sanjukta mohanty

Romance Tragedy

2  

sanjukta mohanty

Romance Tragedy

ସେ କ’ଣ ସ୍ୱପ୍ନପରି ଆସେ

ସେ କ’ଣ ସ୍ୱପ୍ନପରି ଆସେ

22 mins
199



ପୂଜା ଛୁଟି ପରେ ଫେରିଯିବାକୁ ପଡ଼ିବ । ଦିନ ଟ୍ରେନରେ ଆସିବାକୁ ଇଚ୍ଛା କରିଥିଲା ବର୍ଣ୍ଣାଳୀ । ପୂଜାପରେ ବ୍ୟାଗର ଓଜନ ତା’ର ବେଶୀ ବଢ଼ିଯାଏ ପୂଜା ମାଗାଜିନ୍ରେ । ସେ ବ୍ୟାଗରୁ “ଅମୃତାୟନ” ବାହାରକଲା । ବସି କବିତା ପଢ଼ିଲା । ସମୟେ ସମୟେ ବାହାରକୁ ଚାହିଁ ଚଳମାନ ଗଛବୃଚ୍ଛକୁ ଦେଖୁଥିଲା । ଏତେ ସବୁଜିମା ! ହେମନ୍ତର ଛୁଆଁ ପୃଥିବୀରେ । ତା’ପାଖରେ ବସିଥିବା ଯୁବକ ଜଣଙ୍କ କୁଆଡ଼େ ଉଠି ଚାଲିଗଲେ । ତାଙ୍କର ରେବ୍ୟାନ ଗଗଲସ୍ଟା ଥୁଆ ହୋଇଥିଲା ସିଟ୍ ଉପରେ ।

ବହୁ ସମୟଧରି ଯୁବକ ଆସିଲେନି । ବର୍ଣ୍ଣାଳୀ ସାମ୍ନା ମହିଳାଙ୍କୁ ଅଧୀର ହୋଇ ପଚାରିଲା– ସେ ଭଦ୍ରଲୋକ ଛାଡ଼ି ଦେଇଗଲେ ।

ଭଦ୍ରମହିଳା ହସିହସି କହିଲେ– ନେଇଯାଅ ।


ବର୍ଣ୍ଣାଳୀ ଇତସ୍ତତଃ ହେଲା । ଆଚ୍ଛା ସ୍ତ୍ରୀଲୋକ ତ । ଅନ୍ୟର ଜିନିଷ ନେଇଯିବାକୁ କହୁଛି । ବର୍ଣ୍ଣାଳୀ ପରାମର୍ଶକୁ ଗ୍ରହଣ ନକରି ପୁନଶ୍ଚ ମୁହଁ ମାଡ଼ିଲା ମାଗାଜିନ୍ ରେ । ଆଗ କବିତା ବିଭାଗ ପଢ଼େ ଛୋଟଛୋଟ ବୋଲି । ତା’ ପରେ ଗପ ପଢ଼ିବ । କିଏ କ’ଣ ଛାଡ଼ିଲା ସେଥିରେ ସେ କାହିଁକି ବା ମୁଣ୍ଡ ଖେଳଉଛି । ଥୁଆ ହୋଇଥାଉ । ସେ କାହିଁକି ଛୁଇଁବ ତାକୁ !


ବର୍ଣ୍ଣାଳୀ ବାହାରକୁ ଚାହିଁଲା । ଏତେଦୂର ପୋଷ୍ଟିଂ । ଛି... ଏ ଗାଡ଼ିରେ କେତେ ବସିବ ! ପୁଣି ଗାଡ଼ି ରାତିରେ । ଏ ଦୂରତ୍ୱକଥା ଭାବିଲେ ଗୋଟାଏ ଅଜଣାଭୟ ଓହ୍ଲେଇଯାଏ ତା’ ଭିତରେ । ଏ କି ଜୀବନ ! ସମସ୍ତଙ୍କୁ ଛାଡ଼ି ଗାଡ଼ିପରେ ଗାଡ଼ି ବଦଳାଇ ସେ ଚାଲିଛି ଚାକିରି କରିବାକୁ ଏତେ ଦୂର । ପୂରା ମାନଚିତ୍ରରେ ଦେଖିଲେ ହିମାଳୟକୁ ଲାଗିଛି । ସେହି ଶୂନ୍ୟତା ତା’ ଭିତରକୁ କାବୁ କରିନେଲା । ଏବଂ ସେ କବିତା ପଢ଼ିଲା ।

କୋଚିନ୍ ଏକ୍ସପ୍ରେସ୍ ସାଢ଼େ ଦୁଇଟାରେ ହାୱଡ଼ାରେ ପହଞ୍ଚିବ । ସେ ଆଉ ଗୋଟାଏ ଟ୍ରେନ ବଦଳାଇବ । ସିଆଲଦାରୁ ଦାର୍ଜିଲିଂ ମେଲ୍ ରେ ସେ ଯାଇ ସକାଳୁ ପହଞ୍ଚିବ ଶିଲିଗୁଡ଼ିରେ । ହାୱଡ଼ାରେ ଲଗେଜ୍ ନେଇ ବସଷ୍ଟାଣ୍ଡଯାଏ ସେ ଯାଏ । ଟାକ୍ସିରେ ଏକାକୀ ଯିବାକୁ ତା’ର ଭୟ ।

କବିତା ପଢ଼ୁପଢ଼ୁ ଦେଖେ ଦୁଇଟା ବଳାକା ଉଡ଼ିଯିବାର ଦୃଶ୍ୟ । କେତେ ମୌନହୋଇ ଚାଲିଛନ୍ତି । କୁଆଡ଼େ ଯିବେ ସେମାନେ? ମନେମନେ ପ୍ରଶ୍ନକଲା ବର୍ଣ୍ଣାଳୀ ।


ମୁହଁ ଫେରାଏ ତ ସେହି ଭଦ୍ରଲୋକ । ଚଷମାଟା ଉଠାଇ ବସୁଛନ୍ତି । ସେ ଆଶ୍ଚର୍ଯ୍ୟ ହେଲା । ଚଷମାଟା ନେଇଥିଲେ କେତେ ଅପମାନିତ ହେବାକୁ ପଡ଼ିଥା’ନ୍ତା । ଭଦ୍ରମହିଳାଙ୍କୁ ସେ ଅନେଇଲା । ସେ ନୀରବ ।


ବର୍ଣ୍ଣାଳୀ ଦେଖିଲା ସମୟ ହୋଇଗଲାଣି । ଗାଡ଼ି ଲାଗିବ ହାୱଡ଼ାରେ । ସେ ବ୍ୟାଗପତ୍ର ତଳୁ ବାହାରକରି ମାଗାଜିନ୍ ରଖିଲା । ଗାଡ଼ି ଲାଗିଲା । ସେ ଗାଡ଼ିରୁ ଓହ୍ଲାଇ କାନ୍ଧରେ ବ୍ୟାଗଟା ଝୁଲେଇ ଚାଲୁଥିଲା । ପୁଣି ରଖୁଥିଲା । ଭଦ୍ରଲୋକ ତା’ର ସମାନ୍ତର ଚାଲିଥିଲେ । ତାଙ୍କର ମାତ୍ର ଗୋଟାଏ ସୁଟ୍କେସ୍ ।

– କିଛି ନ ଭାବନ୍ତି ଯଦି ବ୍ୟାଗଟା ଧରିପାରେ?

– ନୋ । ଥ୍ୟାଙ୍କ୍ସ ।

କାହା ପାଖରେ କୃତଜ୍ଞ ହେବାକୁ ଚାହେଁନି ସେ ।

ହାୱଡ଼ା ଷ୍ଟେସନ । ଆଗକୁ ଚାହିଁ ନ ଚାଲିଲେ ସାମ୍ନା ଲୋକର ଗୋଡ଼ ମାଡ଼ି ହୋଇଯିବ । ସେ ଏକ ଲୟରେ ଚାଲିଲା ଏବଂ ପହଞ୍ଚିଲା ରାସ୍ତା ଉପରେ । ଏତେ ମଣିଷର ଭିଡ଼ରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଲା । ବସଷ୍ଟାଣ୍ଡ କିଛି ଦୂରରେ । ସେ ଭଦ୍ରଲୋକଙ୍କୁ ଦେଖିଲା ପ୍ରିପେଡ଼୍ ଟାକ୍ସି ଷ୍ଟାଣ୍ଡରେ ଲାଇନ୍ରେ ଠିଆ ହୋଇଛନ୍ତି । ସେ ଏକ ନଜର ପକାଇ ନିଜ ରାସ୍ତାରେ ଆଗେଇଲା ।


ସିଆଲଦା’ରେ ପୁଣି ବ୍ୟାଗବୁହା । ଅଜବ ସହର ଏ । ଯୁଆଡ଼େ ଯାଅ ଚାଲିବା ଦରକାର । ବ୍ୟାଗବୁହାଇବା ଦରକାର । ସେ ଷ୍ଟେସନ ଭିତରେ ପଶି ଗୋଟାଏ ପ୍ଲାଟଫର୍ମର ବେଞ୍ଚ ଉପରେ ବସିଥିଲା । ଭାବୁଥିଲା । କୁଆଡ଼େ ସେ ଯାଉଛି । କେତେ ଏକା । କେଉଁଠିକୁ ତା’ର ଗତି । ତା’ ଘର ରହିଲାଣି କେଉଁଠି । କାହିଁକି ଯେ ଏମିତି ଏକାଏକା ଲାଗେ ତାକୁ ! କିଏ ବୁଝିବ ତା’ର ଏକାକିତ୍ୱ ! କାହାକୁ ବୁଝାଇ ପାରିବ ! ସେହି କଷ୍ଟରେ ସେ ବସିଥିଲା ଚୁପଚାପ । ଦେଖିଲା ସେହି ଭଦ୍ରଲୋକ ଆସୁଛନ୍ତି । ଡେଙ୍ଗା, ପତଳା, ମଧ୍ୟମ ଗୋରା । ହସହସ ଭାବପ୍ରବଣ ମୁହଁ । ଯେମିତି କେଉଁ ସ୍ୱପ୍ନରେ ଭରା । ଅନ୍ୟମନସ୍କ ହୋଇ ଚାଲିଛନ୍ତି । ହଠାତ୍ ମନେହେଲା ସବୁ ଏକାକୀତ୍ୱ ଭିତରେ ସେ ଖଣ୍ଡେ ସବୁଜ ଦ୍ୱୀପର ସନ୍ଧାନ ପାଇଛି । ଏତେ ଅଜଣା ମଣିଷ ତାକୁ ମହାସମୁଦ୍ରପରି ଘେରି ରହିଲେବି ସେ ଯେମିତି କେଉଁ ଦାରୁଚିନି ଦ୍ୱୀପ ଦେଖିପାରୁଛି ସମ୍ମୁଖରେ । ହେଲେ ନାଁ... ସେ କିଛି କହିପାରିଲାନି । ତା’ କଣ୍ଠଯାଏ କ’ଣ ଗୋଟାଏ ଉଠି ଆସି ରୁନ୍ଧି ହୋଇଗଲା । ସେ ତାକୁ ଦେଖିପାରିଲେନି । କୁଆଡ଼େ ଇତଃସ୍ତତଃ ଚାହିଁଥିଲେ ଯେମିତି ଖୋଜିଲା ଖୋଜିଲା ଆଖି । ବର୍ଣ୍ଣାଳୀ ଚୁପ୍ ହୋଇ ବସି ରହିଲା । ଶୁଣି ପାରିଲା ଗୋଟାଏ ଇଞ୍ଜିନ୍ ହୁଇସିଲ୍ ମାରିମାରି ଯେମିତି ମିଳେଇଯାଉଛି କେଉଁ ଦୂର ପାହାଡ଼ି ଗାଁରେ । ସେ କାନଡେରି ସେହି ଦୂରାଗତ ହୁଇସିଲ୍ ର ଶବ୍ଦରେ ଖୁବ୍ ଶୂନ୍ୟ ହୋଇଗଲା ଆଉ ଏକ ଅଜଣା ଶୂନ୍ୟତା ସାଙ୍ଗରେ ବସି ରହିଲା ।


କେଜାଣି କେଉଁଠିଥାଏ ଏ ଶୂନ୍ୟତା ସବୁ । ତା’ ଛାତି ଭିତରେ ପଶିଯାଏ ଝଡ଼ପରି । ସେତେବେଳେ ଲାଗେ ଏତେ ବଡ଼ ପୃଥିବୀ, ଏତେ ବାଟ ସେ ଚାଲିବ କିପରି !

