ସାକ୍ଷୀ ଗୋପୀନାଥ
ସାକ୍ଷୀ ଗୋପୀନାଥ
ସାକ୍ଷୀ ଗୋପୀନାଥ
===========
ଅନେକଦିନ ତଳର କଥା l ଦକ୍ଷିଣ ଭାରତ ଗୋଦାବରୀ ନଦୀ କୂଳରେ ବିଦ୍ୟା ନଗର ବୋଲି ଗୋଟିଏ ଗ୍ରାମ ଥିଲା l ସେ ଗ୍ରାମରେ ଜଣେ ବୃଦ୍ଧ ଧାର୍ମିକବ୍ରାହ୍ମଣ ବାସକରୁଥିଲେ l ତାଙ୍କର ଚାରି ପୁଅ l ସମସ୍ତେ ପାରିବାର l ଧନଧାନ୍ୟରେ ତାଙ୍କର କିଛିଅଭାବ ନଥିଲା l ବୁଢ଼ା ଦିନେ ବୃନ୍ଦାବନ ଯିବାକୁ ମନ କଲା l ବ୍ରାହ୍ମଣ ପୁଅ ମାନଙ୍କୁ କହିବାରୁ ସେମାନେ ଆଉ କେହି ମନ ଦେଲେନାହିଁ l ବୃଦ୍ଧ ବୟସ, ସେ ଏକଲା ଏତେ ଦୂର ଯିବେ କିପରି l ସେହି ଗ୍ରାମରେ ଜଣେ ଦରିଦ୍ର ବ୍ରାହ୍ମଣର ଯୁଆନ ପୁଅଟିଏ ଥିଲା l ବ୍ରାହ୍ମଣ ଯାଇ ତାକୁ କହିବାରୁ ଯୁବକ ଜଣକ ବୁଢ଼ା ସାଙ୍ଗରେ ଯିବ କହିଲା l
ବିଦ୍ୟାନଗରରୁ ବୃନ୍ଦାବନ କେତେ ଦୂର l ବହୁ ଦିନ ପଦ ବ୍ରଜରେ ଯାତ୍ରା କରି ଗୟା କାଶୀ ଓ ପ୍ରୟାଗ ହୋଇ ଦୁହେଁ ଯାଇ ବୃନ୍ଦାବନରେ ପହଁଚିଲେ l ବୃନ୍ଦାବନରେ ପାଦ ଦେବାକ୍ଷଣି ବୃଦ୍ଧଙ୍କ ମନପ୍ରାଣ କୃଷ୍ଣ ପ୍ରେମରେ ପୁଲକିତ ହୋଇ ଉଠିଲା l ଦୁହେଁ ଯାଇ ଯମୁନା ଜଳରେ ସ୍ନାନସାରି ଶ୍ରୀଗୋପାଳଙ୍କୁ ଦର୍ଶନ କଲେ l ବ୍ରାହ୍ମଣ ଗୋପାଳ ଜୀଉଙ୍କ କମନୀୟ ବିଗ୍ରହ ଦର୍ଶନରେ ଖୁବ୍ ତଲ୍କୀନ ହୋଇ ପଡ଼ିଲେ l ବୃଦ୍ଧଙ୍କ ଆଉ ଘରକୁ ଫେରି ଯିବାକୁ ମନ ବଳିଲା ନାହିଁ l
ବେଶ୍ କିଛି ଦିନ ସେମାନେ ବୃନ୍ଦାବନରେ ରହି ବିଭିନ୍ନ ତୀର୍ଥ ସ୍ଥଳ ଦର୍ଶନ କଲେ l
