Prasanta kumar Hota

Inspirational

3  

Prasanta kumar Hota

Inspirational

ସବୁ ଇଛା ସେହି ଜଗନ୍ନାଥ

ସବୁ ଇଛା ସେହି ଜଗନ୍ନାଥ

9 mins
13.4K


ପରିମଳ ଯେତିକି ଶିକ୍ଷିତ ଥିଲା ସେତିକି ଉଦ୍ୟୋଗୀ ମଧ୍ୟ ଥିଲା ।ସେଥିପାଇଁ ନିଜ ଉପରେ ପ୍ରଚଣ୍ଡ ଭରସା ବି ଥିଲା । ଭାଗ୍ୟ ଓ ଇଶ୍ଵରୀୟ ସତ୍ତା ଉପରେ ସେ ଏତେ ଗୁରୁତ୍ଵ ଦେଉ ନଥିଲା । ଗୁରୁତ୍ଵ ଦେଉଥିବା ବ୍ୟକ୍ତିଙ୍କୁ ଲଘୁ ମନ୍ତବ୍ୟ ଦେବାକୁ ବି ପଛାଉ ନଥିଲା । ଯୁକ୍ତି ଥିଲା ଯାହା ପ୍ରାପ୍ୟ ଯାହା ବାସ୍ତବ ତା ପ୍ରତି ଯଦି ଆମର ନିଷ୍ଠା ନାହିଁ ତାହେଲେ ଅବାସ୍ତବ ଓ ଅପ୍ରାପ୍ୟ ବିଷୟ ବସ୍ତୁ ଉପରେ ଆମର ଏତେ ନିଷ୍ଠା କଣ ପାଇଁ । ଏସବୁ କେବଳ ଆଳସ୍ୟର ଆଳ ନଚେତ୍ ନିଷ୍କର୍ମା ହେବାର କାରଣ ନୁହେଁ କି!

ପରିମଳ ସାଙ୍ଗରେ କେହି ଅଧିକ ଯୁକ୍ତି ଲାଗନ୍ତି ନାହିଁ କାରଣ ତାଙ୍କ ଜ୍ଞାନ ଆଗରେ ବେଶି ସମୟ କେହି ତିଷ୍ଠି ପାରନ୍ତି ନାହିଁ । ପ୍ରକୃତରେ ବି ସେ କର୍ମଠ ଚଞ୍ଚଳ ଓ ଶୃଙ୍ଖଳିତ । ଅସଫଳତା କଣ ସେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି । ଜୀବନର ପ୍ରତ୍ୟେକ ପାହାଚରେ ସଫଳତା ତାଙ୍କୁ ତାଙ୍କ ନିଜସ୍ୱ ଅବଦାନ ବୋଲି କହିବାକୁ ପ୍ରେରଣା ଦେଇଛି ।

ପ୍ରକୃତରେ ଯାହା ଦୃଶ୍ୟମାନ ତାହା ହିଁ ସତ୍ୟ - ଅଦୃଶ୍ୟର ସତ୍ତାରେ ଯେଉଁ ସତ୍ୟତା ଥାଏ ତାର ପରିପ୍ରକାଶ ଏକ ଅନାବଶ୍ୟକ ଚର୍ଚ୍ଚା ।

ପରିମଳଙ୍କ ବଡ ଚାକିରୀ । ଆୟ ଅପର୍ଯ୍ୟାପ୍ତ । ସେଥିପାଇଁ ଘରେ ବି ସମସ୍ତଙ୍କର ସେ ପ୍ରିୟ । କେହି ପରିମଳକୁ କିଛି କହନ୍ତି ନାହିଁ ।

ଦିନକର କଥା ଜେଜେ ପୂଜାରୁ ଉଠୁ ଉଠୁ ଟିକେ ବିଳମ୍ବ ହୋଇଗଲା । ଟେବୁଲ ଉପରେ ଖାଇବା ବଢା ସରିଥାଏ । ପରିମଳ ପରିହାସରେ ପଚାରିଲା - ଜେଜେ ଏତେ ସମୟ ଧରି ଠାକୁରଙ୍କୁ କଣ କହୁଥିଲ! ସେ କଣ ପ୍ରକୃତରେ ତମ ପୂଜା ଖୋଜନ୍ତି ନା ତୁମେ ସମୟ ସାରିବା ପାଇଁ ପୂଜାକୁ ଖୋଜ । କଥାର କଟୁତା ଜେଜେଙ୍କୁ ଯେତିକି ବାଧିଲା ନାହିଁ ନିଜ ନାତିର ପରମାତ୍ମାଙ୍କ ସତ୍ତା ଉପରେ ଏପରି ଅପରିପକ୍ଵ ଟିପ୍ପଣୀ ବିବ୍ରତ କରୁଥିଲା । କଣ କହିବେ ଭାବି ପାରିଲେ ନାହିଁ । ଏତିକିବେଳେ ପରିମଳଙ୍କ ପାଟି ଶୁଭିଲା - ଜେଜେ ବସୁନ ଜଲିଦି ଖାଇଲେ ଡାକ୍ତରଙ୍କ ପାଖକୁ ଯିବା ପରା - ମୋର ଡେରି ହେଇ ଯାଉଛି ।

