Prasanta kumar Hota

Inspirational

3  

Prasanta kumar Hota

Inspirational

ସବୁ ସାହାଯ୍ୟ ସେହି ପ୍ରଭୁଙ୍କର

ସବୁ ସାହାଯ୍ୟ ସେହି ପ୍ରଭୁଙ୍କର

9 mins
10.3K


ଅସ୍ତଗାମୀ ସୂର୍ଯ୍ୟର କିରଣ ମହାନଦୀ ର ଜଳ ରାଶି ଉପରେ ବିଛାଡ଼ି ହୋଇ ପଡିଥାଏ ସତେ ଯେମିତି ଲୋହିତ ବର୍ଣ୍ଣର ଚାଦର ଘୋଡ଼ାଇ ରଖିଛି ନୀଳ ଜଳ ରାଶିକୁ।

ଡଙ୍ଗା କେତୋଟି ଭାସି ବୁଲୁଥାଏ ନୀଳ ଜଳରାଶି ଉପରେ । ଅଦୁରରେ କାଶତାଣ୍ଡି ସହିତ ଅନ୍ୟାନ୍ୟ ଫୁଲର ବନ୍ୟାରେ ନଦୀପଠା ଶୋଭନୀୟ ଦିଶୁଥାଏ । ଏ ଦୃଶ୍ୟ କବି ର କଳ୍ପନା ପରି ଲାଗୁଥିଲେ ବି ପଶ୍ଚିମ ଦିଗବଳୟ ର ଶୋଭା ଏହାର ସତ୍ୟତାକୁ ସଙ୍କେତ ଦେଉଥାଏ ।

ସେଇ ଅସ୍ତଗାମି ସୂର୍ଯ୍ୟ କୁ ଏକ ଲୟ ରେ ଚାହିଁ ବସିଥାନ୍ତି ପରିମଳ ବାବୁ । ଅବସର ପରଠାରୁ ଏହା ତାଙ୍କର ନିଶା ନହେଲେ ବି ଅଭ୍ୟାସରେ ପରିଣତ ହେଇଗଲାଣି। ମହାନଦୀ ର ଘାଟ ଉପରେ ବସି ସନ୍ଧ୍ୟା ର ଦୃଶ୍ୟ କୁ ଉପଭୋଗ କରୁକରୁ ନିଜ ପରବର୍ତ୍ତୀ ସମୟର ଆଗମନକୁ ଦେଖିଥାନ୍ତି ସେ । ମୁହଁ ଅନ୍ଧାର ହେଲେ ପୁଣି ବାହୁଡି ଯାଆନ୍ତି।

ପାଖ ଉଦ୍ୟାନରେ ଆଲୋକ ଜଳି ଉଠିଲେ ଧୀରେ ଧୀରେ ବାହାରନ୍ତି ପରିମଳ ଘର ଆଡେ ।

ସେଦିନ ହଠାତ୍ ଦୃଷ୍ଟିରେ ପଡିଲା ଛଟପଟ ହେଇ କାନ୍ଦୁଥିବା ଆଠ ଦଶ ବର୍ଷର ବାଳକଟିଏ। କାହାର ବି ତା ଉପରେ ଦୃଷ୍ଟି ପଡୁନଥାଏ । ପାଖରେ ତାର ମାଆ ବୋଧେ ଅଚିନ୍ତା ଶୋଇଥାଏ ।

ପରିମଳ କାରଣ କଣ ଜାଣିବା ପାଇଁ ପାଖକୁ ଗଲେ। ଯାହା ଦେଖିଲେ ହୃଦୟ ତାଙ୍କର ବ୍ୟଥିତ ହୋଇ ଉଠିଲା। କିଛି କ୍ଷଣ ପାଇଁ ଦେହ ଥରି ଉଠିଲା। ଯୋଉ ମାଆକୁ ସେ ଶୋଇଛି ବୋଲି ଭାବୁଥିଲେ ସେ ଚିର ଦିନ ପାଇଁ ଶୋଇ ଯାଇଥାଏ। ଯୋଉ ବାଳକଟି ବିକଳରେ କାନ୍ଦୁଥାଏ ସେ ଭୋକ ବିକଳରେ କାନ୍ଦୁଥାଏ। ମାଆ ତାର ଉଠିଲେ ଖାଇବାକୁ ଦେବ। ସେ ଜାଣି ମଧ୍ୟ ନଥାଏ ଯେ ତା ମାଆ ଆଉ ଏହି ଦୁନିଆ ରେ ନାହିଁ।

ପରିମଳ ତୁରନ୍ତ ପାଖ ଲୋକଙ୍କୁ ଡାକିଲେ। ପିଲାଟିକୁ କିଛି ଖାଇବାକୁ ଦେଇ ପୋଲିସ ଥାନାରେ ଜଣାଇ ଦେଲେ। ଏସବୁ ଜିନିଷ ଏତେ ଶୀଘ୍ର ଘଟିଗଲା ଯେ କିଛି କ୍ଷଣ ପୂର୍ବର ସାନ୍ଧ୍ୟକାଳୀନ ଐଶ୍ଵରୀୟ ଦୃଶ୍ୟ ଦାରୁଣ ବାସ୍ତବତାର ନଗ୍ନ ସତ୍ୟତାରେ ବିଦୀର୍ଣ୍ଣ ହେଇ ଯାଉଥିଲା।