ପ୍ରତ୍ୟହ ସକାଳୁ ସକାଳୁ ବ୍ରାହ୍ମଣ ଯମୁନାରେ ସ୍ନାନ ସାରି ଯୁବକଟିକୁ ସାଙ୍ଗ କରି ବାହାରି ଯାଆନ୍ତି ଗୋପାଳଙ୍କ ଦର୍ଶନ ପାଇଁ l ଦିନେ ବ୍ରାହ୍ମଣ ସକାଳୁ ଉଠି ପିଲାଟିକୁ କହିଲେ, ବାବୁରେ ! ଆଜି କାହିଁକି ଦେହଟା ଭାରି ଅସୁକ ଲାଗୁଛି l ଆଜି ଗୋପାଳଙ୍କୁ ଦର୍ଶନ କରିବାକୁ ଆଉ ଯାଇପାରିବି ନାହିଁ l ସେହି ଦିନ ଠାରୁ ବ୍ରାହ୍ମଣ କ୍ରମେ ବେମାର ହୋଇ କତରା ଧରି ଗଲେ l ପିଲାଟି ତାଙ୍କ ପାଖରେ ରହି ତାଙ୍କର ସେବା ଶୁଶ୍ରୁଷା କରୁ ଥାନ୍ତି l ଯୁବକଟିର ନିଷ୍ଠାପର ସେବାରେ କ୍ରମେ ବୃଦ୍ଧ ସୁସ୍ଥ ହୋଇ ଉଠିଲେ l
ଆଗ ଭଳିଆ ପୁଣି ସେମାନଙ୍କ ଠାକୁରଦର୍ଶନ ଚାଲିଲା l ବୃଦ୍ଧ ବ୍ରାହ୍ମଣଙ୍କ ଏକ ସୁନ୍ଦରୀ ଝିଅ ଥିଲା l ବ୍ରାହ୍ମଣ ଯୁବକଟିର ସେବା ଯତ୍ନରେ ଏତେ ଆନନ୍ଦ ହୋଇ ଯାଇଥିଲେ ଯେ, ଦିନେ ଗୋପାଳଙ୍କ ଆଗରେ ଯୁବକକୁ ସେ କହିଲେ, ମୁଁ ମୋ କନ୍ୟାକୁ ତୁମକୁ ପ୍ରଦାନ କରିବି l ଏହା ଶୁଣି ଯୁବକ ହଡ଼ ବଡ଼େଇ ଯାଇ କହିଲେ, ଏହା କିପରି ହେବ l ତୁମ କନ୍ୟା କେତେ କଅଣ ଅହ୍ୟସରେ ବଢ଼ିଛି l ମୁଁ ଯେ ବିଦ୍ୟାଶୂନ୍ୟ ଏକ ନିର୍ଦ୍ଧନ ବାଳକ l ଦାୟିତ୍ଵ ଦୃଷ୍ଟିରୁ ମୁଁ କେବଳ ଆପଣଙ୍କ ସେବା କରିଛି l ତା' ଛଡ଼ା ଆପଣ ନିଜ ପୁଅ ଓ ଆତ୍ମୀୟ ମାନଙ୍କ ନିଷ୍ପତ୍ତି ନ ନେଇ କିପରି ଏପରି ନିର୍ଣ୍ଣୟ ନେଉଛନ୍ତି l ବୃଦ୍ଧ ଶ୍ରୀଗୋପାଳଜୀଙ୍କୁ ଚାହିଁ କହିଲେ, ସେ ଯାହାହେଉ, ଏହି ଠାକୁରଙ୍କୁ ସାକ୍ଷୀରଖି ମୁଁ ଏହି ନିଷ୍ପତ୍ତି ନେଇଛି l ଇଏ ମୋର ଦୃଢ଼ ନିଷ୍ପତ୍ତି l ନିଷ୍ପତ୍ତିକୁ ମୁଁ ଆଉ କୌଣସି ମତେ ବଦଳାଇ ପାରିବି ନାହିଁ l
କିଛି ଦିନର ରହଣି ପରେ ସେମାନେ ବିଦ୍ୟାନଗରକୁ ଫେରି ଆସିଲେ l
