ସବୁ ପଛରେ ପଡିରହନ୍ତି
ସବୁ ପଛରେ ପଡିରହନ୍ତି
ହଠାତ୍ ବୁଲି ପଛକୁ ଚାହିଁଲି।
ଯେଉଁଠାରୁ ଯାତ୍ରା ଆରମ୍ଭ କରିଥିଲି ତାହା ଦିଶୁ ନ ଥିଲା।
ଏତେ ବାଟ ଚାଲି ଆସିଲିଣି ତେବେ ! ମନକୁମନ କହିଲି।
ଯାତ୍ରା ବେଶ୍ କ୍ଳାନ୍ତି ଓ କୋହମିଶା ଥିଲା।ଆଗକୁ ଆଗକୁ ଖୁବ୍ ଅଜଣା ଲାଗୁଥିଲା ବାଟ।କେଉଁଆଡେ ଯାଉଛି, କେଉଁଠାରେ ପହଞ୍ଚିବି - ତାହା ମଧ୍ୟ ଜାଣି ପାରୁ ନ ଥିଲି।ତଥାପି ଚାଲୁଥିଲି ଏକ ବିରାମହୀନ ଗତିରେ। ଜୀବନ, ସମୟ ଓ ନଈ - ଏମାନେ ତ କେବେ କେଉଁଠାରେ ଅଟକି ଯିବାର ଦେଖିବାକୁ ମିଳେ ନାହିଁ। ଯାତ୍ରା ଭାରି ଦୀର୍ଘ ଦୀର୍ଘ ଲାଗୁଥିଲା।ତଥାପି ଚାଲିଥିଲି।ଚାଲିବାକୁ ବାଧ୍ୟ ଥିଲି।
ମନେ ପଡୁଥିଲା ଯେତେ ଯେତେ କଥା ସବୁ ପଛରେ ରହି ଗଲେଣି।ମାଟିଲିପା ଚାଳଘର,ଜଳକବାଟି ନ ଥିବା ବଖରା, ମେହଗାନି କାଠ ପଲଙ୍କରେ ସ୍ତ୍ରୀଙ୍କ ସହିତ ପ୍ରଥମ ଦିନ, ପହିଲି ରାତି - ସବୁ ଗୋଟି ଗୋଟି ମନେ ପଡୁଥିଲା।
ବିଦେଶରେ ଚାକିରୀ କରୁଥିଲି।ସମୁଦ୍ର କୂଳରେ ଗୋଟିଏ ଛୋଟ ବଙ୍ଗଳାରେ ରହୁଥିଲି।ଖଣ୍ଡେ ଦୂରରେ ସମୁଦ୍ର ଗର୍ଜ୍ଜୁଥିଲେ ବି ମତେ କେମିତି ନିର୍ଜନ ନିର୍ଜନ ଲାଗୁଥିଲା ସେ ଜାଗା।ସ୍ତ୍ରୀ ପାଖକୁ ଆସିଲେ।ଦୁଇ ଜଣ ସାଙ୍ଗ ହୋଇ ରହିଲୁ।ଦୁଇରୁ ତିନି, ତିନିରୁ ଚାରି ହେଲୁ।ପୁତ୍ରକନ୍ୟାର ପରିବାରଟି ପୂର୍ଣ୍ଣ ପୂର୍ଣ୍ଣ ଲାଗିଲା।ତଥାପି କାହିଁକି କେଜାଣି ଏକା ଏକା ଲାଗୁଥିଲା।
ପିଲା ଦୁହେଁ ବଡ ହେଲେ।କିଏ କୁଆଡେ ଚାଲିଗଲେ।ଇଏ ଅନେକ ଦିନର କଥା।ବହୁତ ପଛରେ ଯାଇ ରହିଲାଣି ସେସବୁ।
ସମୟର ସ୍ରୋତ ଏତେ କ୍ଷୀପ୍ର ଗତିରେ ବହୁଛି !