ଫୋନ୍ କରି ପରିମଳ ଘରକୁ ସବୁ ଜଣାଇଦେଲେ। ପୋଲିସ୍ ସହାୟତାରେ ସମସ୍ତ ଔପଚାରିକ କାର୍ଯ୍ୟ ନିଜେ ତୁଲାଇଲେ।

ପିଲାଟି ଅସ୍ତବ୍ୟସ୍ତ ହୋଇ ସମସ୍ତଙ୍କୁ ଦେଖୁଥାଏ। ସମସ୍ତେ ତାକୁ ବାସୁ ବୋଲି ଡାକୁଥାନ୍ତି।

ସବୁ କାର୍ଯ୍ୟ ସରିଗଲା ପରେ ଯିଏ ଯୁଆଡେ ପଳାଇଲେ। ବାସୁ ଏକୁଟିଆ ବସିଥାଏ। ଆଖି ଲୁହ ଶୁଖି ଶୁଖି ମୁହଁ ପୁରା କଳା ପଡି ଯାଇଥାଏ।

ପରିମଳ କଣ ଭାବି ଯେତେବେଳେ ଫେରି ପଛକୁ ଦେଖିଲେ ବାସୁ ଏକୁଟିଆ ଯୂଇ ନିଆଁ ପାଖରେ ବସିଥାଏ। ପରିମଳ ଆଉ ଅପେକ୍ଷା ନକରି ବାସୁ ପାଖକୁ ଯାଇ ପଚାରିଲେ ତୋର ଘର କୋଉଠି।

ବାସୁ କହିଲା ଆମର ଘର ନାହିଁ। ତୋ ବାପା କିଏ ପଚାରିବାରୁ କହିଲା ମୁଁ ଜାଣିନି। ସେ ମରି ଯାଇଛି ବୋଲି ମା କହୁଥିଲା। ମୋ ମା ଜଣେ ବାବୁଙ୍କ ଘରେ ରହି କାମ କରୁଥିଲା। ତା ଦେହ ଖରାପ ହେବାରୁ ଆମକୁ ଆଣି ଗାଡିରେ ଏଇଠି ଛାଡି ଦେଇ ପଳାଇଲେ। ସେହି ଦିନଠାରୁ ଆମେ ଏଇଠି ବୁଲୁଛୁ।

ପରିମଳ ପଚାରିଲେ ମୋ ସାଙ୍ଗରେ ଯିବୁ। ବାସୁ ହଁ କହିଲାରୁ ପରିମଳ ସାଙ୍ଗରେ ଘରକୁ ନେଇ ଆସିଲେ। ସେତେବେଳକୁ ପ୍ରାୟ ରାତି ବାରଟା ବାଜି ଥାଏ । ବାସୁ କୁ କ୍ଷୀର ଟିକିଏ ପିଇବାକୁ ଦେଇ ପରିମଳ ପତ୍ନୀ ସୁଧା କୁ କହିଲେ ମୋର ଖାଇବାକୁ ଇଛା ନାହିଁ। ମୁଁ ଶୋଇ ପଡୁଛି।

ଏ ପିଲାଟା ଏଇ ଘରେ ଶୋଇଥାଉ।

ଏମିତି ରାତିରେ ବାହାରେ ପଡି ରହିଥିଲେ କୋଉ ବିଲେଇ କି କୁକୁର ବି ୟାକୁ ଖାଇଦେବେ। ଶୋଇବାକୁ ଗଲାବେଳକୁ ସୁଧାଦେବୀ ଆସି ଦେଖିଗଲେ ଛୁଆଟିକୁ ।ସେମିତି ଡ୍ରଇଂ ରୁମ ର ବେଡ୍ ଉପରେ ବସିଥାଏ। ବେଳେବେଳେ ଶୋଇବାକୁ ଚେଷ୍ଟା କରୁଥାଏ।

ସକାଳ ହେଲାରୁ ପ୍ରାତ ଭ୍ରମଣରୁ ଫେରି ପରିମଳ ସାଙ୍ଗରେ କିଛି ଖାଇବାକୁ ଧରି ଆଣିଥାନ୍ତି।

ସକାଳୁ ଉଠି ସୁଧା ମଧ୍ୟ ବାସୁ ସାଙ୍ଗରେ କଥା ହେଉଥାନ୍ତି। ତାଠାରୁ ସମସ୍ତ କଥା ଶୁଣି କିଛି ବୁଝିବା ପାଇଁ ଚେଷ୍ଟା କରୁଥିଲେ। ତାପରେ ସମସ୍ତେ ମିଶି ଏକା ସାଙ୍ଗରେ ସକାଳ ଭୋଜନ କଲେ।

