ସେ କିଏ ?
ସେ କିଏ ?


ଶୁନ୍ ଶାନ୍ ରାତି । ଗାଢ଼ ଅନ୍ଧକାର କୋଳରେ ଶୋଇଯାଇଛି ଧରତ୍ରୀ ମାଆ । ଦିନର ପରିଶ୍ରମର ଚାପରେ ସମସ୍ତେ ଶୋଇଯାଇଛି । ମୁଁ ମଧ୍ୟ କେମିତି ବାଦ ପଡ଼ିଥାନ୍ତି ଯେ । ଭଡାଘରର ବିରାଟ ଶୟନ କକ୍ଷରେ ମୁଁ ଆଉ ନିର୍ଜନତାକୁ ଭାଙ୍ଗୁଥିବା ଦୁରଦର୍ଶନଟି ମଧ୍ୟ କିଛି କ୍ଷଣ ପାଇଁ ନିରବ ହେଇଯାଏ ରାତ୍ରିର ଗାଢ଼ତା ଭିତରେ । ସବୁଦିନ ପରି ରାତ୍ରି ଭୋଜନ ପରେ କିଛି ସମୟ ପାଇଁ ଦୁରଦର୍ଶନ ପରଦାରେ ଭାସିଆସୁଥିବା ଛବି ଉପରେ ଦୃଷ୍ଟି ଦେଉ ଦେଉ ନିଦ୍ରାବତୀ ଆସି ମୋତେ ଛୁଇଁଗଲେ। ଦୁରଦର୍ଶନ କୁ ବନ୍ଦ କରି ଶେଜକୁ ଚାଲିଗଲି ଆଉ ଶାନ୍ତିରେ ଶୋଇଗଲି କିଛି କ୍ଷଣ ।
ଅନ୍ଧକାର ଆଉ ଶୂନ୍ୟତା । ସମୟ ହୁଏତ ପ୍ରାୟ ଗୋଟାଏ କିମ୍ବା ଦୁଇଟା ହେବ । ସ୍ଵଭାବବଶତଃ ପରିସ୍ରା ପାଇଁ ଉଠିବାକୁ ଚେଷ୍ଟା କଲି । ମାତ୍ର ଏ କଣ ? କେହିଜଣେ ମୋ ମୁଣ୍ଡକୁ ଚାପିରଖି ଯିବାକୁ ଦେଉନାହିଁ । ମୁଁ ମୋ ସମସ୍ତ ଶକ୍ତି ପ୍ରୟୋଗ କରି ଉଠିବାକୁ ଚେଷ୍ଟା କଲି । ମୋ ଶକ୍ତି ହେଉ କିମ୍ବା ସେ ଅଦୃଶ୍ୟ ଶକ୍ତିର ନରମପଣ ହେଉ ମୁଁ ଉଠିପଡ଼ିଲି । ଆଖି ଖୋଲିବା ପରେ ନିଜକୁ ବିଶ୍ୱାସ କରିପାରିଲି ନାହିଁ । ମୁଁ ଯାହାକୁ ଅଦୃଶ୍ୟ ମନେ କରୁଥିଲି ସେ ତ ଅତି ବେଶିରେ ୯ କିମ୍ବା ୧୦ ବର୍ଷର ଝିଅଟିଏ । ମାତ୍ର ଏ କଣ ? ମୁଣ୍ଡର କେଶ ସମ୍ପୂର୍ଣ୍ଣ ଉନ୍ମୁକ୍ତ । ଆଖିରୁ ସତେ ଯେମିତି କିଛି ଗୋଟାଏ ଭୟଙ୍କର ଦୃଶ୍ୟ ହେଉଛି । ସୁନ୍ଦର,ସୁଢ଼ଳ ଗୋରା ତକତକ ଦେହରେ ଆଣ୍ଠୁ ପର୍ଯ୍ୟନ୍ତ ଫ୍ରକଟି ଲମ୍ବିଯାଇଛି । ମୁଁ ଉଠିବା ମାତ୍ରେ ସେ ମୋ ଆଗରେ ଆଗରେ ଉଠି ଚାଲିଯିବାକୁ ଉଦ୍ୟତ । ମୁଁ ଡାକ ପକାଇଲି ମାତ୍ର ସେ ଥରୁଟିଏ ବି ଅଟକି ପଛକୁ ଚାହିଁଲା ନାହିଁ । ମୁଁ ଉଠି ଧାଇଁଗଲି ତା ପଛରେ । କୋଠରୀରୁ ବାହାରି ଭଡାଘରର ବିସ୍ତୀର୍ଣ୍ଣ ଅଗଣା ପର୍ଯ୍ୟନ୍ତ । ସେ ଆଗରେ ମୁଁ ତା ପଛରେ । କିନ୍ତୁ
