ସବୁଜ ହୀରା
ସବୁଜ ହୀରା
ତୁ ଟିକେ ଉଠି ବସି ଯା ମା
ଦେଖୁନୁ ଦେଖ୍, କେତେ ପଇସା ଆଣିଛି l
ତୁ ମୋତେ ଅଭିମାନ କରି ଶୋଇ ପଡିଗଲୁ କି ମା???
ତୁ ମନା କରୁଥିଲି ପତର ତୋଳି ନ ଯିବା ପାଇଁ, ମୁଁ କିନ୍ତୁ ତୋ କଥା ନ ମାନି ଚାଲିଗଲି ଗାଆଁ ଲୋକ ଙ୍କ ସାଙ୍ଗରେ , ସେମାନେ ଯେମିତି କୋଡ଼ିଏ ବାଇଶି କେଞ୍ଚୁରିପତ୍ର ତୋଳି ଇପରେ ଓ ତଳେ ଦିଟା ପତର ଦେଇ କେରା କରନ୍ତି, ମୁଁ ସେଇପରି କଲି l ଗଣି ଗଣି ପୁରା ୨୦୦ ଜେରା, ମାନେ ଦୁଇଶ ଟଙ୍କା l ହଁ ହଁ ଜାଣିଛୁ, ବୋହି ପାରି ନ ଥିଲି, କିନ୍ତୁ ଧନିଆଁ ଦାଦା ମୋତେ ମୁଣ୍ଡେଇ ଦେଲେ। ଦଶ କିମି ଦୂର ଚାଲି ଚାଲି ଫଡ଼ିରେ ଦେଲି, ସେ ଖୁସି ହୋଇଗଲେ ଆଉ ଅଧିକା ତିନିଶ ଟଙ୍କା ମଧ୍ୟ ହେଲେ , କହିଲେ ବଇନା ରଖି ଥା, ଆଉ ଦିନେ ପତର ତୋଳି ଦେବା ପାଇଁ l
ଏଇ କଥାଟିକୁ ଚାଉଁକିନା ମୁଣ୍ଡକୁ ନେଇ ଭଙ୍ଗା ଖଟିଆରୁ କଡ ଲେଉଟେଇଲେ ରୁଦୁନା l
ନାଇଁ, ନାଇଁ, ବୁଲି...
ତୁ ଆଉ ଯାଆନା କେନ୍ଦୁ ପତର ତୋଳି l କାହିଁକି ମା....????
ଏଇ ହପ୍ତେ କି ଦି ହପ୍ତା ପାଇଁ ମାଆ ଯିବାକୁ ଦେ
କିଛି ପଇସା ହେଇ ଯାଉ l
ହଁ ଯେ ....ଘନ ଘନ ନିଶ୍ବାସ ମାରିଲେ କେଉଁଠୁ ଆରମ୍ଭ କରିବେ????
ହେଲେ କେମିତି ବୁଝେଇବେ ସେ ଏଗାର ବର୍ଷର ଝିଅକୁ ବିଗତ ଦିନରେ ଘଟିତ ଅଭାବନୀୟ ପରିସ୍ଥିତି l ଯା ପାଇଁ ସବୁ ଦିନ ପାଇଁ ମନର ମଣିଷ ଆରପାରିକୁ ଚାଲିଗଲେ.....
ଆଖି ଆଗରେ ନାଚି ଉଠିଲା
ସବୁଜ ହୀରାର ପ୍ରତିଛବି l
ରାଇଜ ସାରା କେନ୍ଦୁ ପତରର ଗୋଟେ ନୂଆ ନାଆଁ l ରାଇଜ ସାରା ହୁରୀ ପଡୁଥାଏ" ନନ୍ଦିନୀ ନାନୀ ବଡ ଚତୁରୀ, ଚାଉଳ କିଲ କ ଟଙ୍କେ ସତୁରୀ " ସେଇ ନନ୍ଦିନୀ ଶତପଥୀ କେନ୍ଦୁ ନିଗମ ଗଠନକରି କେନ୍ଦୁ ପତର ତୋଳାଳୀ ପରିବାରଙ୍କ ପାଇଁ ନାନା ପ୍ରକାର ଯୋଜନା ପ୍ରଣୟନ କରିଥାନ୍ତି l ଗାଆଁ ଭୁଇଁ ସବୁ ଖୁସିରେ ତାଙ୍କ ଗୁଣ ଗାନ କରୁଥିଲେ l ଖାଲି ତେଲ ଲୁଣ ଯୁଗାଡ ପାଇଁ ବୁଲି ବାପା ବାହାରି ପଡୁଥିଲେ ଜଙ୍ଗଲକୁ ପତର ତୋଳି l ଘର ଚଲେଇବାରେ କିଛି ଅଭାବ ଅସୁବିଧା ହେଉ ନ ଥିଲା l ଏପରିକି ସାହି ଭାଇ ବି ରିଣ କରଜ ନିଅନ୍ତି ତାଙ୍କ ଘରୁ l ଯୋଗୀ ଭିକାରୀ କେବେ ଖାଲି ହାତରେ ଫେରିନ୍ତି ନାହିଁ l ତାଙ୍କୁ ମେଳା ମଉଛବ , ଯାନି ଯାତରା, ଗାଆଁ ଠାକୁରାଣୀ ମାଜଣା ଇମିତି ଅନେକ କାମରେ ଖୋଜା ପଡେ l ଇମିତି ଦିନେ ଗାଆଁ ଲୋକେ ମେଳିକରି ତାଙ୍କୁ ମେଳି ସରଦାର କଲେ l ସେଇ ମେଳିରେ ସେ ସାମିଲ୍ ହୋଇ କେନ୍ଦୁପତରର ଉଚିତ୍ ମୂଲ୍ୟ ପାଇବା, ବିଭିନ୍ନ ବୀମା, ସରକାରୀ ସାହାଯ୍ୟ ଆଦି ସବୁ ସୁବିଧା ସୁଯୋଗକୁ ପାଇବା ପାଇଁ ଗାଆଁ ମୁଣ୍ଡ ପଡିଆରେ ସଭା କରିଥିଲେ l ଆଉ ସେଇଠୁ ବାହାରିଲେ କେନ୍ଦୁ ଫଡ଼ିବାବୁଙ୍କ ପାଖକୁ l ସେତେବେଳେ ପ୍ରାୟ ଦିନ ଗୋଟାଏ ବାଜିଥାଏ l ବାରଣ୍ଡାକୁ ଉଠି ଯାଉ ଯାଉ ଦେଖିଲେ ଫଡିବାବୁ ପାଖ ଗାଆଁର ଜଣେ ପତର ତୋଳାଳୀ ନାବାଳିକାକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତା ସହ ଦୈହିକ ସମ୍ପର୍କ ରଖିବାକୁ ଚେଷ୍ଠା କରୁଥିଲେ l ସେ ୟାକୁ ଦେଖି ନାନା ପ୍ରକାର ଗାଳି ଦେଲେ l ଆଉ ଗାଆଁ ଲୋକଙ୍କୁ ଏକଥା କହିବାକୁ ଗାଆଁ ମୁହାଁ ହେଲେ ରାଗ ତମତମ ହୋଇ l କିନ୍ତୁ ବାଟରେ ଆସୁଥିଲା ବେଳେ ଫାଡ଼ି ବାବୁ ଗୁଣ୍ଡା ଲଗେଇ ତାଂକୁ ସବୁଦିନ ପାଇଁ ଦୁନିଆଁରୁ ହଟେଇ ଦେଲେ l ଆଉ ସେଇ ଦିନଠୁ ସେ ଝୁରି ଝୁରି ଜିବନ ବିତାଉଛନ୍ତି l ଖାଲି ବୁଲିର ମୁହଁକୁ ଅନେଇ ପେଟକୁ ମୁଠେ ଦାନା ନେଉଛନ୍ତି l
ଏମିତି ଭାବି ଚାଲିଥିଲା ବେଳେ ବୁଲି କହି ଉଠିଲା ..
ଏ ବୋଉ ତୁ ଇମିତି ଉପରକୁ ଅନେଇ କଣ ଭାବି ଚାଲୁଛୁ???
ତୁ ବ୍ୟସ୍ତ ହୁଅନା ମା...
ମୁଁ ପାଠ ପଢି ମଣିଷ ହେବି ସରକାର ପରା ଆମ ପରି ପରିବାର ଙ୍କ ପାଇଁ ସବୁଜ କାର୍ଡ କରିଛନ୍ତି l
ତୁ ଏତେ ଭାଙ୍ଗି ପଡନି ମା...
ନିଶ୍ଚୟ , ମା ନଗାରୀ ଶୁଣି ଆମ ଡ଼ାକ ଶୁଣିବେ l ଏଇପରି ବୁଲି ମା କୁ ବୁଝେଇ ଚାଲୁଥିବା ବେଳେ ସତକୁ ସତ ଗାଆଁ ମାଷ୍ଟ୍ରେ ସାଇକେଲ ରେ ଆସି ପହଞ୍ଚି ଗଲେ l ତାଙ୍କ ମୁଁହରୁ ବୁଲିର ନବୋଦୟ ବିଦ୍ୟାଳୟରେ ନାଆଁ ଲେଖା କଥା ଓ ରାଜ୍ୟ ସ୍ତରରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମାସିକ ତିନି ହଜାର ସାହାଯ୍ୟ ପ୍ରଦାନ କଥା କହିଲେ l ଖବର ଶୁଣି ବୁଲି ଖୁସିରେ ଆତ୍ମହରା ହେଉଥିବା ବେଳେ ମାଆର ନିଶ୍ବାସ ଧିରେଧିରେ ବନ୍ଦ ହେଉଥିବା ଲକ୍ଷ୍ୟକଲା l
ମା ମା ଡାକ ପକେଇ ଆଖିରୁ ଲୁହ ନିଗାଡି ଚାଲୁଥାଏ ବୁଲି.... ହେଲେ ଡାକ ଲମ୍ବି ଚାଲୁଥିଲା
ଯେଉଁ ଡାକରେ କେନ୍ଦୁ ପତର ସବୁ ଦୋହଲି ଯାଉଥିଲା ସବୁଜ ସଂକେତ ଦେଇ ଜନ ଜୀବନର କଥା କହିକହି l