ପରିମଳ ସୁଧାଙ୍କୁ କହିଲେ ଏ ପିଲାଟା ଆମର ନୂତନ ଦାୟିତ୍ବ। ସୁଧା ପ୍ରଥମେ ଅମଙ୍ଗ ହେଉଥିଲେ। ପରିମଳ ବୁଝାଇବାକୁ ଚେଷ୍ଟା କଲେ। କହିଲେ ଭଲ ନ ଲାଗିଲେ ଅନାଥାଶ୍ରମ ରେ ଛାଡ଼ି ଦେବା। ଏବେଠୁ କାହିଁକି ବ୍ୟସ୍ତ ହେଉଛ।

କିଛି ଦିନ ଗଲାରୁ ସୁଧାଙ୍କୁ ବାସୁ ଆଚରଣ ଖୁବ୍ ଭଲ ଲାଗୁଥାଏ।

ସୁଧାଙ୍କୁ ଲାଗୁଥାଏ ସତେଯେମିତି ଜୀବନର ସଞ୍ଜରେ ସୂର୍ୟୋଦୟ ହେଇଛି। ବାସୁ ରୂପରେ କର୍ମର ନୂତନ ଦାୟିତ୍ଵ ପାଇ ଯାଇଛନ୍ତି। ବାସୁ ମଧ୍ୟ ଧିରେ ଧିରେ ସବୁ କଥା ମନଧ୍ୟାନ ଦେଇ ଶୁଣିବାକୁ ଚେଷ୍ଟା କରେ। ଏବେ ସେ ଘର ଲୋକ ପରି ସବୁ କାମ କରୁଥାଏ। ବାସୁ ର କଥାବାର୍ତ୍ତାରୁ ବ୍ରାହ୍ମଣ ବୋଲି ଜାଣିବାରୁ ପରିମଳ ତାକୁ ମନ୍ଦିରରେ ବ୍ରତ ବି କରେଇ ଦେଲେ। ସେହି ଦିନଠାରୁ ସେ ସମସ୍ତ ପୌରହିତ୍ୟ କର୍ମ ଶିଖିବାରେ ଲାଗିଗଲା । ପରିମଳ ଜଣେ ବୟସ୍କ ଜ୍ଞାନୀ କର୍ମକାଣ୍ଡିଙ୍କୁ ସେଥିପାଇଁ ନିଯୁକ୍ତି କରିଥାନ୍ତି। ସୁଧା ଦେବୀ ନିଜେ ମଧ୍ୟ ସ୍କୁଲ୍ ପାଠ୍ୟକ୍ରମର ସମସ୍ତ ଦାୟିତ୍ବ ନେଲେ।

ଯେଉଁ ବାଳକର ଅଗ୍ରଗତି ପାଇଁ ଶିକ୍ଷାବିତ୍ ପରିମଳ ଓ ସଫଳ ଶିକ୍ଷୟିତ୍ରୀ ସୁଧାଦେବୀ ହାତ ଦେଇଛନ୍ତି ସେହି ବାଳକର ଜୀବନରେ ଅନ୍ଧାର ବା କେତେ ଦିନ ଘୋଡାଇ ରଖିବ। ଧିରେ ଧିରେ ବାସୁ ପୌରହିତ୍ୟରେ ପାରଙ୍ଗମ ହୋଇ ଉଠିଲା। ଶ୍ଳୋକ ଉଚ୍ଚାରଣ ଏତେ ଶ୍ରୁତି ମଧୁର ହେଉଥିଲା ଯେ ସୁଧାଦେବୀ ଆତ୍ମବିଭୋର ହୋଇ ଉଠୁଥିଲେ। ନିଜ ପୁତ୍ର ଦୀପୁର ଅନୁପସ୍ଥିତ ଯୋଗୁଁ ତାଙ୍କୁ ଯେତେ ଦୁଃଖ ଲାଗୁଥିଲା ଏବେ ଆଉ ଲାଗୁନାହିଁ। ନାତି କଥା ମନେ ପଡିଗଲେ ସେ ବାସୁକୁ ଦେଖି ସବୁ ଭୁଲି ଯାଆନ୍ତି।

ଦୀପୁ ପରିମଳଙ୍କ ଏକମାତ୍ର ପୁତ୍ର। ବାଙ୍ଗାଲୋର ରେ ରହିବା ପରଠାରୁ ତାର ଘରକୁ ଆସିବା କମି ଯାଇଥିଲା। ଯେଉଁ ଦିନଠାରୁ ଆମେରିକା ଗଲେଣି ଘରକୁ ଆସିବା ଏକରକମ ବନ୍ଦ ହେଇଯାଇଛି। ବୋହୁ ଲିସା ଆଉ ନାତି ଲିପୁ କୁ ବି ଦେଖିନାହାନ୍ତି ଚାରି ବର୍ଷ ହେବ। ଏମିତି କଦବା କେତେବେଳେ ଫୋନରେ କଥା ହୁଅନ୍ତି। ପୁଅର ଆନ୍ତର୍ଜାତିକ ସଂସ୍ଥାର କାମଚାପ ଆଉ ନାତିର ପାଠପଢା ପାଇଁ ସମୟ ମିଳୁନି ବୋଲି କହନ୍ତି। ଶେଷଥର ଯେତେବେଳେ ଦୀପୁ ଆସିଥିଲା ବାସୁ ନୂଆ ହୋଇ ଘରକୁ ଆସିଥାଏ। ଉପଦେଶ ଛଳରେ ବାପାଙ୍କୁ କହିଥିଲା - ଆଜିକାଲି ତ ପିଲା ମିଳୁ ନାହାନ୍ତି। ଭଲ ହେଲା ତମକୁ ସାହାଯ୍ୟ କରିବ। କିନ୍ତୁ ବେଶୀ ଆଶ୍ରୟ ଦେଇ ବିଶ୍ୱାସ କଲେ କେତେବେଳେ କିଛି ବି ହୋଇପାରେ ତେଣୁ ଟିକେ ସତର୍କରେ ଥିବ। ତା ପରଠାରୁ ଦୀପୁର ଆଉ ଆସିବା ହେଇ ନାହିଁ। ଫୋନରେ କଥା ହେଲେ ବାସୁ କଥା ପଚାରେ। ସତର୍କରେ ରହିବା ପାଇଁ ଉପଦେଶ ବି ଦିଏ।

ଦୀପୁକୁ ବର୍ତ୍ତମାନ ସମୟ ବାହାର କରି ଘରକୁ ଆସିବା ବଡକଷ୍ଟ। କେତେଥର ଦୀପକ ଅବଶ୍ୟ କହିଛି ବାପା ବୋଉଙ୍କୁ ଆମେରିକା ଆସି ବୁଲିଯିବା ପାଇଁ। ହେଲେ ପରିମଳ କାହିଁକି କେଜାଣି ଯାଇ ପାରି ନାହାନ୍ତି ଘର ଓ ସାହି ପଡିଶାଙ୍କ ଆତ୍ମୀୟତା କୁ ଛାଡି। ଦୀପକ ର ପାଠପଢା ସମୟରେ ବି ସେ କୁଆଡେ ଯାଇପାରୁ ନଥିଲେ । ସୁଧାଦେବୀ ମଧ୍ୟ ପୁଅ ବଡ ହେବା ପରେ ନିଜ ଶିକ୍ଷୟିତ୍ରୀ ଚାକିରୀ ଛାଡି ଦେଇ ପୁଅର ଶିକ୍ଷାରେ ଧ୍ୟାନ ଦେଇ ଥିଲେ । ପୁଅର ଆଗରେ ନିଜ ଚାକିରୀଟି କୁ ସେ ନିହାତି ଛୋଟ ମନେ କରୁଥିଲେ । ସେହି ତ୍ୟାଗ ଯେ ମୂଲ୍ୟହୀନ ହେଲା ତା ନୁହେଁ। ପୁଅକୁ ସେ ସଠିକ୍ ଭାବରେ ଯୋଗ୍ୟତା ଦେଇ ସମାଜରେ ଉଚ୍ଚ ଆସନ ଦେଇ ପାରିଲେ। ଦୀପକ iit /iim ପାସ କରିଛି । ଏହାଠାରୁ ବଡ ସଫଳତା କଣ। ଏକଥା ଭାବି ପରିମଳ ସୁଧା ଉଭୟେ ଗର୍ବ କରନ୍ତି ନିଜ ପୁଅ ଉପରେ। କିନ୍ତୁ ଯେଉଁ ଆଶା ଟିକକ ପୁଅ ବୋହୁ ଙ୍କ ପାଖରେ ଅନୁଚ୍ଚାରିତ ହୋଇ ଥାଏ ତାର ଅପ୍ରାପ୍ତିରେ ମନରେ ଦୁଃଖ ଭରି ଯାଏ। କହିବେ ବା କାହାକୁ। ସମସ୍ତେ ନିଜ ନିଜ ଯାଗାରେ ନିଜ ଯୁକ୍ତି ଅନୁସାରେ ଠିକ୍।

ବେଳେବେଳେ ସୁଧାଦେବୀ ଲୁଚେଇ ଲୁଚେଇ କାନ୍ଦନ୍ତି ନାତି ଟୋକାର ଛୋଟ ବେଳେର ଫୋଟୋ କୁ ଧରି, କେଡେ ବଡ ହେବଣି ଲିପୁ ବୋଲି ଭାବନ୍ତି । ତାକୁ ଟିକେ କୋଳରେ ଧରି ଦିଅନ୍ତେ, ଗେଲ କରନ୍ତେ, କେତେ କଥା ଶୁଣାଇବାକୁ ଇଛା କରନ୍ତେ। କିନ୍ତୁ ଏମିତି ଭାବନାଯେ ନିରର୍ଥକ କୁହନ୍ତି ପରିମଳ ବାବୁ। ନାତି ଯେ ତାଙ୍କର ଓଡ଼ିଆ ବୁଝୁନି, କହୁନି ଅବା ଜେଜିମା ସାଙ୍ଗରେ ଏମିତି ଗପ ହେବା ପାଇଁ ଇଛା କରୁନି ସେ ଜାଣି ମଧ୍ୟ ଅଜଣା ହୁଅନ୍ତି । ପରିମଳ କହନ୍ତି କୌଣସି ଜିନିଷ କାହା ଉପରେ ଜବରଦସ୍ତି ଲଦି ଦେଲେ ତ ସେଇଟା ଅନ୍ୟ ପାଇଁ ଦୁଃଖ ର କାରଣ ହେଇଯିବ। ସୁଧା ଦେବୀ ଚୁପ ରୁହନ୍ତି।

