STORYMIRROR

Sudeshna Misra

Classics

4  

Sudeshna Misra

Classics

ସଦେଇପୁରର ଭାଗବତ ଟୁଙ୍ଗୀ

ସଦେଇପୁରର ଭାଗବତ ଟୁଙ୍ଗୀ

3 mins
280

ସବୁଦିନ ଭାଗବତ ଟୁଙ୍ଗିରେ ପୁରାଣ ପଢାଯାଏ। ସନ୍ଧ୍ୟା ସାତଟାରୁ ଆରମ୍ଭ ହୁଏ ଆଠଟା ସାଢେ ଆଠଟା ପର୍ଯ୍ୟନ୍ତ। ସେ ଗାଁର ବୁଢ଼ା ବୁଢ଼ୀ ଲୋକମାନେ ବସିକି ଶୁଣନ୍ତି। ଭାଗବତ ଛଡା ମହାଭାରତ, ରାମାୟଣ ଓ ଆହୁରି କେତେ କେତେ ପୌରାଣିକ ଓ ଧାର୍ମିକ ବହି ପଢାଚାଲେ। ସନ୍ଧ୍ୟା ବେଳଟା ସେମାନଙ୍କର କଟି ଯାଏ ସେଇଥିରେ, ଖୁସୀ ରେ । କିଛି କିଛି ଆଲୋଚନା ବି ହୁଏ। 

ଗାଁଟିର ନାଁ ସଦେଇପୁର। ମହେନ୍ଦ୍ର ବାବୁ ଚାକିରିରୁ ଅବସର ନେବା ପରେ ଯାଇ ନିଜ ଗାଁରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ପ୍ରମିଳା ପ୍ରଥମେ ପ୍ରଥମେ ଗାଁ ପ୍ରତି ବିମୁଖ ଥିଲେ। ଅବଶ୍ୟ ଗାଁ ରେ ସେ ସହରର ସବୁ ସୁବିଧା କରିଦେଇଛନ୍ତି। କୂଅରୁ ମୋଟର ପମ୍ପ ଲାଗିଛି ଓ ଉପରେ ପାଣିଟାଙ୍କି ଅଛି। ମାର୍ବଲ ସହିତ ନାଲି ସିମେଣ୍ଟ ଚଟାଣ ଘରେ ସବୁ ଆଧୁନିକ ସରଞ୍ଜାମ ସହ ଅନ୍ୟାନ୍ୟ ସବୁ ସୁବିଧା ରହିଛି ସେଇଠି। ତେଣୁ ଏବେ ଶ୍ରୀମତୀ ବେଶ୍ ଖୁସୀ ରହୁଛନ୍ତି। ଗାଁ ରେ ଜଣେ ଦିଜଣ ସାଙ୍ଗ ହେଇଗଲେଣି। ତେଣୁ ତାଙ୍କୁ ଆଉ ବୋର୍ ଲାଗୁନି। ଏଥର କୋଭିଡ ଭିତରେ ସାନପୁଅ ମାନସର ଅଫିସ୍ ବନ୍ଦ ହେବାଦ୍ବାରା ତାକୁ ଘରୁ କାମ କରିବାକୁ ପଡିଲା। ସେ ଆମେରିକାରେ ରହେ । ବାହା ହେଇନି ଏକା ଏକା କଣ କରିବ ? କିଛିଦିନ ଆମେରିକାରେ ନିଜ ଘରୁ କାମ କଲା। ତାପରେ ଭିସା ମିଳିବା ପରେ ଚାଲିଆସିଲା ଓଡ଼ିଶା। ପ୍ରଥମେ ଭାବୁଥିଲା ରାଜଧାନୀ ଭୁବନେଶ୍ଵରରେ ରହିବ ଘରଭଡ଼ା ନେଇ। କାରଣ ବାପା ମା ତ ଗାଁରେ ରହୁଛନ୍ତି। ଗାଁ କୁ ଥରେ ଯାଇ ଦେଖିଲା ନେଟର ସଂଯୋଗ ବେଶ ଭଲ। ତେଣୁ ଘରୁ ଅଫିସ୍ କାମ କରିବାରେ ଅସୁବିଧା ହେବନି। ଆଉ ଭୁବନେଶ୍ୱର ବି ଘଣ୍ଟାକର ବାଟ। ତାର ପୁରୁଣା ବାଇକ୍ ଟାକୁ ମରାମତି କରି କାମ ଚଳେଇଲା। 

