ସଚେତନ ହୁଅ
ସଚେତନ ହୁଅ


ପ୍ରଗତି ଓ ପ୍ରଣତି ଦୁଇଜଣ ପାଠପଢିବା ବେଳର ସାଙ୍ଗ। ବହୁଦିନ ପରେ ଦେଖା ହୋଇଛନ୍ତି । ପ୍ରଗତି ଦୁଇ କପ୍ ଚା କରିଆଣି ଦୁଇଜଣ ଯାକ ବସି ,ଢେଙ୍କାନାଳ ରୁ ଢିଙ୍କିଶାଳ ଯାଏଁ ଗପର ପରିସରକୁ ପଶିଆସିଲା। କେତେବେଳେ ଦିନ ଦୁଇଟାରୁ ଦିନ ଚାରିଟା ବାଜିଗଲାଣି ସେମାନଙ୍କୁ ଜଣା ନାହିଁ। ପୁଅ କୁମାର ସ୍କୁଲ ଛୁଟି ପରେ ଘରକୁ ଫେରି ଦେଖିଲା, ସପ୍ଲାଇ ପାଣି ଟ୍ୟାପଟି ଖୋଲା ଅଛି ,ଏବଂ ସେଥିରୁ ପାଣି ବୋହି ଚାଲିଛି । କୁମାର ଆଗ ଟ୍ୟାପ ବନ୍ଦ କରି ଯାଇ ମା କୁ କହିଲା, ମା ବର୍ତ୍ତମାନ ତୁମର ତ ପାଣି ଦରକାର ନାହିଁ ଟ୍ୟାପ ଟା ଖୋଲିଦେଇଛ ପାଣିଗୁଡାକ ଅଯଥା ତଳେ ବୋହିଚାଲିଛି କାହିଁକି ? ପ୍ରଗତି କହିଲେ ନାଇଁରେ ପୁଅ ,ପ୍ରଣତି ଆଣ୍ଟିଙ୍କ ସାଙ୍ଗରେ କଥା ହେଉଥିଲି ତ ସିଆଡକୁ ନଜର ନାହିଁ। ହଁ ମ ସପ୍ଲାଇ ପାଣି ତ ,କୋଉ ଆମର ବିଜୁଳି ଖର୍ଚ୍ଚ ହେଉଛି କି? କୁମାର କହିଲା ମା ତୁମେ ଏମିତି କଣ କହୁଛ,ସେଇ ସପ୍ଲାଇ ପାଣିକୁ ଆମମାନଙ୍କ ସୁବିଧା ପାଇଁ ସପ୍ଲାଇ କର୍ତ୍ତୃପକ୍ଷ କେତେ ବିଜୁଳି ସାରି ଯୋଗାଇ ଦେଉଛନ୍ତି କହିଲ? ତୁମେ ସେ ପାଣିକୁ ଅଦରକାରରେ ଏପରି ନଷ୍ଟ କରୁଛ କାହିଁକି ? ତୁମପରି ଯଦି ସବୁ ଗୃହିଣୀ ମାନେ ଏଇଆ ଭାବିବେ ,ତେବେ ଜଳ ଉତ୍ସ ନଷ୍ଟ ହୋଇଯିବା ପରେ ଆବଶ୍ୟକ ପାଇଁ ପିଇବା ପାଣି କେଉଁଠୁ ମିଳିବ? ଗଲା ଫନି ବାତ୍ୟା ବେଳ କଥା ମନେ ପକାଇ ପାରୁନ? ପିଇବା ପାଣି ଟିକିଏ ପାଇଁ କେତେ ଡହଳବିକଳ ହେଉଥିଲେ ଆମେମାନେ ? ସ୍କୁଲରେ ସାରେ ଆମକୁ କହୁଥିଲେ ଧୀରେ ଧୀରେ ଭୂତଳ ଜଳ ଉତ୍ସ ସରି ଆସୁଛି । ଆଉ କେତେ ବର୍ଷ ପରେ, ଆବଶ୍ୟକ ହେଉଥିବା ପାଣି ମିଳିବ ନାହିଁ ,ସେଥିପାଇଁ ସରକାର ସମସ୍ତ ଙ୍କୁ ଆଗାମୀ ଦିନ ପାଇଁ ସତର୍କ କରାଇ ,କହୁଛନ୍ତି, ନିଜ ନିଜର ଘର ଛାତ ଉପରେ ଜଳ ସଂରକ୍ଷଣ ପ୍ରକଳ୍ପ ତିଆରି କରି, ବର୍ଷାଜଳ ସଞ୍ଚୟ କରି ରଖିବାକୁ । ନହେଲେ ଆଗକୁ ନାହିଁ ନିବେଦନ ଥିବା ଅସୁବିଧା ସୃଷ୍ଟି ହେବ। ଏସବୁ ଶୁଣି,ପ୍ରଣତି କହିଲେ ଆଲୋ ପ୍ରଗତି, କୁମାର ଯାହା କହୁଛି ନିରାଟ ସତକଥା । ଆମେ ସିନା ପିଲାମାନଙ୍କୁ ବୁଝାଇ ସତର୍କ କରିବା କଥା,ଏବେ ତୋ ପୁଅଟି କେଡେ ବୁଦ୍ଧିଆ କହିଲୁ ଦେଖି? ସେ ଆମମାନଙ୍କୁ ସଚେତନ କରାଉଛି । ସତରେ ଜଳ ହିଁ ତ ଜୀବନ ନା,ଆମେ ବୁଝିବା ଉଚିତ୍ ।