ଆଜିକାଲି ସୁଧାଦେବୀ ବାସୁ ସହ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି। ବାସୁ ବି ଜେଜେମାଆର ସମ୍ମାନ ରଖି ଉତ୍ତର ଦିଏ। ବାସୁ କଥା ସୁଧାଙ୍କୁ ଭଲ ଲାଗେ ।

ବାସୁକୁ ଭୋକ ହେଲେ ସେ ମା’ଙ୍କୁ ପିଲାଟିଏ ପରି ଡାକେ। ତାର ମନକଥା ଜାଣି ମା ମଧ୍ୟ ଖାଇବା ଆଣି ଥୋଇ ଦିଅନ୍ତି।

ଚଳ ଚଞ୍ଚଳ ଜୀବନରେ ସମୟ କାହାକୁ ଅପେକ୍ଷା କରେ ନାହିଁ। ବାସୁ ଏବେ ଅଠର ବର୍ଷ ହେଲାଣି। ପୂଜା ଆଦି ସମସ୍ତ କାର୍ଯ୍ୟ ରେ ତାକୁ ଆଗ ଡକା ହେଉଛି। ଦଶହରାରେ ଚଣ୍ଡୀ ପାଠ କଲେ ସାହିଯାକ ଲୋକ ତା କଣ୍ଠ ଶୁଣିବେ ବୋଲି ରୁଣ୍ଡ ହୋଇ ଯାଆନ୍ତି।

ପରିମଳ ଓ ସୁଧାଦେବୀ ଏବେ ଘରେ ଆନେକ ସମୟରେ ପୂଜା ରଖନ୍ତି। ଆନନ୍ଦ ବି ପାଆନ୍ତି। ମଝିରେ ମଝିରେ ସାହି ଲୋକ ଓ ଘର ଲୋକ ଏକାଠି ହେଲେ ତାଙ୍କ ହୃଦୟ ସଫଳତା ରେ ପୁରି ଉଠେ।

ଆଗରୁ ଯେମିତି ପୁଅ ବୋହୁ ଙ୍କ ଫୋନ୍ କଲ୍ ଟିଏ ଶୁଣିବା ପାଇଁ ରାତି ଅନିଦ୍ରା ହୋଇ ବସୁଥିଲେ। ଏବେ ଆଉ ବସୁ ନାହାନ୍ତି। ଯେତେବେଳେ ଫୋନ୍ ଆସେ କଥା ହେଇ ଯାଆନ୍ତି।

ଏ ପରିବର୍ତ୍ତନର ଆଭାସ ମଧ୍ୟ ପୁଅ ବୋହୁ ଅନୁଭବ କଲେଣି। ବୋହୁ ଲିସା ମଝିରେ ମଝିରେ କହିଦିଏ -ବାସୁ ବଡ ହେଇଗଲାଣି। ଏବେ ତାକୁ ଘରେ ରଖିବା ଠିକ୍ ହେବ ନାହିଁ। ଆଜିକାଲି ଅନେକ କଥା ଘଟୁଛି। ଆମକୁ ଡାକିଲେବି ଆମେ ଆମେରିକା ରୁ ଯାଇ ପହଞ୍ଚି ପାରିବୁ ନାହିଁ। ସବୁ ଶୁଣି ପରିମଳ ଓ ସୁଧା ହଁ କହି ଉତ୍ତର କୁ ଶେଷ କରି ଦିଅନ୍ତି।

ବାର୍ଦ୍ଧକ୍ୟ ପୀଡା ତ ଜୀବନ ଜଞ୍ଜାଳ ର ଏକ ଅଙ୍ଗ। ପରିମଳ ବା ବ୍ୟତିକ୍ରମ ହେବେ କେମିତି। ଥରେ ସୁଧା ଦୀର୍ଘଦିନ ଧରି ଶଯ୍ୟାଶାୟୀ ହୋଇ ଗଲେ। ପୁଅ ବୋହୁ ଙ୍କୁ ଦୁଇ ତିନି ଥର ଖବର ଦିଆଗଲା। ଯିବୁ ଯିବୁ କହି ରହିଗଲେ। ପରିମଳ ମଧ୍ୟ ହତୋତ୍ସାହ ହୋଇ ଆଉ ଫୋନ୍ କଲେ ନାହିଁ।