ଗାଁ ରେ ରହିବା ଭିତରେ ସେ ଦେଖିଲା ବାପା ବୋଉ ପୁରା ଗ୍ରାମବାସୀ ହେଇ ଯାଇଛନ୍ତି। ଗାଁର ଭଲ ମନ୍ଦ ସବୁଥିରେ ଖାଲିରେ ସାମିଲ୍ ହେଇନାହାଁନ୍ତି, ବରଂ ନେତୃତ୍ୱ ନେଉଛନ୍ତି। ମାନସ ଗାଁ ରେ ରହିବାର ପନ୍ଦର ଦିନ ପରେ ଗାଁ ରେ ଗୋଟେ ମିଳିତ ଭୋଜିର ଆୟୋଜନ କରାଗଲା। ଯାହାର ମୁଖ୍ୟ ପୁରୋଧା ମହେନ୍ଦ୍ର ବାବୁ। ସେ ଟିକେ ଟିକେ ପୁଅ ମାନସକୁ ବି ସାହାଯ୍ୟ କରିବାକୁ କହିଲେ। ମାନସ ବି ବେଶ୍ ଆଗ୍ରହ ସହକାରେ ବୁଝାବୁଝି କଲା। ତାର ପିଲାଦିନେ କଥା ମନେ ପଡ଼ୁଥିଲା। ଭୁବନେଶ୍ୱର ତାଙ୍କ ଇଉନିଟ୍ ୬ ସ୍ଥିତ ବାପାଙ୍କ ସରକାରୀ ବାସଭବନର ପାଖାପାଖି ରହୁଥିବା ସାଙ୍ଗମାନେ ମିଶି ଭୋଜି କରୁଥିଲେ । ପ୍ରତ୍ୟେକ ନିଜ ଘରୁ ଚାଉଳ, ଡାଲି ପରିବା ଆଣି ସେ ଭୋଜି ହୁଏ। ସେ ମୂଖ୍ୟ ଭୂମିକା ନେଉଥିଲା ଏହି ଗାଁ ଭୋଜିରେ ବି ସେ ମାତିଗଲା। ଗାଁର କିଛି ଯୁବକ ବି ତା ସହିତ ଚିହ୍ନା ହେଲେ। ସେ ନିଜର ଆମେରିକା ଅନୁଭୂତି ତାଙ୍କୁ କହୁଥିଲା ବେଳେ, ସେମାନେ ଚାଷବାଷ, କୋଉ ଋତୁରେ କଣ ଫଳେ ବା କି ଫସଲ ହୁଏ , ଗାଁ ରାଜନୀତି ବିଷୟରେ ମାନସ କୁ କହୁଥିଲେ।

ଗାଁ ଭୋଜି ସରିବାପରେ ଦିନେ ମାନଙ୍କ ମା ପ୍ରମିଳା, ମାନସକୁ ବାପାଙ୍କ ଚଷମା ନେଇ ଭାଗବତ ଟୁଙ୍ଗିରେ ତାଙ୍କୁ ଦେଇଆସିବାକୁ କହିଲେ ? ମାନସ ଚଷମା ନେଇକି ଯାଇ ଦେଖିଲା ଚାଳଛପରର ଗୋଟିଏ ମଧ୍ୟମ ଆକାରର କୋଠରୀ। ଶୀତଦିନ ହେଇଥିଲେ ବି ତାଭିତରେ କେମିତି ଏକ ଉଷ୍ଣଭାବ। ଜଣେ ବ୍ୟକ୍ତି ଗୋଟିଏ ବହି ଧରି ପଢୁଥିଲେ। ସେଇଟା ବୋଧେ ପୁରାଣ । ତାପରେ ତାକୁ ବୁଝୋଉଥିଲେ। ସେତିକି ସମୟ ଭିତରେ, ମାନସର କାନରେ ପଡିଗଲା, ଧୃତରାଷ୍ଟ୍ରଙ୍କ ଜ୍ୟେଷ୍ଠପୁତ୍ର କିଏ ? ଆଉ ତାଙ୍କର କନ୍ୟାଙ୍କ ନାମ କଣ? 