ଏବେ ସେ ମନେକଲା ୱେଟିଂରୁମ୍ ରେ ବସିବ । ବୋଉ ଦେଇଥିଲା ଟିଫିନ୍ ରେ କ’ଣ ଅଛି ଖାଇବ । ସେଠି ଶୋଇଶୋଇ କବିତା ପଢ଼ିବ । ସେ ବି କବିତା ଲେଖୁଥିଲା । କିନ୍ତୁ ଚାକିରି, ତା’ର ଚାପରେ ଲାଗୁଛି କିଛି କରିବା ସମ୍ଭବ ନୁହେଁ । ଏଇ କେତେ ବର୍ଷ ଧରି ସେ କିଛି ବି ଲେଖିନି । ଯଦି ଫେରିଆସେ ଶବ୍ଦ, ଯଦି ପୁନଶ୍ଚ ସଜାଇପାରେ ସେସବୁ, ତା’ ହେଲେ .... । ସେ ଖୁବ୍ ଖୁସୀ ହୋଇଗଲା ଏବଂ ୱେଟିଂ ରୁମକୁ ଆସିଲା ।


ଦାର୍ଜିଲିଂ ମେଲ୍ । ପୁନଶ୍ଚ ସେହି ଯୁବକ । ସେହି ଆନ୍ମନା ଚେହେରା । ଗହଳ ବାଳ । ଆଖିରେ ସ୍ୱପ୍ନ । ହାତରେ ସୁଟ୍କେସ୍ । ସେ ଘଡ଼ିଏ ଦେଖିଲା ତାଙ୍କୁ । ବାହାରେ ଓଡ଼ିଆ ଲୋକଙ୍କ ସାଙ୍ଗରେ କଥା ହେଲେ କ’ଣ ବା ଅସୁବିଧା ତା’ର । ହେଲେ ସେ ଚୁପ୍ ରହିଲା । ଲୋକଟା ଏମିତି ଖୋୟାଖୋୟା ଚେହେରା ସଜେଇଛି । ଯେମିତି କି କେଉଁଠି ମନନାହିଁ । କାହା ସତ୍ତାରେ ସେ ନିମଗ୍ନ । ବର୍ଣ୍ଣାଳୀ ହଠାତ୍ ଚମକି ପଡ଼ିଲା । କାହିଁକି ଭାବୁଛି ଯେତେସବୁ ବାଜେକଥା । ସେ ମନକୁ ଫେରେଇ ବସି ରହିଲା ନିଜର ସିଟ୍ଖୋଜି । ତା’ର ଏଇ ବାଜେ ଅଭ୍ୟାସ । ମଣିଷର ଚେହରା, ବଡି ଲାଙ୍ଗୁଏଜ, କ’ଣ ଲାଗେ ତାକୁ ଦେଖିଲେ ବସି ଭାବିବା । ଏବେ ସେହି ମଣିଷ ଗୋଟାଏ ସାଇଡ଼୍ ସିଟ୍ ରେ । ଏକା ବଗିରେ । ଝର୍କା ଦେଇ ଅନ୍ଧାରକୁ ଦେଖୁଛି । ତା’ ଆଖିରେ ଯେମିତି ବେଦନାର ଭିଡ଼ । କେଉଁ ବେଦନା ତା’ ଛାତି ତଳେ ଅଛି । ବର୍ଣ୍ଣାଳୀ ସାମାନ୍ୟ ଭାବିଲା ଏବଂ ବସି ରହିଲା । କଥା କହିବାକୁ ତା’ର କନ୍ସନେସ୍ । ସମୟ ଯାହା କେଉଁ ଅଜଣା ପୁରୁଷ ସାଙ୍ଗରେ କଥା ହେବ । କିନ୍ତୁ ଲୋକଟାର ଏଇ ମୁହଁ ଭିତରେ ଆକର୍ଷି ନେବାର ଶକ୍ତି ଅଛି । ପ୍ରେମମୟ ସତ୍ତାଟିଏ ଯେପରି ସେ ଦେହକୁ ଛୁଇଁଛି । ସେ କାହାର ପ୍ରେମ ! ବର୍ଣ୍ଣାଳୀ ପ୍ରଶ୍ନକଲା ।


ଏଇ ସମୟରେ ଟି:ଟି:ଇ ଆସିଲା । ଏବଂ ତା’ ସାମ୍ନା ସିଟ୍ ରେ ବସି ନାଆଁ ଡାକିଲା । ମିଃ. ସ୍ୱପ୍ନମୟ ମହାପାତ୍ର ।

ଲୋକଟା ଏବେ ଉଠିଆସି ଠିଆହେଲା ଟି:ଟି:ଇ ସାମ୍ନାରେ । ବିନୀତ ଭଙ୍ଗୀରେ । ସେହି ସମୟରେ ସେ ଝର୍କା ପାଖ ସିଟ୍ରୁ ଉଠି ନିଜର ଟିକେଟ ଦେଖାଇଲା । ସ୍ୱପ୍ନମୟ ତା’ ମୁହଁକୁ ଚାହିଲା ଏବଂ ସେ ଗମ୍ଭୀର ହୋଇଗଲା ।

ସ୍ୱପ୍ନମୟ ହସିଲାନି । ଆଚ୍ଛା ଲୋକ ତ । ଏତେ ଗମ୍ଭୀର କ’ଣ? ହାୱଡ଼ା ଷ୍ଟେସନରେ ବେଶ ତ ହସିଲା ହସିଲା ହୋଇ ବ୍ୟାଗ ମାଗୁଥିଲା । ଏବେ ଏତେ ଚୁପ୍ ।


ବର୍ଣ୍ଣାଳୀ ନିଜ ସିଟ୍ କୁ ଫେରି ବସି ରହିଲା । ଏବଂ ଅନେଇଲା ଚଳମାନ ଅନ୍ଧାରକୁ । ଟିକେଟିକେ ଦେଖୁଥିଲା ସ୍ୱପ୍ନମୟ କ’ଣ କରୁଛି । ସେ ବି ବନ୍ଧା ପଡ଼ିଚି ସେହି ଅନ୍ଧାର ସାଥୀରେ ।


ସକାଳୁ ସକାଳୁ ଲାଗିଲା ମେଲ୍ ଏନ୍.ଜେ.ପିରେ । ସେ କଷ୍ଟେମଷ୍ଟେ ବ୍ୟାଗ ବୁହାଇ ବାହାରକୁ ଆସିଲା । ତା’ ସାଙ୍ଗରେ ସ୍ୱପ୍ନମୟ । ରିକ୍ସା ଡାକିଲା । ଆଗେଇ ଆସି ପଚାରିଲା– ଆପଣଙ୍କର? କେଉଁଠିକୁ ଯିବେ?

– ହାକିମ ପଡ଼ା ।

ସ୍ୱପ୍ନମୟ ରିକ୍ସାକୁ କହିଲା– ଚାଲ୍ ଆଶ୍ରମପଡ଼ା । ମୁହଁ ବୁଲାଇ ଅନ୍ୟ ରିକ୍ସାକୁ କହିଲା– ଯାଃ ! ହାକିମପଡ଼ାରେ ଛାଡ଼ିଦେବୁ ।

ଧନ୍ୟବାଦ ଦେବାକଥା ତା’ର ମନେପଡ଼ିଲାନି । ସେ ଠିଆହୋଇ ଦେଖୁଥିଲା କେମିତି ସ୍ୱପ୍ନମୟ ଚାଲିଯାଉଛି ରିକ୍ସାରେ ବସି । ଶୀତୁଆ ସକାଳେ ଫାଙ୍କା ରାସ୍ତା, ସେହି ରିକ୍ସା ଆଉ ପଛରୁ ତା’ର ଶରୀର ଯେମିତି ଛବିପରି ଲାଗୁଛି ।

ରିକ୍ସାବାଲା କହିଲା– ବସନ୍ତୁ ।

ତା’ ଡାକରେ ପ୍ରକୃତିସ୍ଥ ହେଲା ସେ ।

– ଚାଲ । ବଙ୍କିମଚନ୍ଦ୍ର ସରଣୀକୁ ।


ଏତେ ପାଖରେ ଓଡ଼ିଆ ଲୋକଜଣେ ରହୁଛନ୍ତି ଭାବି ଖୁସୀ ହେଲା । କିନ୍ତୁ କେମିତି ଆଉ ଦେଖାହେବ ! ହୋଇପାରେ । ଛୋଟ ସହର । କାହିଁକି ଦେଖା ନହେବ । ହୋଇପାରେ ଛୁଟିରେ ପୁଣି ଟ୍ରେନରେ । ମନେମନେ ହସିଲା ବର୍ଣ୍ଣାଳୀ ।

ଘରେ ପହଞ୍ଚି ଏବେ ପୁଣି ଅଫିସ ପାଇଁ ପ୍ରସ୍ତୁତ । ରୋଷେଇ ବାସ ବି ରହିଛି ।


ସେ କାହିଁକି ମନକୁ ସ୍ଥିରକରି ପାରୁନଥିଲା । ସେହି ଆନ୍ମନା ଯୁବକଟିର ମୁହଁ ତାକୁ ବାରମ୍ବାର ଅଲଗା ଦୁନିଆକୁ ନେଇଯାଉଥିଲା । ସେ ଲୁଗା ନବଦଳି ଖଟ ଉପରେ ଗଡ଼ିପଡ଼ିଲା । ଆଉ ମନେପକାଇଲା ହାୱଡ଼ା ଷ୍ଟେସନର କଥା । କେଜାଣି କେଉଁ ଦରଦ ତା’ର ଛାତି ତ

(୨)


ହିଲ୍କାର୍ଟ ରୋଡ଼୍ରୁ ବର୍ଣ୍ଣାଳୀ ସବୁଦିନ ଚାଲିଚାଲି ଘରକୁ ଫେରେ । ସହରଟା ତାକୁ ମୋହାଚ୍ଛନ୍ନ କରେ । ଗରମ ନଥାଏ । ଥଣ୍ଡାଳିଆ । ଚାଲିଚାଲି ଯିବାକୁ ଭଲ ଲାଗେ । ସେଦିନ ସେ ବିଧାନ ମାର୍କେଟ ଦେଇ ଭାବିଲା ପଶିଯିବ ଋଷି ଅରବିନ୍ଦ ସରଣୀ ଦେଇ । ପାଞ୍ଚଟା କୋଡ଼ିଏ ବେଳକୁ ଦେଖିଲା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସାମ୍ନାରେ ଠିଆ ହୋଇଚି ସ୍ୱପ୍ନମୟ । ତାକୁ ଦେଖି ନିରେଖି ଚାହିଁଲା । ଏବଂ ସେ ବି ଏକ ନଜର ପକାଇ ତାକୁ ଅତିକ୍ରମ କଲା । ଏମିତି ଅପ୍ରତ୍ୟାଶିତ ତାକୁ ଦେଖିବ ତା’ ସେ ଜାଣି ନଥିଲା । ଆଗକୁ ଆସି ପୁଣିଥରେ ସେ ଫେରି ଚାହିଁଲା । ଦେଖିଲା ପଛେପଛେ ଆସୁଛି ସ୍ୱପ୍ନମୟ । ସେଦିନ ଆଶ୍ରମପଡ଼ା ଯିବ ବୋଲି ରିକ୍ସା ମୂଲଉଥିଲା । ହୋଇଥିବ ଏଇପଟଦେଇ ଘରକୁ ଫେରୁଥିବ । ସ୍ୱପ୍ନମୟ ପାଖେଇ ଆସିଲା । ସମାନ୍ତର ଚାଲି ପଚାରିଲା– ଆପଣ ଏ ରାସ୍ତାରେ !

– ଅଫିସରୁ ଫେରୁଚି । କେବେକେବେ ଏଇ ରାସ୍ତାରେ ଯାଏ ।

– ଓଃ ! ମୁଁ ଜାଣିନଥିଲି ।

– ଆପଣ କେମିତି ଜାଣିବେ? ଆଜି ତ ଦେଖୁଛନ୍ତି ।

– କେଉଁଠୁ ଆସିଲେ?

– ହିଲ୍କାର୍ଟ ରୋଡ଼୍ । ଆମ ଅଫିସରୁ । ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଏଇ ବର୍ଷେ ହେବ ଜଏନ୍ କରିଛି ପ୍ରୋବେସନାରୀ ଅଫିସର ହୋଇ ।

– ଭଲ ହେଲା । ମୁଁ ବି ବ୍ୟାଙ୍କ୍ରେ ଅଛି । ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ । ଆମ ବ୍ରାଞ୍ଚଟା ଏଇ ରାସ୍ତାରେ ।

– ଛ୍ୟା... କି ବେପାର ଚାକିରି କହିଲେ । ଫେଡ଼ାଣ, ମିଶାଣ ଦେଖିଦେଖି ମୁଣ୍ଡରେ ଆଉ କିଛି ନାହିଁ ।

– ପେଟ ପୋଷ । ନାହିଁ ଦୋଷ । ଚାକିରି ନପାଇଲେ କିଏ ଖାଇବାକୁ ଦେବ କହିଲେ? ଘରେ ବି ବସିପାରିବେନି ।

– ୟା ବୋଲି ଇଣ୍ଡିଆ ଯାକ ଘୂର । ଏତେ ଦୂରରେ ।

– କ’ଣ କରିବା ମାଡ଼ାମ୍ । ଜୀବନ ହିଁ ଏମିତି । ଯାହା ଖୋଜିଲେ ମନ ଅନୁସାରେ ମିଳେନି । ଯାହାମିଳେ ତାକୁ ଗ୍ରହଣ କରିନେବାକୁ ହୁଏ ।

– ହେଲେ ଘର ପାଖରେ ହୋଇଥିଲେ ଭଲ ଲାଗିଥାନ୍ତା । ଲାଗୁଛି କେଉଁ ବଣ, ପାହାଡ଼, ନିର୍ଜନ ଭୂମିରେ ଆସି ପହଞ୍ଚିଲି ।

– ହାଃ... ହାଃ... । ସେମିତି ଲାଗେ । ହେଲେ ରହିବେ ତ ଦୁଇବର୍ଷ ଏବେ । ଆପଣଙ୍କ ନାଆଁ ତ କହିଲେନି ।

– ପଚାରି ନାହାନ୍ତି ତ ! ବର୍ଣ୍ଣାଳୀ ମହାନ୍ତି ।

– ବାଃ... ଚମତ୍କାର ନାଆଁ ତ ।

– ଧନ୍ୟବାଦ । ଆପଣଙ୍କ ନାଆଁ ବି ଖୁବ୍ ସୁନ୍ଦର ।

– ମୁଁ ତ ନାଆଁ କହିନି ।

– ମୁଁ ଜାଣିଛି । ସ୍ୱପ୍ନମୟ ମହାପାତ୍ର ।

ହସିଲା ସ୍ୱପ୍ନମୟ ।– କେମିତି ଜାଣିଲେ?

– ସେଦିନ ଯେ ଟି:ଟି:ଇ ବଡ଼ପାଟିରେ ଡାକୁଥିଲା ।

– ମୁଁ ତ ଆପଣଙ୍କ ନାଆଁ ଡାକିବା ଶୁଣିନି ।

– ମୁଁ ଉଠିଯାଇ ଟିକେଟ୍ଟା ତାକୁ ଆଗ ଦେଖେଇଦେଲି ।

– ଓଃ !

ମାଡ଼ାମ୍ । ମୁଁ ଏଇଠୁ ଭାଙ୍ଗିବି ଆଶ୍ରମପଡ଼ା ଦିଗରେ । ପୁଣି ମାର୍କେଟିଂ କରିବି ହାଇଦରପଡ଼ା ଯାଇ । ଗୁଡ଼୍ ବାୟ... ସି ୟୁ.

