁତ କଷ୍ଟ । ତେଣୁ ସବୁ ବେଳେ ଏଇ ସେଫ୍ଟିପିନ୍ ଭଳି ହୋଇ ଭଙ୍ଗା ଜିନିଷ କୁ ଯୋଡିବାର ଚେଷ୍ଟା କରିବୁ । ଗୀତିକା ଭାରତୀ ଙ୍କ କଥା ଶୁଣି କହିଲା ହଁ ବୋଉ ମୁଁ ସବୁ ବୁଝି ଗଲି । ଏଥର ବାପାଙ୍କ ପାଖକୁ ଯିବା ଚାଲ୍ । ନହେଲେ ସେ ବିରକ୍ତ ହେବେ ।


Rate this content
Log in

Similar oriya story from Inspirational