ହଁ ହଁ ବସୁଛି କହି ଜେଜେ ବସି ପଡିଲେ କିନ୍ତୁ ଭାବନାରେ ପୂର୍ଣ୍ଣ ଛେଦ ପଡି ନଥାଏ । ପରିମଳ ପାଖରୁ ପ୍ରଭୁଙ୍କୁ ଏପରି ଟିପ୍ପଣୀ କରିବା ସେ ଆଦୌ ସହି ପାରୁ ନଥିଲେ ।

ମନସ୍ତତ୍ଵକୁ ବୁଝି ପାରିଲା ପରି ପରିମଳ ଜେଜେଙ୍କ ଆଡକୁ ଅନାଇ ହସିଦେଲା - କହିଲା ଜେଜେ ରାଗିଲ କି? ଜେଜେ ମଧ୍ୟ ନିଜ ଢଙ୍ଗରେ ଉତ୍ତର ଦେଲେ - ନାଇରେ ତୋ ଉପରେ କଣ ରାଗି ହେବ !

କାହିଁକି? ପରିମଳ ପ୍ରଶ୍ନ କଲା  ।

ଜେଜେ ହସିଦେଲେ  ।

ପରିମଳ କିନ୍ତୁ ବ୍ୟତିବ୍ୟସ୍ତ ।

ସେ ପୁଣି ଆଉ ଥରେ "କାହିଁକି" ପଚାରି ଜେଜେଙ୍କ ଆଡେ ଅନାଇ ରହିଲା ।

ଜେଜେ ଯେମିତି ସୁଯୋଗକୁ ଉଣ୍ଡୁଥିଲେ, କହିଲେ- ଆରେ ତୋ ପାଖରେ ଭୁଲ ଖୋଜିଲେ ତ ମିଳିବନି । ତୋ ଉପରେ ରାଗିବି କେମିତି?

ତାହେଲେ ମୋ କଥା ଶୁଣି ହଠାତ୍ ଏମିତି ଗମ୍ଭୀର ହେଇଗଲ ଯେ!

ପ୍ରଭୁଙ୍କ ସତ୍ତାକୁ ସ୍ଵୀକାର କରୁଥିବା ବ୍ୟକ୍ତି ଯେତେବେଳେ ଅସ୍ଵୀକାର କରୁଥିବା ବ୍ୟକ୍ତିର ପ୍ରଭାରେ ମଳିନ ପଡିଯାଏ ସେତେବେଳେ ଗମ୍ଭୀର ରହିବା ତ ସ୍ଵାଭାବିକ ।

ପରିମଳକୁ ଉତ୍ତରଟା କେମିତି ଅଡୁଆ ଅଡୁଆ ଲାଗିଲା । ଭାବିଲା ଜେଜେଙ୍କୁ ବୋଧେ ଆଘାତ ଲାଗିଛି । ଭୁଲ ମାଗିଦେଲେ ଠିକ୍ ହେବ ଭାବି ଅପେକ୍ଷା ନକରି ପରିମଳ ଜେଜେଙ୍କ ଆଡେ ଅନାଇ କହିଲା - ଜେଜେ ମୋର ଏପରି କହିବା ଭୂଲ ହୋଇଯାଇଛି । ମୋର ତୁମକୁ କୌଣସି କଷ୍ଟ ପହଞ୍ଚାଇବା ଉଦ୍ଦେଶ୍ୟ ନଥିଲା ।

ଜେଜେ ଏଥର ହସିଲେ । କହିଲେ-ଏଇ ଦେଖ୍ ମୋର ଖାଇବା ସରିଗଲାଣି ।

ପରିମଳ ତତ୍ କ୍ଷଣାତ୍ ନିଜ ଖାଇବା ସାରିଦେଲା କିନ୍ତୁ ଆନ୍ଦୋଳିତ ହେଉଥିବା ହୃଦୟ ପୁଣି ଥରେ ସେହି ପ୍ରଶ୍ନ କରିବାକୁ ବାଧ୍ୟ କଲା ।

ଜେଜେ କହିଲେ ଆମେ ବାଟରେ ଗଲାବେଳେ କଥା ହେବା । ପରିମଳ ବାହାରି ସାରିଥାଏ । ଡ୍ରାଇଭରକୁ ତୁରନ୍ତ ଗାଡି କାଢିବାକୁ କହିଲା ।

ଗାଡି ମାତ୍ର ଆଗକୁ ବଢିଛି କି ନାହିଁ ପରିମଳ ଜେଜେଙ୍କ ଆଡକୁ ପ୍ରଶ୍ନବାଚୀ ଦୃଷ୍ଟିରେ ଅନାଇଲା । କହିଲା- ଜେଜେ ଯଦି ମୋ କଥା ଆଘାତ ଦେଇଥାଏ ମୁଁ ଦୁଃଖିତ ।

-କିନ୍ତୁ ତୁ ଯାହା କହିଲୁ କିଛି ତ ଭୁଲ କହିନୁ । ତେଣୁ ଦୁଃଖିତ କଣ ପାଇଁ?