(୩)

ପୁନଶ୍ଚ ଦେଖା । ସେହି ରାସ୍ତା । ବର୍ଣ୍ଣାଳୀ କାହିଁକି ସେହି ରାସ୍ତା ଦେଇଯାଏ ! କେଉଁ ଅଦୃଶ୍ୟ ଶକ୍ତି ତାକୁ ଟାଣେ । ପଛେପଛେ କିଏ ଆସେ ତା’ର । କେହି ଯେମିତି ତାକୁ ଅପେକ୍ଷା କରି ଠିଆ ହୋଇଥାଏ । ଶୁଣାଯାଏ କାହାର ପାଦ ଶବ୍ଦ । ତରତର ହୋଇ ସେ ଯେମିତି ଆସୁଥାଏ ତା’ ପଛରେ ।

– ମାଡ଼ାମ୍ । ଆପଣଙ୍କ ସହ ଦେଖା ହୋଇଗଲା ।

ସ୍ୱପ୍ନମୟର ସ୍ୱପ୍ନିଳ ଆଖିକୁ ଠିକ୍ ଭାବରେ ଷ୍ଟ୍ରିଟ ଲାଇଟ୍ରେ ଦେଖିପାରେନା ବର୍ଣ୍ଣାଳୀ । କେଉଁ ରଙ୍ଗ ବଦଳୁଥାଏ ତା’ ଭିତରେ ।

ସତରେ କ’ଣ ସ୍ୱପ୍ନମୟ ତା’ ବାଟ ଚାହିଁ ବସିଥିଲା? ସେ ବା କାହିଁକି ଏ ରାସ୍ତାରେ ଆସିଲା । କେଉଁ ଅଦୃଶ୍ୟ ଆକର୍ଷଣ ବାନ୍ଧିଦେଲା ତାକୁ ! ଏବେ ସେମାନେ ଚାଲନ୍ତି ସମାନ୍ତର । କି କଥା ବା ଥାଏ ସେମାନଙ୍କ ଭିତରେ । କିନ୍ତୁ କିଛି ନା କିଛି ତ କୁହେ ସ୍ୱପ୍ନମୟ । ଅଜଣା ଜାଗା । ଲାଗେ କୋଳାହଳମୟ ଜନପଦଠାରୁ ଖୁବ୍ ଦୂରରେ । ପ୍ରକୃତିର ନୈସର୍ଗିକ ଆଭାରେ ଉଦ୍ଭାସିତ ସବୁ । ସବୁଜ ଚା’ କ୍ଷେତ, ଧାନ କ୍ଷେତ, ଶାଗୁଆନ ଜଙ୍ଗଲ, ନଦୀ, ମେଘ, ସବୁ ଭିତରେ ମଣିଷ ସବୁକିଛି ଭୁଲିଯାଏ । କିଛି ସମସ୍ୟା ମନେ ରହେନି ।


ଏଇ ପାଞ୍ଚମିନିଟରେ ରାସ୍ତା । ସତରେ କ’ଣ ସେ ଏକା ଯାଇପାରିନଥା’ନ୍ତା । କାହିଁକି ଆସେ ସେ ଏ ଗଳିରେ । ସ୍ୱପ୍ନମୟ ଆସେ । ପୁଣି ଚାଲିଯାଏ ନିଜ ଗଳିରେ । ବୁଝିପାରେନା କେମିତି ସେ ମୋହାଚ୍ଛନ୍ନ ଅବସ୍ଥାରେ ଆସେ ଆଉ ଏଇ ରାସ୍ତାରେ ଚାଲେ । ପାଞ୍ଚଟା ଆଗରୁ ତାକୁ ତରବର ଲାଗେ । କାମ ସରିଲା ତ ଚଟାପଟ ଉଠି ଏଇ ଗଳିରେ ଆସ ।


ସ୍ୱପ୍ନମୟ ଅନ୍ୟଗଳିରେ ଚାଲିଗଲେ ସେ ତାକୁ ଚାହିଁରୁହେ । ଦୃପ୍ତଭଙ୍ଗୀରେ ସେ ଚାଲୁଥାଏ । ଅବା ନିଜ ଉପରେ ଆତ୍ମ-ବିଶ୍ୱାସ ତା’ର ବେଶୀ ।

(୪)

ବର୍ଣ୍ଣାଳୀ ! ତୁମେ କ’ଣ ସତରେ ଏ ପଥ ଦେଇ ଅଫିସରୁ ଆସୁଥିଲ ନା ଏବେ ଆସୁଛ ! ସତ କୁହ ବର୍ଣ୍ଣାଳୀ ! ତୁମେ ଏତେ ଶାନ୍ତ, ଏତେ ନମନୀୟ ଲାଗ । ତୁମର କଥାରେ, ଚାଲିରେ, ଶାଢ଼ି ପିନ୍ଧାରେ ଏତେ ମାର୍ଜିତ ପଣିଆ । ମୁଁ ଆକର୍ଷିତ ହୁଏ ତୁମର ମଧୁର ହସରେ । କଥା କହିବାରେ ଏତେ ନମ୍ର । ସବୁବେଳେ କଥା ଶେଷ କରି ହସିଦିଅ ।


ଘରକୁ ଫେରି ପୋଷାକ ନବଦଳି ସେ ଗଡ଼ିପଡ଼େ ଖଟ ଉପରେ । ସ୍ଥିର ଭାବରେ ଚାହିଁଥାଏ ଛାତକୁ । କାହାକୁ ଅନୁଭବେ ସେ ଆଜିକାଲି ! କାହାର ହସ ଶୁଣାଯାଏ । ଯେମିତି ସେହି ମୁହଁ, ଆଖି, ହସ, ସବୁ ଆସି ତାକୁ କବଳିତ କରେ । ସେ ଆଖିବୁଜି ଦିଏ । ଅନ୍ଧାର ଘର । ଝର୍କା ସେପଟେ ଅସଂଖ୍ୟ ନକ୍ଷତ୍ର ଆଖି ମିଟିକା ମାରନ୍ତି । ଜହ୍ନ ଆସେ । ସେ ବହୁସମୟ ପଡ଼ିରହି ଉଠେ । ହାତରେ ରୋଷେଇ କରେ । କ୍ୟାସେଟ୍ ଚଳେଇ ଶୁଣେ ରବୀନ୍ଦ୍ର ସଙ୍ଗୀତ, ନଜରୁଲ୍ ଗୀତି, ପଢ଼େ ମୋଟାମୋଟା ଇଂରାଜୀ ନଭେଲ । ସେଥିରେ ତା’ର ଆନନ୍ଦ । କେଉଁଠି ସେ ଆଡ୍ଡା ଜମେଇ ପାରେନା । ଆଜିକାଲି ସବୁବେଳେ ମନେହୁଏ ଯେମିତି ବର୍ଣ୍ଣାଳୀକୁ କେଉଁଠି ଦେଖିଛି । ଚିହ୍ନିଛି ବହୁତ ଆଗରୁ । ଅନେକ ନିଜର ଯେମିତି । ଏମିତି କାହିଁକି ଲାଗେ ! ବର୍ଣ୍ଣାଳୀର କ’ଣ ଏମିତି ଅନୁଭବ ହୁଏ ! ମନହୁଏ ବର୍ଣ୍ଣାଳୀ ଆସନ୍ତା କି ଖୁବ୍ ଗପନ୍ତେ ଦୁଇଜଣ । ଏମିତି ହୁଏ ସାରାରାତି ତାକୁ ଆଉ ନିଦ ହୁଏନି । ଚାହିଁଥାଏ ତ ଚାହିଁଥାଏ । ସକାଳୁ ଡେରିରେ ଉଠେ । କାମବାଲୀର କବାଟ ଖଟ୍ଖଟ୍ ଶବ୍ଦରେ । ସେଇଟା ବି ତାକୁ ବିରକ୍ତ ଲାଗେ । ଆସ୍ତେଆସ୍ତେ ଉଠିବା ଡେରିହୁଏ । ଉଠି ବି କ’ଣ ଭାବୁଥାଏ । ଛାତିଟା ଯେମିତି ଶୂନ୍ୟ । ପିପାସିତ ଦୁଇବାହୁ । କାହାର ସାନିଧ୍ୟ ପାଇଁ ଚାହିଁ ରହିଥାଏ । ସେ କ’ଣ ଆସେ! ଓଠ ଦୁଇଟା ଭିଜି ଯାଇଥାଏ କାହାର ଛୁଆଁ ପାଇଁ ।


ଆଉ ତାକୁ କିଛି ଭଲ ଲାଗେନା । ଛଟପଟ ଲାଗେ । କାମରେ ବି ଅନ୍ୟମନସ୍କ ହୋଇଯାଏ । ଅସ୍ଥିର ଲାଗେ ଏତେ ଯେ ଯେମିତି ମନହୁଏ ଏ କାମର ପିଞ୍ଜରା ଭାଙ୍ଗି ଉଠିଯିବ । ରାସ୍ତାରେ ଜୋରରେ ଚାଲିବ । କୁଆଡ଼େ ଚାଲିବ ଜାଣେନା । ଦିଗହରା ହୋଇ । ହେଲେ ପାରେନା । ଏତେ କାମର ଚାପରେ ମନ ତା’ର ଡେଣା ମେଲି ପାରେନା । ସେହି ସନ୍ଧ୍ୟା । ସେ ଅପେକ୍ଷା କରିଥାଏ ବର୍ଣ୍ଣାଳୀକୁ । ଦେଖେ ସେ ଆସୁଛି । ଆଉ ପାଞ୍ଚମିନିଟ୍ ତା’ ସାଙ୍ଗେ ଚାଲିବ । ଗପିବ ।


ଆଜି ସେ ଆଗପରି ସମ୍ଭାଷଣ କରିନି । କ’ଣ କହିବ ଭାବି ରହିଯାଇଛି । ପାଟି ତା’ର ଫିଟୁନି । ଜମି ଆସୁଛି ମନ ଭିତରେ ଅନେକ ଭାଷା, ଅନେକ ଭିଡ଼ ଶବ୍ଦର । ଅଥଚ କଣ୍ଠ ପାଖରେ ସେ ସବୁ ଅଟକି ଯାଉଛି ।


ବର୍ଣ୍ଣାଳୀର ସେହି ହସ । ଅନେକ ବର୍ଣ୍ଣର ଛିଟା ଯେମିତି ବିଛାଡ଼ି ହୋଇ ପଡ଼ୁଛି ।

– ଆଜି କିଛି କହିବେନି ଆପଣ ! ମନ ଖରାପ କି !

– ପ୍ଲିଜ୍ । ଆପଣ ନଡାକି ତୁମେ କୁହ ।

– ହେଲା । ତୁମେ କିଛି କହୁନା ଯେ ! ଆଠେଣି ହଜେଇଲା ପରି ମୁହଁ କରିଛ କ’ଣ?

ସ୍ୱପ୍ନମୟ ହସିଲା । ନାଁ... ନାଁ... କ’ଣ କହିବି ବୋଲି ଭାବୁଥିଲି ।

– ମାନେ କିଛି ଗୁରୁତ୍ୱର କଥା ।

– ନା... ହାଲକା କଥା । ଗୁରୁତର କାହିଁକି ହେବ !

– ଯେମିତି?

– ତୁମେ କେଉଁ ଲେନ୍ରେ ରହୁଛ? କିଏ ରୋଷେଇ କରି ଦେଉଛି? କେତେ ସମୟ ପଢ଼ୁଛ? ଗୀତ ଶୁଣ କି ନାହିଁ । ହବି କ’ଣ?

– ଏଇ କଥା ତ ସାଧାରଣ । ରୋଷେଇବାସ, ଗୀତ ଶୁଣ, ପାଠପଢ଼ । ଏଥିରେ ଅଛି କ’ଣ? ଏଗୁଡ଼ାକ କ’ଣ କଥାରେ ଯାଏ?

ସ୍ୱପ୍ନମୟ ହସିଲା– କହିଲା ସବୁକଥା ତ କିଛି ନୁହଁ... ତା’ ହେଲେ? କାହାକୁ ତୁମେ ସିରିୟସ୍ କହୁଛ? ସି:ଏ:ଆଇ:ଆଇ:ବି ପାଶ କରିଲ କି ନାହିଁ । ଚାକିରିରେ କେବେ ପ୍ରମୋସନ ହେବ ଏଇ କଥା ।

– ନାଁ ।

ଗମ୍ଭୀର ହୋଇ ବର୍ଣ୍ଣାଳୀ କହିଲା ।

– ତେବେ?

– ନାଁ... କିଛି ନୁହେଁ । ତୁମର ରାସ୍ତା ଆସିଗଲା । ପାଞ୍ଚ ମିନିଟ୍ ହୋଇଗଲା ।

ହସିଲା ସ୍ୱପ୍ନମୟ ।

– ତୁମେ ଯଦି ଚାହଁ ଚାଲ ଏ ରାସ୍ତାରେ ମୋ ଘରଯାଏ । ସେଠୁ ମୁଁ ତୁମକୁ ଛାଡ଼ିଦେଇ ଯିବି ।

– ଚାଲ ! ଶିଲିଗୁଡ଼ିରେ କେଉଁ ନିଜ ଘର ଯେ କିଏ ଚାହିଁ ବସିଛି । ଆଜି ତୁମ ଘର ଦେଖାହେଉ । ଚା’ ପିଆଇବ ତ !

– ନିଶ୍ଚୟ । ମୁଁ ରୋଷେଇ କରେ । ଆଉ ଚା’ ଦେଇପାରିବିନି !

