STORYMIRROR

samhita jena

Tragedy

3  

samhita jena

Tragedy

ସଂସାର ବନ୍ଧନ

ସଂସାର ବନ୍ଧନ

2 mins
217

ମନୀଷା ଶୟନ କକ୍ଷରେ ଗୋଟିଏ ଜଗନ୍ନାଥଙ୍କ ଫଟୋକୁ ଚାହିଁ କାନ୍ଦୁଥାଏ।ମନେ ମନେ କହୁଥାଏ ପ୍ରଭୂ!ଏମିତି ବନ୍ଧନରେ ବାନ୍ଧି ଦେଇଛ ଯେ,ନା କୁଆଡେ ଛାଡି ଯାଇ ପାରିବି; ନା ଏଠି ଶାନ୍ତିରେ ଟିକେ ରହି ପାରିବି।

  ଏତିକିବେଳେ ଶାଶୁ ଡାକ ଦେଲେ ମାଆ ମନୀଷା, ଛୁଆଟା ରାହା ଧରି କାନ୍ଦୁଛି;ତାକୁ ଟିକେ ବୋତଲରେ କ୍ଷୀର ପିଆଇଦେ। ଚମକି ପଡିଲା ମନୀଷା!ଛୁଆଟିକୁ କୋଳେଇ ନେଇ ଗେଲ କରି

ପକାଇଲା।ପିଲାଟି ତୁନି ହୋଇଗଲା।ଶାଶୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ!ବଡ ପୁଅ ବୋହୂ କାର ଦୁର୍ଘଟଣାରେ ଚାଲି ଗଲା ପରେ,ଛାଡିଯାଇଥିଲେ ଏଇ ଛଅ ମାସର ଶିଶୁ କନ୍ୟାଟିକୁ। ସମସ୍ତେ ଖୁବ ଭଲ ପାଉଥିଲେ 'ଗୁଡ଼ିଆକୁ'।

   ଗୁଡ଼ିଆ ଏବେ ଠୁକୁ ଠୁକୁ ହୋଇ ଚାଲିଲାଣି।ମନୀଷାକୁ ମାଆ ମାଆ ବୋଲି ଡାକିଲାଣି।ଗୁଲୁଗୁଲୁ ହୋଇ କଥା କହିଲାଣି ।ମନୀଷା ପିଲା ନ ହେବାର ଦୁଃଖଟା ଭୁଲି ଗଲାଣି।ମମତାର ବନ୍ଧନରେ ଆତ୍ମ ତୃପ୍ତିରେ ବିଭୋର ମନୀଷା।

   ଶାଶୁ-ଶଶୁର-ସ୍ୱାମୀ ସମସ୍ତେ ଭଲ ପାଆନ୍ତି ମନୀଷାକୁ। ସେ ଖୁବ ଭଲ ଝିଅଟିଏ।ମନରେ ତାର ଆବିଳତା ନ ଥାଏ। ସ୍ନେହ-ମମତାରେ ସଂସାରଟାକୁ ବାନ୍ଧି ରଖିଥାଏ।

    ତାର ସ୍ୱାମୀ ମନୋଜକୁ କିଛି ଦିନ ହେଲା ଜ୍ୱର ଛାଡ଼ୁନି। ପରୀକ୍ଷା ନିରୀକ୍ଷାରୁ ଜଣା ପଡିଲା ଯେ ମନୋଜର ଗୋଟିଏ କିଡନି ନଷ୍ଟ ହୋଇ ଯାଇଛି।ଏ କଥା ଶୁଣି ଶାଶୁ ହୃଦଘାତରେ ଚାଲିଗଲେ।ଶଶୁର ଚିନ୍ତାଗ୍ରସ୍ତ।କହିଲେ, ବୋହୁ:ତମେ ଜମା ବ୍ୟସ୍ତ ହୁଅନା,ଠାକୁର ସବୁ ଠିକ କରିଦେବେ।

    ମନୀଷା ପୁଣି ସେଇ ଜଗନ୍ନାଥଙ୍କ ଫଟୋକୁ ଦେଖି ଲୁହ ଗଡାଇ କହୁଥିଲା,ଠାକୁରେ!ଏ କେମିତିକା ବନ୍ଧନ ପ୍ରଭୂ;ଗୋଟିକ ପରେ ଗୋଟିଏ ଦୁଃଖ ଦେଇ ଚାଲିଛ।ଏ ଅନିତ୍ୟ ମାୟା ସଂସାରରେ ଏମିତି ଛନ୍ଦି ଦେଲ ଯେ,ମୁଁ ତୁମକୁ ବି ଭୁଲି ଗଲି। କେବଳ ଦୁଃଖ ପଡିଲେ ତମକୁ ଆକୁଳ ପ୍ରାର୍ଥନା କରୁଛି।ମୋତେ କ୍ଷମା କରିବ ପ୍ରଭୂ!ଆଖିରୁ ଗଙ୍ଗା ଯମୁନା ପରି ଅଶ୍ରୁଧାର।ମନୋଜ ତାକୁ ଘଣ୍ଟାଏ ନ ଦେଖିଲେ ପାଗଳ ହୋଇ ଯାଆନ୍ତି। ସେ ମନୋଜକୁ ଛାଡି କେମିତି ରହିବ?

    ବାହାରକୁ ଯାଉ ଯାଉ ଟେବୁଲ ଉପରେ ପଡିଥିବା ଖବର କାଗଜରେ ଆଖି ପଡିଲା।ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି,ମୁଁ କିଡନି ଦାନ କରିବାକୁ ଚାହେଁ।ନିମ୍ନ ଠିକଣାରେ ଯୋଗାଯୋଗ କରନ୍ତୁ।ଖବରକାଗଜ ହାତରେ ଧରି ହସ୍ପିଟାଲ ଯାଇ ଶଶୁରକୁ ଦେଖେଇଲା ବେଳକୁ,ଶଶୁର କହିଲେ ଏଇଟା ଗୋଟିଏ ସପ୍ତାହ ତଳର ଖବର।ଅପରେସନ ଥିଏଟର ଭିତରୁ ଗୋଟିଏ ଷ୍ଟ୍ରେଚର ବାହାରି ଆସିଲା।ସେଥିରେ ବେହୋସ ଅବସ୍ଥାରେ ପଡ଼ିଥିଲେ ମାନସ।ମନୀଷାଙ୍କର ପିଲାଦିନର ସାଙ୍ଗ। ଶଶୁର କହିଲେ,ଏଇ ପିଲାଟି ଆମ ମନୋଜକୁ କିଡନି ଦାନ କରିଛି।ମନୀଷା ନିର୍ବାକ, ନିଶ୍ଚଳ ହୋଇ ଚାହିଁ ରହିଥିଲା ମାନସର ମୁହଁକୁ....।ନିରବ ଝଡ଼ ମୁଣ୍ଡ ପିଟୁଥିଲା ତା ହୃଦୟରେ....।ଆଖି ଡୋଳାଦୁଇଟା ଲୁହରେ ଛଳଛଳ ହେଇ ଯାଇ ଥିଲା କିନ୍ତୁ ଲୁହଗୁଡା ବୋହୁ ନ ଥିଲା......।ଆଖିରେ ନାଚି ଉଠୁଥିଲା ପୁଣି ସେଇ ଲୀଳାମୟଙ୍କର ଛବି.....।ଗୁଡ଼ିଆ ଡାକୁଥିଲା ମା' ମା'.........। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy