STORYMIRROR

Sasmita Mohapatra

Tragedy

3  

Sasmita Mohapatra

Tragedy

ସଭ୍ୟତା ଅତରଦିଆ

ସଭ୍ୟତା ଅତରଦିଆ

4 mins
531



ଆଳୁଚପ୍ ଗୋଟିକ ପଚିଶ ପଇସା,ବରା ମଧ୍ୟ ସେହି ଦାମରେ, ଗୁଲୁଗୁଲା ଗୋଟିଏ ଦଶ ପଇସା,ଆଉ ଦେଶୀ ଗାଈର କ୍ଷୀର ମରି ମରି ରାବେଡିର "ଚା"ଟଙ୍କାଟିଏ।ଗରମ "ଚା"ଉପରେ ସର ପଡିଥିବ।ଛେନାଗଜା,ଲଡୁ ,ତାଡିଆ ସବୁ ଟଙ୍କାଟିଏ।କାଠର କାଚ ଆଲମିରାରେ ରସ ଥାଳିଆରେ ଥୁଆ ହୋଇଥାଏ ।ଆଲମିରାର ଗୋଟିଏ ଗୋଡ ଭାଙ୍ଗି ଯାଇଥିବାରୁ ଇଟାଟିଏ ଢେର ଦିଆଯାଇ ଗରାଖ ମାନଙ୍କ ଜିଭକୁ ନିମନ୍ତ୍ରଣ କରୁଥାଏ।ବାହାରେ ବାଉଁଶ ଖୁମ୍ବରେ କାଠପଟା ପଡି ଦୁଇଟି ବେଞ୍ଚ।ନୁଆଁଣିଆ ଚାଳ ।ସେହି ପ୍ରକାଣ୍ଡ ବରଗଛ ଗାଁ ମୁଣ୍ଡ କାଦୁଆ ବସଷ୍ଟାଣ୍ଡ ପାଖେ। ଆଉ ସେହିଠି ସିତେଇ ସାହୁର ଚା ଦୋକାନ।ବସରୁ ଓହ୍ଲାଇ ଦଣ୍ଡେ ଠିଆ ହୋଇଗଲେ ଶାନ୍ତି। ଛୋଟ କୁଡିଆଟି ଉପରେ ଯେପରି ବରଗଛଟି ଆଶୀର୍ବାଦ ପ୍ରଦାନ କରି ଛାଇ ବରଷାଉଥାଏ। ଦୋକାନ ଭିତରେ କୋଇଲା ଆଞ୍ଚର ଚୂଲାରେ ସକାଳୁ କଳା କଡେଇଟି ବସି ସବୁ ଛଣାଛଣି ସରିଗଲେ ପୁଣି କଡେଇଟି ମୁହଁ ସନ୍ଧ୍ୟାବେଳେ ଦେଖାଦେଖି। ବଡ ସିଲଭର "ଚା"କେଟିଲଟା ପେଟେ "ଚା ଧରି ଗରାଖଙ୍କୁ ଅନେଇଥାଏ।ପାଖ ପ୍ଲେଟରେ ଶୁଖି ଶୁଖି ଆସୁଥିବା ଛଣାଛଣି ଚାହିଁଥାଏ, କେବେ କାଗଜ ଠୁଙ୍ଗାରେ ପଶି ଆଗନ୍ତୁକ ମାନଙ୍କ ହାତରେ କୁଣିଆ ଘରକୁ ଯିବ। ଆଖପାଖ୬/୭ଟି ଗାଁର ଲୋକେ ସିତେଇ ସାହୁ ଦୋକାନର ଗରାଖ।ଯିଏ ଯୁଆଡେ ଯାଉ ବା ଆସୁ ତା ଦୋକାନ ରେ ପୁଡିଆଟେ ବାନ୍ଧେ।ସେ ତ ଖାଲି ଜଳଖିଆ ବିକେନି, ତା ସହିତ ସ୍ନେହ, ଆନ୍ତରିକତାରୁ ପୁଳେ ବିକେ।ସମସ୍ତଙ୍କୁ ଆପଣାର ମନେ।ବେଶି ଲାଭ ରଖେନି,ଚିହ୍ନାଜଣା ଅଧିକ ଥିଲେ ପୁଡିଆ ଭିତରେ ଅଧିକ ଗୋଟିଏ ଦିଏ।ପାଖରେ ଆଉ ବେଶି ଦୋକାନ ନଥାଏ । ବସଷ୍ଟାଣ୍ଡ ରେ ବସ ମଟର କମ୍ ଯାଆ ଆସ କରୁଥାଏ,।ଲୋକ ଗହଳ କମ୍। ପାଖରେ ଦୁଇ ଚାରିଟା କ୍ୟାବିନ୍ ,ପାନ ଓ ଅନ୍ୟାନ୍ୟ ଦୋକାନ।ତେଣୁ କିଏ ଟିକେ ପାଣି ପିଉ କି "ଚା"ପିଉ ସିତେଇ ସାହୁ ଦୋକାନ ଛାଡି କୁଆଡେ ଯାଇପାରିବନି।


  ଖଣ୍ଡେ ଚାରି ହାତର ଗାମୁଛା ପିନ୍ଧି, ଆଉ ଗୋଟିଏ ଗାମୁଛା ଅଣ୍ଟାରେ ଭିଡିଥାଏ ସିତେଇ। ଥନ୍ତଲା ପେଟ, ଶାବନା ରଂଗ,ବେକରେ ଘାଘଡା ମାଳିଟେ ପଡିଥାଏ। ହାତରେ ଡେଉଁରିଆ ଦୁଇଟା ନାଲିସୂତାରେ ବନ୍ଧା। ବେକରେ ପଡିଥିବା ଗାମୁଛାରେ ନିଆଁ ପାଖେ ଠିଆହୋଇ ବାରମ୍ବାର ପୋଛି ହେଉଥାଏ।ପେଣ୍ଟସାଟ୍ ପିନ୍ଧା ବାବୁଙ୍କୁ ଦେଖି ଦୁଇ ତିନି ଥର ଗ୍ଲାସକୁ ପୋଛି ଅଜାଡିଦିଏ "ଚା"। ପାନଖିଆ ପାଟିରୁ ଖିଲିଖିଲି ହସ ହସିପକାଇ କହିପକାଏ,ଆଉ କ'ଣ ଦେବି କି ବାପା?


  କାହୁଁ କେଉଁ ପିଲାବେଳୁ ଜେଜେ ଆଉ ବାପାଙ୍କ ସଙ୍ଗେ ଦୋକାନ ରେ ବସିବସି ବୋପାର ଆଦରି ନେଇଛି ସେ। କିନ୍ତୁ ଦୋକାନର ବେଶି କିଛି ପରିବର୍ତ୍ତନ ହୋଇନାହିଁ।ବର୍ଷା ଆସିଗଲେ ନୁଆଁଣିଆ ଚାଳ ଉପରେ ସିମେଣ୍ଟ ଅଖା,ଜରି ,ତାଳବରଡା ଖୋସି ଦେଇ ଦୋକାନ କୁ ରକ୍ଷା କରେ। ସେହି ତାର ସର୍ବସ୍ବ, ତା ଲକ୍ଷ୍ମୀଶାଳ ,ତା ଭାତହାଣ୍ଡି।


ସେହି ଦୋକାନରୁ ପାଞ୍ଚପ୍ରାଣୀ କୁଟୁମ୍ବ ଖାଇପିଇ ଚଳନ୍ତି।ଯାନିଯାତ୍ରା,ପରବ ପୁନିଅଁ, ବନ୍ଧୁ ବାନ୍ଧବ, ରୋଗବାଗ ତାରି ଦାନରୁ ଚଳେ। ସକାଳୁ ରାତି ପର୍ଯ୍ୟନ୍ତ ସେହିଠି ସେ ଆନନ୍ଦ ପାଏ।ପୁଅଟିକୁ ଚାହିଁ ଚାହିଁ ତିନି ଝିଅ। ଘରେ ଘରଣୀ ରୋଗୀଣା।ପିଲାମାନଙ୍କୁ ଗାଁ ସ୍କୁଲରେ ପାଠ ପଢାଏ।ବଡଝିଅ ମାଟ୍ରିକ ପରୀକ୍ଷାରେ ପାସ୍ କଲାପରେ ପଇସାର ଅଭାବ ଓ ବୋଉର ଦେହ ଖରାପ ଯୋଗୁଁ ଆଗକୁ ପଢି ପାରିଲା ନାହିଁ।ପୁଣି ଅଧିକ ପାଠ ପଢିଲେ ବଡଲୋକିଆ ଜ୍ବାଇଁ କରିବାକୁ ବହୁତ ଟଙ୍କା ଦରକାର।ତେଣୁ ପଇସାପତ୍ର ଯେଗାଡ କରି ଝିଅଟିକୁ ବିଭା କରିଦେଲା।ତାର ଛୋଟ ପୁଅଟିକୁ ପାଖରେ ରଖି ଆନନ୍ଦ ଅନୁଭବ କରେ।ଏହି ହେଲା ତା ଘରସଂସାର କିଏ କେଉଁଠୁ ଉଦୁଉଦିଆ ଖରାବେଳେ ବସରୁ ଓହ୍ଲାଇଲେ ସିତେଇ ଦୋକାନରେ ଘଡିଏ ବସେ।ନଳକୂପ ପାଣିରୁ ମୁନ୍ଦେ ପିଇ ଶାନ୍ତି ପାଏ।ସନ୍ଧ୍ୟା ସମୟରେ ଅନେକ ଲୋକ ବଜାର ଆଡ଼େ ବୁଲି ଯାଇ ସିତେଇ ପାଖେ ବସିବସି ଢ଼ିଙ୍କିଶାଳରୁ ଢେ଼ଙ୍କାନାଳ ...ଘର ଠୁ ବାହାର.... ପ୍ରିୟାପ୍ରୀତି ରୁ ରାଜନୀତି ସବୁ ଖବର ଆସ

ରର ଚର୍ଚ୍ଚା ହୁଏ।କେବେ କେବେ ବାଡି ପାଟକପୁରା କଦଳୀ ପେଣ୍ଡାଟିଏ କାହା ବାଡିରେ ପଡ଼ିଲେ ସେ ସିତେଇ ଦୋକାନରେ ବିକ୍ରି ପାଇଁ ଟାଙ୍ଗି ଦିଅନ୍ତି।ସିତେଇ ବିକି ପଇସା ଦିଏ।ଦୁଇ ପଇସା ନିଜେ ବି ପାଏ। ସାରା ମୌଜାରେ ଭାରି ନାଁ ତାର।ପରିଶ୍ରମି, ବିଶ୍ୱାସୀ ।କିଏ ବସରୁ ଓହ୍ଲାଇ ଓଜନିଆ ଜିନିଷ ପତ୍ର ନ ବୋହି ପାରିଲେ ତା ଦୋକାନରେ ସୁରକ୍ଷିତ ଭାବେ ରଖି ପରେ ପରିବାର ଲୋକ ଆସି ନେଇଯାଆନ୍ତି। 


 ସିତେଇ ଦୋକାନ ପାର୍ କରି ଖଣ୍ଡେ ଦୂର ପର୍ଯ୍ୟନ୍ତ ଅତିକ୍ରମ କରି ଗଲେ ଗାଁ ଆରମ୍ଭ। ବାଟରେ ମଶାଣି। କେଉଁ ଝିଅ ବୋହୂ ବସରୁ ଓହ୍ଲାଇ ରାତି ହୋଇଗଲେ ସିତେଇ ସେମାନଙ୍କୁ ମଶାଣି ପାର୍ କରି ଦେଇ ଆସେ।

 ସବୁ ଦୁଃଖସୁଖ ସଂସାର ଭିତରେ ପୁଅଟିଏ ପାଇଁ ମନ ଉଣା। ପୁଅଟିଏ ଥିଲେ ସାହାଯ୍ୟ କରିଥାନ୍ତ ।ଦିନକୁ ଦିନ ଜିନିଷପତ୍ର ର ଦରଦାମ୍ ବଢିବାରେ ଲାଗିଛି।ପିଲାମାନେ ବଡ଼ ହେଉଛନ୍ତି।ସେ ଦୋକାନରେ ଆଗଭଳି ଆଉ ପରିଶ୍ରମ କରିପାରୁନି। ଚିନ୍ତା ମନରେ ରହେ ପୁଣି ମାଟିର ଅଟ୍ଟାଳିକାରେ ଗରାଖ ମାନଙ୍କୁ ସ୍ବାଗତ କରେ।

 ବେଳେବେଳେ ଝିଅମାନେ ଆସି ବିରିବାଟି,ବେସନ ଗୋଳେଇ, ପାଣିଭର୍ତ୍ତି କରି ଚାଲିଯାନ୍ତି।କୋଇଲା ଆଞ୍ଚ ପ୍ରସ୍ତୁତ କରି ବାସନ ଧୂଆଧୁଇ କରି ଚାଲିଯାନ୍ତି।


  ସମୟ ଗଡିଚାଲିଲା।ଦୁନିଆ ଆଧୁନିକତାର ମୁଖା ପିନ୍ଧିଲା।ଜାତୀୟ ରାଜପଥ ଲମ୍ବା ଲମ୍ବା ଆଉ ଚଉଡା ହେଲା । ବସ ମଧ୍ୟ ଅଧିକ ଯିବାଆସିବା କଲା।ଲୋକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା।ଦିନକୁ ଦିନ ସିତେଇ ଦୋକାନକୁ ଲାଗି ଆହୁରି ଅନେକ କ୍ୟାଭିନ୍ କାଚବାକ୍ସ ଲାଗି ଥୁଆହେଲା।କିଏ ରୋଲ୍ ,ଚାଓମିଙ୍ଗ ,କିଏ ଥଣ୍ଡା ପାନୀୟ, ଗୁପଚୁପ୍ ,ଚାଟ୍ ଦୋକାନ ପାଖରେ ଆସି ଠିଆ ହୋଇଗଲା।ବଡ଼ ବଡ଼ ପାନ, ଚା"ଜଳଖିଆ ଦୋକାନ, ଫଳରସ,ଦୋକାନ ମଧ୍ୟ। ଯେଉଁ ବସଷ୍ଟାଣ୍ଡଟି ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଥିଲା ସେଠି ରଂଗବେରଂଗ ର ଲାଇଟ୍ ରେ ରାତି ଦିନ ପରି ଝଲସି ଉଠିଲା।ସତେ ଯେପରି ସେମାନେ ସିତେଇର ଦିକ୍ ଦିକ୍ ଜଳୁଥିବା ଲଣ୍ଠନକୁ ଉପହାସ କରୁଥିଲେ।ଗରମ ଗରମ" ମିନଟ୍ ମେଡ୍" ଖାଦ୍ୟ ପାଖେ ସିତେଇ କଳା କଡେଇର ବରା ଦିନରୁ ରାତି ଯାଏଁ ପଡି ଲୁହ ଢାଳୁଥିଲେ। ସବୁସମୟ ଗ୍ରାହକଙ୍କ ଭିଡ ନୂଆ ଦୋକାନରେ ଲାଗି ରହିଲା।


   ତାପରେ ପୁରୁଣା ଦୋକାନର ଖାଦ୍ୟକୁ ଶରୀର ପକ୍ଷେ ହାନିକାରକ ନାମ ଦେଲେ।ଗ୍ରାହକ ମାନଙ୍କ ପାଖେ ଆଉ ସମୟ ନଥିଲା ତା ପାଖରେ ଟିକେ ବସିବାକୁ।ସିତେଇକୁ କଷ୍ଟ ହେଲା ପରିବାର ଚଳାଇବାକୁ ମହାଜନର ପଇସା ଶୁଝି ପାରିଲା ନାହିଁ।ଥାଳିଆ ରେ ଛଣାଛଣି ପଡି ବାସି ହେଲା।ଏହି ଚିନ୍ତାରେ ସେ ମାନସିକତାର ଶିକାର ହେଲା।କୋଉ ଜମିବାଡ଼ି ଅଛି ଯେ ଚାଷ କରିବ।ଶେଷରେ ଶେଜ ଧରିଲା ସିତେଇ।ଦିନ ଦିନ ଧରି ଦୋକାନ ବନ୍ଦ ରହିଲା।ଝିଅମାନେ କାଁ ଭାଁ ଆସି ଷ୍ଟୋପ୍ ରେ ଚାହା କରିଦିଅନ୍ତି । ପୁରୁଣା ଚିହ୍ନାଜଣା ଲୋକ ଆସି ପିଇ ପଚାରନ୍ତି....ବାପା ଆସୁନିକି ଝିଅ।


   "ନା"ମଉସା...ବାପା ଆଉ ପାରୁ ନାହାନ୍ତି,।ତା ଭିତରେ ଛପିଯାଏ ଯେ ଆଉ ତାଙ୍କ ଦୋକାନର ବରା,ଚପ୍ ର ଦମ୍ ନାହିଁ ରୋଲ୍ ,ଚାଓମିଙ୍ଗ, ପିଜା,ବରଗର୍ ର ଟକ୍କର ଦେବାଲାଗି।


  ନୂଆ ପୀଢିର ଫେସନ ସିତେଇ ସାହୁର ଓଠରୁ ହସ ଛଡେଇ ନେଇଛି।ଆଧୁନିକତାର ମୁଖା ପିନ୍ଧି ସଭ୍ୟତାର ଆଢୁଆଳରେ ନିଜର କୌଳିକ ବୃତ୍ତିକୁ ଲୁଚେଇ ଯେଉଁ ଉପର ଠାଉରିଆ ଢ଼ଙ୍ଗରେ ଆମେ ଧାଉଁଛେ,ସେ ଆମ ସଂସ୍କୃତିକୁ ଆଉ ସଂସ୍କାରକୁ ତ ବଳି ଦେଇସାରିଲାଣି.....ଏହିପରି ଅନେକ ସିତେଇ ତାଙ୍କ ପରିବାର କାହାଣୀ ଲୁହରେ ଲେଖୁଛନ୍ତି।ହେଲେ ଆମେ ପଢିପାରୁନେ।ସାକ୍ଷୀ କେବଳ ରହିଯାଇଛି ସେହି ବିଶାଳ ବୃକ୍ଷ ତା ମୂଳେ ଭଙ୍ଗାରୁଜା କୋଇଲା ଆଞ୍ଚର ମାଟିଚୂଲା। ସେ ବି ମାଗୁଛି ତା ମୂଳର ତାଳବରଡା ଆଉ ପଲଥିନ୍ ପଡି ଥିବା "ଚା"ଦୋକାନର ଠିକଣା, କେବଳ ବଦଳିଥିବା ସମୟ ପାଖରେ...

 


Rate this content
Log in

Similar oriya story from Tragedy