STORYMIRROR

samhita jena

Inspirational

4  

samhita jena

Inspirational

ସେବା

ସେବା

2 mins
257

ଦଶ ବାର ବର୍ଷର ଝିଅ କାଞ୍ଚନ। ପର ଘରେ ବାସନ ମାଜେ। ଦୁଇତିନିଟା ଘରେ କାମ କରି, ଯାଇ ପହଞ୍ଚେ ସୁଦର୍ଶନ ବାବୁଙ୍କ ଘରେ। ବାବୁଙ୍କର ପତ୍ନୀଙ୍କୁ ପାରାଲିସିସ।ସେ ଆଉ ବିଛଣାରୁ ଉଠିପାରୁ ନାହାନ୍ତି। ସୁଦର୍ଶନ ବାବୁଙ୍କ ବୟସ ବି କିଛି କମ ନୁହେଁ ଷାଠିଏ ଟପିଲାଣି।


   କାଞ୍ଚନ ଘର ଓଳେଇ, ଘର ପୋଛି, ବାସନ ମାଜି ସାରିଲା ବେଳକୁ ସୁଦର୍ଶନ ବାବୁ କହନ୍ତି, ମା' "ବଜାରରୁ ଟିକେ ଜଳଖିଆ ଆଣିଦେ।" କାଞ୍ଚନ ବଜାରରୁ ଜଳଖିଆ ନେଇ ଆସେ। ବାବୁ କହନ୍ତି, ତୁ ଟିକେ ବାଢି ଦେ, ସମସ୍ତେ ଖାଇବା। ସେ ବାଢ଼ିଦେଲା ପରେ, ବାବୁ ଗଲେ ମା'ଙ୍କୁ ଖୁଆଇବାକୁ। କାଞ୍ଚନ କହିଲା, ବାବୁ ତମେ ଯାଅ ଖାଇବ; ମୁଁ, ମା'ଙ୍କୁ ଖୁଆଇ ଦେଉଛି । ବାବୁ କାଞ୍ଚନ ମୁହଁକୁ ଟିକେ ଚାହିଁ କହିଲେ, ହଉ ଠିକ ଅଛି। ଦେଖିଲେ କାଞ୍ଚନ ମା'ଙ୍କ ମୁହଁ ଧୁଆଇ ତାଙ୍କୁ ଜଳଖିଆ ଖୁଆଇ ଦେଲା। ଖୁଆଇ ସାରିଲା ପରେ ପୁଣି ମୁହଁ ଧୋଇ ନିଜ ଓଢଣୀରେ ମା'ଙ୍କ ମୁହଁ ପୋଛି ତାଙ୍କୁ ଶୁଆଇ ଦେଲା।


    ସବୁଦିନ କାଞ୍ଚନ ମା'ଙ୍କୁ ଖୁଆଇ ଦିଏ। ଦିନେ ମା' ଖାଉ ଖାଉ ବାନ୍ତି କରି ଦେଲେ। ବାବୁ ଖୁବ ବିରକ୍ତ ହୋଇ କହିଲେ, "ଏଇଟା ମରୁ ନାହିଁ, କି ତା'ପାଖରୁ ମୁଁ ବି ମରୁ ନାହିଁ।" କାଞ୍ଚନ କହିଲା ବାବୁ ତମେ କାହିଁ ବ୍ୟସ୍ତ ହେଉଛ; ମୁଁ ସଫା କରି ଦେଉଛି । ସେ ନିଜ ହାତରେ ସବୁ ସଫାସଫି କରି, ମା'ଙ୍କୁ ଲୁଗା ପିନ୍ଧେଇ, ମୁଣ୍ଡ କୁଣ୍ଡେଇ, ଶୁଆଇ ଦେଇ ଘରକୁ ଚାଲି ଗଲା। ତା' ପରଦିନ କାଞ୍ଚନ ଯେମିତି ଆସିଲା ବାବୁ ପଚାରିଲେ, କାଞ୍ଚନ ତୁ କ'ଣ ପାଠ ପଢିଛୁ? କାଞ୍ଚନ କହିଲା, ହଁ ବାବୁ, ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଛି। ସେଇ ପର୍ଯ୍ୟନ୍ତ ବହିପତ୍ର, ପୋଷାକ, ଖାଇବା, ଔଷଧ ସବୁ


