ସଚ୍ଚୋଟତା
ସଚ୍ଚୋଟତା
ଛତ୍ରପତି ଶିବାଜୀଙ୍କ ସମୟରକଥା । ତାଙ୍କ ମାତା ଜୀଜାବାଈଙ୍କର ବିଶ୍ୱସ୍ତ କର୍ମଚାରୀ ଥିଲେ ମୁଣ୍ଡକ । ଜୀଜାବାଈ ତାଙ୍କର ବିରାଟ ବଗିଚାର ରକ୍ଷଣା ବେକ୍ଷଣ ରଦାୟିତ୍ୱ ମୁଣ୍ଡକଙ୍କୁ ଦେଇଥିଲେ । ବଗିଚାଟି ବିଭିନ୍ନ ରଙ୍ଗର ଫୁଲ ଫଳରେ ଅତି ମନ ମୁଗ୍ଧକର ଶୋଭା ଧାରଣ କରିଥାଏ । ଗ୍ରୀଷ୍ମ ସମୟ, ଆମ୍ବଗଛ ଗୁଡିକ ଫଳରେ ପୂର୍ଣ୍ଣ ହୋଇଥାଏ । ମୁଣ୍ଡକ ପ୍ରତିଦିନ ପରି ସେଦିନ ବଗିଚାକୁ ବୁଲାବୁଲି କରିବାକୁ ଯାଇ ତାର ରକ୍ଷଣା ବେକ୍ଷଣ ବିଷୟରେ ଅନୁଧ୍ୟାନ କରୁଥାନ୍ତି ।ହଠାତ୍ ଗଛକୁ ଚାହିଁ ଦେଖିଲେ ଆମ୍ବ ଗଛର ପତ୍ର ଗହଳରେ ଲାଲ ଟୁକୁଟୁକୁ ଆମ୍ବଟିଏ ପାଚି ଓହଳିଛି । ସେଇଟିକୁ ଦେଖି ଲୋଭ ସମ୍ବରଣ କରି ନପାରି ଆମ୍ବଟିକୁ ଛିଣ୍ଡାଇ ନିଜ ଘରକୁ ଆଣିଲେ । ଲୋଭର ବଶବର୍ତ୍ତୀ ହୋଇ ଆମ୍ବଟିକୁ ଆଣିବା ବେଳୁ ତାଙ୍କର ମନ ଭାରାକ୍ରାନ୍ତ ହୋଇଗଲା । ସନ୍ଧାସମୟକୁ ପ୍ରାର୍ଥନା କରିବାକୁ ଯିବାବେଳେ ଅଶାନ୍ତ ମନ ଅସ୍ଥିର ହେବାକୁ ଲାଗିଲା । ବିବେକ କହିଲା ସେ କେବଳ ଜୀଜାବାଈଙ୍କର ସମ୍ପତ୍ତି, ତୁ ଚୋରାଇ ଆଣିଲୁ କାହିଁକି?ଅସ୍ଥିର ଚିତ୍ତରେ ପ୍ରାର୍ଥନା କରିବା ସମ୍ଭବ ହୋଇପାରିଲା ନାହିଁ । ସିପାହୀଟିଏ ପ୍ରହରା ଦେଉଥାଏ । ତା ପାଖକୁ ଯାଇ ମୁଣ୍ଡକ କହିଲେ ମୁଁ ଚୋର । ଏଇ ହାତରେ ଚୋରି କରିଛି । ମୋର ହାତ ଦୁଇଟିକୁ କାଟିଦିଅ । ସିପାହୀଟି କିଛି ବୁଝି ନ ପାରି ଅବାକ୍ ହୋଇ ଚାହିଁ ରହିଲା । ମୁଣ୍ଡକ ନ ଛୋଡ ବନ୍ଧା ।ସିପାହୀଟି କିଂକର୍ତ୍ତବ୍ୟ ବିମୂଢ ହୋଇ ,ଜୀଜାବାଈଙ୍କ ନିକଟକୁ ଧାଇଁଲା । ଜୀଜାବାଈ ମୁଣ୍ଡକଙ୍କ ନିକଟକୁ ଆସି ତାଙ୍କ ଠାରୁ ସବୁକଥା ଶୁଣି କହିଲେ -ବାବୁରେ ତୁମେ ଚୋରି କରିଛ,ଅବଶ୍ୟ ଦଣ୍ଡ ପାଇବ । କିନ୍ତୁ ତୁମର ହାତ କଟାଯାଇ ପାରିବ ନାହିଁ । ତୁମ ପରି ଗୋଟିଏ ସତ୍ୟନିଷ୍ଠ,ବିଶ୍ୱସ୍ତ,ସଚ୍ଚୋଟ କର୍ମଚାରୀର ଚୋରୀ ଅପରାଧ ପାଇଁ, ତୁମ ଶାର୍ଟର ଦୁଇଟି ଯାକ ହାତ କାଟିଦିଆ ଯିବ । ମୁଣ୍ଡକଙ୍କର ସଚ୍ଚୋଟତା ଓ ଜୀଜାବାଈଙ୍କର ମହାନତା ଉଭୟ ସମାଜ ପାଇଁ ନମସ୍ୟ ହୋଇ ପାରିଲେ । ଆଶା ଆଜିର ବିଭ୍ରାନ୍ତ ମନସ୍କ ମାନଙ୍କ ଉପରେ କିଛି ପ୍ରଭାବ ପଡିବ।