-ଜେଜେ ତମେ କଣ ସତରେ ମୋ କଥାକୁ ସ୍ଵୀକାର କରିଛ । ସତ୍ୟ ବୋଲି ଗ୍ରହଣ କରିଛ ।

-ଯେଉଁ କଥା ଯୁକ୍ତି ଦ୍ୱାରା ସିଦ୍ଧାନ୍ତରେ ଉପନୀତ ହୁଏ ତାହା ସତ୍ୟ ବୋଲି ଗ୍ରହଣ ହୋଇଯାଏ । ଆତ୍ମା କିନ୍ତୁ ସ୍ଵୀକାର କରେ ଉପଲବ୍ଧିର ପରେ ।

- ତାମାନେ?

- ଏଇ ଯେମିତି ତୋ କଥା । ତୁ ଯୁକ୍ତି ଦ୍ୱାରା ସିଦ୍ଧାନ୍ତରେ ପହଞ୍ଚୁଛୁ ଓ ତୋର ଆତ୍ମା ତାକୁ ସାଦରେ ଗ୍ରହଣ କରି ନେଉଛି । କିନ୍ତୁ ଯାହା ତୋର ଆତ୍ମା ଗ୍ରହଣ କରୁଛି ତାକୁ ତୁ ଯୁକ୍ତି ଦ୍ୱାରା ସିଦ୍ଧାନ୍ତରେ ପହଞ୍ଚାଇ ପାରୁନାହୁଁ ।

-ହୋଉ ହେଲା ତମେ ତାହେଲେ ମୋତେ କ୍ଷମା କଲ ତ! କଥାର ମୋଡ ବଦଳାଇ ପରିମଳ ପଚାରିଲା ।

ପରିମଳ ମୁଣ୍ଡ ଉପରେ ବାତ୍ସଲ୍ୟର ହାତ ବୁଲାଇ ଆଣି ଜେଜେ କହିଲେ- ତୋତେ କ୍ଷମା କରିବିନି ତ କାହାକୁ କରିବି !

- ଏମିତି ଅସ୍ପଷ୍ଟ ଉତ୍ତର କାହିଁକି ଦେଉଛ ଜେଜେ! ସ୍ପଷ୍ଟ ତ କହି ପାରିବ ମୋତେ କ୍ଷମା କଲ ବୋଲି ।

-ସ୍ପଷ୍ଟ କେବଳ ଗୋଟିଏ ସତ୍ୟକୁ ଦେଖେ । ଅସ୍ପଷ୍ଟ କିନ୍ତୁ ଅନେକ ସତ୍ୟକୁ ପ୍ରକାଶ କରୁଥାଏ ।

-ମୋର କିନ୍ତୁ ଗୋଟିଏ ସ୍ପଷ୍ଟ ଉତ୍ତର ଦରକାର …

-ମୋର ମଧ୍ୟ ଗୋଟିଏ ସ୍ପଷ୍ଟ ସତ୍ୟ ଦରକାର…

-ତାହେଲେ ଅସ୍ପଷ୍ଟ ଛାୟାର ଆବରଣ କଣ ପାଇଁ?

-ସମସ୍ତଙ୍କୁ ସ୍ପଷ୍ଟତା ଭଲ ଲାଗେ ନାହିଁ । ସ୍ପଷ୍ଟତାରେ ଯେତିକି ମଧୁରତା ଥାଏ ସେତିକି ନିଷ୍ଠୁରତା ଲୁଚିଥାଏ । ସେହି ନିଷ୍ଠୁରତା କେହି ଗ୍ରହଣ କରି ପାରନ୍ତି ନାହିଁ । ଏଇ ଯେମିତି ମୋର ପୂଜା ଡେରି ହେଲା ବୋଲି ତୋର ମାନସିକତାକୁ ତୁ ମୋତେ ସ୍ପଷ୍ଟ କରିଦେଲୁ କିନ୍ତୁ ସ୍ପଷ୍ଟ ବାଦିତା ମୋତେ ଭଲ ଲାଗିଲା ନାହିଁ ।

-ତାହେଲେ କଣ ତମେ ମୋତେ କ୍ଷମା କରିନ ଜେଜେ!