ମାଗଣାରେ ମିଳୁଥିଲା। ନବମରେ ବହି ଖାତା କିଣିବାକୁ ପଡିବ ଆଉ ଖାଇବା ବି ମିଳିବନି ତେଣୁ ମା'କହିଲା, ମୁଁ ଏତେ ପଇସା କୋଉଠୁ ଆଣିବି? ତେଣୁ "ତୁ ଆଉ ପାଠ ପଢନା"। ବାବୁ କହିଲେ, ତୋର ପଢିବାକୁ ଇଛା ଅଛି! ସେ କହିଲା, ହଁ ବାବୁ, ମୋ ସାଙ୍ଗ- ମାନେ ପଢୁଛନ୍ତି । ତାଙ୍କୁ ଦେଖି ମୋର ମନ ଦୁଃଖ ହେଉଛି।


ତାହାଲେ ତୁ ଯେଉଁ ସ୍କୁଲରେ ପଢୁଥିଲୁ,ଚାଲ ସେଠିକି ଯିବା । ବାବୁ କାଞ୍ଚନକୁ ନେଇ ତା ସ୍କୁଲକୁ ଗଲେ । ସେଠିକାର ପ୍ରଧାନ ଶିକ୍ଷକଙ୍କ ସାଙ୍ଗରେ କଥାବାର୍ତ୍ତା କରି କାଞ୍ଚନର ପଢିବା ବ୍ୟବସ୍ଥା କରିଦେଲେ ଏବଂ କହିଲେ ତା'ର ସମସ୍ତ ଖର୍ଚ୍ଚ ମୁଁ ବହନ କରିବି । କାଞ୍ଚନ ଖୁବ ଖୁସି ହେଲା । ବାବୁ ଯାଇ ତା'ମା'କୁ କିଛି ଟଙ୍କା ଦେଇ ଆସିଲେ, କହିଲେ, "କାଞ୍ଚନକୁ ଆଉ କାମ କରିବାକୁ ପଠେଇବ ନାହିଁ। ତମର ଘର ଖର୍ଚ୍ଚ ପାଇଁ ଯାହା ଟଙ୍କା ଦରକାର ମତେ କହିବ।


  ତା' ପରଠୁ କାଞ୍ଚନର ମା'ଯାଇ ବାବୁଙ୍କ ଘରେ ସମସ୍ତ କାମକଲା ଆଉ କାଞ୍ଚନ ପାଠ ପଢ଼ିଲା।ତା' ମାଆ କହିଲା ବାବୁ ଆପଣଙ୍କ ଭଳି ଦୟାଳୁ ଲୋକ ମୁଁ ସଂସାରରେ ଦେଖି ନାହିଁ। ବାବୁ କହିଲେ, "ଧନ, କାର୍ପଣ୍ୟ, ସେବା ଫଳେ କିବା ଅସାଧ୍ୟ ମହୀ ତଳେ।"


କାଞ୍ଚନ ଛୋଟ ପିଲାଟିଏ ହେଲେ ମଧ୍ୟ ତା'ମନରେ ପରୋପକାର ଭାବ, ଦୟା, ସହାନୁଭୂତି, ଅନ୍ୟର "ସେବା" କରିବାର ଉତ୍ସାହ ଦେଖି, ମୁଁ ଖୁବ ଖୁସି ହୋଇଯାଇଥିଲି । ମନେ ମନେ ଚିନ୍ତା କଲି ସେ ପାଠ ପଢିଲେ ଜୀବନରେ ଭଲ ମଣିଷଟିଏ ହୋଇ ସମାଜର ନିଶ୍ଚୟ କିଛି ଭଲ କାମ କରିବ।



Rate this content
Log in

Similar oriya story from Inspirational