ବାସୁ ର ଅକ୍ଳାନ୍ତ ସେବା ପୂଜା ପାଠ ବେକାର ଗଲା ନାହିଁ। ସୁଧା ଦେବୀ ଠିକ୍ ହେଲାପରେ ଦିନେ ବାସୁକୁ କହିଲେ- ମୁଁ ଜାଣିନି ରେ ବାପା କେଉଁ ପୂଣ୍ୟ ବଳରେ ଆମେ ତୋତେ ଏ ଘରେ ପାଇଛୁ। ମୋର ଗୋଟିଏ ଛୋଟ କଥା ରଖନ୍ତୁ ନାହିଁ।

ବାସୁ ନମ୍ର ଭାବରେ ଉତ୍ତର ଦେଲା - କୁହନ୍ତୁ ମା। ଗୋଟିଏ କାହିଁକି ହଜାରେ କୁହନ୍ତୁ । ମୋର ପ୍ରତିଦାନ ଦେବାର ସାମର୍ଥ୍ୟ ମଧ୍ୟ ଭଗବାନଙ୍କ ପାଖରେ ପରୀକ୍ଷା ହୋଇ ଯାଆନ୍ତା।

ସୁଧାଙ୍କ ଆଖିରୁ ଦୁଇ ଠୋପା ଲୁହ ଗଡି ଆସିଲା । ଆଖି ଲୁହ କୁ ପୋଛୁ ପୋଛୁ ସୁଧା କହିଲେ - ମୋତେ କଥା ଦେ ମୋର ମୃତ୍ୟୁ ସମୟରେ ତୁ ମୋ ପାଖ ଛାଡି କୁଆଡେ ଯିବୁନି।

ବାସୁ ସୁଧାଦେବୀ ଙ୍କ ପାଦ ଛୁଇଁ ପ୍ରଣାମ କରି କହିଲା - ଏହା ହିଁ ହେବ ମା। ମୁଁ ତୁମ ପାଖେ ପାଖେ ରହି ଥିବି। ଆଜିଠାରୁ ମୁଁ ପୂଜା କଲା ବେଳେ ଠାକୁର ଙ୍କୁ ଯଦି କିଛି ମାଗିବି ଏହାହିଁ ମାଗିବି ମୋତେ ଯେମିତି ତୁମର ଶେଷ ସମୟ ପର୍ଯ୍ୟନ୍ତ ସେବା କରିବାର ସୁଯୋଗ ମିଳିବ। ମୋ ପାଇଁ ଏହାଠୁ ବଳି ଆଉ ବଡ ଭାଗ୍ୟ କଣ ହେଇ ପାରିବ। ସୁଧା ପୂର୍ଣ ବିଶ୍ୱାସରେ ବାସୁ ଆଡେ ଅନାଇ ହସି ଦେଇ କହନ୍ତି ମୁ ଜାଣିଛି ତୁ ମୋ କଥା ରଖିବୁ।

ହଁ ମା ନିଶ୍ଚୟ ରଖିବି। ଆପଣ ମୃତ୍ୟୁ ବିଷୟରେ ଏତେ ଆଲୋଚନା କରନ୍ତୁ ନାହିଁ। ମୁଁ ବି କାନ୍ଦି ପକେଇବି।

ହୋଉ ହୋଉ କହି ସୁଧା କଥା ବନ୍ଦ ରଖି ପୁଣି ଅନ୍ୟ କଥା ହୁଅନ୍ତି।

ପରିମଳ ଆଜି ଯାଇନଥାନ୍ତି ତାଙ୍କ ପ୍ରିୟ ସୂର୍ଯ୍ୟାସ୍ତ ଦେଖିବାକୁ । ମା ରାତିରେ କିଛି ଖାଇବେନି ବୋଲି କହିଥିଲେ । ତାଙ୍କ ଦେହ ଭଲ ଲାଗୁନଥିଲା।

ଡା, ହୃଦାନନ୍ଦ ବାବୁ ବୁଝାଇଛନ୍ତି ତାଙ୍କର କିଛି ହେବ ନାହିଁ ହେଲେ ସୁଧାଦେବୀ ପୁଅ କଥା ମନେ ପକାଇ କାନ୍ଦିବାରେ ଲାଗିଥାନ୍ତି। ସତେକି ତାଙ୍କ ଘରଟି ପୁଅ ବିନା ଖାଲିଖାଲି।

ପରିମଳ କହିଲେ ଅତୀତର ସ୍ମୃତି ମୁଠାଏ ଛଡା ଆଉ ତାଙ୍କ ପାଖେ କିଛି ନାହିଁ। ପରିମଳ ଫୋନ କରି ଦୀପୁକୁ ଜଣାଇ ଦେଲେ।

ଏମିତି ଅନେକ କଥା ଭାବିଭାବି ସୁଧାଦେବୀ ଶୋଇ ପଡିଲେ। ପାଖରେ ବାସୁ ଜଗିଥାଏ।

ରାତି ଖାଇବା ସମୟ ହେବାରୁ ବାସୁ ମାଙ୍କୁ ଉଠାଇଲା। ମା ପଚାରିଲେ ତୁ କିଛି ଗୋଟାଏ କରି ମୋ ପୁଅକୁ ଡାକି ଆଣି ପାରନ୍ତୁନି। ତୁ ପାରିବୁ ବାପା। ତୋ ପାଖରେ ଦିବ୍ୟ ଶକ୍ତି ଅଛି। ମୋର ଟିକେ ତାକୁ ଦେଖିବାକୁ ଇଛା ହେଉଛି।