ଆରେ ନା ମୁଁ ତୋତେ କ୍ଷମା କରି ସାରିଛି ।

ଯଦି କ୍ଷମା କରିଛ ତାହେଲେ ମୋର ପ୍ରାୟଶ୍ଚିତ ପାଇଁ ମୋତେ କିଛି ମାଗ । ତୁମକୁ ଦେଲେବି ମୋତେ ଖୁସି ଲାଗିବ । ଅନୁଭବ ବି ହେବ ଯେ ତୁମେ ମୋତେ କ୍ଷମା କରିଛ ।

- ଜେଜେ କିଛି କହିଲେ ନାହିଁ କାରଣ ସେ ଜାଣିଛନ୍ତି ପରିମଳର ଏ ପ୍ରାୟଶ୍ଚିତ ଗୁଣ ପାଇଁ ସେ ତାକୁ ବହୁତ ଭଲ ପାଆନ୍ତି ।

- ପରିମଳ ପୁଣି ଥରେ ସେହି ପ୍ରଶ୍ନ କଲା ।

ଜେଜେଙ୍କର କିନ୍ତୁ ମନେ ପଡୁଥିଲା ଗୀତାର ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକ - ପଶ୍ୟୈତାମ୍ ପାଣ୍ଡୁ ପୁତ୍ରାଣାମ୍ ଆଚାର୍ଯ୍ୟ ---- ଦୁର୍ଯ୍ୟୋଧନ କହୁଛନ୍ତି -ହେ ଆଚାର୍ଯ୍ୟ ଆପଣଙ୍କ ବୁଦ୍ଧିମାନ ଶିଷ୍ୟ ଦ୍ରୂପଦ ପୁତ୍ର ଧ୍ରୁଷ୍ଟଦ୍ୟୁମ୍ନ ଦ୍ଵାରା ସଜା ହେଇଥିବା ଏହି ବିଶାଳ ପାଣ୍ଡବ ସେନାଙ୍କୁ ଦେଖନ୍ତୁ -ଏପରି କହିବା ଯେତେ ସାମାନ୍ୟ ଲାଗିଲେ ବି ଅନ୍ତର୍ନିହିତ ସତ୍ୟ ଅନେକ କିଛି ପ୍ରକାଶ କରୁଥାଏ । ଯେମିତି ଦ୍ରୋଣାଚାର୍ଯ଼୍ୟଙ୍କୁ କିଏ ତାତ୍ସଲ୍ୟ କରି କହୁଛି ଦେଖ! ଏଇ ଧୃଷ୍ଟଦ୍ୟୁମ୍ନ ଯିଏ ତୁମକୁ ମାରିବା ପାଇଁ ଜନ୍ମ ନେଇଛି ତାକୁ ତୁମେ ଅସ୍ତ୍ର ଶସ୍ତ୍ର ଶିକ୍ଷା ଦେଇଛ ଆଉ ଆଜି ସିଏ ତୁମ ସମ୍ମୁଖରେ ଯୁଦ୍ଧ ପାଇଁ ପ୍ରସ୍ତୁତ । ସତରେ କଣ ଯେଉଁ ଶିକ୍ଷା ଦିଆଯାଏ ସେ ଶିକ୍ଷାରୁ ବି ପୁଣି ହାରିବାକୁ ପଡେ ।

ପରିମଳକୁ କଣ କହିବେ ଭାବୁଥିଲେ । ନିଜେ ଦେଇଥିବା ଶିକ୍ଷାରେ ନିଜେ ଯେମିତି ହାରି ଯାଉଥିଲେ । ହଠାତ୍ ଭାବାନ୍ତର ହେଲା -କହିଲେ ତୁ ମୋତେ ଶ୍ରୀ ମନ୍ଦିର ଜଗନ୍ନାଥ ଦର୍ଶନ କରାଇଦେବୁ । ସେତିକି ମୋର ଦରକାର ।

- ଏଇଟା କଣ ଗୋଟେ ମାଗିବା ଜେଜେ । ତୁମେ ଯୋଉ ଦିନ ଚାହିଁବ ମୋ ଡ୍ରାଇଭରକୁ ନେଇ ଯାଇ ପାରିବ ।

କିନ୍ତୁ ମୁଁ ଚାହେଁ ତୁ ମୋତେ ସାଙ୍ଗରେ ନେଇ ଯା’ ।

- ହଉ ଜେଜେ ମୁଁ ଯିବି କିନ୍ତୁ କେବେ ଯିବ କୁହ ।

- ଯୋଉଦିନ ତୋର ଇଚ୍ଛା ।

ତାହେଲେ କାଲି ଚାଲ ଯିବା ।

ଡାକ୍ତରଙ୍କ କ୍ଲିନିକ୍ ରେ ପହଞ୍ଚି ସାରିଥିଲେ । ଜେଜେଙ୍କର ସବୁ ଚେକ୍ ଅପ ବି ହେଇଗଲା । କିଛି ଔଷଧ ସାଙ୍ଗରେ ନେଇ ଫେରିଲେ ।

ତା ପରଦିନ ସକାଳେ ଜେଜେ ନିତ୍ୟକର୍ମ ଜଲଦି ସାରିଦେଲେ । ପୂଜା ପାଠ ମଧ୍ୟ । ପରିମଳ କାହା ସହିତ ଫୋନରେ କଥା ହେଉଥିଲା, ଜେଜେଙ୍କ ପାଖକୁ ଆସି କହିଲା - ମୁଁ ଅଫିସରୁ 2ଟା ବେଳେ ଆସିଲେ ଲଞ୍ଚ କରି ବାହାରିବା ।

ଅଜାଣତରେ ଜେଜେଙ୍କ ପାଟିରୁ ବାହାରି ପଡିଲା-ପ୍ରଭୁଙ୍କର ଇଛା ନଥିଲେ ଆଜି କଣ କାଲି ବି ଯାଇ ପାରିବାନି ।

ପରିମଳ ଆଉ ଅଫିସ ଯିବ କଣ ମନର ଜିଦ୍ ଦୃଢ ହେବାକୁ ଲାଗିଲା । ଅହଂକାର ବିବେକର ସୀମା ଭିତରକୁ ପ୍ରବେଶ କଲା ।

ସେହି ଅହଂକାରରେ କହିଲା-ଜେଜେ ମୁଁ ବାହାରିଲି ତୁମେ ବି ବାହାର । ଏବେ ଯିବା । ଜେଜେ ବାହାରି ପଡ଼ିଲେ ସିନା କିନ୍ତୁ ସମ୍ଭାବ୍ୟ ଭବିଷ୍ୟତକୁ ନେଇ ଉଦ୍‌ବିଗ୍ନ ହେଲେ ।

ଗାଡ଼ି ପୁରୀ ଅଭିମୁଖେ ଚାଲିଲା । ଖୋର୍ଦ୍ଧାରୁ ପୁରୀ ଦୁଇ ଘଣ୍ଟା ଯାତ୍ରା ।

ଜେଜେ ଜଗନ୍ନାଥଙ୍କ ନାମ ନେଉଥାନ୍ତି । ପରିମଳ ମୋବାଇଲରେ ଅଫିସ କଥା ବୁଝୁଥାଏ । ମଝିରେ ମଝିରେ ଜେଜେଙ୍କ ଆଡେ ଦେଖି ମୁରୁକି ହସୁଥାଏ । ସତେ ଯେମିତି ସାମର୍ଥ୍ୟ ଆଗରେ ବାକି ସବୁ ମୂଲ୍ୟହୀନ । ଭାଗ୍ୟ ଯେତେବେଳେ ନିଜକୁ ସହାୟ ହୁଏ ସେତେବେଳେ କ୍ଷଣିକ ପାଇଁ ବି ନିଜକୁ ନିଜର ଅଧୀଶ୍ଵର ବୋଲି ମନେ ହୋଇଯାଏ । ଦୃଶ୍ୟମାନ ଜଗତରେ ଅଦୃଶ୍ୟର ବା ସ୍ଥାନ କାହିଁ ।

ଗାଡି ଯେତେବେଳେ ଚନ୍ଦନପୁର ଅତିକ୍ରମ କଲା ଜେଜେ ଦୀର୍ଘଶ୍ବାସ ପକାଇ ପ୍ରଭୁଙ୍କୁ ପ୍ରଣାମ କଲେ । ପରିମଳ ନିଜର ସାମର୍ଥ୍ୟ ଓ ଇଛା ଶକ୍ତିର ବିଜୟରେ ଆତ୍ମସନ୍ତୋଷ ପାଉଥିଲା ।

ଧିରେ ଧିରେ ଗାଡି ପୁରୀ ସହର ଭିତରେ ପ୍ରବେଶ କରାଇ ଠିକଣା ଯାଗାରେ ଡ୍ରାଇଭର ଗାଡିକୁ ପାର୍କିଂ କଲା । ଉଭୟ ଜେଜେ ନାତି ମହା ତୃପ୍ତିରେ ଗାଡିରୁ ଓହ୍ଲାଇଲେ । ଅଟୋ ରିଜର୍ଭ କରି ଗାଡି ପାଖକୁ ଆସିଲା ବେଳକୁ ଗୋଟେ ମଟର ସାଇକେଲ ଜେଜେଙ୍କ ପାଖରେ ହଠାତ୍ ବ୍ରେକ୍ କସି ରହିଗଲା । ଜେଜେ କିଛି କହିବା ପୂର୍ବରୁ ଲୋକଟି ଇୟାଡୁ ସେୟାଡୁ ଗୁଡାଏ ବକି ଚାଲିଗଲା । ପରିମଳ ଜେଜେଙ୍କୁ ଦେଖିକି ଚାଲିବା ପାଇଁ ସାବଧାନ କରାଇଦେଲା ଏବଂ କହିଲା ମୋ ହାତ ଧର ନହେଲେ ଦର୍ଶନ ଅଧୁରା ରହିଯିବ ।

ବାପା ଠିକ୍ କହିଲୁ କହି ଅଟୋ ଉପରେ ବସିବାକୁ ଯାଉଛନ୍ତି କୋଉଠୁ ଗୋଟେ ବୁଲା କୁକୁର ଆସି ପରିମଳ ଗୋଡକୁ କାମୁଡି ଦେଲା । ପରିମଳ ଓ ପାଖ ଲୋକ କିଛି କରିବା ପୂର୍ବରୁ ରକ୍ତ ବୋହି ଆସିଲା ।