ପିଲାଙ୍କର ନାଁ କ'ଣ ରଖିବା, କିଏ ଭବିଷ୍ୟତରେ କ'ଣ ହେବ, କେଉଁଠାରେ ହେବ ଦୁହିଙ୍କର ବାହାଘର, ଜୀବନ କେମିତି ଆଗକୁ ବଢିବ - ସବୁ ସେହି ବଙ୍ଗଳାରେ ଥାଇ ଆମେ ସ୍ବାମୀ ସ୍ତ୍ରୀ ଦୁହେଁ ସ୍ବପ୍ନ ଦେଖୁଥିଲୁ।ବଙ୍ଗଳାଟି ଆମକୁ ଚଢେଇର ବସା ପରି ଲାଗୁଥିଲା।
ବଙ୍ଗଳା ସାମ୍ନାରୁ ଭାସି ଆସୁଥିବା କେତକୀ ଫୁଲର ମହମହ ବାସ୍ନା, ଦିଶୁଥିବା କାଜୁ ବଣର ସୌନ୍ଦର୍ଯ୍ୟ, ବଦଳୁଥିବା ଋତୁ, କୋଇଲିର କୁହୁ ଗୀତ,ବର୍ଷ ମାସ ଦିନ ଦଣ୍ଡ, ରାଗ ରୋଷ,ଅଭିମାନ, ଦେହର ସୁଖ ଦୁଃଖ - ସବୁ ଏବେ ଯାଇ ବହୁତ ପଛରେ ରହିଗଲେଣି।
ଜୀବନ ଆଜି ଅଛି, ହୁଏ ତ କାଲିକୁ ନ ଥିବ।ଚାଲୁଥିଲି,ଚାଲୁଛି, ଚାଲୁଥିବି।ହେଲେ ସବୁବେଳେ ଅସୁମାରୀ ଅପାଶୋରା ଅନୁଭବକୁ ସାଙ୍ଗରେ ନେଇ ଚାଲି ହେବ ନାହିଁ।ସେସବୁ ପଛରେ ରହିବେ ହିଁ ରହିବେ।ଏବେ ଏମିତି ଭାବିବାକୁ ପଡୁଥିଲା।ଟିକିଏ ଅବସର ମିଳିଗଲେ ଭାବୁଥିଲି।
ଆହା ! କେତେ କେତେ କଥା ନିଭେଇବାକୁ ନ ପଡେ ଏଠି ଯଥେଷ୍ଟ ନିଷ୍ଠାର ସହିତ ଏକାତ୍ମ ଭାବରେ ଜଡ଼ିତ ହୋଇ !କେତେ ଶ୍ରମ ଓ ସମୟ ପୁଣି ବ୍ୟୟ କରିବାକୁ ନ ହୁଏ !ସବୁ ଧୀରେଧୀରେ ପଛରେ ରହିଯାଏ।ମନେପଡେ ନା ମନେ ପକେଇ ହୁଏ ସେସବୁକୁ ! - ଅନୁଭବ କରୁଥିଲି।
ସୁଦୂର ଦିଗବଳୟ ଆଡେ ଅତି ଦ୍ରୁତ ଗତିରେ ଚାଲି ଯାଉଥିଲା ସମୟ।କେମିତି ଯେ ଯାଉଥିଲା ଆଦୌ ବୁଝି ହେଉ ନ ଥିଲା।ଜଣା ବି ପଡୁ ନ ଥିଲା।ତା ' ସହିତ ଧାଇଁ ପାରୁ ନ ଥିଲି।ସବୁ ପଛକୁ ରହି ଯାଉଥିଲା।କିଏ କ'ଣ ଧରି ରଖିପାରେ ସମୟକୁ ! ରହିପାରେ ତା' ସହିତ ! ପୁଣି କରିପାରେ ତାକୁ ଏକାନ୍ତ ଆପଣାର !
ଆଗକୁ ଆଗକୁ ଯିବାକୁ ଜୀବନ ଚାହିଁଥାଏ ସବୁବେଳେ।
କଥା ସବୁ ପଛରେ ରହିବ ହିଁ ରହିବ।
ଜୀବନକୁ ଅଟକାଇ ହେବ କ'ଣ !
ତେଣୁ କଥା ସବୁ ଯଦି ପଛରେ ପଡି ରହନ୍ତି, ତେବେ ରହନ୍ତୁ।କ୍ଷତି କ'ଣ !
ଜୀବନ ଜିନ୍ଦାବାଦ୍।
ଏମିତି ଭାବିବାକୁ ବାଧ୍ୟ ହେଲି।
ଆଉ ପଛକୁ ବୁଲି ନ ଚାହିଁ, ଆଗକୁ ଆଗକୁ ଚାଲିଲି।