ବାସୁ ଭାବନାରେ ପଡିଗଲା। ଟିକିଏ ରହି ପଚାରିଲା -ମା ହେବ ଯେ! କିନ୍ତୁ ମୋ ପାଇଁ ଟିକେ ମିଛ କହିବାକୁ ପଡିବ।

ସୁଧା ବ୍ୟଗ୍ର ହୋଇ ପଚାରିଲେ କଣ କହିବି କହ। ମୋ ପୁଅ ଆସିବ ତ?

ବାସୁ ପରିମଳ ଙ୍କୁ ଦେଖି କହିଲା ଆପଣ ପୁଅକୁ ଫୋନ କରି କୁହନ୍ତୁ ବାସୁ ଆମକୁ ବହୁତ କଷ୍ଟ ଦେଉଛି। କେତେବେଳେ କଣ ହେଇଯିବ ତମେମାନେ ଆସି କିଛି ଗୋଟାଏ ବ୍ୟବସ୍ଥା କର। ନହେଲେ ଏ ଘରବାଡି ଆଉ କିଛି ରହିବ ନାହିଁ।

ସୁଧା ଶୁଣି ଚମକି ଉଠି ବସି ପଡିଲେ। କହିଲେ ଜିଭ ମୋର ଛିଡି ଯିବ। ତୁ କଣ କହୁଛୁ

ବାପାରେ ମୁଁ ଏତେ ବଡ କଥା କହି ପାରିବି ନାହିଁ। ମୋର କିଛି ଦରକାର ନାହିଁ ବୋଲି ସୁଧା କହିଲେ।

ବାସୁ ବୁଝାଇବା ଆଳରେ କହିଲା ମା କୌଣସି ଭଲ ଉଦ୍ଦେଶ୍ୟରେ ମିଛ କହିବା ଖରାପ ନୁହେଁ। ତାପରେ ମୁଁ କିଛି କାମରେ ଲାଗି ପାରିଲେ ମୋ ଜୀବନଟା ବି ସାର୍ଥକ ହେଇଯିବ ।

ସୁଧା ଜମାରୁ ରାଜି ହେଲେ ନାହିଁ କହିଲେ ଗୋଟିଏ ସୁଖ ପାଇବା ପାଇଁ ଆଉ ଗୋଟିଏ ସୁଖ ମୁଁ ତ୍ୟାଗ କରି ପାରିବି ନାହିଁ। ମୁଁ ମୋର ଭାଗ୍ୟ ଅନୁସାରେ ବାକି ଜୀବନ ବିତାଇବି।

ସମସ୍ତେ ଚୁପ୍ ରହିଲେ। ବାସୁ ସବୁଦିନ ଭାଗବତ ପୁରାଣ ଆଦି ପଢି ଶୁଣାଏ। ସାହି ପଡିଶା ଲୋକେ ବି ଆସି ଶୁଣନ୍ତି। ଅନେକ ଦିନ ଏମିତି ଚାଲିଗଲା। ସୁଧା ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ତଲାବୁଲା କରୁଥାନ୍ତି। ଦୀପୁ ଦିନେ ଫୋନ୍ କରି କହିଲା- ମା ଆମେ ଆସୁଛୁ।

ସୁଧା ବିଶ୍ଵାସ କରି ପାରିଲେ ନାହିଁ। ପଚାରିଲେ ସତରେ ନା କଣ।

ହଁ ମୋ ଆସିବା ବିଷୟରେ କାହାକୁ କିଛି କହିବ ନାହିଁ ବୋଲି ସତର୍କ କରାଇ ଦେଲା। ସୁଧା ଯେତେ ପଚାରିଲେ ଦୀପୁ କିଛି କହିଲା ନାହିଁ। କେବଳ ଏତିକି କହିଲା ଏଇଟା ବହୁତ ଜରୁରୀ ତେଣୁ କାହାକୁ କିଛି କହିବ ନାହିଁ। ମୁଁ ସାତ ଦିନ ମଧ୍ୟରେ ପହଞ୍ଚି ଯାଉଛି।

ସୁଧା ଚିନ୍ତା ରେ ପଡିଗଲେ। କାହାକୁ କିଛି ନକହିଲେ ବି ତିନି ଚାରି ଦିନ ପରେ ପରିମଳଙ୍କୁ କହିଦେଲେ।

ପରିମଳ କହିଲେ ରୁହ ଏତେ ବ୍ୟସ୍ତ ହୁଅନି। ଯଦି କହୁଛି କାହାକୁ କହିବ ନାହିଁ । ସେ ଆସିଲେ ସବୁ ଜଣା ପଡି ଯିବନି।