ଯନ୍ତ୍ରଣା ପରିମଳ ପାଇଁ କିଛି ନଥିଲା ଯଦିଓ କୁକୁର କାମୁଡା ଇଞେକ୍ସନ ଭୟ ମନରେ ପଶୁଥିଲା । ଜେଜେ ତୁରନ୍ତ ଅଟୋରୁ ଓହ୍ଲାଇ ନିଜ ଡ୍ରାଇଭରକୁ ହସ୍ପିଟାଲ ଆଡେ ଯିବା ପାଇଁ କହିଲେ । ପରିମଳ କିନ୍ତୁ ମନ୍ଦିର ଆଗ ଯିବା ପାଇଁ ଜିଦ କଲା । ଜେଜେ କିଛି ଶୁଣିଲେ ନାହିଁ । ଆଶୁ ଚିକିତ୍ସା ଆରମ୍ଭ ହେଲା । ଇଞେକ୍ସନ ବି ଦିଆଗଲା । ଉପଚାର ସରିଲା ବେଳକୁ ପରିମଳ ଔଷଧୀୟ ଦୋଷରୁ ଶୋଇ ପଡିଥିଲା । ଜେଜେ ଆଉ ମୁହୁର୍ତ୍ତେ ଅପେକ୍ଷା ନକରି ଭୁବନେଶ୍ଵରରେ ପହଞ୍ଚି ଗଲେ । ସେତେବେଳକୁ ପରିମଳ ଉଠି ସାରିଥିଲା । ଜଗନ୍ନାଥ ଦର୍ଶନ ନହେବାରୁ ମନରେ କଷ୍ଟ ଆସିଲା । ଜେଜେ ବୁଝିପାରି କହିଲେ ପୁଣି ଆଉଥରେ ଆମେ ଯିବା ।

- ହଁ ଯିବା ଯେ କିନ୍ତୁ ଏଥରତ କଥା ରହିଲାନି ।

ଦୁର୍ଘଟଣାରେ କେହି ଦାୟୀ ରହନ୍ତି ନାହିଁ ବୋଲି ଜେଜେ ବୁଝାଇଲେ । ଏପରି ଘଟଣାକୁ ଆଧିଭୌତିକ କୁହାଯାଏ । କେହି ଭାଗ୍ୟ କହନ୍ତି ଆଉ କେହି ଦାୟିତ୍ଵ ହୀନତା କହି ଦୋଷ ଲଦି ଦିଅନ୍ତି । କଥା କିନ୍ତୁ ସେଇ ଗୋଟେ । ବୁଝିବାର ପ୍ରକାର ଭେଦରେ ମଣିଷର ମାନସିକତା ତାକୁ ଭିନ୍ନ ଭିନ୍ନ ରୂପ ଦିଏ  ।

- ଜେଜେ ଆମେ ଆସନ୍ତା ରବିବାର ଯିବା- କିନ୍ତୁ ଏହାକୁ ନେଇ ପ୍ରଭୁଙ୍କ ଇଛା ଅନିଛାର ସମ୍ପର୍କ ନାହିଁ । ପରିମଳ ମଝିରୁ କଥା ଛଡାଇ ନେଇ କହିଲା….

- ଜେଜେ ହସିଲେ କିଛି କହିଲେ ନାହିଁ…

ଜେଜେ ପରିମଳର ମାନସିକତାକୁ ଲକ୍ଷ୍ୟ କରି କହିଲେ-

କରଣୀୟ କର୍ତ୍ତବ୍ୟ ମଧ୍ୟ ପ୍ରଭୁଙ୍କ ଦର୍ଶନଠୁ କିଛି କମ ନୁହେଁ  ।

-ମୁଁ ମଧ୍ୟ ଏହା କହେ ବୋଲି ପରିମଳ କଥାରେ ଯୋର ଦେଲେ । ମଣିଷ ନିଜକୁ ସଦାବେଳେ କର୍ମ ଓ କର୍ତ୍ତବ୍ୟ ପାଳନରେ ନ୍ୟସ୍ତ ରଖିବା ଉଚିତ ।

- ହଁ ସତ, କିନ୍ତୁ ପରମାତ୍ମାଙ୍କ ସ୍ଵୀକୃତି ସହିତ ।

ଏକମାତ୍ର ପରମାତ୍ମା ବ୍ୟତୀତ ଯିଏ ଦ୍ଵିତୀୟ ସତ୍ତାକୁ ସ୍ଵୀକୃତି ଦିଏ ତାର ଇଚ୍ଛା ଓ କାର୍ଯ୍ୟ ପ୍ରବୃତ୍ତିରେ ପରିଣତ ହେଇଯାଏ । ପ୍ରବୃତ୍ତି ଉଦୟ ହେବା ଯାହା ଭୋଗ ଦୃଢିଭୂତ ହେବା ସେୟା । ତେଣୁ ଯେ ପର୍ଯ୍ୟନ୍ତ ନିବୃତ୍ତି ଦୃଢିଭୂତ ନହୋଇଛି ସେ ପର୍ଯ୍ୟନ୍ତ ପ୍ରବୃତ୍ତି ପ୍ରଶମିତ ହୁଏ ନାହିଁ । ଜେଜେଙ୍କର ଏପରି କହିବାରେ ପରିମଳ କିଛି କହିଲା ନାହିଁ ସତ କିନ୍ତୁ ମନ ଭିତରେ କିଏ ଯେମିତି କିଛି କହିବା ପାଇଁ ଚେଷ୍ଟା କରୁଥିଲା ।