ବ୍ରାହ୍ମଣ ନିଜର ସ୍ତ୍ରୀ ଓ ପୁଅ ମାନଙ୍କୁ ଡାକି ସମସ୍ତ ଘଟଣା ବର୍ଣ୍ଣନା କରି, କହିଲେ, ମୁଁ, ଆମ ଝିଅକୁ ସେହି ବ୍ରାହ୍ମଣ ପିଲାଟି ସହ ଵିଵାହ ଦେବି ବୋଲି ଠାକୁରଙ୍କ ଆଗରେ ପ୍ରତିଜ୍ଞା କରିଆସିଛି l ବୃଦ୍ଧଙ୍କ କଥା ଶୁଣି ସମସ୍ତେ ନାକ ଟେକିଲେ l ପୁଅ ମାନେ କହିଲେ, ଆମେ ଏ ବିବାହ କସ୍ମିନ କାଳେ କରାଇ ଦେବୁନାହିଁ l ନିଜର କୁଟୁମ୍ବ ଓ ସମ୍ପର୍କୀୟ ମାନେ ମଧ୍ୟ ସେହି କଥା କହିଲେ l ବ୍ରାହ୍ମଣ ସାନ ପୁଅକୁ ଡାକି କହିଲେ, ଯଦି ମୁଁ ଝିଅକୁ ସେ ପିଲା ସହିତ ବିବାହ ନ ଦେବି, ତେବେ ମୁଁ ପ୍ରତିଜ୍ଞା ଭଙ୍ଗ ପାଇଁ ଗୋପାଳଙ୍କ ଆଗରେ ଦୋଷୀ ହେବିନି କି l ସାନ ପୁଅ ବୁଢାକୁ ବୁଝାଇ ଦେଲା, ତୁମର ଠାକୁର ତ ଯାଇ ବୃନ୍ଦାବନରେ ରହୁଛନ୍ତି l ସିଏ କଣ ଏଠାକୁ ଆସି ଦେଖିବେ ତୁମେ କଅଣ କଲ l
ଏପଟୁ ମାଇଲେ ଗୋ ହତ୍ୟା l ସେପଟୁ ମାଇଲେ ବ୍ରହ୍ମ ହତ୍ୟା l ବ୍ରାହ୍ମଣ କଅଣ କରିବେ, କିଛି ଭାବି ପାରିଲେ ନାହିଁ l ଅନନ୍ୟୋପାୟ ହୋଇ ବୃନ୍ଦାବନ ବିହାରୀ ଶ୍ରୀଗୋପାଳଙ୍କୁ ବ୍ରାହ୍ମଣ ପ୍ରାର୍ଥନା କଲେ, ହେ ପ୍ରଭୁ ! ଆପଣହିଁ ମୋତେ ଏ ଧର୍ମ ସଂକଟରୁ ରକ୍ଷା କରନ୍ତୁ l
ପରଦିନ ଯୁବକ ଜଣକ ବ୍ରାହ୍ମଣଙ୍କ ଘରେ ପହଁଚି ତାଙ୍କ ପ୍ରତିଶ୍ରୁତି ଓ ଵିଵାହ ବିଷୟରେ ପ୍ରଶ୍ନ କଲା l ତାକୁ କଅଣ କହିବେ ବୃଦ୍ଧଙ୍କ ପାଖରେ କୌଣସି ଭାଷା ନ ଥିଲା l ଏହି ସମୟରେ ତାଙ୍କ ପୁଅମାନେ ଧାଇଁ ଆସି ତାକୁ ନାନା କୁ କଥା କହି ଧମକ ଦେଇ କହିଲେ, ଶୀଘ୍ର ଏଠୁ ପଳା, ନହେଲେ ପିଟିପିଟି ତତେ ମାରି ଦେବୁ l
ତାଙ୍କ ଧମକଚମକରେ ଭୟ ପାଇ, ଦରିଦ୍ର ବ୍ରାହ୍ମଣ ଯୁବକଟି ସେଠାରୁ ପଳେଇ ଗଲା l ସେ ଗ୍ରାମର ମୁଖିଆ ମାନଙ୍କ ପାଖରେ ଯାଇ, ଏକଥା ଗୁହାରୀ କଲା l ମୀମାଂସା ପାଇଁ, ଗ୍ରାମରେ ଏକ ପଞ୍ଚାୟତ ବସିଲା l ପଞ୍ଚମାନେ ବୃଦ୍ଧଙ୍କୁ ତାଙ୍କ ପ୍ରତିଜ୍ଞା କଥା ପଚାରିବାରୁ ଟିକେ ପେଞ୍ଚ ରଖି ସେ କହିଲେ, କାହିଁ ଏପରି ପ୍ରତିଜ୍ଞା କଥା ମୋର ସ୍ମରଣ ହେଉନାହିଁ l ଏତିକିରେ ବୃଦ୍ଧଙ୍କ ସବୁ ପୁଅମାନେ କହି ଉଠିଲେ, ଏ ଟୋକା ଡାହା ମିଛୁଆଟା l ବାପାଙ୍କୁ ତୀର୍ଥ କରେଇ ନେଇ, ତାଙ୍କଠୁଁ ଟଙ୍କା ପଇସା ସବୁ ଲୁଟି ନେଇଛି l ଏବେ, ମିଛଟାରେ ବାହାନା କରୁଛି l ପଞ୍ଚ ମାନେ ଯୁବକକୁ ପ୍ରଶ୍ନ କଲାରୁ, ସେ ପୁରା ଘଟଣା ବର୍ଣ୍ଣନାକରି କହିଲା, ବୃନ୍ଦାବନରେ ଏହି ବୃଦ୍ଧ, ସ୍ଵୟଂ ଗୋପାଳଙ୍କ ଆଗରେ ମୋତେ ତାଙ୍କ କନ୍ୟାଦେବେ ବୋଲି ପ୍ରତିଜ୍ଞା ବଦ୍ଧ l ସେ ବର୍ତ୍ତମାନ ପ୍ରତିଜ୍ଞାକୁ ଅସ୍ବୀକାର କରୁଛନ୍ତି କିପରି l ଏଥକୁ ସାକ୍ଷୀଅଛନ୍ତି ସ୍ୱୟଂ ପ୍ରଭୁ ଗୋପାଳ l
ଯୁବକଟିର କଥା ଶୁଣି, ସମସ୍ତେ ଠୋ ଠୋ ହୋଇ ହସିଲେ l ପଞ୍ଚ ମାନେ ତାକୁ ପଚାରିଲେ, ଆଛା ! ତୁ କହୁଛୁ ଗୋପାଳ ତୋର ସାକ୍ଷୀ ଅଛନ୍ତି l ସିଏ କଣ ଏଠାକୁ ଆସିପାରିବେ ତୋ ପକ୍ଷରେ ସାକ୍ଷୀ ଦେବା ପାଇଁ l ଯୁବକ ଜଣକ ତାର ସରଳ ବିଶ୍ୱାସରେ କହିଲା, ହଁ ! ନିଶ୍ଚୟ ଆସିବେ l ପଞ୍ଚମାନେ କହିଲେ, ହଉ ! ତୁ ଯାଇ ତୋ ଗୋପାଳଙ୍କୁ ଘେନି ଆସ l ସେ ଯଦି ସାକ୍ଷୀ ଦେବେ ତେବେ ତୋର କଥାକୁ ଆମେ ମାନି ନେବୁ l ଏଥିରେ ବ୍ରାହ୍ମଣଙ୍କ ପୁଆମାନେ ଖୁବ୍ ଖୁସି ହୋଇ ଗଲେ l ସେମାନେ ଭାବିଲେ, ଗୋପାଳ ପାଷାଣ ପ୍ରତିମା l ସିଏ ଆଉ ସତରେ ଆସିବେ, ନାଁ ଏ ଟୋକା ସାକ୍ଷୀ ଦେବ l ସେଦିନ ପଞ୍ଚାୟତ ଭଙ୍ଗ ହେଲା l
ଯୁବକ ଦୃଢ଼ବିଶ୍ୱାସ ସହ ଚାଲିଲା, ବୃନ୍ଦାବନ l ସେ ଯାଇ ଗୋପାଳଙ୍କ ପାଖରେ ପହଞ୍ଚି କହିଲା, ଆପଣଙ୍କ ସମ୍ମୁଖରେ ସେହି ବୁଢ଼ା ବ୍ରାହ୍ମଣ ପ୍ରତିଜ୍ଞା କରି ଥିଲେ ତାଙ୍କ ଝିଅକୁ ମୋତେ ଵିଵାହଦେବେ
ବୋଲି l ହେ ପ୍ରଭୁ ! ଆପଣ ମୋର ସାକ୍ଷୀ l ମୋ ସଙ୍ଗରେ ଦୟା କରି ଆପଣ ଚାଲନ୍ତୁ, ମୋ ସାକ୍ଷୀ ଦେବେ l ଆପଣ ଏତିକି ଦୟା କରନ୍ତୁ l ସେ ଭକ୍ତର ଭଗବାନ l ପ୍ରଭୁ ଭକ୍ତର ବେଦନା ଘେନା କଲେ l ଯୁବକର ଦୃଢ଼ବିଶ୍ୱାସ ତଥା ନିର୍ମଳ ଭକ୍ତି ଦେଖି, ପ୍ରଭୁ ଗୋପାଳଙ୍କ ପାଷାଣ ବିଗ୍ରହ ଉତ୍ତର ଦେଲା, ଆଚ୍ଛା, ତୁ ଯଦି କହୁଛୁ, ମୁଁ ନିଶ୍ଚୟ ଯିବି l କିନ୍ତୁ, ମୋର ଏକ ସର୍ତ୍ତ ଅଛି l ସର୍ତ୍ତଟି ହେଲା, ତୁ ଆଗେ ଆଗେ ଚାଲିବୁ ଆଉ ମୁଁ ତୋ ପଛେ ପଛେ ଚାଲିବି l ତୁ ମୋ ପାଦ ନୂପୁର ରୁଣୁ ଝୁଣୁ ଶବ୍ଦରୁ ଜାଣି ପାରିବୁ ତୋ ସାଙ୍ଗରେ ମୁଁ ଚାଲିଛି ବୋଲି l ଖବରଦାର, ତୁ କେବେ ମଧ୍ୟ ପଛକୁ ବୁଲି ଚାହିଁବୁ ନାହିଁ l ଯଦି ପଛକୁ ଚାହୁଁ ମୁଁ ସେଇଠି ରହି ଯିବି ଆଉ ଆଗକୁ ଯିବିନାହିଁ l
କଥା ଅନୁସାରେ, ଭକ୍ତ ଚାଲିଲେ, ଆଗେ ଆଗେ ଆଉ ଭକ୍ତବତ୍ସଳ ଭଗବାନ ତାଙ୍କ ପଛେ ପଛେ l ପ୍ରଭୁଙ୍କ ପାଦର ନୂପୁରର ରୁଣୁ ଝୁଣୁ ଶବ୍ଦ ଭକ୍ତଙ୍କ ଚିତ୍ତ ହରଣ କରୁ ଥାଏ l ଉଲ୍ଲସିତ ଚିତ୍ତରେ ଭକ୍ତ ଆଗକୁ ଚାଲିଥାନ୍ତି l ଚାଲି ଚାଲି ସେମାନେ ଯାଇ ବିଦ୍ୟାନଗର ପାଖରେ ପହଁଚିଲେ l ଗୋଦାବରୀ ନଦୀ ପାରି ହେଲେ ଆର ପଟେ ବିଦ୍ୟା ନଗର l ଗ୍ରୀଷ୍ମ କାଳ, ନଦୀର ଶୁଷ୍କ ବାଲି ଶଯ୍ୟା ଉପରେ ଦୁହେଁ ଆଗେ଼ଇ ଚାଲିଲେ l କିଛି ବାଟ ଯାଇଛନ୍ତି, ବାଲିରେ ପୋତି ହୋଇ, ଆଉ ପ୍ରଭୁଙ୍କ ନୁପୁର ଶଦ୍ଦ ଶୁଣାଗଲା ନାହିଁ l ଯୁବକ ଜଣକ ଆଶଙ୍କା କଲେ କ'ଣ ପ୍ରଭୁ ଆଉ ଆସୁନାହାଁନ୍ତି କି l ତାଙ୍କ ଧୈର୍ଯ୍ୟ ଚ୍ୟୁତ ହେଲା l ସେ ଆଉ ନିଜକୁ ସମ୍ଭାଳି ନପାରି ପଛକୁ ଚାହିଁ ଦେଖନ୍ତି ତ ତ୍ରିଭଙ୍ଗ ଛନ୍ଦରେ ଉଭା ହୋଇଛନ୍ତି ଚନ୍ଦନ ଚର୍ଚ୍ଚିତ ସୁନ୍ଦର ଗୋପାଳ ବିଗ୍ରହ l ବ୍ରାହ୍ମଣ ଯୁବକ ନିଜର ସର୍ତ୍ତ ଭଙ୍ଗ ପାଇଁ ଖୁବ୍ ଅନୁତପ୍ତ ହେଲେ l ସେତେବେଳକୁ ଆଉ କିଛି ଉପାୟ ନଥିଲା l
ଅତି ଦୁଃଖୀ ହୋଇ ବ୍ରାହ୍ମଣ ଯୁବକ ନିଜ ଗ୍ରାମକୁ ଫେରିଲେ l ବୃନ୍ଦାବନରୁ ଗୋପାଳ ସାକ୍ଷୀ ଦେବା ପାଇଁ ଆସି, ଗୋଦାବରୀର ବାଲିରେ ବିରାଜମାନ କରିଛନ୍ତି ଏକଥା ସେ ଲୋକ ମାନଙ୍କୁ କହିବାରୁ ସମସ୍ତେ ଠାକୁରଙ୍କୁ ଦେଖିବାକୁ ଧାଇଁଲେ l ସାକ୍ଷୀ ଦେବାକୁ ଆସି ଥିବାରୁ ସମସ୍ତେ ସେହି ଠାକୁରଙ୍କୁ ସାକ୍ଷୀ ଗୋପୀନାଥ ବୋଲି କହିଲେ l ଯୁବକଙ୍କର ଗ୍ରାମ ନ୍ୟାୟାଳୟରେ ବିଜୟ ହେଲା l ଗୋପାଳ ସେହିଠାରେ ରହି ପୂଜା ପାଇଲେ l ସେଠିକା ରାଜାଙ୍କ କାନକୁ କଥା ଯିବାରୁ ସେ ସାକ୍ଷୀ ଗୋପୀନାଥଙ୍କ ପାଇଁ ଏକ ସୁନ୍ଦର ଦେଉଳ ଗଢ଼ି ଦେଲେ l
ବିଦ୍ୟାନଗର କାଞ୍ଚି ରାଜ୍ୟ ଅନ୍ତର୍ଭୁକ୍ତ ଥିଲା l କାଞ୍ଚି କାବେରୀ ଯୁଦ୍ଧରେ ଉତ୍କଳର ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମ ଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହାୟତାରେ କାଞ୍ଚି ବିଜୟ କଲେ l ସେହି ବିଜୟ ସ୍ମାରକୀ ସ୍ୱରୂପ ସେ ପ୍ରଭୁ ଶ୍ରୀ ସାକ୍ଷୀଗୋପୀନାଥ, ମାଆ ତାରିଣୀ ଓ କାଞ୍ଚି ଗଣେଶଙ୍କୁ ଉତ୍କଳ ନେଇ ଆସିଲେ l ପରବର୍ତ୍ତୀ ସମୟରେ ମାଆ ତାରିଣୀଙ୍କୁ କାଞ୍ଚି ଯୁଦ୍ଧରେ ସହାୟତା କରିଥିବା, କେନ୍ଦୁଝରର ରାଜା ଗୋବିନ୍ଦ ଭଞ୍ଜ ନେଇ, ତାଙ୍କ ରାଜ୍ୟର ଘଟ ଗାଆଁ ଠାରେ ସ୍ଥାପନ କଲେ l ଗଣେଶ ଶ୍ରୀମନ୍ଦିର ପରିସରରେ ଶ୍ରୀମନ୍ଦିର ପଛପଟେ ଏକ ଛୋଟିଆ ମନ୍ଦିରରେ, କାଞ୍ଚି ଗଣେଶ ନାମରେ ଅବସ୍ଥାପିତ l ମହାପ୍ରଭୁ ସାକ୍ଷୀ ଗୋପୀନାଥଙ୍କୁ ପ୍ରଥମେ କଟକ ବାରବାଟୀ ଦୁର୍ଗ ମଧ୍ୟରେ ସ୍ଥାପନ କରା ଯାଇଥିଲା l ପରେ ବାରବାଟିରୁ ଖୋର୍ଦ୍ଧା ରଥିପୁର ଗଡ଼ ଓ ତାପରେ କନ୍ତଳବାଇକୁ ସ୍ଥାନାନ୍ତରିତ ହୋଇ ଥିଲେ l ଶେଷରେ ମହାପ୍ରଭୁଙ୍କ ମଣି ବିଗ୍ରହ ଶ୍ରୀମନ୍ଦିରର ଭୋଗ ମଣ୍ଡପ ନିକଟରେ ସ୍ଥାପିତ ହେଲେ l ପ୍ରଭୁ ଶ୍ରୀମନ୍ଦିରରେ ସ୍ଥାପିତ ହେବାର କେଇଦିନ ପରେ ଗଜପତି ରାଜା ରାମଚନ୍ଦ୍ର ଦେବଙ୍କୁ ମହାପ୍ରଭୁଙ୍କର ସ୍ୱପ୍ନାଦେଶ ହେଲା, ଗୋପାଳ ମନ୍ଦିର ଭୋଗବୁହା ରାସ୍ତାରେ ବସି, ଆମର ସମସ୍ତ ଭୋଗକୁ ଉଚ୍ଛିଷ୍ଟ କରି ଦେଉଛି, ଯଦ୍ୱାରା ଆମେ ଉପବାସ ରହୁଛୁ l ସ୍ବପ୍ନ ଦେଖି ରାଜାଙ୍କ ନିଦ ଚଟ କରି ଭାଙ୍ଗିଗଲା l ଗଜପତି ଖୁବ୍ ବିବ୍ରତ ହୋଇ ପଡ଼ି ଥାନ୍ତି l ସେହି ସମୟରେ, ବାବା ବ୍ରହ୍ମଚାରୀ ନାମରେ ସନ୍ନ୍ୟାସୀ ଜଣେ ତାଙ୍କ ପାଖକୁ ଆସି କହିଲେ, ହେ ରାଜା ! ପୁରୀ ଠାରୁ ୧୫ ମାଇଲ ଦୂର, ବ୍ରାହ୍ମଣ ଶାସନର କେନ୍ଦ୍ର ସ୍ଥଳ ପୂତନୀରା ରତ୍ନଚିରା ନଦୀ ତୀରରେ ବକୁଳ ତମାଳ ଛୁରିଅନା କେତକୀ ଓ ନଡ଼ିଆ ବୃକ୍ଷ ଶୋଭିତ, ମନୋରମ ବନରେ ମହାପ୍ରଭୁଙ୍କୁ ସ୍ଥାପନକର l ସେଇଠି ତାଙ୍କର ରହିବାକୁ ଭାରି ଇଚ୍ଛା l ଏହା ବୃନ୍ଦାବନ ଧାମ ସଦୃଶ l
ଗଜପତି ରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କର ଏ ପରାମର୍ଶକୁ ସ୍ୱୟଂ ମହାପ୍ରଭୁଙ୍କ ଇଚ୍ଛା ମନେ କରି ସେହି ପ୍ରାକୃତିକ ବନରେ ସିଦ୍ଧବଳରାମଙ୍କ ପାଖରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଇଲେ l ସୁଦୂର ଦାକ୍ଷିଣାତ୍ୟ ବିଦ୍ୟା ନଗରରୁ ଆସି ସାକ୍ଷୀ ଗୋପୀନାଥ, ସତ୍ୟବାଦୀ ବକୁଳ ବନରେ ସାକ୍ଷୀଗୋପାଳ ବୋଲାଇ ରହିଲେ l ଏହି ପୀଠ, ଗୁପ୍ତ ବୃନ୍ଦାବନ ବୋଲି ବିଦିତ ହେଲା l
ପ୍ରଭୁ ସାକ୍ଷୀ ଗୋପାଳଙ୍କ ମହିମା ଅପାର l ଥରେ ଗଜପତି ପୁରୁଷୋତ୍ତମ ଦେବଙ୍କ ରାଣୀ ଚାହିଁଲେ ତାଙ୍କ ଦୁର୍ମୂଲ୍ୟ ହୀରାର ନାକ ଗୁଣାଟିକୁ ମହାପ୍ରଭୂ ଶ୍ରୀସାକ୍ଷୀଗୋପାଳଙ୍କୁ ଅର୍ପଣ କରନ୍ତେ l କିନ୍ତୁ ପ୍ରଭୁ ତାହା ପିନ୍ଧିବେ କିପରି l ତାଙ୍କ ନାକରେ ତ ସେହି ଗୁଣାଟିକୁ ପିନ୍ଧାଇବା ପାଇଁ, କୌଣସି ରନ୍ଦ୍ର ନାହିଁ l ସେ ଦିନ ରାଣୀଙ୍କୁ ସ୍ଵପ୍ନରେ ପ୍ରଭୁ କହିଲେ, ଛୋଟ ବେଳେ, ମାଆ ଯଶୋଦା ଶ୍ରଦ୍ଧାରେ ମୋତେ ଏକ ସୁନ୍ଦର ନାକଚଣା ପିନ୍ଧାଇ ଦେଉଥିଲେ l ଦେଖ ଏବେ ମଧ୍ୟ ମୋ' ନାକରେ ସେହି ରନ୍ଦ୍ରଟି ରହିଛି l ତୁମେ, ଆଉ ଚିନ୍ତା କରୁଛ କଅଣ l ସ୍ବପ୍ନଟି ଦେଖି ରାଣୀଙ୍କ ନିଦ ଚାଉଁକି ଭାଙ୍ଗିଗଲା l ପରଦିନ ଏକ ବଡ଼ ଉତ୍ସବର ଆୟୋଜନ ହେଲା l ଭଜନ କୀର୍ତ୍ତନ ଖୋଳ ଘଣ୍ଟ ନାଦ ମଧ୍ୟରେ ପ୍ରଭୁ ସାକ୍ଷୀ ଗୋପାଳ ଧାରଣ କଲେ, ରାଣୀଙ୍କ ଅର୍ପିତ ମୂଲ୍ୟବାନ ନାକ ଗୁଣାକୁ l ବୈଷ୍ନବ କ୍ଷେତ୍ର ମାନଙ୍କ ମଧ୍ୟରେ, ଅନ୍ୟତମ କ୍ଷେତ୍ରଭାବେ ଶ୍ରୀସାକ୍ଷୀ ଗୋପାଳ ଆଜି ଭାରତରେ ପ୍ରସିଦ୍ଧି ଲାଭ କରିଛନ୍ତି l
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
