ସାର୍
ସାର୍
ସେଦିନ ମାନିନୀ ସ୍କୁଲରୁ ଫେରିଲା ବେଳେ ମନରେ ଏକ ଅଜବ ପ୍ରକାରର ଭୟ ଖେଳୁଥାଏ।କେମିତି ସାମ୍ନା କରିବ ସାର୍ ଙ୍କୁ?କେମିତି ନିଜର ମାର୍କସିଟ୍ ଟି ଦେଖେଇବ?ଯେଉଁ ସାର୍ ତାକୁ ଏତେ ଭଲପାଆନ୍ତି।ତା ଉପରେ ବିଶ୍ବାସ କରନ୍ତି।କେମିତି ତାଙ୍କୁ କହିବ ଯେ ଆଜି ସେ ତାଙ୍କର ସେଇ ବିଶ୍ବାସକୁ ଭାଙ୍ଗି ଦେଇଛି ବୋଲି।ତାଙ୍କ ଗ୍ରୁପରେ ସବୁଠାରୁ କମ ନମ୍ବର ରଖି ସେ ପାସ ହେଇଛି ବୋଲି। କାରଣ ସେ ଭଲଭାବେ ଜାଣିଥିଲା ଯେ-ସାର୍ ବହୁତ ରାଗିବେ।ହେଲେ ଏବେ ଆଉ କ'ଣ କରାଯାଇ ପାରିବ।ଏମିତି ଭାବୁ ଭାବୁ ସେ ସ୍କୁଲରୁ ଘରେ ପହଞ୍ଚି ସାରିଥିଲା।
ମା ତା'ର ଉଦାସ ଚେହେରା ଦେଖି ଯେତେ ଯାହା ପଚାରିଲେ ବି ସେ କିଛି ନା କିଛି ବାହାନା କରି ତା'କୁ ଏଡେଇ ଦେଉଥାଏ।କିଛି ସମୟ ପରେ ତା'ସାଙ୍ଗମାନେ ଟିଉସନ୍ ଲାଗି ତା ଘରେ ଆସି ପହଞ୍ଚି ଗଲେ।ସମସ୍ତେ ମାନିନୀ ଠାରୁ ଅଧିକ ନମ୍ବର ରଖିଥିଲେ ବି ମାନିନୀ ର ନମ୍ବରକୁ ନେଇ ସମସ୍ତେ ଭାରି ଉଦାସ ଥିଲେ।
କିଛି ସମୟ ପରେ ସାର୍ ଆସି ପହଞ୍ଚିଲେ।ସବୁଦିନ ପରି ପାଠପଢା ପାଇଁ ବହି ଖୋଲିବାକୁ କହିଲେ।ସମସ୍ତେ ଆଶ୍ଚର୍ଯ୍ଯ -"ସାର୍ ନମ୍ବର କଥା କେମିତି ପଚାରୁ ନାହାନ୍ତି?"
ଚିଉସନ୍ ଛୁଟିହେବା ସମୟ ବି ହେଇଗଲା।ସାର୍ ପଢେଇ ସାରି ଯିବାକୁ ବାହାରିଲେ।ସେତିକି ବେଳେ ମାନିନୀର ଗୋଟିଏ ସାଙ୍ଗ କହିଉଠିଲା-"ସାର୍ ଆଜି ପରୀକ୍ଷା ଫଳ ବାହାରିଚି।" ତଥାପି ସାର୍ ନିରୁତ୍ତର।ସତେ ଯେମିତି ସେ କିଛି ଶୁଣି ନାହାନ୍ତି।ତେଣୁ ମାନିନୀର ବାକି ସାଙ୍ଗ ମାନେ ଭି କେହି କିଛି ନକହି ପରସ୍ପରର ମୁଁହ ଚହାଁଚୁହିଁ ହେଇ ଚୁପ ରହିଲେ।କେହି ଆଉ ମାର୍କସିଟ୍ ଦେଖେଇବାକୁ ସାହାସ କଲେନି।
ପାଠପଢା ସରିଗଲା।ସମସ୍ତେ ଯିବାକୁ ବାହାରିଲେ।ଧିରେ ଧିରେ ସମସ୍ତେ ଗୋଟିଏ ପରେ ଗୋଟିଏ ରୁମରୁ ବାହାରକୁ ଚାଲିଗଲେ।ହେଲେ ମାନିନୀ ଯିବ କୁଆଡେ?ସେଇଟା ତ ତା ଘର।
ସାର୍ କିନ୍ତୁ ତାଙ୍କ ସିଟ୍ ରୁ ଉଠୁନାହାନ୍ତି।ଟିକେ ସମୟପରେ ସମସ୍ତେ ଚାଲିଗଲେ।ରୁମ ରେ ଏକେଲା ମାନିନୀ ଓସାର୍।
ସାର୍ କହିଲେ-ମାନିନୀ ତୁମ ମାର୍କସିଟ ମିଳିଛି?ମାନିନୀ ଲାଜ ଓଭୟରେ ମୁଣ୍ଡ ଟୁଙ୍ଗାରି ହଁଟିଏ ମାରିଲା।କିନ୍ତୁ ସାର୍ ଙ୍କ ମୁଁହକୁ ଚାହିଁବାକୁ ତା'ର ସାହସ ନଥିଲା।
ଧିରେ ଧିରେ ମାର୍କସିଟ ଟି କାଢି ଟେବୁଲରେ ଥୋଇଦେଲା।ସାର୍ କହିଲେ ମତେ ତୁମ ମାର୍କ ବିଷୟ ରେ ଜଣାଅଛି।ତୁମ ଶ୍ରେଣୀ ଶିକ୍ଷକ ଙ୍କ ସାଙ୍ଗେ ଦେଖାହେଇଥିଲା।
ମାନିନୀ ସେମିତି ପୂର୍ବପରି ମୁଣ୍ଡ ପୋତି ବସିଥାଏ।ସାର୍ କହିଲେ-"ତୁମେ କାହିଁକି ମନଦୁଃଖ କରୁଚ,ଏ ମାର୍କ ପାଇଁ ତୁମେ ଦାୟୀ ନୁହଁ,ମୋର ବୋଧେ ପଢେଇବାରେ କୋଉଠି ଭୂଲ ରହିଗଲା। ଆଇ ଆମ ସାରି ଫର ଡ଼୍ୟାଟ "
ବାସ୍ ଏତିକି କହି ସାର୍ ସେଠୁ ଚାଲିଗଲେ।ମାନିନୀ ସେତେବେଳକୁ କାଠ ପାଲଟି ଯାଇଥାଏ।ତା'ଆଖିରୁ ଲୁହର ବନ୍ଯା ବୋହି ଚାଲିଥାଏ।ସେହି ଦିନ ଠାରୁ ମାନିନୀ ମନେ ମନେ ଠିକ କଲାଯେ-ସେ ସାର୍ ଙ୍କୁ ନିଶ୍ଚୟ ଯେମିତି ହେଲେ ଅଧିକ ନମ୍ବର ଆଣି ଦେଖାଇବ।
ସେ ଦିନରାତି ଏକ କରିଦେଇ ଚେଷ୍ଚା ଚଳେଇଲା।ଶେଷରେ ବୋର୍ଡ ପରୀକ୍ଷା ଫଳ ବାହାରିବା ସମୟ ଆସିଲା।ସେଦିନ ମାନିନୀ ତା ବାପାଙ୍କୁ ଗୋଚିଏ କାଗଜରେ ତା ରୋଲ ନମ୍ବରଟି ଲେଖି ଦେବାକୁ ବାହାରୁଥିଲା ରେଜଲ୍ଟଟି ଦେଖିବା ପାଇଁ।
ସେତିକି ବେଳକୁ କେହି ଜଣେ କଲିଂବେଲ ବଜେଇବା ଶବ୍ଦଶୁଣି,ସେ କବାଟ ଖୋଲି ଦେଖିଲା ବେଳକୁ ସାର୍ ହାତରେ ଗୋଟିଏ ମିଠା ପ୍ଯାକେଟ ଧରି ଠିଆହେଇଛନ୍ତି।
ସେ ମାନିନୀ ହାତକୁ ପ୍ଯାକେଟ ଟି ବଢେଇ ଦେଉ ଦେଉ କହିଲେ -"ସାବାସ୍ ମାନିନୀ ,ମୋ ପରିଶ୍ରମ ସାର୍ଥକ ହେଇଗଲା।
ସେତେବେଳକୁ ମାନିନୀର ଖୁସିର ସୀମା ରହିଲା ନାହିଁ।ସେ ସତେ ଯେମିତି ମୁକ ପାଲଟି ଯାଇଥିଲା।ସେ ସାର୍ ଙ୍କୁ ପ୍ରଣାମ କରି ଘର ଭିତରକୁ ଡାକିନେଲା।