ସ୍ୱପ୍ନମୟର ଘର ଚାରିମହଲା ଉପରେ । ପାହାଚ ଉଠି ଉଠି ବର୍ଣ୍ଣାଳୀ ଘର ଭିତରକୁ ଆସେ ତ ଗୋଟାଏ ଦମ୍ନେଲା । ବାପରେ ବାପ ତୁମେ ତ କାଞ୍ଚନଜଙ୍ଘା ଉପରେ ଘର କରିଛ ।

– କାଞ୍ଚନଜଙ୍ଘାକୁ ଦେଖିବିବୋଲି । ଛାତ ଉପରକୁ ଉଠିଗଲେ ସୂର୍ଯ୍ୟୋଦୟ ପୂର୍ବରୁ ଦେଖିବ । କି ଅପରୂପ ସୌନ୍ଦର୍ଯ୍ୟରେ ଆସେ କାଞ୍ଚନଜଙ୍ଘା । ଆସ ଘର ଭିତରକୁ । ଦେଖ । ଝର୍କା ପୂର୍ବପଟେ । ଛାତ ଉପରେ ଠିଆ ହେଲେ ଲାଲସୂର୍ଯ୍ୟ ଉଇଁ ଆସୁଥିବ । ଉତ୍ତରରେ କାଞ୍ଚନଜଙ୍ଘା ଉପରେ କିରଣ ପଡ଼ିବ । ପୂରା ନିଆଁର ରଙ୍ଗପରି ଦିଶିବ । ଉଦୟପରେ ଧଳା, ବରଫ ।

– ସତେ ! ତୁମର ଏତେ ଦୃଶ୍ୟ, ଏତେ ସୌନ୍ଦର୍ଯ୍ୟ ! ଆମର ତ ସାମ୍ନାରେ ଖାଲି ଘର ।

ବର୍ଣ୍ଣାଳୀର ସେହି ହସ । ରଙ୍ଗମୟ ଆଭାରେ ବିଚ୍ଛୁରିତ ।

ସବୁବେଳେ ସେହି ସରଳ ହସର ଭିଡ଼ ତା’ ଓଠରେ । ସେ ନିରୀକ୍ଷଣ କଲା ।


ବର୍ଣ୍ଣାଳୀ ବି ଚୁପଚାପ୍ ଅନେଇଲା ତାକୁ । ସ୍ୱପ୍ନମୟର ଆଖିରେ ସ୍ୱପ୍ନର ଭିଡ଼ । ଆବେଗ । ଦିଶୁଥିଲା ମାୟାମୟ, ମୋହମୟ ଆଖି ଯେମିତି ଅନେକ ଯୁଗର ପ୍ରତୀକ୍ଷାରେ କାହାର ସୁଧାପାନ ପାଇଁ ଚାହିଁ ରହିଛି ।

ବର୍ଣ୍ଣାଳୀ କିଛି ନକହି ଚୁପଚାପ୍ ଚାହିଁ ରହିଥିଲା ତାକୁ କେତେ ସମୟ କେଜାଣି । ଓଠରେ ତା’ର ସେହି ସୁନ୍ଦର ହସ ।


ସ୍ୱପ୍ନମୟର ଅସ୍ଥିର ପାପୁଲି । ସେ ହାତ ବଢ଼ାଇଦେଲା । ଅସ୍ଥିର ଅଣୁପରମାଣୁର ଭିଡ଼ ସେ ହାତରେ ଜମି ଉଠିଲା । ବର୍ଣ୍ଣାଳୀ ଥୋଇଦେଲା ସେହି ପାପୁଲିରେ ତା’ର ପାପୁଲି । ଏବେ ସେ ପାପୁଲି ବନ୍ଦୀ ହୋଇଗଲା ସ୍ୱପ୍ନମୟର ହାତରେ । ଅବା ସଞ୍ଚରିଗଲା କେଉଁ ଅନାଦି କାଳର ତରଙ୍ଗ । ଯୁଗପରେ ଯୁଗ ଅତିକ୍ରମ କରି । ସ୍ୱପ୍ନମୟ ଜୋରରେ ଚାପିଧରିଲା ସେ ପାପୁଲି ଆଉ ଉଠିଗଲା ବର୍ଣ୍ଣାଳୀ ପାଖକୁ । ଯେମିତି କି ତା’ର ପିପାସିତ ଦୁଇବାହୁ ତାକୁ ଭରିନେବାକୁ ଅନେକ ଯୁଗରୁ ଚାହିଁ ବସିଥିଲା । ବର୍ଣ୍ଣାଳୀ ବି କେଉଁ ଘୋରରେ ଲାଗିଗଲା ତା’ର ବୁକୁ ଉପରେ ନିଜକୁ ଭୁଲି । ମନେହେଲା ସେ ଭୁଲିଯାଇଛି ସେ ବାହୁର ବନ୍ଧନରେ ତା’ର ଜନ୍ମ-ଜନ୍ମାନ୍ତର । ସ୍ୱପ୍ନମୟର ପିପାସିତ ଦୁଇ ଓଠ ଥରିଉଠିଲା ସୃଷ୍ଟିର ସବୁ ମଧୁରତାକୁ ପାନ କରିବାକୁ । ସେ ଓଠ ରଖିଲା ବର୍ଣ୍ଣାଳୀର ଓଠରେ । କେଜାଣି ବିତିଗଲା କେତେ ସମୟ । ଘଣ୍ଟାପରେ ଘଣ୍ଟା, ଦିନପରେ ଦିନ, ବର୍ଷପରେ ବର୍ଷ, ନା ଯୁଗପରେ ଯୁଗ । ମନେହେଲା କେତେ ଜନ୍ମରୁ ବର୍ଣ୍ଣାଳୀକୁ ସେ ଚିହ୍ନିଥିଲା କି ! ହଠାତ୍ ମିଳିଗଲା ବର୍ଣ୍ଣାଳୀ । ଏମିତି କି ଅମୃତର ବିନ୍ଦୁ ହୋଇ ବର୍ଣ୍ଣାଳୀ ଆସେ ! ଭରିଯାଏ ହୃଦ ।

(୫)

ସ୍ୱପ୍ନମୟ ନୂଆ ବାଇକ୍ କିଣିଛି । ରାସ୍ତାରେ ଅପେକ୍ଷା କରି ଠିଆ ହୋଇଥିଲା । ଅଫିସରୁ ବାହାରେ ତ ହଠାତ୍ ସ୍ୱପ୍ନମୟକୁ ଦେଖି ସେ ଖୁସୀରେ ଅଧୀର ।

– ବାଇକ୍ ଯେ ! କିଣିଲ !

– ଚାଲିଯିବା ଏବେ ।

– କେଉଁଠିକୁ ।

– ସେବକ । ସେବକେଶ୍ୱରୀ କାଳିମନ୍ଦିରକୁ ।

– ପୂଜା କରିବାକୁ । ଚାଲ ।

ଘୋର ନିର୍ଜ୍ଜନ ଜଙ୍ଗଲ ଆସିଲା । ବର୍ଣ୍ଣାଳୀ ଭୁଲିଗଲା ନିଜର ଅସ୍ତିତ୍ୱ । ମୌସୁମୀ ଆସିବ । ମେଘମାନ ଛୁଟୁଛନ୍ତି ଏଦିଗ ସେଦିଗ । ମେଘର ସମ୍ଭାବନା ବି ରହିଛି । ବର୍ଣ୍ଣାଳୀକୁ ଏ ମେଘ, ଏ ଜଙ୍ଗଲ, ଏ ପାହାଡ଼ ଅବା ପାଗଳ କରିଦେବ । ସେ ହାତ ରଖିଲା ସ୍ୱପ୍ନମୟର ପେଟ ପାଖରେ । ଆହୁରି ଜାକି ହୋଇ ବସିଲା । ସ୍ୱପ୍ନମୟ ଭାବିନଥିଲା ଏ ନିବିଡ଼ ଜଙ୍ଗଲ, ଏ ବର୍ଷା ତା’ ଭିତରେ ବର୍ଣ୍ଣାଳୀର ସାନିଧ୍ୟ ପାଇପାରିବ । ସେ ବିଭୋର ହୋଇପଡ଼ିଲା । ସେହି ବିଭୋରତାର ବିନ୍ଦୁବିନ୍ଦୁ ଅମୃତର ଧାରା ତା’ର ସମଗ୍ର ଅସ୍ତିତ୍ୱ ଡୁବାଇ ଝରିପଡ଼ୁଥିଲା । ଅନିର୍ବଚନୀୟ କେଉଁ ମଧୁରତାରେ ।


ଖୁବ୍ ସୁନ୍ଦର ମନ୍ଦିର । କେହି କେଉଁଠି ନଥିଲେ । ନିର୍ଜ୍ଜନତାର ନୀରବତା ଯେମିତି ଚାରିଆଡ଼େ । ଏତେ ଉଚ୍ଚାରୁ ଦୂର ପ୍ରକୃତି ଦିଶୁଥିଲା ଆହୁରି ମନୋରମ ।

ପୂଜାସାରି ସେମାନେ ତଳକୁ ଆସିଲେ ।

ପାହାଚରେ ଓହ୍ଲଉ ଓହ୍ଲଉ ସ୍ୱପ୍ନମୟ ପଚାରିଲା– କ’ଣ ମାଗିଲ?

– ଭଲପାଇବା ଦିଅ । ତୁମେ କ’ଣ ମାଗିଲ?

– ମୁଁ ବି ସେଇଆ କହିଲି । ବହୁତ ଭଲପାଇବାରେ ମୋ ହୃଦୟପାତ୍ର ପୂରିରହୁ । ମୁଁ ତୁମକୁ ସବୁବେଳେ ଭଲପାଉଥାଏ । ଚିରକାଳ । ଆଉ ମୋର ହୃଦୟ ଆପ୍ଲୁତ ହେଉଥାଉ ସଞ୍ଜରେ, ସକାଳରେ, ରାତିରେ ଦିନରେ ।

– ଇଏ କ’ଣ ହେଲା?

– ଆଉ କ’ଣ ହୋଇଥା’ନ୍ତା !

– ଆଉଦିନେ ଆସି ମାଗିବା ପରସ୍ପରକୁ । ମାନେ ସ୍ପେସିଫିକ୍ । ତୁମେ କହିବ ବର୍ଣ୍ଣାଳୀକୁ ଦିଅ ।

– ଆଉ ତୁମେ କହିବ ସ୍ୱପ୍ନମୟକୁ ।

ହସିଲା ସ୍ୱପ୍ନମୟ – ତା’ ହେଲେ ଏବେ ଚାଲଯିବା କରୋନେସନ୍ ବ୍ରିଜ୍ ଆଡ଼େ । ବ୍ରିଟିଶ ସମୟର ସେହି ବ୍ରିଜ୍ । ତା’ ଉପରେ ଠିଆ ହୋଇ ଶୁଣିବା ତିସ୍ତାର ସଙ୍ଗୀତ । ଦେଖିବା ସୂର୍ଯ୍ୟାସ୍ତ ।


କରୋନେସନ ବ୍ରିଜ । ଗୋଟାଏ ରାସ୍ତା ଚାଲିଗଲା ଗ୍ୟାଙ୍ଗଟକ ଆଡ଼େ । ଆଉ ଗୋଟାଏ ରାସ୍ତା ଚାଲିଗଲା ଆସାମ, ଭୂଟାନ । ବ୍ରିଜ ଉପରେ ବର୍ଣ୍ଣାଳୀ ଆଉ ସ୍ୱପ୍ନମୟ । ସୂର୍ଯ୍ୟାସ୍ତର ନାରଙ୍ଗୀ ଆଭା ମେଘ ଉପରେ । ଉଡ଼ିଯାଉଛି ଯେମିତି ଲାଲରେଣୁ । ଆସ୍ତେଆସ୍ତେ ଦିନର ଆଲୁଅ କମି ଆସୁଛି । ପାହାଡ଼ର ରୂପ ପାଲଟି ଯାଉଛି ଛାୟାପରି । ପାହାଡ଼ ଉପରେ ଜହ୍ନ । ବୋଧହୁଏ ପୂର୍ଣ୍ଣିମା ଆସୁଛି । ଲାଗୁଛି ଏକାଦଶୀର ଜହ୍ନପରି । ଅପରୂପ ସୁନ୍ଦରତା । ସ୍ୱପ୍ନମୟ ଧରିଲା ବର୍ଣ୍ଣାଳୀର ପାପୁଲି । ଏଇ ତିସ୍ତାନଦୀ ଆମ ଭଲପାଇବାକୁ ଦେଖୁଛି । ତୁମେ ଆସିବ ତିସ୍ତା । ମୋ ପାଖକୁ ତୁମର ପ୍ରବାହମାନତାରେ ସୁଶୀତଳ କରି । ଏମିତି ଭଲପାଇବାର ଖରସୁଅରେ ଭସାଇନେବ ଆଜୀବନ ।


ବର୍ଣ୍ଣାଳୀ ଚାହିଁଲା ନିର୍ଲିପ୍ତ ଆଖିରେ । ତା’ ପାଟିରେ କୌଣସି କଥା ସ୍ଫୁରିଲାନି । ସେ ଖାଲି ଚାପି ଧରିଲା ସେ ହାତ । ନଇଁ ପଡ଼ିଲା ତା’ କାନ୍ଧକୁ । ବୁକୁରେ ପାପୁଲି ଘଷିଲା । ତା’ ଛାତିକୁ ଚୁମ୍ବନ ଦେଲା ଆଉ ମଥା ଥାପିଦେଲା ତା’ ବୁକୁରେ । ସ୍ୱପ୍ନମୟ ଆବେଗରେ ଜଡ଼େଇ ଧରିଲା ବର୍ଣ୍ଣାଳୀକୁ । କେଉଁଠି କେଜାଣିଥିଲେ ପକ୍ଷୀଦଳ, ଉଡ଼ିଗଲେ ସ୍ୱାଗତ ଜଣାଇ । ନଦୀ ଅବା ଆହୁରି କଲ୍ଲୋଳିନୀ, ଉନ୍ମାଦିନୀ ହେଲା । ନିବିଡ଼ ଜଙ୍ଗଲ ପାଲଟିଗଲେ ବର୍ଣ୍ଣାଳୀର ନିବିଡ଼ ଆଲିଙ୍ଗନ ପରି । ମେଘମାଳା ଉପରେ ସେହି ନାରଙ୍ଗୀ ଆଭାର ମାୟାମୟ ଦୃଶ୍ୟ । ସେହି ସନ୍ଧ୍ୟାର ହୋଲିଖେଳ ଭିତରେ ବର୍ଣ୍ଣାଳୀର ଅପରୂପ ଲାବଣ୍ୟଭରା ମୁହଁ ତୋଳିଧରି ସ୍ୱପ୍ନମୟ କହିଲା– ଆଇ ଲଭ ୟୁ ତିସ୍ତା । ତୁମେ ମୋର । ଆମକୁ କିଏ ଅଲଗା କରିପାରିବନି ।