ରବିବାର ଯିବାର ବ୍ୟବସ୍ଥା ନିଶ୍ଚିତ ଥିଲା । ଯୋଗକୁ ସେଦିନ ପରିମଳର ପୁରୀ ବିଚ୍ ହୋଟେଲରେ ମିଟିଙ୍ଗ ଥାଏ  । ଉଭୟ ଦର୍ଶନ ଆଶାରେ ବାହାରି ପଡ଼ିଲେ । ଏକାଦଶୀ ବି ଥାଏ । ମନ୍ଦିରକୁ ଆଗ ଯାଇ ପରେ ବାକି କାମ କରିବ ବୋଲି ଭାବୁଥିଲା ହଠାତ୍ କଲେକ୍ଟରଙ୍କ ଫୋନ୍ ଆସିଲା ତୁରନ୍ତ ମିଟିଙ୍ଗ ଆରମ୍ଭ କରିବା ପାଇଁ । ଆଉ କିଛି ଚାରା ନଥିଲା । ପରିମଳ ଜେଜେଙ୍କ ରହିବା ବ୍ୟବସ୍ଥା କରାଇ ସବୁ କାମ ସାରି ଅପରାହ୍ନ ୪ଟା ବେଳକୁ ପହଞ୍ଚି ଗଲା । ଉଭୟେ ଅଗତ୍ୟା ମନ୍ଦିର ଆଡେ ବାହାରିଲେ । ସିଂହଦ୍ଵାର ପାଖରେ ପହଞ୍ଚି ଗଲେ । ବାଇଶି ପାହାଚରେ ପାଦ ରଖୁ ରଖୁ ପରିମଳ ଜେଜେଙ୍କ ଆଡେ ଅନାଇ ନିଜ ପ୍ରାୟଶ୍ଚିତ ପୂରଣ ହେବାର ଇଙ୍ଗିତ ଦେଲା ।

ଭବିତବ୍ୟ ଯେତେବେଳେ ଧାର୍ଯ୍ୟ ହୋଇସାରିଥାଏ ଅନ୍ୟ କୌଣସି ପ୍ରାପ୍ତିର ଆଶା ମୃଗତୃଷ୍ଣା ହୋଇଥାଏ ।

ବିଧି ନିର୍ଦ୍ଦିଷ୍ଟ ପରି ସେତେବେଳେ କୌଣସି ପଣ୍ଡାର ଅସଦାଚରଣରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେଇଗଲା । ଅଳ୍ପ ସଂଖ୍ୟକ ପୋଲିସ୍ ବିଫଳ ହେବାରୁ ସମସ୍ତେ ମନ୍ଦିର ବାହାରକୁ ଯାଇ ନିରାପଦରେ ରହିବେ ବୋଲି ବ୍ୟସ୍ତ ହେଉଥିଲେ । ପରିମଳ କିନ୍ତୁ ଯିବେ ନାହିଁ । ଅଘଟଣକୁ ଏଡାଇବା ପାଇଁ ମନରେ ସାହସ ସଞ୍ଚିଲେ । କିନ୍ତୁ ପ୍ରାରବ୍ଧର ଫଳ ଯେତେବେଳେ ବିଡମ୍ବନାର କାରଣ ତାକୁ ବା କିଏ ବାରଣ କରି ପାରିବ । ଏତେ ଜୋରରେ ଲୋକମାନେ ମାଡି ଆସୁଥିଲେ ଯେ ଠେଲା ପେଲାରେ ଜେଜେ ତଳେ ପଡିଗଲେ । ଆଉକିଛି ହେବା ପୂର୍ବରୁ ପରିମଳ ଜେଜେଙ୍କୁ ନିଜ ଆବରଣ ଭିତରେ ଆବଦ୍ଧ କରିବା ପାଇଁ ଚେଷ୍ଟା କଲା । କିନ୍ତୁ ନିଜେ ହିଁ ଭାରସାମ୍ୟ ହରାଇ ଜେଜେଙ୍କ ସହିତ ପଡିଗଲା  ।

ଯେତେବେଳେ ସେ ନିଜକୁ ଆବିଷ୍କାର କଲା ମୁଣ୍ଡରେ ପଟି ବନ୍ଧା ହେଇଥିଲା । ଡକ୍ଟର ଦାସ ଓ କଲେକ୍ଟର ସାହେବ ପାଖରେ ଥିଲେ । ଜେଜେ ଗୋଡକୁ ନିଜ କୋଳ ଉପରେ ରଖି ଆଉଁଷୁ ଥିଲେ । ପରିମଳ ଆବାକାବା ହେଇ ଦେଖୁଥିଲା । କିଛି କହିବାକୁ ଉଦ୍ୟତ ହେବାରୁ କଲେକ୍ଟର ଅଟକାଇ ଦେଲେ କହିଲେ ମୁଁ ସବୁ କହୁଛି । ପରିମଳ ଜେଜେଙ୍କ ଆଡକୁ ଅନାଇ ରହିଲା । ଜେଜେ ଇଷତ୍ ହସି ଚୁପ୍ ରହିଗଲେ । ପରିମଳ ଦୃଷ୍ଟି ନଫେରାଇବାରୁ ଜେଜେ କହିଲେ ଆରେ ଏମିତି ଦେଖୁଛୁ କଣ । ଆଜି ତୁ ବହୁତ ବଡ କାମ କରିଛୁ ।

କଣ ବୋଲି ଆଚମ୍ବିତ ହୋଇ ପଚାରନ୍ତେ ଜେଜେ କହିଲେ ତୁ ଯେତେବେଳେ ମୋତେ ଧରିବାକୁ ଚେଷ୍ଟା କଲୁ ଠେଲାପେଲାରେ ମୁଁ ପଡିଗଲି ଆଉ ତୁ ମୋତେ ଭାବି ଦୁଇ ଜଣ ବୁଢା ବୁଢୀଙ୍କୁ କୁଣ୍ଢାଇ ଧରିଲୁ । ଭାରସାମ୍ୟ ହରାଇ ତୁ ପଡିଗଲୁ ପଥର ବାଜି ତୋ ମୁଣ୍ଡ ଫାଟି ଗଲା । ତୁ ଚେତା ହରାଇ ପଡିଗଲୁ ଆଉ ତୋ ଉପରେ ଯୋଉ ଦୁଇଜଣ ବୁଢା ବୁଢୀ ଆରାମରେ ବିଶ୍ରାମ ନେଇ ପାରିଲେ ସେମାନେ ହେଉଛନ୍ତି ଏଇ କଲେକ୍ଟରଙ୍କ ବାପା ମାଆ ।

କଲେକ୍ଟର କଥା ଛଡାଇ ନେଇ କହିଲେ ଆଜି ରାତିରେ ଆପଣମାନେ ମୋ ଘରେ ଖାଇବେ ବୋଲି ଅନୁମତି ଦିଅନ୍ତୁ । ମୋ ବାପା ମା’ ତମକୁ ଦେଖିବେ ବୋଲି ଅପେକ୍ଷା କରିଛନ୍ତି ।

ମୁଁ କିନ୍ତୁ ଜଗନ୍ନାଥ ଦର୍ଶନ ବିନା କୁଆଡେ ଯିବି ନାହିଁ -ପରିମଳ କହିଲେ ।

ହୋଉ ସେୟା ହେଉ- କଲେକ୍ଟର କହିଲେ ।

ମନ୍ଦିର ଭିତରେ ରତ୍ନବେଦୀ ପାଖରେ ପହଞ୍ଚି ଗଲେ । କଲେକ୍ଟର ପାଖରେ ପାଖରେ ଥିବାରୁ ସୁନ୍ଦର ଦର୍ଶନ ହେଲା । ମନେହେଉଥିଲା ଏହା ଯେମିତି ସ୍ମୃତି ହୋଇ ରହିଯିବ । ଫେରିଲା ବେଳକୁ ପରିମଳ ଜେଜେଙ୍କୁ ଅନାଇ କହିଲା ଜେଜେ ଦର୍ଶନ ଟିକେ ପାଇଁ ଜଗନ୍ନାଥ କେତେ ନାଟ ଲଗାଇଦେଲେ ।

ଭଗବାନ ଯାହାକୁ ଯାହା ସାମର୍ଥ୍ୟ ଦେଇଛନ୍ତି ସେଥିପାଇଁ ଗର୍ବ କଲେ ସେ କୌଣସି ବାଟରେ ତାର ବିଧାନ କରିଦେବେ । କେହି ବୁଝି ପାରନ୍ତି ଆଉ କେହି ଆକସ୍ମିକ ଘଟଣା କହି ଏଡାଇ ଯାଆନ୍ତି କାରଣ ପରମାର୍ଥିକ ଅନୁଭବ କେବଳ ପ୍ରଭୁ କୃପା ଥିଲେ ହିଁ ମିଳେ । ଏତିକି କହି ଜେଜେ ଆଖି ବନ୍ଦ କରି କଣ କହି ପକାଇଲେ । ପରିମଳ ବୁଝିବା ପାଇଁ ଚେଷ୍ଟା କଲା କିନ୍ତୁ ପାରିଲା ନାହିଁ । ମନେ ମନେ ଭାବିଲା ସବୁ ଇଛା ସେହି ଜଗନ୍ନାଥ । ଯତ୍ କୃପା ତମହମ୍ ବନ୍ଦେ ପରମାନନ୍ଦ ମାଧଵମ୍ ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational