STORYMIRROR

Prasanta kumar Hota

Children Inspirational

2.5  

Prasanta kumar Hota

Children Inspirational

ସାହାଯ୍ୟ ଓ ସହଯୋଗ

ସାହାଯ୍ୟ ଓ ସହଯୋଗ

3 mins
29.8K


ଆଗଭଳି ପରୁଆ ଆଜି ସ୍କୁଲ୍ ରୁ ଫେରି ଆଉ ଖେଳିବାକୁ ଗଲା ନାହିଁ। ଜେଜେଙ୍କ ପାଖରେ ଆସି ବସି ପଡିଲା। ଜେଜେ ଜାଣି ପାରିଲେ କଣ ଗୋଟିଏ ଅସମାଧିତ ପ୍ରଶ୍ନ ବୋଧେ ରହି ଯାଇଛି। ପରୁଆ କିଛି କହିବା ପୂର୍ବରୁ ଜେଜେ ପଚାରିଲେ - କଣ ଆଜି ଖେଳିବାକୁ ଯିବୁନିକି? ପରୁଆ କହିଲା - ନା ତୁମକୁ ଆଜି ଗୋଟିଏ ଓଡିଆ ଶବ୍ଦ ବିଷୟରେ ପଚାରିବି। ସ୍କୁଲରେ ଆଜି ଏହି ବିଷୟରେ ବହୁତ ସମୟ ଆଲୋଚନା ହୋଇଛି।

ଜେଜେ କହିଲେ - ଇୟେ ଗୋଟେ କଥା। ତୁ ଯା, ଆଗ ଖେଳିକି ଆସିବୁ। ତାପରେ ଆମେ କଥା ହେବା। ମୁଁ ତ ଅଛି। ପରୁଆ କିନ୍ତୁ କହିଲା ନା, ମୋତେ ଉତ୍ତର ନ ମିଳିଲା ପର୍ଯ୍ୟନ୍ତ ଭଲ ଲାଗିବନି।

ବାଃ! ଜେଜେ ଖୁସିରେ କହିଲେ।

ଏଥିରେ ଏତେ ଖୁସି ହେବାର କଣ ଅଛି ଜେଜେ। ମୁଁ ତ ଏ ପର୍ଯ୍ୟନ୍ତ ପ୍ରଶ୍ନ ବି ପଚାରିନି।

ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ବ୍ୟକ୍ତିର କାର୍ଯ୍ୟ ପ୍ରତି କେଉଁ ଭଙ୍ଗୀ ଓ ଆନୁଗତ୍ୟ ରହିଛି ସେଥିରୁ କାର୍ଯ୍ୟର ସଫଳତା ବାରି ହେଇଯାଏ। ସାମାନ୍ୟ ଗୋଟିଏ ଓଡିଆ ଶବ୍ଦ ପଚାରିବୁ ବୋଲି ତୋର ଭଙ୍ଗୀ ଓ ଆନୁଗତ୍ୟ ଦେଖି ଖୁସି ଲାଗୁଛି। କିନ୍ତୁ ମନେରଖ ଯେ କୌଣସି ଜିନିଷରେ ଅତିରିକ୍ତତା ଭଲ ନୁହେଁ। ତୁ ଯା ଘଣ୍ଟାଏ ଖେଳିକି ଆସିବୁ।

ନାଇ ଜେଜେ ଥାଉ। ଆଜି ଆଉ ଇଛା ଆସୁନି।

ହୋଉ ତାହେଲେ ପଚାର। କଣ ପଚାରିବୁ କହୁଥିଲୁ ପରା। ଜେଜେ କହିଦେଇ ପରୁଆ ଆଡକୁ ଚାହିଁଲେ।

ପରୁଆ କହିଲା ଜେଜେ -ଆଜି ସାହିତ୍ୟ ସାର୍ ଦୁଇଟା ଶବ୍ଦ ଭିତରେ ଅନ୍ତର ପଚାରୁଥିଲେ। ଗୋଟିଏ ହେଲା ସାହାଯ୍ୟ ଆଉଗୋଟିଏ ସହଯୋଗ। ସହଯୋଗ ଅର୍ଥ ବି ତ ସାହାଯ୍ୟ। ସାହାଯ୍ୟ ଅର୍ଥ ବି ତ ସହଯୋଗ ତାହାଲେ ଅନ୍ତର ଆସିଲା କୋଉଠୁ। ଆମେ କେହି କହି ନପାରିବାରୁ ସାର୍ କହିଲେ - ମନେକର ଜଣଙ୍କର ଟଙ୍କା ଆବଶ୍ୟକ ପଡିଲା ଆମେ ଯଦି ଦେଇ ପାରିଲୁ ତାହେଲେ ଆମେ ସାହାଯ୍ୟ କଲୁ। ଜଣେ ଗରୀବ ବ୍ୟକ୍ତି ଟଙ୍କା ପାଇଁ ପାଠ ପଢି ପାରୁ ନାହିଁ। ଆମେ ତାକୁ ଯାହା ଦରକାର ଯୋଗାଇ ଦେଲେ। ତାହେଲେ ଆମେ ତାକୁ ପାଠ ପଢାରେ ସହଯୋଗ କଲେ। କିନ୍ତୁ ଜେଜେ ଦୁଇଟା ଯାକ ଘଟଣାରେ ସାହାଯ୍ୟ ତ ଜଳ ଜଳ ଦିଶୁଛି। ତେଣୁ ଏଠି ଅନ୍ତର ଆସିଲା କୋଉଠୁ।

ଜେଜେ ଅନୁସନ୍ଧିତ୍ସୁ ପରୁଆକୁ ଦେଖି ଖୁସି ହେଇ କହିଲେ -ଏତିକି କଥାତ!

ହୋଉ କହିଲୁ - ତୁ ଭଲ ବୋଲିଂ କରୁଛୁ ନା ବ୍ୟାଟିଂ। ପରୁଆ ଖୁସି ହୋଇ କହିଲା ବୋଲିଂ।

ଜେଜେ କହିଲେ ତାହେଲେ ତ ତୋ ବୋଲିଂରେ ବାଉଣ୍ଡାରୀ ମାରିବା କଷ୍ଟ ହେଉଥିବ।

ହଁ ଜେଜେ। ସଦାବେଳେ କରି ପାରନ୍ତି ନାହିଁ। ମୁଁ ବେଶି ଉଇକେଟ ନିଏ। ପରୁଆ ଖୁସି ହୋଇ କହିଲା।

ଜେଜେ ପୁଣି ଆରମ୍ଭ କଲେ - ତାହେଲେ ତୋର ଆଜି ନଯିବା ଦ୍ଵାରା ଅନ୍ୟ ମାନେ ତୋର ସହଯୋଗ ପାଇଲେ ନାହିଁ। ତୁ ଯାଇଥିଲେ ତୋର ବୋଲିଂ ଦ୍ଵାରା ତାଙ୍କ ଅଭ୍ୟାସ ହୋଇ ପାରିଥାନ୍ତା ଯାହା ଆଜି ବନ୍ଦ ହୋଇଗଲା। ଜଣେ ଖେଳାଳି କମିଯିବା ଦ୍ଵାରା ଖେଳରେ ମଧ୍ୟ ପୂର୍ଣ ସହଯୋଗ ମିଳି ନଥିବ। ସମସ୍ତଙ୍କୁ ଆଜି ଖେଳଟା ଟିକେ କମିଗଲା ପରି ଲାଗିଥିବା। କଣ ! ହଁ ନା ନାହିଁ କହିଲୁ।

ତାହେଲେ କଣ ଜେଜେ ସହଯୋଗରେ ବ୍ୟକ୍ତିର ଉପସ୍ଥିତ ହେବା ଜରୁରୀ।

ହଁ ପରୁଆ ଠିକ୍ ବୁଝିଛୁ। ସହଯୋଗରେ ବ୍ୟକ୍ତି ଓ ବସ୍ତୁ ଉଭୟର ଆବଶ୍ୟକ ହୁଏ। ମନେକର ତୁ ଯାଇଥାନ୍ତୁ କିନ୍ତୁ ବୋଲିଂ କରି ନଥାନ୍ତୁ ବା ବୋଲିଂ କରିଥିଲେ ବି ବେପରୁଆ ଭାବେ ବୋଲିଂ କରିଥାନ୍ତୁ ତାହେଲେ କଣ ସହଯୋଗ ହୋଇ ପାରିଥାନ୍ତା। ତେଣୁ କେବଳ ବ୍ୟକ୍ତିର ଉପସ୍ଥିତି ଯଥେଷ୍ଟ ନୁହେଁ। ବ୍ୟକ୍ତି ଓ ବ୍ୟକ୍ତି ଠାରୁ ପ୍ରାପ୍ୟ ବସ୍ତୁ ଉଭୟର ଆବଶ୍ୟକତା ରହିଛି।

କିନ୍ତୁ ସାହାଯ୍ୟରେ ବ୍ୟକ୍ତି ଅବା ବସ୍ତୁ କୌଣସି ଗୋଟିଏର ଉପସ୍ଥିତି ଯଥେଷ୍ଟ ହେଇପାରେ। ଯେମିତି ଗରୀବକୁ ଦାନ କରିବା। ଏଥିରେ ବ୍ୟକ୍ତିର ଉପସ୍ଥିତି ନଥିଲେ ମଧ୍ୟ ଦାନ ସମ୍ପୂର୍ଣ୍ଣ ହେଇପାରିବ। ଜଣେ ଦୁର୍ଘଟଣାରେ ପଡିଗଲା। ସେହି ଅବସ୍ଥାରେ ମୁଁ ତାକୁ ହସ୍ପିଟାଲ ନେଲି ବା ମୋର କ୍ଷମତା ଦ୍ଵାରା ଆଉ କାହାକୁ କହି ହସ୍ପିଟାଲ ପଠାଇଲି, ଉଭୟଥିରେ ମୁଁ ଉପସ୍ଥିତ ଓ ଅନୁପସ୍ଥିତ ରହି ସାହାଯ୍ୟ କଲି।

ଏଥର କହ ସାହାଯ୍ୟ ଓ ସହଯୋଗ ଭିତରେ ଥିବା ପାର୍ଥକ୍ୟ ବୁଝି ହେଲା କି ନାହିଁ।

ହଁ ବୁଝି ହେଲା ଯେ-- ପରୁଆ ଭାବିଲା

ଜେଜେ ପୁଣି ପଚାରିଲେ - ଯେ ପୁଣି କୋଉଠୁ ଆସିଲା

ମୁଁ ଭାବୁଛି ସାହାଯ୍ୟ ଭଲ ହେଲେ ବି ସହଯୋଗ ଯଥେଷ୍ଟ ଭଲ।

ଜେଜେ କହିଲେ ନିଃସନ୍ଦେହ। ଏହାର ପ୍ରମାଣ ହେଉଛି ଘରେ ଯେତେବେଳେ କୌଣସି ଉତ୍ସବ ହୁଏ ସେଥିରେ ଘରର କିଛି କୁଟୁମ୍ବ ଟଙ୍କା ପଠାଇ ବନ୍ଧୁ ଦାୟିତ୍ବରୁ ମୁକ୍ତ ହେଲେ ବୋଲି ଭାବିଥାନ୍ତି। କିନ୍ତୁ ପଚାରି ବୁଝିବୁ ବ୍ୟକ୍ତିର ଉପସ୍ଥିତି ଓ ସହଯୋଗ ସାହାଯ୍ୟ ଠାରୁ କେତେ ଅଧିକ ଆନନ୍ଦ ଦେଇଥାଏ। ଏହା ସବୁ କ୍ଷେତ୍ରରେ ମଧ୍ୟ ସତ୍ୟ।

ତାହେଲେ ମୋର ଖେଳିବାକୁ ନଯିବାଟା ଭୁଲ୍ ।

ଜେଜେ ହସିକି କହିଲେ ହଁ ନିଶ୍ଚୟ ଭୁଲ୍। ପିଲାମାନେ ଘଣ୍ଟାଏ ନିହାତି ଖେଳିବା କଥା। ଏହା ବହୁତ ଜରୁରୀ।

ହଁ ବେଳେ ବେଳେ କିଛି ମହତ୍ତର କାରଣ ପାଇଁ କିଛି ତ୍ୟାଗ କରିବାକୁ ପଡେ। ଏହା ବେଳେ ବେଳେ ଆସେ। ଏସବୁ ତୁ ବଡ ହେଲେ ଜାଣି ପାରିବୁ।

ପରୁଆ ଜେଜେଙ୍କୁ କୁଣ୍ଢାଇ ପକାଇ କହିଲା - ତମେ ଏତେ ଜିନିଷ ଜାଣୁଛ କେମିତି।

ଥଟାଳିଆ ହସଟେ ହସି ଜେଜେ କହିଲେ - ନଜାଣିଲେ ମୋ ନାତି ଜେଜେ କହି ପାଖକୁ ଆସିବ କେମିତି।

ଦୁହେଁ ଦୁହିଁଙ୍କୁ ଅନାଇ ଠୋ ଠୋ ହେଇ ହସିଲେ ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Children