ତୁମେ ମୋ ନାଆଁ ବଦଳାଇଦେଲ ଯେ ।

– ହଁ ତୁମେ ଆଜିଠୁ ମୋର ତିସ୍ତା ।

– ପାଗଳ କେଉଁଠୁକାର । ହଉ ହେଲା ମୁଁ ଏବେ ତିସ୍ତା ।


ରାତି ଧାପେ ଧାପେ ହୋଇ ଆସୁଛି । ଜଙ୍ଗଲର ଛମଛମ ଅନୁଭବ । ଗଛପତ୍ରରେ ଜହ୍ନରାତି ମାୟା ରଚୁଛି । ଏତେ ଭଲଲାଗୁଛି ଏ ପାହାଡ଼, ଏ ମେଘ, ଜହ୍ନ, ଜଙ୍ଗଲ, ଆଉ ତିସ୍ତା । ଅର୍ନିବଚନୀୟ ଏକ ଅନୁଭବ ମୂହୁର୍ମୂହୁଃ ତାକୁ ଘାରି ରଖୁଛି । ଆଉ କିଛି ମନେରହୁନି । ଘରଦ୍ୱାର, କେତେଦୂରରେ ତା’ର ଅବସ୍ଥାନ । କିଛି ବି । ଦିନରାତି ଚିନ୍ତାଚେତନାରେ କେବଳ ତିସ୍ତା ହିଁ ଅଛି ।

ନୀରବତା ଭାଙ୍ଗି ତିସ୍ତା କହିଲା– ଚାଲ ଫେରିଯିବା । ଜଙ୍ଗଲ ଜାଗା ଯେ ।

ତିସ୍ତା ସାଙ୍ଗରେ ଥିଲେ ସତରେ କିଛି ଆଉ ଭାବି ହେଉନି । ଜଙ୍କ(୬)

ହେମନ୍ତର ପଦପାତରେ ଭରନ୍ତ ଶସ୍ୟର ପୃଥିବୀ ଚାରିଆଡ଼ ପରି ସେମାନେ ଭରିନେଇଥିଲେ ନିଜ ଭିତରର ସଂପଦ । ଶୀତ ସକାଳର ସୂର୍ଯ୍ୟୋଦୟରେ ସ୍ୱପ୍ନମୟର ସତ୍ତାରେ ତିସ୍ତାର ମଧୁର ସଙ୍ଗୀତ । ଘନ କୁହୁଡ଼ି ଭିତରେ ହଜି ଯାଉଯାଉ ତିସ୍ତାର ହସ ଆଉ ବନ୍ଧନ । ପୁଣି ବସନ୍ତର ଆଗମନ । ସବୁଜ ପୃଥିବୀ ଏଠି ଆହୁରି ନିବିଡ଼ ଘନ ସବୁଜ । ଶାଗୁଆନ ଗଛର ଗହଳ ଅରଣ୍ୟରେ ଅଦ୍ଭୁତ ଆକର୍ଷଣ । ପୁଣି ଆସେ ଶରତ । କାଶତଣ୍ଡୀ ଫୁଟେ ତିସ୍ତାର ଧାରେଧାରେ । ମୋହମୟ ସେହି ଦୃଶ୍ୟ ।


ପୁଣି ବର୍ଷକ ପରେ ଆସେ ପୂଜା । ଦେବୀ ଆବାହନୀର ଗୋପନ ମନ୍ତ୍ର ଆକାଶରେ, ବତାସରେ । ଆଜି ମହାଳୟା । ରାତିରୁ ଶୁଭିଲାଣି ଦେବୀ ଆଗମନୀର ମଧୁର ଝଙ୍କାର । ଏଠି ତ ସହଜେ ରାତି ଚାରିଟାରୁ ପାହିଯାଏ । ତିସ୍ତାର ନିଦ ଭାଙ୍ଗିଗଲାଣି ରାତି ଦୁଇଟାରୁ । ନିଦ ଭାଙ୍ଗିଲେ ହିଁ ସେହି ଶୂନ୍ୟତା ଛାତି ଉପରେ । ଆକୁଳ ବାହୁରେ କାହାକୁ ଆଲଙ୍ଗିନେବାର ପିପାସା । ତାକୁ ଆଉ ନିଦ ହୁଏନା । ଏଠି ସମସ୍ତଙ୍କ ଘର ଆଗରେ ଗଙ୍ଗଶିଉଳି ଗଛ । ଭରାଫୁଲ ଫୁଟି ମହକି ଯାଉଥାଏ ଘର, ବାହାର । ସେ ବିଭୋର ହୋଇପଡ଼େ । ଏକାଏକା ରହିପାରୁନି ଯେମିତି । ଏ ପାହାନ୍ତା ପହରେ ବେଶୀ ମନେପଡ଼େ ସ୍ୱପ୍ନମୟ । ଇଚ୍ଛାହୁଏ ଦୌଡ଼ିଯିବାକୁ ତା’ ପାଖକୁ । ତା’ର ହସ, ତା’ର ଓଠ, ତା’ର ସ୍ୱପ୍ନିଳ ଆଖି, ତା’ର କଥା ସବୁପାଇଁ ସେ ଉଦଗ୍ରୀବ । ସେ ଯେମିତି ପଶି ଆସୁଛି ଏ ଘରର ଝର୍କା ଡେଇଁ । ପଶି ଆସୁଛି ରାତିର ନକ୍ଷତ୍ର ସାଥୀରେ, ମେଘ ସାଥୀରେ, ଜହ୍ନ ସାଥୀରେ । ଏ ଗଙ୍ଗଶିଉଳିର ସୁରଭି ସାଥୀରେ ।


ସେ ଛୁଟି ଦିନର କିଛି ମାର୍କେଟିଂ କରିବ । ସପ୍ତାହ ପରେ ଘରକୁ ଯିବ । ମୁଣ୍ଡବାଳ ସାମ୍ପୁକଲା । ଆଇନା ସାମ୍ନାରେ ଠିଆହେଲା । ପାଞ୍ଚଫୁଟ ପାଞ୍ଚ ଇଞ୍ଚ ଉଚ୍ଚା । ପତଳା ଖୁବ୍ । ଏତେ ପତଳା ଯେ ବନ୍ଧୁବାନ୍ଧବରେ କମେଣ୍ଟ ମାରନ୍ତି ତାକୁ । ଲମ୍ବାବାଳ । ଅଣ୍ଟାଯାଏ ପଡ଼ିଛି । ଏକା ମୁଣ୍ଡ କୁଣ୍ଡେଇଲେ ତା’ ହାତ ଘୋଳିହୋଇପଡ଼େ । ଗୋରା । ସିଧାନାକ । ଆଖି ଦୁଇଟା ଖୁବ୍ ସ୍ୱପ୍ନିଳ । ସେ ନିଜ ଆଖିକୁ ଚାହିଁଲା । କାହାପାଇଁ ଏତେ ସ୍ୱପ୍ନ, ଏତେ ପ୍ରତୀକ୍ଷା । ଓଠ ଦୁଇଟା ଖୁବ୍ ଭିଜା, ଅବା କାହାର ଛୁଆଁପାଇଁ ପିପାସିତ । ସେ ହସିଲା ଏବଂ ଓଠ ବଢ଼ାଇଲା । ମହାଳୟା ଦିନଠୁ ପୂଜା ଆସିଲା ପରି ଲାଗେ । ହାଲକା ମୁଡ଼୍ ଆଜି । ସେ ତନ୍ତଶାଢ଼ି ବାହାରକଲା । ଅଫ୍ ହ୍ୱାଇଟ୍, ବୁଟି ପଡ଼ିଛି, ଲାଲ ପାଡ଼୍ । ଏଇ ଶାଢ଼ି ପିନ୍ଧି ଦେଖାଗଲା ଆକର୍ଷଣୀୟ, ବ୍ୟକ୍ତିତ୍ୱଭରା । କହିହେବ ଗୋଟାଏ ଇଣ୍ଟେଲେକ୍ଚୁଆଲିଟିର ଛାପ୍ । ଅନ୍ୟକାମ ସାରି ବାହାରୁ ବାହାରୁ ଦେଖିଲା ଏଗାରଟା ହେଲାଣି । ସେ ଅନ୍ୟମନସ୍କ ହୋଇ ବାହାରି ଠିଆହେଲା । ରାସ୍ତା ଉପରେ ଠିଆହୋଇ ବିଧାନ ମାର୍କେଟ ଯିବ ଭାବିଲା । କିନ୍ତୁ ସେ କୁଆଡ଼େ ଚାଲୁଥିଲା ! କାହାର ଅଦୃଶ୍ୟ ଆକର୍ଷଣରେ ସେ ଚାଲୁଛି । ଏବେ ସେ ଚାଲିଲା ସ୍ୱପ୍ନମୟର ଘରଆଡ଼େ ।


ଚାରି ମହଲା ଉପରେ ସେ । ସିଡ଼ି ଭାଙ୍ଗି ସେ ଆଗେଇ ଚାଲିଛି ପାଦେପାଦେ । ଛାତିତଳେ ହୃତପିଣ୍ଡର ପଡ଼ଉଠର ଶବ୍ଦ । କ’ଣ ପାଇଁ ! ଆନନ୍ଦରେ ନା ଆଶଙ୍କାରେ । କେଉଁ ଆବେଗରେ । ଦରଜା ପାଖରେ ଠିଆହେଲା । ମୃଦୁ ସଙ୍ଗୀତର ସ୍ୱର ଭାସି ଆସୁଛି । କବାଟ ସାମାନ୍ୟ ଖୋଲା । କାମବାଲୀ ନିଶ୍ଚୟ ଖୋଲିଦେଇ ଯାଇଛି । ସେ ଆସ୍ତେ ବନ୍ଦକଲା ଖିଡ଼କି । ମଧୁର ସଙ୍ଗୀତର ସିକ୍ରାର ଘରଯାକ । ମସୃଣ ଚଟାଣରେ, କାନ୍ଥରେ, ଝର୍କା ଡେଇଁ ଦୂର ଆକାଶକୁ ଅବା ଛୁଇଁ ଯାଉଛି । କି ମହକ ହୃଦୟରେ । ସେ ଖୋଜିଲା ଖୋଜିଲା ହୋଇ ପାଦ ଚିପିଚିପି ଆସିଲା ।


କାନ୍ଥକୁ ଆଉଜି ବସିଛି ସ୍ୱପ୍ନମୟ । ଆଖି ବୁଜିଛି । ମୁଣ୍ଡଟା ତକିଆ ଉପରେ ରଖି ଓଠଟା ଉପରକୁ ରଖିଛି । କ୍ୟାସେଟ୍ରୁ ଭାସି ଆସୁଛି ନଜରୁଲ୍ ଗୀତି । ଫିରୋଜା ବେଗମ୍ଙ୍କ କଣ୍ଠସ୍ୱର । ସ୍ପଷ୍ଟ ଉଚ୍ଚାରଣ, ମଧୁର, ବିଭୋର ପ୍ରାଣରେ ଅବା ଭରିଯାଉଛି ଚାରିଆଡ଼ ।

“ମମ ମାୟାମୟ ସପନେ

 କା’ର ବାଂଶୀ ବାଜେ ଗୋପନେ

ବିଧୂର ମଧୁର ସ୍ୱରେ । କେ ଏଲୋ କେ ଏଲୋ ସହସା

 ଯେନ ସ୍ନିଗ୍ଧ ଆନନ୍ଦିତ ଚନ୍ଦ୍ରାଲୋକେ ଭରିଲ ଆକାଶ... ।”

ସ୍ୱପ୍ନମୟ ସ୍ୱପ୍ନାଚ୍ଛନ୍ନ, ବିଭୋର ।

ତିସ୍ତା ଧୀରେ ଆସି ଛୁଆଁଇଲା ତା’ର ଓଠ ସ୍ୱପ୍ନମୟର ଓଠରେ । ସ୍ୱପ୍ନମୟ ଚମକି ପଡ଼ି ଆଖି ଖୋଲିଲା । ସେହି ସୁନ୍ଦର ହସରେ ଅବା ମହକି ଯାଉଛି ଶେଫାଳୀର ବାସ୍ନା, ସେହି ସ୍ନିଗ୍ଧ ଚନ୍ଦ୍ରାଲୋକେ ଭରିଯାଉଛି ଆକାଶ, ଆକୁଳ ବାହୁରେ ଯୁଗଯୁଗର ପିପାସା । ସେ ଘେରେଇ ନେଲା ତିସ୍ତାକୁ । ତା’ କୋଳରେ ଏବେ ତିସ୍ତା । ତା’ ଆଖିରେ ସେ ମିଳେଇ ପାରୁନି ଆଖି । ତା’ର ଓଠରେ ଏତେ କମ୍ପନ, ଏତେ ଆବେଗ, ବାହୁରେ ଏତେ ଚୁମ୍ବକତ୍ୱ ଆସିଲା କେଉଁଠୁ ! ସେ ଓଠ ଥାପିଲା ତିସ୍ତାର ଓଠରେ । ସବୁ ମାଧୁର୍ଯ୍ୟ ଶୋଷିନେବା ପାଇଁ ଅବା ଲାଗିରହିଛି ସେ ଓଠ । କେଜାଣି କେତେଯୁଗ ବିତିଗଲା ତା’ ବାହୁରେ । ତିସ୍ତା ସେମିତି ଅଚଳ, ଅନଡ଼ ହୋଇ ପଡ଼ିରହିଥିଲା ସେହି ଚୁମ୍ବକତ୍ୱରେ । କେତେ ସମୟ ବିତିଗଲା ସେ ଜାଣିପାରିଲାନି । ଟେପ୍ ରେକର୍ଡ଼ରୁ ସରି ଆସିଲା କ୍ୟାସେଟ୍ । ଘର ଭିତରେ ଖାଲି ନିବିଡ଼ ନୀରବତା । ନୀରବତାର ଭାଷା । ସେହି ବିଭୋର ମୁଦ୍ରାରେ ସେମାନେ ।


ତିସ୍ତା ଆଖି ଖୋଲିଲା । ସ୍ୱପ୍ନମୟ ଚାହିଁଲା ମୁଗ୍ଧ ଦୃଷ୍ଟିରେ । ଆହୁରି ଛାତି ପାଖକୁ ଭିଡ଼ିନେଲା । ଆଉ ଆଖିବୁଜିଦେଲା ବିଭୋର ଅବସ୍ଥାରେ ।


ତିସ୍ତା ଆଖିମେଲି ଦେଖିଲା ସ୍ୱପ୍ନମୟର ମୁହଁରେ ଅବା ବିଞ୍ଚିଚ ହୋଇ ପଡ଼ିଛି ମୁଠାଏ ଅବିର । ରଙ୍ଗମୟ । ଉଜ୍ଜ୍ୱଳ ଆଭା ବାହାରୁଚି ସେ ମୁହଁରୁ । ଅପରୂପ ଏକ ପରିତୃପ୍ତି ଖେଳି ଯାଉଛି । ରଙ୍ଗର ହୋଲିଖେଳ ଅବା । କେବେ ସେ ଏତେ ହସେନା । ତଳକୁ ମୁହଁପୋତି ବସିଥିବ । ଅଥଚ ଆଜି ଏତେ ଖୁସୀ । ଏତେ ଦୁଃଷ୍ଟଟା ଭିତରେ ଭିତରେ । ସେ ତା’ର ଓଠ ରଖିଲା ତା’ ଓଠରେ । ଶୋଷିନେଲା ସେହି ଅନିର୍ବଚନୀୟ ମଧୁ ।

ସ୍ୱପ୍ନମୟ ଆଖି ଖୋଲିଲା ଆଉ ହସିଲା ।

– ତୁମେ ଏମିତି ସାରା ଜୀବନ ମୋ ପାଖରେ ରହିପାରିବ !

– ତୁମେ ଚାହିଁଲେ ।

ସେ ତିସ୍ତାର ବେକରେ ଚୁମ୍ବନ ଦେଲା ଏବଂ ହସିଲା ।

– ତୁମେ ମୋର ।

ତିସ୍ତା ହସିଲା ଏବଂ ଆଖି ବୁଜିଦେଲା ।


ତିସ୍ତା ବୁକୁ ଉପରେ ଏବ ସ୍ୱପ୍ନମୟର ଅସ୍ଥିର ହାତ । ସେ ଶାଢ଼ି ଖସେଇବାକୁ ଚେଷ୍ଟାକଲା । ତିସ୍ତାର ବାରଣ । ଟାଣାଟଣିରେ ଶାଢ଼ିଟା ଖସି ପଡ଼ିଲା ତିସ୍ତାର ବୁକୁ ଉପରୁ । ଏବେ ଶାଢ଼ିତଳୁ ଫୁଟି ଉଠିଲାର ସୁନ୍ଦର ଅବୟବ । ତିସ୍ତା ଆଉ କିଛି କହିବାର ନଥିଲା । ସେ ବ୍ଲାଉଜ୍ ଖୋଲିଲା ଏବଂ ମୁହଁ ପୋତିଦେଲା ତିସ୍ତାର ବୁକୁରେ । ଆଞ୍ଜୁଳାଏ ଗଙ୍ଗଶିଉଳିର ବାସ୍ନାରେ ଅବା ମହକିଗଲା ତା’ର ଅନ୍ତର ।


ଆସ୍ତେଆସ୍ତେ କବଳିତ କରୁଥିଲା ତିସ୍ତାକୁ । ସ୍ୱପ୍ନମୟର ଅସ୍ଥିର ଓଠ ଏବେ ସବୁ ମଧୁରତାର ପିୟାସୀ । ତିସ୍ତା ଖୁବ୍ ଜୋରରେ ଚାପି ଧରିଥିଲା ସ୍ୱପ୍ନମୟକୁ ନିଜ ବୁକୁ ଉପରେ । ବିନୀତ କଣ୍ଠରେ କହିଲା– ତୁମେ ବହୁତ ସୁନାପିଲା । ଛାଡ଼ିଦିଅ ପ୍ଲିଜ୍ ।

ସେତେବେଳକୁ ସ୍ୱପ୍ନମୟର ଅତୃପ୍ତ ଦେହମନରେ ନିଆଁର ଝଲସ । ସେଥିରେ ସେ ଧ୍ୱଂସହୋଇ ତିସ୍ତାର ଧ୍ୱଂସ ହେବା ଅବସ୍ଥା ।

ସେ ସୁନାପିଲା ପରି ସତକୁ ସତ ମୁହଁ ଉଠେଇ ପୁନଶ୍ଚ ଚୁମ୍ବନ ଦେଲା ତିସ୍ତା ବୁକୁରେ ଆଉ ବ୍ଲାଉଜର ହୁକ୍ ଲଗେଇଦେଲା ।

କହିଲା– ଠିକ୍ ଅଛି । ତୁମକଥା ମାନିଲି ।

ବାଃ ! ତୁମେ ତ ପୂରା ନିଜ ଇଚ୍ଛାରେ ସବୁ କଣ୍ଟ୍ରୋଲ କରିପାର ! ପୁନଶ୍ଚ ସ୍ୱପ୍ନମୟ କାନ୍ଥକୁ ଆଉଜି ବସିଲା ଆଉ ତିସ୍ତା ତା’ ଓଠ ନିଜ ଓଠରେ ଛୁଇଁଲା । କହିଲା– ମୁଁ ବଜାରକୁ ଯିବି ।

– କୁଆଡ଼େ ନଯାଇ ସାରାଦିନ ମୋ ପାଖରେ ରୁହନ୍ତନି ।

– ନାଁ... ରହିପାରିବିନି । ବୁଝିପାରୁଥିବ ମୋର କହିବାର ମାନେ ।

ସ୍ୱପ୍ନମୟର ଅସ୍ଥିର ହାତ ବାରମ୍ବାର ତିସ୍ତାର ବୁକୁ ଉପରେ ଏବଂ ଚାପି ଧରିଥିଲା ତାକୁ । ବସିଥିଲା ଖୁବ୍ ନିବିଡ଼ ହୋଇ ।

– ଚାଲ, ଚା’ପି ଯିବ ।

ତିସ୍ତା ଠିଆ ହୋଇ ହସିଲା... ପାଖକୁ ଆସି ପୁନଶ୍ଚ ଛୁଆଁଇଲା ଓଠ ସ୍ୱପ୍ନମୟର ଓଠରେ । ଏଇଟା ଦେଲ ଯେ । ପରେ ଆସିଲେ ମୁଁ କରିବି ତୁମେ ପିଇବ ।

ତିସ୍ତା ଚାଲିଯିବା ପରେ ପୁଣି ସେହି ଶୂନ୍ୟତା ବୋଧ । ସେ ସ୍ତବ୍ଧ ହୋଇ ବସିରହିଲା ଚୁପଚାପ । ତା’ ଆଖି ବୁଜି ହୋଇ ଆସୁଥିଲା । ଶୂନ୍ୟତାମାନ ଯେମିତି ତା’ ଉପରକୁ ମାଡ଼ି ଆସିଲେ । ତିସ୍ତା ଚାଲିଗଲେ ଏମିତି କାହିଁକି ଲାଗେ ! ଛାତି ଯେମିତି ସେହି ଶୂନ୍ୟତାର ଯନ୍ତ୍ରଣା ସହିପାରୁନି । ସେ ଶୋଇ ରହିଲା । ବାହୁରେ ବାହୁ ଛନ୍ଦି । ଅବା ତିସ୍ତା ତା’ ଛାତି ଉପରେ ରହିଛି । କଡ଼ ଲେଉଟାଇଲା । ପୁଣି ଚିତ୍ ହୋଇ ଶୋଇଲା । ମଧୁର ଦହନର ଜ୍ୱାଳା ତା’ ଭିତର(୭)

ବଡ଼ି ଭୋରରୁ ଉଠି ସେ ଛାତ ଉପରେ ବୁଲୁଥିଲା । ଦୂରରେ ପାହାଡ଼ । କାଞ୍ଚନଜଙ୍ଘା ମୁହଁକାଢ଼ି ହସୁଛି । ପୂର୍ବରେ ଆସୁଛି ଲାଲ ସୂର୍ଯ୍ୟ । ଅଜାଡ଼ି ହୋଇ ପଡ଼ୁଛି ରଙ୍ଗ କାଞ୍ଚନଜଙ୍ଘା ଉପରେ । ନାଲି, ପରେ ସୁନାପରି ରଙ୍ଗ, ସୂର୍ଯ୍ୟ ଉଠିବା ସହ ଧଳାହୋଇ ଯାଉଛି । ଅପରୂପ ଜାଗତିକ ଦୃଶ୍ୟ । ଖାଲି ତିସ୍ତା ପାଇଁ ସିନା ଏତେ ମହାର୍ଘ୍ୟ ଦୃଶ୍ୟକୁ ସେ ମନେପ୍ରାଣେ ଶୋଷିନେଲା । ଆନନ୍ଦର ଗୋଟାଏ ଭରାସମ୍ଭାର ଯେମିତି ତା’ ମନଦେହକୁ କାବୁ କରିନେଉଛି । ସେ ବିଭୋର ଅବସ୍ଥାରେ ସବୁବେଳେ । ଅଫିସ ଯାଉଛି ତ ତଳକୁ ମୁହଁ ପୋତି ଚାଲିଛି । କେଉଁ ଦିଗରେ ଚାଲିଛି ତା’ ବି ମନେରହୁନି । ସବୁବେଳେ ସେହି ମୁହଁ, ହସ, କଥା ତା’ର ସତ୍ତାରେ । ସବୁବେଳେ ମନେହେଉଛି ସେ ତା’ର ଅଦ୍ୱିତୀୟ ସତ୍ତା । ଏମିତି କେମିତି ହୋଇଯାଏ । ସେ ଆଉ ତିସ୍ତା ଯେମିତି ଅଭିନ୍ନ । ଏମିତି ଭାବରେ ଘେରି ରହିଛି ତିସ୍ତା ଯେ ମନେହେଉଛି ସାରାଟା ଅସ୍ତିତ୍ୱକୁ ଜଡ଼େଇ ଧରିଛି ସେ । ସେ ଶୋଇପାରୁନି ରାତିରେ । ନିଦ ଭାଙ୍ଗିଲେ ଆହୁରି ନିବିଡ଼ ହୋଇପଡ଼ୁଛି ସେହି ଅନୁଭବ । ସକାଳୁ ସକାଳୁ ବେଶୀ ବିରହ ବେଶୀ ପାଇବାର ଇଚ୍ଛା ଜାଗୁଛି ତା’ର । ଏତେ ଜଲଦି ତା’ର ନିଦ ଭାଙ୍ଗେନି । ଅଥଚ ପାଞ୍ଚଟା ପନ୍ଦରବେଳକୁ ଉଠି ବସୁଛି । ଯଦିଓ ଏଠି, ରାତି ଚାରିଟା ବେଳଠୁ ପାହିଯାଏ ।


ଅଫିସରେ କାହା ସାଙ୍ଗେ କଥା କହିବାକୁ ଇଚ୍ଛା ହେଉନି । ଅଫିସ ସାରି ଖାଲି ଅପେକ୍ଷା କରିରୁହେ ତିସ୍ତାକୁ । ଘରକୁ ଫେରି ରୋଷେଇ କରିବ କ’ଣ କେବେ କ୍ଷୀର ପୋଡ଼ିଗଲାଣି ତ କେବେ ତରକାରୀ । ଦିନେ ତ ଗାଧୋଇ ନଥିଲା । ପରେ ମନେପଡ଼ିଲା । ବର୍ଷା ହେଲେ ଭିଜିଭିଜି ଆସୁଛି । ବର୍ଷାରେ ଭିଜିଲେ ଲାଗୁଛି ତିସ୍ତାକୁ ଯେମିତି ଆହୁରି ପାଇପାରୁଛି । ପାଗଳ ହୋଇଯିବକି ତିସ୍ତା ପ୍ରେମରେ ! ବର୍ଷା ନୁହେଁ ତ ଯେମିତି ତିସ୍ତା ପ୍ରେମରେ ମରିବାର ବେଳା । ସେଦିନ ସେବକରେ ଯେଉଁ ବର୍ଷା ହୋଇଥିଲା କି ସୁନ୍ଦର ଲାଗୁଥିଲା ତିସ୍ତା । ସ୍ୱପ୍ନଭିଜା ଆଖି, ଓଠରେ ବହୁଯୁଗର ପିପାସା, ବାଇଗିଣୀ ରଙ୍ଗର ଶାଢ଼ି ଭିତରେ ଅବା ଲୁଚିଛି ଏଇ ଆଦିମ ଅରଣ୍ୟର ରହସ୍ୟମୟତା । ତିସ୍ତାକୁ ବା ସେ କେତେଟିକେ ଏ ଅନୁଭବକୁ ବୁଝା(୮)


ପୂଜାଛୁଟି ପରେ ସେମାନେ ଫେରନ୍ତି । ଯିଏ ଯାହାର ଜଏନ୍ କରନ୍ତି ଅଫିସରେ । ସବୁଦିନପରି ତିସ୍ତା ଆସେ । ଅପେକ୍ଷା କରିଥାଏ ସେ । ସେମାନେ ଚାଲନ୍ତି ଫେରିବା ରାସ୍ତାରେ । କେତେ ଗପ ଲୁଚିଥାଏ କି ଛାତି ଭିତରେ । ଟିକିଏ ଟିକିଏ କଥାରେ ଝରିପଡ଼େ ତିସ୍ତା ମୁହଁରୁ ସେହି ସୁନ୍ଦର ସରଳ ହସ । ସେ ଚମକ୍ରୃତ ହୁଏ । ଶୋଷିନିଏ ତା’ର ଲାବଣ୍ୟ । ଏତେ ବିଭୋରତା କିଏ ଦିଏ ! ତା’ର ଏ ପ୍ରାପ୍ତିକୁ ଚାହିଁ ସେ ଚମକ୍ରୃତ ହୁଏ । ଆଉ କ’ଣ ବା ଅଧିକା ଜୀବନ ଦାବୀକରେ !


କେଜାଣି ଦିନେ ଅପେକ୍ଷା କରି ସେ ଚାହିଁ ରହିଥାଏ । ତିସ୍ତା ଆସେନି । କୌଣସି ଝିଅକୁ ଦେଖିଲେ ଲାଗେ ତିସ୍ତା କି ! ନାଁ... ଭୁଲ । ସେମାନେ କେହି ତିସ୍ତା ନୁହଁନ୍ତି । ସେ ଅପେକ୍ଷାକରି ଠିଆ ହୁଏ । ପ୍ରତୀକ୍ଷାର ଯନ୍ତ୍ରଣା କାକ୍ଟସ ପରି ତା’ର ସମଗ୍ର ଦେହରେ ଅବା ବିନ୍ଧି ଦେଉଛି । ଲାଗେ ଏ ପାହାଡ଼, ଜଙ୍ଗଲ, ନଦୀ ସବୁ ସ୍ଥିର ପାଲଟି ଯାଉଛି କି !

ଆଉ ଅପେକ୍ଷା ସହ୍ୟ ହୁଏନି । ସେ ଯାଏ ତିସ୍ତାର ଅଫିସ । ସମ୍ମୁଖ ଧାଡ଼ିରେ ବସିଥିବା ମହିଳାଙ୍କୁ ପଚାରେ– ବର୍ଣ୍ଣାଳୀ ମହାନ୍ତି?

– ଘରକୁ ମାନେ ଦେଶକୁ ଯାଇଛନ୍ତି ।

ହଠାତ୍ ଘରକୁ ଚାଲିଗଲା ତିସ୍ତା । ଅଥଚ ତାକୁ କିଛି କହିନି ତ? ଏମିତି କ’ଣ ହେଲା?

– କେବେ ଫେରିବେ?

ସେ ହସିଲା ଏବଂ ପଛକୁ ଅନେଇ କହିଲା– ଉମା ଦି । ଏଇ ଯେ ବର୍ଣ୍ଣାଳୀ ଦି କେବେ ଆସିବେ? ମଧ୍ୟ ବୟସ୍କ ସ୍ତ୍ରୀ ଲୋକ ଜଣଙ୍କ ତା’ ମୁହଁକୁ ଚାହିଁଲେ ।

– ବିଚାର ନାହିଁ । ଏତେ କମ୍ ବୟସ ଝିଅଙ୍କୁ ଏତେ ଦୂରରେ ପୋଷ୍ଠିଂ ଦେଉଛନ୍ତି । କଲିକତାରେ ଭଲା ରଖିଥାନ୍ତେ । ସିଧା ଉତ୍ତରବଙ୍ଗ ପଠାଇଦେଲେ । ସେମାନଙ୍କ ଭବିଷ୍ୟତ ପୁଣି ଅଛି ତ ! ବାହାଘର ପୁଣି ବାପା, ମା’ କେମିତି ବୁଝିବେ ! ଯାହାହେଉ ଠିକ୍ ହୋଇଗଲା ବାହାଘରଟା । ଏବେ କାହିଁକି ଆସିବ ସେ । ବାହାହେବା ପାଇଁ ବି କ’ଣ ଛୁଟିରେ ରହିପାରିବନି !

ଆଗ ଧାଡ଼ିରେ ବସିଥିବା ଝିଅଟା ତାକୁ ଚାହିଁ ହସିଲା ଆଉ କହିଲା– ଏବେ କ’ଣ ଫେରିବେ । ଡେରିରେ ଆସିବେ । ପରେ ଆସନ୍ତୁ ।

ସେତେବେଳକୁ ତା’ ଗୋଡ଼ତଳୁ ପୃଥିବୀଟା ଧସିଯିବାର ବେଳା । ଆକାଶଟା ଯେମିତି ଭାଙ୍ଗିପଡ଼ୁଛି ତା’ ଉପରେ । ସେ ସ୍ତବ୍ଧ ହୋଇଗଲା । ଏବଂ ନିଜକୁ ଆୟତରେ ରଖି ବାହାରକୁ ଆସିଲା ।

ହିଲ୍କାର୍ଟ ରୋଡ଼୍ । ସନ୍ଧ୍ୟା ଆସୁଛି । ରିକ୍ସା, ବାଇକ୍ ଗାଡ଼ିମାନ ଛୁଟୁଛନ୍ତି । ଶୀତ ଆସିଲାଣି ମୃଦୁ । ଟ୍ୟୁରିଷ୍ଟଗାଡ଼ି ସବୁ ହିଲଆଡ଼େ ମୁହାଁଇଛନ୍ତି । ତା’ ଦେହରେ ଜମିଉଠୁଛି ବିନ୍ଦୁବିନ୍ଦୁ ଝାଳ । ସେ ଖସି ପଡ଼ୁଛି କେଉଁ ଅନନ୍ତ ଗହ୍ୱରକୁ । ସେଠି ଖାଲି ଶୂନ୍ୟତା । ଅନନ୍ତ ଶୂନ୍ୟତା । ସେ ମୁଣ୍ଡକୁ ଧରି ଅବା ବସିପଡ଼ିବ ଫୁଟ୍ପାଥ୍ରେ ।


ସେ ସେହି ଯନ୍ତ୍ରଣାରେ, କାତରତାରେ ମିଳେଇ ଯାଉଯାଉ ଘରଯାଏ ଆସିଲା । ଶୂନ୍ୟଘର । ତାକୁ ଆହୁରି ଏକାକୀ ଲାଗିଲା । ଯେମିତି ଭୀଷଣ ନିଃସଙ୍ଗ ସେ । ନିର୍ଜ୍ଜନତା ଆହୁରି ନିର୍ଜ୍ଜନ ହୋଇଶୋଇଛି ଏ ଘରର ଚଟାଣରେ, କାନ୍ଥରେ, ଝର୍କାରେ । ସେ ଗଡ଼ି ପଡ଼ିଲା ସେ ଖଟ ଉପରେ । ପୋଷାକ ନବଦଳି । ତା’ର ଦୀର୍ଘଶ୍ୱାସରେ କ’ଣ ସେଦିନ ପୃଥିବୀ ହଲିଯାଇଥିଲା । ତା’ଛାତିତଳୁ ଉଠି ଆସୁଥିବା କାନ୍ଦରେ କ’ଣ ସତରେ ପୃଥିବୀ ଭାରାକ୍ରାନ୍ତ ହୋଇଯାଇଥିଲା ନା ତା’ର ଅସରନ୍ତି ଲୁହରେ ପୃଥିବୀ ଭିଜିଯାଇଥିଲା !

ହଁ... ତା’ ହିଁ ହୁଏ ।

ପୃଥିବୀର ସବୁଠୁ ମୂଲ୍ୟବାନ ଜିନିଷ ହଜିଯାଏ ଯେତେବେଳେ ସେ କାନ୍ଦରେ ପୃଥିବୀ ଓଦା ହୋଇଯାଏ । କେହି ଶୁଣି ପାରନ୍ତିନି ତା’ର ଅନ୍ତଃର୍ଦାହ । ଅନ୍ତର୍ବେଦନା । ତା’ର ଆକୁଳ ଆର୍ତ୍ତନାଦ । ସେ ଯେ ଅଶ୍ରୁତ, ଅବ୍ୟକ୍ତ ! ସେହି ଅଶ୍ରୁତ, ଅବ୍ୟକ୍ତ ଧ୍ୱନିକୁ ମଣିଷ ଛାତିତଳେ ଧରି ଚାଲୁଥାଏ । କାହିଁ କେତେ ରାସ୍(୯)


ୟା ଭିତରେ ବିତିଗଲାଣି କେତେ ଦିନ, ମାସ, ବର୍ଷ । ପୃଥିବୀ ଘୂରିଗଲାଣି କେତେ ସହସ୍ରବାର । ଭାବି ହୁଏନା । ଦୀର୍ଘ ଛବିଶ ବର୍ଷ !

ହଠାତ୍ ତା’ର ଟ୍ରାନ୍ସଫର ହୁଏ । ଦୁଇଦିନ ଭିତରେ ଜଏନ୍ କରିବାକୁ ନିର୍ଦ୍ଦେଶ ଆସେ । ତୁମେ ସେ ଏରିଆକୁ ଜାଣିଛ, ତୁମକୁ ସେଠି ରିଜିଓନାଲ ମ୍ୟାନେଜର ଭାବେ ଦାୟିତ୍ୱ ନେବାକୁ ହେବ । ମୁମ୍ବାଇରୁ ଶିଲିଗୁଡ଼ି ହଠାତ୍ ଏତେବାଟ ଆସିବାକୁ ସେ ଚାହୁଁନଥିଲା । କେଜାଣି କାହିଁକି ! ସତରେ କ’ଣ ଏ ସବୁଜ ବଣଭୂଇଁ, ଚା’କ୍ଷେତ, ମେଘ, ପାହାଡ଼ ତାକୁ ଟାଣେନା ! ଏ ନୈସର୍ଗିକ ପ୍ରକୃତି ଭିତରେ ଲୁଚି ରହିଥିବା ପ୍ରେମର ଧାରା ତାକୁ ଉଲ୍ଲସିତ କରେନା ! ଏବେ କ’ଣ ସେ ବାଟ ଚାଲେନା ତିସ୍ତା ସହ ! ତା’ ସହ କଥା ହୁଏନା ! କେଉଁଠି ସେ ଏବେ ! ଆଉ କ’ଣ ଦେଖାହୁଏ । ହିନ୍ଦୁଧର୍ମରେ ଖାଲି ରାଧାକୃଷ୍ଣ ନୁହଁନ୍ତି ସବୁ ପ୍ରେମୀଙ୍କ ଭାଗ୍ୟରେ ଏଇଆ ହିଁ ଲେଖା ଥାଏ । କେହି ଆଉ ଫେରିଆସି ପାରନ୍ତିନି । ସମୟ ସେଇଠି ଅଟକି ଯାଏ !

ବର୍ଷାଦିନ । ଚାର୍ଜ ନେବାପରେ ସେ ଆଜି ପ୍ରଥମେ ବାହାରକୁ ବାହାରିଛି । ପାହାଡ଼ ଜାଗାକୁ ଛୁଟିଦିନରେ ଗଲେ ସେ ଦିନଟା ଆଡ଼ଜଷ୍ଟ ହୋଇଗଲା । ପରଦିନ କାମ ସାରି ତା’ ପରଦିନ ଫେରିବା କଥା । ଆକାଶ ପୂରା ଗୁମ୍ସୁମ୍ । ଟିକେଟିକେ ଝରୁଛି ବର୍ଷା । ପୁଣି ବନ୍ଦ ହୋଇଯାଉଛି । ନାମ୍ଚି ଯିବ । ସାମାନ୍ୟ ବର୍ଷାରେ ଥଣ୍ଡା ଲାଗିବ । ସେ ବଙ୍ଗଳା ପେପର ଡ୍ରାଇଭରଠୁ ନେଇ ଆଖି ପକାଇଲା ରବିବାସରୀୟ କବିତା ଉପରେ । ବର୍ଷା ଝରିଲା । ସେ ନିଜ ଭିତରୁ ବାହାରିଗଲା ଘଡ଼ିକୁ ଘଡ଼ି । ଆଉ ପେପର ପଢ଼ିବ କ’ଣ, ଚାହିଁ ରହିଲା ବାହାରକୁ । ଗାଡ଼ି ସେବକ ପାଖରେ ପହଞ୍ଚିଲା ବେଳକୁ ଘୋର ବର୍ଷା । ସେହି ଛମଛମ ଜଙ୍ଗଲ ଆଉ ତା’ର ସ୍ୱର । ସେ ସ୍ୱର କେଉଁ ଅନାଦିକାଳରୁ ଭାସି ଆସୁଛି । ଯେମିତି ବହୁପଥ ଅତିକ୍ରମ କରି । ତା’ ଛାତିତଳଟା ଭାରି ହୋଇଗଲା । ସ୍ତବ୍ଧ ହୋଇଗଲା ସମଗ୍ର ଅବୟବ । ବର୍ଷା, ଜଙ୍ଗଲ ତାକୁ ଅବା ପାଗଳ କରି ଛାଡ଼ିବେ । ସେଦିନ ବି ଛାଡ଼ିଥିଲା ଛବିଶବର୍ଷ ତଳେ ।

ସେହି ନିବିଡ଼ ଘନ ଜଙ୍ଗଲ ଆଉ ତିସ୍ତା । ସେହି ସୁନ୍ଦର ହସ, ଆଉ ଓଠ, ପିନ୍ଧିଛି ବାଇଗିଣୀ ରଙ୍ଗର ଶାଢ଼ି । ତିସ୍ତା ଆସୁଛି ।

– କହିଥିଲ ନା ଖୁବ୍ ଶୀଘ୍ର ମୋତେ ପାଖକୁ ନେବ ।

ଆମେ ଏ ପାହାଡ଼ରେ ବୁଲିବା ଗ୍ୟାଙ୍ଗଟକ, ଲାଚୁଂଗ, ଲାଚିନ୍, ଚାଂଗୁ ଲେକ୍, ରେଣକ, ଝୁଲୁକୁ, ଦାର୍ଜିଲିଂ, ଲାଭା କୁଆଡ଼େ କେତେ ।

ତା’ପରେ କୁଆଡ଼େ ଯିବା ।

– ତା’ପରେ ଡ୍ରାଇଭରକୁ କହିବା ତା’ ମନ ଯୁଆଡ଼େ ସିଆଡ଼େ ନେବ । ଯେଉଁଠି ରାତି ସେଠି ରହିବା ।

– ହୋଟେଲ ନଥିଲେ?

– ଗାଁ ଲୋକଙ୍କ ଘରେ । ନହେଲେ ଟେଣ୍ଟରେ ।

– ବରଫଝରା ରାତି ଆସିବ ।

– ତୁମର ଉଷ୍ଣ ଆଲିଙ୍ଗନ ଭିତରେ ଆଉ କ’ଣ ଡରଥିବ !

ତିସ୍ତାର ହସ ଭୀଷଣ ମଧୁର । ସବୁକଥା କହିସାରି ଉଚ୍ଛୁଳି ଉଠିବ ତା’ର ହସ । ମନେହେଲା ତିସ୍ତା ଆସି ବସିପଡ଼ିଛି ତା’ ପାଖରେ । ସେ ଚାହିଁଲା ତା’ କଡ଼କୁ । ତଳକୁ ମୁହଁ ପୋତିଲା । ଓଠ ବଢ଼ାଇଲା ଶୂନ୍ୟରେ । ଚମକି ପଡ଼ିଲା ଓଠ ନମିଶାଇ ପାରିବାର କଷ୍ଟରେ । ସେ ଏ କ’ଣ କରୁଚି । ଉପରକୁ ମୁହଁ ଉଠାଏ ତ ତିସ୍ତା ଚାଲିଗଲା କୁଆଡ଼େ?

ସେ କ’ଣ ଏମିତି ସ୍ୱପ୍ନପରି ଆସେ ଆଉ ଉଭେଇ ଯାଏ!

ତାକୁ ବଡ଼ ଏକୁଟିଆ ଲାଗିଲା । ଏତେ ବଡ଼ ପୃଥିବୀ । ଚାକିରିର ପୋଜିସନ୍ । ସୁନ୍ଦର ଘରସଂସାର । ସବୁ ଭିତରେ ସେ ଏତେ ନିଃସ୍ୱ । ସେହି ନିଃସ୍ୱତା ଭିତରେ ତାକୁ ଏତେ ଏକାଏକା ଲାଗେ !

କାଳୀ ମନ୍ଦିର ଆସିଲା । ଡ୍ରାଇଭର ପଚାରିଲା– ସାର୍ ଏଇଠି ଦର୍ଶନ କରିବେ?

– ବର୍ଷା ହେଉଛି ତ ।

– ନୂଆ ଜଏନ୍ କରିଛନ୍ତି । ଦର୍ଶନ କଲେ ନି !

ତିସ୍ତା ସାଙ୍ଗରେ ଆଉ ଆସିବା ହୋଇନି କି ମାଗିନେଇ ପାରିନାହାନ୍ତି ସେମାନେ ପରସ୍ପରକୁ ।

– ନାଁ... ଚାଲ । ଡେରି ହୋଇଯିବ ।

କରୋନେସନ୍ ବ୍ରିଜ ପାଖରେ ଡ୍ରାଇଭର ଠିଆ କରିଦେଲା ଗାଡ଼ି । ସାର୍ ଟିକେ କାମ ଅଛି ।

ସେ ତତ୍କ୍ଷଣାତ୍ ଦୌଡ଼ିଯାଇ ଅନ୍ୟ ଜଣେ ଡ୍ରାଇଭରକୁ ପୁଡ଼ିଆଟାଏ ଦେଇ ଚାଲିଆସିଲା ।

ସେ ଆଉ ଚାହିଁପାରିଲାନି ବ୍ରିଜ ଆଡ଼େ ।

ତିସ୍ତା ! ଯିଏ ଅଳିକରୁଛି, ତୁମେ ମୋତେ ଛାଡ଼ି ଯିବନି ତ ! ସ୍ୱପ୍ନମୟ ତୁମେ ମୋର । ସାରା ଜୀବନ ପାଖରେ ରଖିବ । ହେଲେ ତିସ୍ତା... ତୁମେ କେଉଁଠି ! ତୁମର ଠିକଣା?


କରୋନେସନ୍ ବ୍ରିଜ ପଛରେ ଛାଡ଼ି ଗାଡ଼ି ଆଗେଇଲା । ଝୁପ୍ଝୁପ୍ ମେଘ ପଡ଼ିଲା । ବାଦଲମାନେ ଆସି କେତେବେଳେ କେମିତି ତା’ ବାଟ ଓଗାଳିଲେ । ବୁଡ଼ିଗଲା ଗାଡ଼ି ବାଦଲ ଭିତରେ । ମନେହେଲା ତିସ୍ତା ଆସି ବସିଛି ତା’ ପାଖରେ । ସେହି ହସ, ସେହି ଓଠ, ଆଖିରେ ଭରା ସ୍ୱପ୍ନ । ସେ ହାତ ପ୍ରସାରିତ କଲା । ଶୂନ୍ୟରେ ତା’ର ପାପୁଲି । ତିସ୍ତା ଆସିଲା । ସେହି ଚଞ୍ଚଳ ଝିଅ ଚବିଶ ବର୍ଷର । ସେ ଆଖି ବୁଜିଦେଲା । ଅବା ଲାଗିଲା ତିସ୍ତାର ଓଠ ତା’ ଓଠରେ । ତା’ର ଦୁଇବାହୁରେ ଘନେଇ ଆସିଲା ଜମାଟବନ୍ଧା ମେଘ । ବାହାରେ ଅଝରାଝରା ବୃଷ୍ଟି କି ଏ ଦହନଦିଆ ଜଙ୍ଗଲ । ତା’ ବାହୁ ପାଲଟିଗଲା ଗୋଟାଏ ଚୁମ୍ବକ । ସେ ଆଦୌ ହଲେଇ ପାରୁନି ସେ ବାହୁ । ତା’ ବୁକୁ ଉପରେ ତା’ର ସେହି ସୁନ୍ଦର, ସରଳ, ନିଷ୍ପାପ ମୁହଁ । ତା’ର ଓଠ, ତା’ର ମସୃଣ ବେକ । ସେ କହିଲା– ତୁମେ ମୋତେ ଧରିରଖ ସ୍ୱପ୍ନମୟ । ମୁଁ ଟିକେ ତୁମ ବାହୁରେ ଶୋଇଯାଏ । ଅନେକ ବର୍ଷ ୟା’ ଭିତରେ ବିତି ଗଲାଣି, ମୁଁ ତୁମ ବାଟ ଚାହିଁଚାହିଁ ଶୋଇପାରୁନି । ଆଜି ମୁଁ ଟିକେ ଆଖିବୁଜି ଶୋଇଯାଏ । ସେ କଥା କେଉଁଠୁ ଆସିଲା ! ସେ ସେମିତି ବାହୁ ପ୍ରସାରିତ କରି ବସି ରହିଲା । ତା’ ବାହୁ ଆଉ ହଲିଲାନି । ତିସ୍ତା ତା’ ବୁକୁକୁ ଲାଗି ଶୋଇଛି । ଶୋଇଥାଉ ।


ପଡ଼ୁଥିଲା ବର୍ଷା ଟୋପା । ଅରଣ୍ୟର ଶବ୍ଦ ଆସୁଥିଲା । ପାଖରେ ତିସ୍ତାର ସଙ୍ଗୀତ । ଶାଗୁଆନ ଜଙ୍ଗଲର ମୁଗ୍ଧ ସବୁଜିମା । ପାଇନ୍ ବଣର ଆଦିମତା । ସବୁ ଘେରି ରହିଥିଲା ତାକୁ । ତା’ ଛାତିର ଶୂନ୍ୟତା ଭିତରେ ମିଳେଇ ଯାଉଥିଲା ଏକ ଅନବଦ୍ୟ ପ୍ରେମର ହା... ହା... କାର ଏ ପ୍ରକୃତିର ନୈସର୍ଗିକତା ପରି । ସେ ପୂରା ଭିଜିଯିବ କ’ଣ ମିଳେଇ ଯାଇଥିଲା । ତିସ୍ତା ଆସୁଥିଲା ଗୋଟାଏ ବିଶୁଦ୍ଧ ପ୍ରେମର ଅସ୍ତିତ୍ୱ ହୋଇ । ସେ (୧୦)


ତା’ର ଖବର ଜଣାଥିଲା ଅଫିସ ସହକର୍ମୀଙ୍କୁ । ପ୍ରେମ, ମନୀଷ, ଅମିତାଭ ସମସ୍ତେ ଘେରିଗଲେ ତାକୁ । ନିର୍ଦ୍ଧାରିତ ହୋଟେଲକୁ ନେଇଗଲେ । ଖାଇବା ପ୍ରବନ୍ଧ ହେଲା । ସମସ୍ତେ ମିଶି ଖାଇଲେ ।


ପ୍ରେମ ପ୍ରସ୍ତାବ ଦେଲା ସାର୍ ଚାଲନ୍ତୁ ରାବାଂଲା ଯିବା । ବୁଦ୍ଧମୂର୍ତ୍ତି ଦେଖିଆସିବା । ପ୍ରେମ, ମନୀଷ ସମସ୍ତେ ନୂଆ ଷ୍ଟାଫ୍ । ଚଞ୍ଚଳ ଭାବଭଙ୍ଗୀ । ଉଲ୍ଲାସ ହାବଭାବରେ । ଅମିତାଭ ତା’ଠାରୁ ଚାରିପାଞ୍ଚ ବର୍ଷ ଛୋଟ ହେବ । ପ୍ରେମର ଚଞ୍ଚଳତା ଭିତରେ ପ୍ରାଣର ସ୍ପନ୍ଦନ ବେଶୀ । ପିନ୍ଧିଥିଲା ଜିନ୍ ପ୍ୟାଣ୍ଟ । ଚେକ୍ସାର୍ଟ । ବିଭିନ୍ନ ରଙ୍ଗର । ପ୍ରେମ ଭିତରେ ସେ ନିଜକୁ ଦେଖୁଥିଲା । ଏମିତି ଜିନ୍ ପ୍ୟାଣ୍ଟ, ଉପରେ ଧଳାକୁର୍ତ୍ତା ପିନ୍ଧି ସେ ଯାଇଥିଲା ତିସ୍ତାକୁ ମଟର ସାଇକେଲରେ ବସାଇ । ସେ ପ୍ରେମକୁ ଚାହିଁ ମୁରୁକି ହସିଲା ।


ସେମାନେ ତତ୍କ୍ଷଣାତ୍ ବାହାରିଗଲେ ରାବାଂଲା । ବାଟରେ ପୁଣି ମେଘର ଗମ୍ଭୀରିଆ ମୁହଁ । ଗାଡ଼ି ଡୁବିଗଲା ମେଘରେ । ଅନ୍ଧାରିଆ ଦିଶିଲା । ଗାଡ଼ି ଉଠୁଥିଲା ଉପରକୁ ଉପରକୁ । ଛଅହଜାର ଆଠଶହ ଫୁଟ ଉଚ୍ଚତାକୁ । ରାସ୍ତାରେ ଭରା ପାଇନ୍ବନ । ଘଞ୍ଚ, ଶାନ୍ତ, ଯେମିତି ତପସ୍ୟା କଲାପରି ଠିଆ ହୋଇଛନ୍ତି । ଅବା କାହାର ପ୍ରତୀକ୍ଷାରେ ଚୁପଚାପ କେଉଁ ଯୁଗରୁ ବିରହୀ । ମେଘ ପଡ଼ୁଛି । ପୁଣି ତିସ୍ତାର ଛୁଆଁ । ହୃଦୟ ମନକୁ ଘେରି ସେ ଆସୁଛି । ସେହି ବର୍ଷାରେ ଭିଜି ସେ ଠିଆ ହୋଇଛି । କହୁଛି– ମୋତେ ଛୁଅଁ ସ୍ୱପ୍ନମୟ, ମୋତେ ଆବୋରି ଧର । ମୋତେ ପାଖକୁ ନିଅ । ଛୁଅଁ ମୋତେ । ଏତେ ବର୍ଷ ଧରି ମୋର ଶରୀର, ମନ ସବୁ ପିପାସିତ । ଶୁଷ୍କ । ମୁଁ ବର୍ଷା ଟୋପାଏ ପାଇଁ ଚାହିଁ ରହିଛି ସ୍ୱପ୍ନମୟ ।

ନାଁ... ନାଁ... ତିସ୍ତା । ମୁଁ ପାରିବିନି । କେମିତି ତୁମକୁ ମୁଁ ଛୁଇଁବି । ତୁମେ ଯେ ଅନ୍ୟର ହୋଇସାରିଛ । ମୁଁ ପାରୁନି ତିସ୍ତା.... ମୁଁ ପାରୁନି । ସବୁ ହଜିଯାଇଛି । ସବୁ ହଜିଯିବାପରେ ଯାହା ରୁହେ ତା’ହିଁ ପ୍ରେମ ତିସ୍ତା । ମୁଁ ଜୀବନର ଏଇ ଦୀର୍ଘ ସମୟ ଅତିକ୍ରମକରି ବୁଝି ପାରିଛି ।

ସ୍ୱପ୍ନମୟ ଚୁପଚାପ ବସିଥିଲା । ସହକର୍ମୀମାନେ କ’ଣ ସବୁ କଥା ହେଉଥିଲେ । ଗାଡ଼ି ଉଠିଯାଉଥିଲା ଉପରକୁ ଉପରକୁ । ମନେହେଲା ସେ ଗାଡ଼ି ଭିତରୁ ବାହାରି ଯାଉଛି । ରାସ୍ତା ଉପରେ ଆଣ୍ଠୁମାଡ଼ି ମୁଣ୍ଡତଳକୁ କରି ବସିଛି ଆଉ ଶୁଭୁଛି ଗୋଟାଏ ଆର୍ତ୍ତନାଦ ତା’ ନିଜ ହୃଦୟର । କାନ୍ଦି ବି ପାରୁନି । ଖାଲି ବସି ରହିଛି । ଦୁଇ ହାତମୁଠାରେ ବାଳକୁ ଟାଣି । ତିସ୍ତା... ମୁଁ ତୁମକୁ ଛୁଇଁ ପାରୁନି । ତିସ୍ତା... ନାଁ... ନାଁ... ମୁଁ ପାରୁନି । ମୁଁ ପାରୁନି । କାହିଁକି ପାରୁନି କେଜାଣି ! ଗାଡ଼ି ଉଠି ଯାଉଛି ଆହୁରି ଉପରକୁ ଉପରକୁ... ସେ ସ୍ତବ୍ଧ ହୋଇ ବସି ରହିଛି... ।ଚୁପଚାପ ବସି ରହିଲା ସେହି ଅନୁଭବରେ ।

ତା ପାରିହୋଇ ।

ଇ ପାରିବ !

ସଞ୍ଚରି ଚାଲିଥିଲା ମୂହୁର୍ମୂହୁଃ ।

ଗଲ କି ଅନ୍ଧାର ।

ୟ, ଭରିଯାଏ ଜୀବନ ।

.. ଏଗେନ୍ ।

ଳେ ଉଙ୍କିମାରି କ୍ଷଣିକେ ଉଭେଇ ଗଲା ।



Rate this content
Log in

Similar oriya story from Romance