ସୁଧା ଅଜଣା ଆଶଙ୍କାରେ ନୀରବ ରହିଲେ।

ସତକୁ ସତ ସମସ୍ତେ ବସି ଦିନେ ଚାହା ପିଉଛନ୍ତି ଦୀପୁ ପରିବାର ସହିତ ଘରେ ଆସି ପହଞ୍ଚି ଗଲା। ସାଙ୍ଗରେ ପୋଲିସ ଗାଡିବି ଥାଏ। ଜଣେ ଇନିସପେକ୍ଟର କନେଷ୍ଟବଳ ସହିତ ପଶି ଆସି ପଚାରିଲେ - ଏଠି ବାସୁ କିଏ? ସୁଧା ଉଠି ପଡି ପଚାରିଲେ କଣ ହେଲା କାହିଁକି ଖୋଜୁଛ? ଦୀପୁ ବାହାରି ଆସି କହିଲା ମୁଁ fir ଦେଇଛି। ବାସୁ ଆଉ ତମକୁ ହଇରାଣ କରି ପାରିବ ନାହିଁ।

ହେ ପ୍ରଭୁ କହି ସୁଧା ଉଠି ଆସିଲେ। ପରିମଳକୁ ପଚାରିଲେ ତମେ କଣ ଏ ନାଟ ଲଗେଇଛ। ପରିମଳ ମନା କଲେ। ବାସୁ କହିଲା - ମା ମୁ କହିଛି। ମୋ ପାଖରେ ଆଉ କିଛି ଉପାୟ ନଥିଲା। ମୁଁ ଜେଲ ଗଲେ ବି ମୋର ଦୁଃଖ ନାହିଁ।

ତୋତେ କିଏ ଜେଲ ନେବ ମୁଁ ଦେଖିବି।

ଦୀପୁ କିଛି ବୁଝି ପାରୁ ନଥାଏ। ପୋଲିସ ବି ସମସ୍ତଙ୍କୁ ପ୍ରଶ୍ନବାଚୀ ଦୃଷ୍ଟିରେ ଦେଖୁଥାଏ। ଦୀପୁ ନୀରବତାକୁ ଭାଙ୍ଗି ପଚାରିଲା ମୋତେ ଏହି ନମ୍ବରରୁ କଲ ଆସିଥିଲା -ବାସୁ ମୋ ବାପା ମାଙ୍କୁ ହଇରାଣ କରୁଛି।

ପୋଲିସ ଇନିସପେକ୍ଟର କିଛି କହିବା ପୂର୍ବରୁ ବାସୁ କହିଲା ସବୁ ସେ କରିଛି। ଏପରି କରି ନଥିଲେ ମାଆ କଣ ତାଙ୍କ ପୁଅକୁ ଦେଖି ପାରିଥାନ୍ତେ।

ସୁଧା ବାସୁକୁ କୁଣ୍ଢାଇ ଧରି କହିଲେ ଯାହା କରିଛୁ ଭଲ କରିଛୁ। ସମସ୍ତେ ହସିଲେ। ବାସୁ ସମସ୍ତଙ୍କୁ ଜଳଯୋଗରେ ଆପ୍ୟାୟିତ କଲା। ରାତିରେ ଶୋଇଲା ବେଳକୁ ବାସୁ ପରିମଳ ଓ ସୁଧା ଦେବୀଙ୍କ ପାଖରେ ବସି ଅନେକ କଥା ହେଉଥାଏ। ସେହି ଅବସ୍ଥାରେ ସୁଧା ଦେବୀଙ୍କ ଗୋଡ ପାଖେ ମୁଣ୍ଡ ରଖି କେତେବେଳେ ଶୋଇ ପଡିଛି ଯେ ପାହାନ୍ତା ହେବାରୁ ନିଦ ଭାଙ୍ଗିଗଲା। ସୁଧା ଦେବୀଙ୍କ ଗୋଡ ଥଣ୍ଡା ଲାଗୁଥାଏ। ବାସୁ ହଲେଇ ଦେଇ ମା ମା ଡାକିଲା। ଆଉ କିନ୍ତୁ ସେ ନିଦ ଭାଙ୍ଗିଲା ନାହିଁ। ସମସ୍ତେ ଧଡପଡ ହୋଇ ପାଖକୁ ଆସିଲେ। ସବୁ କିନ୍ତୁ ସରି ଯାଇଥିଲା। ଡାକ୍ତର ଆସି ଔପଚାରିକତା ସାରିଦେଲେ।

ପରିମଳ ଆଖିରୁ ଲୁହ ପୋଛି ଦେଇ କହିଲେ ସୁଧା କାଲି ରାତିରେ କହୁଥିଲେ ଏଥରକ ମୁଁ ଶାନ୍ତି ରେ ମରିଯିବି। ଭଗବାନ ମୋତେ ଏଥିପାଇଁ ଅଟକାଇ ରଖିଥିଲେ।

ସବୁ ଇଛା ସେହି ପ୍ରଭୁଙ୍କର କହି ବାସୁ କାଦି ଉଠିଲା ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational