Sucharita Sena

Horror

4.1  

Sucharita Sena

Horror

ସେ କିଏ ?

ସେ କିଏ ?

6 mins
454


ଦିପୁର ଗୋଡ଼କୁ ଧରି ଟାଣି ଟାଣି ନେଇ ଯାଉଥାଏ ସେ ଅନ୍ଧାର କକ୍ଷକୁ | ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ଦିପୁ | ଟାଣି ନେଉଥିବା ହାତରେ ଲମ୍ବା ଲମ୍ବା କଳା ନଖ ଗୁଡିକ ଯେପରି ଆଘାତ କରୁଥିଲା ଚର୍ମକୁ | ନିଜକୁ ଯେତେ ବଞ୍ଚାଇବାକୁ ଚେଷ୍ଟା କଲେ ସେ ପାରୁ ନଥିଲା | ସେ କୁତ୍ସିତ ମୁଖଟି ତା ଅତି ପାଖକୁ ଆସି ପଚାରୁଥିଲା " କଣ ଯିବ ମୋ ସହ ? " | ବିକରାଳ ହସରେ ଯେପରି ଫାଟି ଯାଉଥିଲା ତା କାନ | ଖୁବ୍ ଜୋର କରି ସେ କାଦାକୃତି ଚେହେରାକୁ ଧକା ଦେଇ, ନିଜକୁ ତା ଠାରୁ ମୁକ୍ତ କରି ଧାଉଁଥିଲା ଦିପୁ | ନିଜର ସମଗ୍ର ବଳ ପ୍ରୟୋଗ କରି ବଞ୍ଚାଓ ବଞ୍ଚାଓ ଚିତ୍କାର କରୁଥାଏ |

" ଦିପୁ.... ଏ ଦିପୁ.....କଣ ପୁନଃ ସେ ସ୍ଵପ୍ନ ଦେଖିଲୁ ନାକଣ? " |

      ଦିପୁକୁ ନିଦରୁ ଜୋର କରି ହଲାଇ ଡାକୁଥିଲା ସଂଜୁ |

ଦିପୁ ଆଖି ଖୋଲିଲା, ଯେପରି ଝାଳରେ ଗୋଟାପଣ ଡୁବମାରି ଆସିଛି | ପାଣି ନେଇ ଢକ ଢକ କି ପିଇଗଲା |

କିଛିଦିନ ହେବ ଦିପୁ ଲଗାତାର ଏପରି ସ୍ଵପ୍ନଜାଲରେ ଗୁଡେଇ ହେଉଛି , ପ୍ରଥମେ ଦୁଃସ୍ଵପ୍ନ ଭାବି ଭୁଲି ଯାଉଥିଲା, କିନ୍ତୁ ସବୁଦିନେ ଏକା ଭଳି ଅମୀମାଂସିତ ସ୍ଵପ୍ନ ଦେଖିବାର ମାନେ କଣ? | ଦିପୁ ଭୟଭୀତ ଥିଲା,  ଅଡୁଆ ସୂତା ଖିଅ ଯେପରି ସେ ଗୁଡେଇ ଚାଲିଛି | ସଂଜୁ ତାର ଅତ୍ୟନ୍ତ ନିକଟତର ବନ୍ଧୁ, ସେ ସବୁ ଶୁଣିବା ପରେ ଦିପୁକୁ ଏକାଟିଆ ରହିବାକୁ ଦେଇନଥିଲା |

ଦିପୁକୁ ରାତ୍ରୀରେ ସୁପ୍ତ ହେବାକୁ ଡର ଲାଗୁଛି, ସେ ଜାଣିଛି ତା ଆଖି ପଲକ ପକାଇବା ମାତ୍ରେ ସେ ଅଜଣା କଦାକାର ଚେହେରା ପୁନଃ ଆବିର୍ଭାବ ହୋଇଯିବ | ସେ ଘଣ୍ଟାକୁ ଚାହିଁଲା ରାତି ଗୋଟେ ବାଜିଲାଣି, ସଂଜୁ ଶୋଇପଡିଛି | ଦିପୁ ଅଣ୍ଟା ସଳଖି ବସିଲା | କାହିଁକି ତାସହ ଏପରି ଘଟୁଛି, ସେ କେବେତ କାହାର ଅନିଷ୍ଟ କରିନି |

                           " ଉଁ.... ଉଁ..... ଉଁ " |

ଶବ୍ଦ ଆସି ସ୍ପର୍ଶକଲା ଦିପୁର କର୍ଣ୍ଣରେ | ଦିପୁ ଆଉ ଥରେ ସେ ଶବ୍ଦକୁ ଶ୍ରବଣ କରିବାକୁ ଚେଷ୍ଟା କଲା | "କିଏ କାନ୍ଦୁଛି.........? ", ଦିପୁ ଧୀରେକି ଉଠି ଦେଖିବାକୁ ଚାଲିଗଲା | ଏ ଘରେ କେବଳ ସଂଜୁ ଓ ମୁଁ | ସଂଜୁ ମୋ ଆଖି ସାମ୍ନାରେ ଶୋଇଛି, ତାହେଲେ କାନ୍ଦୁଛି କିଏ ? |

         ଅଦୂରରେ ଥିବା ଝରକା ପାଖରେ ମୁଣ୍ଡ ତଳକୁ କରି କିଏ ଯେପରି ବସିଛି | ଉଁ.... ଉଁ....କାନ୍ଦିବା ଶବ୍ଦ ସେହିଁ କରୁଛି | ଦିପୁ ଧିମା ଗତିରେ ତାପାଖକୁ ଗଲା |

           ଉଁ.. ଉଁ.. କାନ୍ଦର ଶବ୍ଦ ବନ୍ଦ ହୋଇଗଲା, ଧୀରେ ଧୀରେ ସେ ମୁଣ୍ଡ ତଳକୁ ପୋତି ଆଗପଛ ହୋଇ ହଲିବାକୁ ଲାଗିଲା | ଦିପୁ ଆହୁରି ପାଖକୁ ଆସି ତା ଆଡକୁ ଯେପରି ହାତ ବଢ଼ାଇଛି ସ୍ପର୍ଶ କରିବାକୁ .......... ନିଜ କାନ୍ଦ ଉପରେ କାହର ସ୍ପର୍ଶରେ ଚମକି ପଡିଲା, ବୁଲି ଚାହିଁଲା......ସଂଜୁ ଥିଲା |

ସଂଜୁ...... : " ଏକା କଣ କରୁଛୁ ଏଠି, ନଶୋଇ ? "|

ଦିପୁ....... : " ଏ ଝରକା ପାଖରେ କିଏ ବସି କାନ୍ଦୁଥିଲା | ମୁଁ ତାକୁ ଦେଖିବାକୁ ଆସିଥିଲି " |

ସଂଜୁ....... " କିଏ.. କେଉଁଠି, ମୁଁ ତ କାହାର କାନ୍ଦ ଶୁଣି ପାରିନି | ଚାଲେ ଭିତରକୁ "|

ସଂଜୁ ଜୋର କରି ଦିପୁକୁ ନେଇ ଯାଉଥିଵା ସମୟରେ ଦିପୁ ଚାହୁଁ ଥିଲା ସେ ଝରକା ଆଡକୁ, ଝରକା ସେପଟେ କିଏ ଠିଆ ହୋଇ ତାକୁ ହାତ ଠାରି ଡାକୁଥିଲା | ଦିପୁର ଛାତି ଥରି ଯାଉଥାଏ |

ଧୀରେ ଧୀରେ ଦିପୁକୁ ଚତୃପାର୍ଶ୍ଵରେ ସେ କଦାକାର ଚେହେରା ଦେଖା ଯାଉଥିଲା | ହାତଠାରି ନିଜ ସହିତ ଡାକୁଥିଲା ଚାଲିଯିବାକୁ |

            ସଂଜୁ ନିଜ ପ୍ରିୟ ବନ୍ଧୁର ଏପରି ଅବସ୍ଥାରେ ଅତ୍ୟନ୍ତ ଚିନ୍ତିତ ଥିଲା | ଦୁହେଁ ନୂଆ କରି ଚାକିରୀ ପାଇଁ ଘରଠାରୁ ଢ଼େରେ ଦୂରରେ ରହୁଥିଲେ | ଆଜି ଭଳି ଫୋନର ବ୍ୟବହାର ସେତେବେଳେ ନଥିଲା | ନିଜର ପ୍ରିୟଜନ ମାନଙ୍କୁ କିଛି ଜଣାଇବାକୁ ହେଲେ ଚିଠି ଲେଖିବାକୁ ପଡୁଥିଲା | ସଂଜୁ ମନସ୍ତ କଲା ଦିପୁର ଘର ଲୋକଙ୍କୁ ସବୁ ଜଣାଇ ଦେବ |

ସଂଜୁ ମନରେ ହଜାର ପ୍ରଶ୍ନ ଉଙ୍କିମାରୁଥାଏ | ଦିପୁ ରହୁଥିବା ଭଡା ଘରେ କିଛି ଆତ୍ମର ବାସ ନାହିଁତ ???| ଦିପୁକୁ ଆଗରୁ ଏପରି ଅବସ୍ଥାରେ କେବେ ଦେଖିନଥିଲା | ଥରେ ଘର ମାଲିକ ରମେଶ ବାବୁଙ୍କୁ ପଚାରିବାକୁ ଭାବି ଯାଇ ସାକ୍ଷାତ କଲା |

ରମେଶ ବାବୁ........ : " ମୁଁ ଆପଣଙ୍କ କଥା ହୃଦୟଙ୍ଗମ କରୁଛି, କିନ୍ତୁ ସେ ଘର ମୁଁ ବିଗତ ସାତବର୍ଷ ହେଲାଣି ଭଡାଲଗାଉଛି | ଅନେକ ଲୋକ ଆସୁଛନ୍ତି ଓ ଯାଉଛନ୍ତି | ଏପରି ଶୁଣିବା ମୋର ପ୍ରଥମ | ଦିପୁବି ସେଘରେ ରହିବା ୯ ମାସ ହେଲାଣି କିନ୍ତୁ କିଛି ନଥିଲା, ଏ ଗୋଟେ ମାସ ଭିତରେ ଏପରି କଣ ହୋଇପାରେ ? " |

ସଂଜୁ....... : " ଦିନକୁ ଦିନ ଦିପୁର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି | ନା ଶୋଉଛି ନାଖାଉଛି | କି ଦିନ କି ରାତି ସବୁ ବେଳେ କହୁଛି ତାକୁ କିଏ ଡାକୁଛି, ତା ସହ ଯିବାକୁ ତାକୁ ବାଧ୍ୟ କରୁଛି | ଗୋଟେ ମୁହୂର୍ତ୍ତ ନାହିଁ ସେ ଶାନ୍ତିରେ ରହିଥିବ | ମୁଁ ତା ଘର ଲୋକଙ୍କୁ ଚିଠି ଲେଖିଛି,ସେମାନେ ଆସିବା ପର୍ଯ୍ୟନ୍ତ ତା ଦାୟିତ୍ୱ ମୋର | " |

ରମେଶ ବାବୁ......... : " ମୁଁ ସବୁ ବୁଝି ପାରୁଛି, ତୁମେ କିପରି ଅବସ୍ଥାରେ ଅଛ | ମୋର ଗୋଟେ କଥା ମାନିବ? " |

ସଂଜୁ........... : " କୁହନ୍ତୁ " |

ରମେଶ ବାବୁ........ : ମତେ ଲାଗୁଛି କୌଣସି ଅତୃପ୍ତ ଆତ୍ମା ଏପରି କରୁଥାଇ ପାରେ | ଆମେ ଯଦି ଜାଣି ପାରିଵା ସେ କିଏ, ଅଥବା ତା ଉଦ୍ଦେଶ୍ୟ କଣ, ତାହେଲେ ସେ ବିପଦର କିଛି ବିକଳ୍ପ ବାଟ କାଢି ପାରନ୍ତେ |

ସଂଜୁ.......... : "କିନ୍ତୁ କିପରି ? "

ରମେଶ ବାବୁ........ : ସ୍ପିରିଟ କଲ୍ ( ଆତ୍ମାକୁ ଡାକ ) |

ସଂଜୁ........ : " ଆପଣ କଣ ଏ ସବୁ ଆଗରୁ କରିଛନ୍ତି ? " |

ରମେଶ ବାବୁ....... : " ସତ କହିବାକୁ ଗଲେ ମୁଁ ଥରେ କରିଛି "|

ସଂଜୁ ଚିନ୍ତା କରୁଥିଲା ରମେଶ ବାବୁ କହିବେ ସେ ଅନେକ ଥର ଭୂତକୁ ଡ଼ାକିଛନ୍ତି, କିନ୍ତୁ ଗୋଟେ ଥର କଥା ଶୁଣି ତା ସୁଖୀ ଯାଇଥିଵା ତଣ୍ଟିକୁ ଛିପରେ ଓଦା କରିବାକୁ ଚେଷ୍ଟା କରୁଥିଲା | କିଛି ଦିନ ହେବ ଦିପୁକୁ ଦେଖିବା ପରେ ଏ ଅଶରୀ ଅଥବା ଆତ୍ମା ପ୍ରତି ତା ଡରଟା ଦୁଇ ଗୁଣ ବୃଦ୍ଧି ପାଇଯାଇଛି | ତଥାପି ନିଜ ବନ୍ଧୁପାଇଁ ଆଉ କୌଣସି ପଥ ନଥିବା ଜାଣି, ରମେଶ ବାବୁଙ୍କ ପ୍ରସ୍ତାବରେ ହଁ ଭରିଲା |

ରାତ୍ରି ଘନାଉଥାଏ | ରମେଶ ବାବୁ, ସଂଜୁ ଓ ଦିପୁ ନିଜ ହାତକୁ ଛନ୍ଦା ଛନ୍ଦି ହୋଇ ଗୋଲାକାରରେ ବସିରହିଥାନ୍ତି | ସାମ୍ନାରେ ଗୋଟେ ବଡ ଦର୍ପଣ ରଖି, ଅନେକ ମହମବତୀ ତା ଆଗରେ ଜଳାଉଥାନ୍ତି | ଚାରିପାଖରେ ମନ୍ତ୍ରିତ ଲବଣ ରେ ଗୋଲାକାର କରି ତା ଭିତରେ ରହିବାକୁ ନିର୍ଦ୍ଧେଶ ଦେଇଥାନ୍ତି ରମେଶ ବାବୁ | ଘରଭିତରେ ଅନ୍ଧକାର, କେବଳ ଯାହା ଆଲୋକ ଆସୁଥାଏ ସେ ମହମବତୀରୁ |

     ନିଜ ହାତର ଆଙ୍ଗୁଠି ଫୁଟାଇ ଦୁଇଟୋପା ରକ୍ତ ବିନ୍ଦୁ ଦର୍ପଣ ଉପରେ ପକାଇ ଦେଲେ ରମେଶ ବାବୁ, ତାପରେ ଡାକିଲେ....... " ଏ ଘରେ ଘୁରି ବୁଲୁଥିବା ହେ ଆତ୍ମା, ଆମ ପାଖରେ ପ୍ରକଟ ହୁଏ, କଣ ଚାହୁଁଚ ଆମକୁ କୁହ , ଆମେ ତୁମକୁ ସାହାଯ୍ୟ କରିବୁ ପ୍ରକଟ ହୁଅ ଆତ୍ମା.....ସାମ୍ନାକୁ ଆସ.... ସାମ୍ନାକୁ ଆସ.... ଦେଖାଦିଅ |

            ଜଳୁଥିବା ମହମବତୀ ଧପ୍ କରି ଲିଭିଗଲା | ଅନ୍ଧକାର ଭିତରେ ସମସ୍ତେ ବସିଥାନ୍ତି | ସଂଜୁର ହୃଦସ୍ପଂଦନ ତୀବ୍ର ଗତିରେ ଚାଲିଲା ଭଳି ଅନୁଭବ କରୁଥାଏ | ଧପ୍ କରି ପୁନଃ ମହମବତୀ ଜଳି ଉଠିଲା | ଦିପୁ ଓ ସଂଜୁ ପରସ୍ପରକୁ ଅନାଉଥାନ୍ତି | ରମେଶ ବାବୁ ମୁଣ୍ଡ ତଳକୁ କରି ଝୁଲିବାରେ ଲାଗିଥାନ୍ତି | ସଂଜୁ ନିଜ ଭିତରେ ସାହସ ସଞ୍ଚୟକରି ରମେଶବାବୁଙ୍କୁ ଡାକିବାକୁ ଯେପରି ହାତ ବଢ଼ାଇଛି....... ରମେଶବାବୁ ଦାନ୍ତ କଡ଼ମଡ଼ କରି କହିଲେ....... " ହୁମ୍ମ , ରକ୍ତ ଦେଇ ଡାକୁଥିଲା, ସାମ୍ନାକୁ ଆସ...... ସାମ୍ନାକୁ ଆସ.... ମୁଁ ଆସିଲି ଏଥର କହ | ନିଜ ନଖରେ ନିଜକୁ ରାମ୍ପିବାରେ ଲାଗିଗଲେ ରମେଶ ବାବୁ, ବିକୃତ ଓ ବିକଟାଳ ହସ ସହ |  " |

"ଏ ଦିପୁ.......ମୋ ସହ ଯିବ କି ନାହିଁ,.....ଆସ .... ତୁମରି ପାଇଁ ଏଠି ପଡି ରହିଛି | ଯିବନା ମୋ ସହ? ..... ମୁଣ୍ଡ ବଙ୍କେଇ ପଚାରୁଥାଏ ରମେଶବାବୁଙ୍କ ଭିତରେ ପ୍ରବେଶିଥିବା ଆତ୍ମା |

ଦିପୁର ପାଟି ଖନି ମାରି ଯାଉଥାଏ | ସଂଜୁ ତାକୁ ସାହସ ଦେବାକୁ ତା ହାତକୁ ଜାବୁଡି ଧରିଥାଏ |

ଦିପୁ......... : "କଣ ଚାହୁଁଚ, କିଏ ତମେ ମୋ ପଛରେ କାହିଁକି ପଡ଼ିଛ ? "|

ରମେଶବାବୁ କାନ୍ଦିବାକୁ ଲାଗିଲେ ........ : ମୁଁ କାମିନୀ , ଅନେକ ଥର ପ୍ରେମ ନିବେଦନ କରିଛି ତୁମକୁ | କିନ୍ତୁ ସବୁଥର ପ୍ରତ୍ୟାଖାନ କରିଛ | ତଥାପି ମୁଁ ହାରି ଯାଇନି..... ମୋ ପାଖରେ ଶରୀର ନଥିଲେ କଣ ହେଲା, ଏ ମନ ତ ଅଛି ଯେ ପର୍ଯନ୍ତ ତୁମକୁ ନେଇନି ମୁଁ କୁଆଡେ ଯିବିନି |

              ହି... ହି... କି ହସି ଆଣ୍ଠେଇ ଆଣ୍ଠେଇ ଏଥର ଆଗଉଥିଲେ ରମେଶ ବାବୁ | ସଂଜୁ ପ୍ରତିରୋଧ କରିବାରୁ ତାକୁ ଟେକି କାନ୍ଥକୁ ଫୋପାଡ଼ି ଦେଇ ଆଗକୁ ବଢ଼ୁଥିଲେ | ଦିପୁ ର ଗୋଡ ଧରି ଟାଣି ଟାଣି ନେଇଯାଉଥିଲେ ଦୂରକୁ ଦୂରକୁ  | ଦିପୁ ଜୋର କରି ସଂଜୁ... ସଂଜୁ ବୋଲି ଚିତ୍କାର କରୁଥାଏ |

