ମା' ଓ ଶାଶୁ
ମା' ଓ ଶାଶୁ
ଝିଅ ଶାଶୁଘର ଯିବ।ମା'ଆଖିକୁ ନିଦ ଆସୁ ନଥାଏ।ଝିଅଟା
ଶାଶୁଘରେ କେମିତି ଚଳିବ!ଝିଅ ବାହାଘର ସରିଗଲା।ମା'
ଝିଅକୁ ଶାଶୁଘରକୁ ବିଦା କଲାବେଳେ ବୁକୁଫଟା କୋହ
ସମ୍ଭାଳି ପାରୁ ନ ଥା'ନ୍ତି।ଝିଅବି ଛାତିର କୋହ ଆଉ ଆଖିର
ଲୁହକୁ ଏକାକାର କରି ଦେଇଥାଏ।ସତରେ,ଭାରି କଷ୍ଟ ଏହି
ଝିଅ ବିଦା ସମୟଟା।ବଡ଼ ବିଚିତ୍ର ଏ ଠାକୁରଙ୍କ ଲୀଳା।
ଝିଅଟି ଜନ୍ମ ହୁଏ ଗୋଟିଏ ଜାଗାରେ,ପୁଣି ସେଇ ରକ୍ତର
ସମ୍ପର୍କକୁ ପର କରି ଚାଲିଯାଏ ଶାଶୁଘର;ଯେଉଁଟା ତାର
ସ୍ଥାୟୀ ଠିକଣା।
ଝିଅଟି ଶାଶୁଘରେ ପହଞ୍ଚିଲା ପରେ,ଶାଶୁ ସବୁ କଥା
ପରିବାର ବିଷୟରେ ବୁଝାଇ ଦେଲେ।ବହୁଟି ଧୀରେ ଧୀରେ
ସାହି-ପଡିଶା,ବନ୍ଧୁ-ବାନ୍ଧବ ସମସ୍ତଙ୍କୁ ଚିହ୍ନିଗଲା।
ଆରମ୍ଭ ହୋଇଗଲା ଶାଶୁଙ୍କର କାଇଦା-କଟକଣା ଏଠି
ଠିଆ ହେବୁନି, ଏଇଟା କରିବୁନି, ସେଇଟା କରିବୁନି,ସମସ୍ତେ
ଖାଇ ସାରିଲା ପରେ ଖାଇବୁ ଇତ୍ୟାଦି ଇତ୍ୟାଦି।
ବୋହୁଟିକୁ ଟିକେ ଭଲ ଲାଗୁ ନ ଥାଏ।ହେଲେ ମା'କଥା
ମନେ ପଡୁଥାଏ।ମା'କହିଛି ଝିଅ:ଶାଶୁକୁ ମା'ଭଳି ଦେଖିବୁ।ସେ
ଯାହା କହିବେ ସବୁ କଥା ମାନିବୁ।ଯେତେ କଷ୍ଟ ହେଲେବି
ମୁହଁରେ ଜବାବ ଦେବୁନି।ବିଚରା!କ'ଣ କରିବ?ମନେ ମନେ
କାନ୍ଦି କାନ୍ଦି ଭାବେ,ବାହା ନ ହୋଇଥିଲେ ଭଲ ହୋଇଥା'ନ୍ତା।
ମଣିଷ ବଡ଼ ଅଡ଼ୁଆ ଧନ୍ଦାରେ ପଡିଲା।ହେଲେ ମା'ଙ୍କ କଥାକୁ
ବାଧ୍ୟ ଛାତ୍ର ଭଳି ଅକ୍ଷରେ ଅକ୍ଷରେ ପାଳନ କରୁଥାଏ।ନଚେତ
ବାପା ନାଁ' ପଡିବ,ସମସ୍ତେ କହିବେ ବୋହୁଟା ଖରାପ।
ଶଶୁର ସବୁ ଦେଖୁଥା'ନ୍ତି।ଦିନେ ମାମୁଁ ଶଶୁର ଓ ମାଇଁ
ଶାଶୁ ଆସି ପହଞ୍ଚିଗଲେ।ଶାଶୁ କହିଲେ,"ବୋହୁ ମାମୁଁ-ମାଇଁ"
ଆସିଛନ୍ତି,ଆଜି ରୋଷେଇଟା ଯେମିତି ଭଲ ହୁଏ।ବୋହୁ
ଶାଶୁଙ୍କ କଥାମାନି ଝାଳ-ନାଳ ଆଣ୍ଠିଏ ହୋଇ ରୋଷେଇରେ
ଲାଗି ପଡିଲା।ଖାଇବା ପ୍ରସ୍ତୁତ ହୋଇଗଲା।ବୋହୁ ଧୁଆଧୋଇ
ହେବାକୁ କଳ ପାଖକୁ ପଳେଇଲା ।
ଶଶୁର କହିଲେ,"ହେଇଟି ଶୁଣୁଛ,ତମେ ଟିକେ ବଢ଼ାବଢି
କରିଦିଅ;ଶାଶୁ କହିଲେ,କ'ଣ ହେଲା-ଘରେ କୁଣିଆ ଅଛନ୍ତି ବୋଲି ମୋର ଆଜି ଖାଇବା ଡେରି ହେଲାଣି!ସେଥିରେ ପୁଣି
ମୁଁ ବଢାବଢି କରିବାକୁ ଯିବି।ଶଶୁର କହିଲେ-"ତମର ଆଜି
ଦିନକ ଡେରି ହେଲା ବୋଲି ତମୁକୁ କଷ୍ଟ ହେଉଛି,ହେଲେ
ତମେ ତ ବୋହୂକୁ ସବୁଦିନ ଡେରିରେ ଖାଇବା ପାଇଁ କହୁଛ;
ବିଚରା!ସମସ୍ତଙ୍କ କଥା ବୁଝି ସାରି ଖାଇଲା ବେଳକୁ ତାର
ଭୋକ ମରି ଯାଇଥିବ।ଶାଶୁ ଟିକେ ରାଗିଗଲେ,"କହିଲେ
ତମେ କ'ଣ କହିବା ପାଇଁ ଚାହୁଁଛ?ଶଶୁର କହିଲେ-ନାହିଁ
ସେମିତି କିଛି ନୁହେଁ ଯେ,ତମେ ଯଦି ତା ମା' ଭଳି ତାର
ଖାଇବା ପିଇବା ଆଉ ତା ମନ କଥା ବୁଝି ପାରନ୍ତ,ତାହାଲେ
ସିଏ ବି ତମୁକୁ ତା' ମା'ଭଳି ଖୁବ ଭଲ ପାଆନ୍ତା।ଆମର
ତ ଗୋଟିଏ ପୁଅ, ଝିଅ ନାହିଁ,ସେ ଆମ ପାଖରେ ବୋହୁ ନୁହେଁ
ଝିଅ ପରି ଚଳନ୍ତା।