ଏଇ ପ୍ରଶ୍ନ ସେ ବୋଧେ କୌନ୍ ବନେଗା କରୋଡପତିରେ ପଚରାଯିବା ପରି ମନେ ପଡୁଛି। କିଛି ସମୟ ସେଠି ରହି ଶୁଣିଲା ମାନସ। ଆଉଜଣେ କହିବାକୁ ଆସିଲେ। ବେଶୀ ଭିଡ଼ ନଥିଲା। ଗାଁ ରେ ସମସ୍ତେ ବେଶ୍ ଶୃଙ୍ଖଳିତ, ତେଣୁ ମୁହଁରେ ମୁଖା ବ୍ୟବହାର କରୁଥିଲେ, ଆଉ ଛାଡି ଛାଡି ବସିଥିଲେ। ପୁରାଣ କୁ ନେଇ ବିଭିନ୍ନ ଆଲୋଚନା ଚାଲିଥାଏ। ଘରକୁ ଫେରିଆସି କୌନ୍ ବନେଗା କରୋଡପତିର କେବିକେପି ଏପିସୋଡ୍ ନେଟରେ ଖୋଜିଲା। ସେଥିରେ ସେ ଦେଖିପାରିଲା, ଅନେକଗୁଡିଏ ପ୍ରଶ୍ନ ପୁରାଣରୁ ଆସିଛି। ତାପରଦିନ ସନ୍ଧ୍ୟାରେ ବାପା ବାହାରିଲା ବେଳେ ମାନସ ବି ବାହାରିଲା ତାଙ୍କ ସହିତ ଭାଗବତ ଟୁଙ୍ଗୀ।‌ କିରେ ତୁ କୁଆଡେ଼ ? ବାପା ପଚାରିଲେ

"ଭାଗବତ ଟୁଙ୍ଗୀ " ସେଦିନ ପ୍ରାୟ ଦେଢ଼ ଘଣ୍ଟା ସେମାନେ ବିତେଇଲେ, ଟୁଙ୍ଗୀରେ। ମାନସ ଗୋଟିଏ ଡାଏରୀ ନେଇକି ଗଲା , ଆଉ ତାକୁ ଯେଉଁଟା ଜାଣିବା କଥା ପରିସଲାଗିଲା, ତାକୁ ଟିପିକି ରଖୁଥାଏ। ଟିଭିରେ କୌନ୍ ବନେଗା କରୋଡପତି କାର୍ଯ୍ୟକ୍ରମ ପାଇଁ ଅନ୍ ଲାଇନ୍ ପ୍ରଶ୍ନ ସମସ୍ତଙ୍କ ପାଇଁ ଖୋଲାଥାଏ। ସେଇଥିରେ ଲୋକମାନେ କୃତକାର୍ଯ୍ୟ ହେଲେ କରୋଡପତି କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ।

ମାନସ ଆଇ.ଟି ପିଲା। ତା ଛଡା ଯୁକ୍ତ ଦୁଇରେ ବିଜ୍ଞାନ ଛାତ୍ର ଥିଲା। ସମ୍ବାଦ ପତ୍ର ଓ ପତ୍ରିକା ଇତ୍ୟାଦି ସେ ନିୟମିତ ପଢେ। ତେଣୁ ତାର ସାଧାରଣ ଜ୍ଞାନ ଭଲ। ନିଜ କ୍ୟାରିୟର ପାଇଁ ଅନ୍ଯସବୁ ବିଷୟରେ ମନ ଦେଇନଥିଲା ମାନସ। ପୁରାଣ ଶୁଣି ନିଜର ପାରମ୍ପରିକ କଥା ବିଷୟରେ ମଧ୍ୟ ଜାଣି ପାରିଲା। ଆଗରୁ ସେ କେବିକେପିରେ ଭାଗନେବା ପାଇଁ ଚେଷ୍ଟା କରୁଥିଲା। ଏଇ ଛମାସ ଭିତରେ ସେ ଅନ୍ୟାନ୍ୟ ସାଧାରଣ ଜ୍ଞାନ ପଢ଼ାପଢ଼ି ସହିତ ଏହି ପୁରାଣ ସମ୍ପର୍କିତ ଜ୍ଞାନକୁ ଯୋଡ଼ି ଦେଲା। ଭାଗ୍ୟକୁ ଯେଉଁ ପ୍ରଶ୍ନ ସବୁ ପଡ଼ିଥିଲା, ତାର ଉତ୍ତର ସେ ଜାଣିଥିଲା। ଆଶ୍ଚର୍ଯ୍ୟ ଜନକ ଭାବରେ ସେ ଏହି କାର୍ଯ୍ୟକ୍ରମ ରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେଇଗଲା। ଟିଭି ଚ୍ୟାନେଲରେ ଏହି କେବିକେପି କାର୍ଯ୍ୟକ୍ରମ ରେ ଭାଗନେଇ ମାନସ ୨୫ ଲକ୍ଷ ଟଙ୍କା ପାଇବାର ସୌଭାଗ୍ୟ ଲାଭ କଲା ଓ ଅମିତାଭ ବଚ୍ଚନଙ୍କ ପରି ସୁପର ଷ୍ଟାର୍ ଙ୍କ ସହ ସମୟ ବିତେଇ ପାରିଲା ଭାବି ଖୁସୀ ହେଉଥାଏ ମନେ ମନେ।



Rate this content
Log in

Similar oriya story from Classics