ଘନ ବହଳ ଅନ୍ଧକାର ଭିତରେ ମଧ୍ୟ ତା' ଦେହର ଉଜ୍ଜ୍ଵଳତା ଅନ୍ଧକାରକୁ ହଟାଇ ଦେଉଥିଲା । ମୁଁ ଚାହିଁରହିଥାଏ । ନାଁ ସେ ଚାଲିବା ବନ୍ଦ କରୁଥାଏ ନା ମୁଁ ତାକୁ ଅଟକାଇ ପାଉଥାଏ । ହଟାତ୍ ସେ କେମିତି କେଜାଣି ଅନ୍ତର୍ଦ୍ଧାନ ହୋଇଗଲା ମୋ ଆଖି ସମ୍ନାରୁ । ନା ଭୂମି ତଳେ ପଶିଗଲା ନା ଆବଦ୍ଧ କାନ୍ଥରେ ଲୀନ ହୋଇଗଲା । ଆଖି ସମ୍ନାରୁ କେମିତି ଅଦୃଶ୍ୟ ହୋଇଗଲା କେଜାଣି । ଛାତି ଭିତରଟା ଥରି ଉଠିଲା । ହୃଦସ୍ପନ୍ଦନ ବଢିଯାଉଥିଲା । ମନରେ ଅନେକ ପ୍ରଶ୍ନ କିଏ ସେ ଝିଅ ? କାହିଁକି ଆସିଥିଲା? କୁଆଡେ ଚାଲିଗଲା ? ମୋ ସହ ତାହାର ସମ୍ପର୍କ କଣ ? ମୁଁ ସେମିତି ଠିଆ ହୋଇରହିଥାଏ ଜଡ ପରି ।
ହଟାତ ନିଦ ଭାଙ୍ଗିଗଲା । ମୁଁ ଶେଯରେ ଉଠି ବସିଗଲି । ଦେହସାରା ଝାଳ ଜୁଡୁବୁଡୁ । ଆଖି ଆଗରେ କେବଳ ଅନ୍ଧାର ହିଁ ଅନ୍ଧାର । ବ୍ୟାଟେରୀ ଚାଳିତ ଟର୍ଚ୍ଚ ମାରି ବିତ୍ୟୁତ୍ ସ୍ୱିଚ୍ ମାରିଲି। ମାତ୍ର ବିତ୍ୟୁତ୍ କଟିଯାଇଥିଲା । ଭୟ ଏବଂ ଆତଙ୍କରେ ଅଗଣାକୁ ଧୀରେ ଧୀରେ ପାଦ ପକାଇଲି । ଚାରିପଟକୁ ଟର୍ଚ୍ଚ ମାରିଲି । ମାତ୍ର କେହି କୁଆଡେ ନଥିଲେ । କେବଳ ଅନ୍ଧକାରର ନିର୍ଜନତାକୁ ଭଙ୍ଗ କରୁଥିଲା ବାହାରେ କେଉଁ ଏକ କୀଟର ଶବ୍ଦ । ଆଶ୍ୱସ୍ତ ହେଲି । ଦୀର୍ଘଶ୍ଵାସ ପକାଇ ନିଜକୁ ଶକ୍ତ କଲି । ଦେବାଦେବୀଙ୍କୁ ସୁମରଣା କରିଲି । ସାହାସ ଥିଲେ ବି ଅଜଣା ଭୟ ଭିତରେ ଯନ୍ତ୍ରଚାଳିତ ରୋବର୍ଟ ପରି ପରିଶ୍ରାଗାରକୁ ଚାଲିଲି । ସେଠାରୁ ଫେରି ପୁଣି ନିଦ୍ରା ଗଲି ।
ସକାଳର ସୂର୍ଯ୍ୟୋଦୟ ପରେ ସମସ୍ତଙ୍କୁ ଏ ବିଷୟରେ ଜଣାଇଲି । ସମସ୍ତେ ଏହାକୁ ଏକ ଦୁଃସ୍ୱପ୍ନ କହୁଥିଲା ବେଳେ ମୋତେ କିନ୍ତୁ ଏହା ବାସ୍ତବତା ପରି ମନେ ହେଉଥିଲା । ସେହିଦିନଠାରୁ ମନରେ ସେହି ଗୋଟିଏ ପ୍ରଶ୍ନ ଯାହା ଆଜିଯାଏଁ ସମାଧାନ ହୋଇପାରିନାହିଁ ସେ କିଏ ?