        ସଂଜୁ ଶୁଣିଥିବା ଦିପୁର ସ୍ଵପ୍ନ ଯେପରି ସତ୍ୟ ହେବାକୁ ଯାଉଛି, ତାର ମନେ ପଡିଲା ରମେଶବାବୁ କହୁଥିଲେ ଦର୍ପଣ ଉପରେ ଯେପର୍ଯ୍ୟନ୍ତ ରକ୍ତ ଛିଟା ଅଛି ସେପର୍ଯ୍ୟନ୍ତ ଆତ୍ମା ଉପସ୍ଥିତ ରହିବ | ନିଜକୁ ଠିଆ ହେବାକୁ ପ୍ରସ୍ତୁତ କରିପାରୁ ନଥାଏ, ଯେପରି ତା ମେରୁଦଣ୍ଡ ଦୁଇଖଣ୍ଡ ହୋଇ ଯାଇଛି | ଅସହ୍ୟ ବେଦନାରେ ଚଟାଣ ଓ ହାତର ସାହାଯ୍ୟରେ ଆଗକୁ ବଢିବାକୁ ଚେଷ୍ଟା କରୁଥାଏ | ଦିପୁ ଏବେ ଆଖି ସାମ୍ନାରୁ ସମ୍ପୂର୍ଣ୍ଣ ଅନ୍ତର୍ଧ୍ୟାନ ହୋଇ ସରିଥିଲା | ତଥାପି ସଂଜୁ ସେ ରକ୍ତ ଛିଟାକୁ ଲିଭାଇବାରେ ସକ୍ଷମ ହୋଇଗଲା | କିଛି ସମୟର ବିରତି ପରେ ରମେଶବାବୁ ଦିପୁକୁ ସାଙ୍ଗରେ ନେଇ ଫେରୁଥିବାର ଦେଖୁଥିଲା ସଂଜୁ | ରାତି ପାହି ଆସୁଥାଏ, ତିନିଜଣ ଯେପରି ମୂକଭଳି ବସିଥାନ୍ତି | 

          ଦିପୁର ବାପା ଓ ଭାଇ ଆସି ପହଂଚି ସାରିଥାନ୍ତି | ଦିପୁକୁ ଘରକୁ ନେବାର ବ୍ୟବସ୍ଥା ଚାଲିଥାଏ |

ଦିପୁ ତା ଭାଇକୁ ପଚାରିଲା...... " ଗୁଲୁ, କାମିନୀର କଣ ଦେହ ଖରାପ ଥିଲା, ଏପରି ହଠାତ ମୃତ୍ୟୁ କିପରି ହେଲା ? " |

ଦିପୁର ବାପା - ଭାଇ ପରସ୍ପରକୁ ଦେଖୁଥାନ୍ତି |

ଗୁଲୁ.......... :" କାମିନୀ ନାନୀ ମାସ ତଳେ କାହା ସହ ଘରଛାଡି ଚାଲି ଯାଇଛି ବୋଲି ଗାଁର କିଛି ପିଲା ଦେଖିଥିଲେ ବୋଲି କହିଥିଲେ | କିନ୍ତୁ ତୁ କହୁଛୁ ସେ ଆଉ ନାହିଁ? ତତେ ଏସବୁ କିଏ କହିଲା?   !!! " |

ମାସେ ହେଲାନି କାମିନୀ ତା ସହ ରହୁଛି, ସେ ପୁଣି ଜାଣିନି ତାର କଣ ହୋଇଛି ......, ସଂଜୁ ମନେ ମନେ ଭାବୁଥାଏ ଏ କଥା |

ସମସ୍ତେ ଗାଁକୁ ଯାଇ ମିଛରେ କହିଥିବା ପିଲାଙ୍କୁ ଧରିଲେ, ମାଡ ଭୟରେ ସେମାନେ କାମିନୀ ସହ ଦୁଷ୍କର୍ମ କରି ତାକୁ ମାରି ପୋତିଦେଇଥିବା ଯାଗାକୁ ମଧ୍ୟ୍ୟ ଦେଖାଇଲେ | କାମିନୀର ଅର୍ଦ୍ଧଗଳିତ ଶବକୁ ଦାହ କରାଗଲା |

   କାମିନୀର ଭଲ ପାଇବା କୁ ମିଛି ମିଛିକା ମୁହଁରେ ଅସ୍ବୀକାର କରୁଥିବା ଦିପୁ କେତେଯେ କାମିନୀକୁ ଭଲ ପାଉଥିଲା ତାହା କେବଳ ସେହିଁ ଜାଣିଥିଲା, କିନ୍ତୁ କେବେ କହି ପାରିଲାନି |

                 

    


               



Rate this content
Log in

Similar oriya story from Horror