ସାବତ ମା
ସାବତ ମା
ଆରେ ଦେବୁ ,ତୋ ବାପା କୁଆଡେ ଆଉଗୋଟେ ବାହା ହେଉଛନ୍ତି ।ତମ ଘରକୁ ନୂଆ ବୋଉଟେ ଆସିବ।ଦେବୁ ଖୁସିରେ ଉତ୍ତର ଦେଇ କୁହେ ,ବୋଉ ସେ ତ କୁଆଡେ ଆକାଶର ତାରା ହୋଇଯାଇଥିଲା ।ଆମ ଘରକୁ ଆସିବ କିପରି ।ଗାଁ ଲୋକେ କୁହନ୍ତି, ଆରେ ଦେବୁ ତୋ ଜନ୍ମ କଲା ମାଆ ନୁହଁରେ, ଘରକୁ ବାହା ହୋଇ ଆସିବ ତୋ ସାବତ ମାଆ ।କିଏ ଜାଣେ ତୋ ଅବସ୍ଥା କ'ଣ ହେବ।
ଦେବୁ ମନ ଦୁଃଖରେ ଘରକୁ ଆସି କହିଲା, ବାପା ସମସ୍ତେ କହୁଛନ୍ତି, ତମେ କୁଆଡେ ବାହା ହେବ,ଆଉ ଘରକୁ ମୋ ପାଇଁ ବୋଉ ନୁହେଁ ,ଗୋଟେ ସାବତ ବୋଉଟେ ଆଣିବ। ବାପା ସାବତ ବୋଉ କ'ଣ ?।ସେ କ'ଣ ବୋଉ ନୁହେଁ ।
ଶିଖର ଦେବୁକୁ ଧରି କହିଲେ, ନାରେ ଧନ,ତୁ କାହା କଥା ଶୁଣେନା। ତୋ ବୋଉ ଆସିବ। ତତେ ଖୁଆଇଦେବ,ଗେଲ କରି ଗପ କହି ଶୁଆଇଦେବ। ତତେ ନୂଆ ଜାମା ପିନ୍ଧାଇଦେବ। ଆଜି ଚାଲ ତତେ ଖୁଆଇଦେବି।କାଲିଠୁ ତୋ ବୋଉ ଆସିଲେ ତତେ ଖୁଆଇଦେବ।
ଶିଖର ମାଳକୁ ବାହା ହେବାର ତିନି ବର୍ଷ ହୋଇଥାଏ। ଦେବୁକୁ ମାତ୍ର ଦୁଇବର୍ଷ ହୋଇଥାଏ । ମାଳର ଦେହ ଅସୁସ୍ଥ ହୋଇ ମାଳ ଆର ପାରିକୁ ଚାଲିଗଲା।ସେବେଠୁ ଦୁଇ ବର୍ଷର ଦେବୁର ସବୁ ଯତ୍ନର ଭାରା ପଡିଲା ଶିଖର ଉପରେ। ବନ୍ଧୁ ବାନ୍ଧବ ବାଧ୍ୟ କଲାରୁ ଶିଖର ପୁଣି ଥରେ ବିବାହ ପାଇଁ ରାଜି ହୋଇଛନ୍ତି । କିନ୍ତୁ ମନରେ ଡର କାଳେ ସାବତ ମାଆ ଦେବୁକୁ ଅବହେଳା କରିବ।
ତା' ପରଦିନ ଶିଖର ଶିଖାକୁ ବିବାହ କରି ଘରକୁ ଆଣିଲେ।ଦେବୁ ଶିଖାକୁ ଦେଖୁ ଦେଖୁ ଶିଖାକୁ କୋଳେଇ ଧରି କହିଲା, ତମେ ମୋର ବୋଉ ହବନା।କୁହ ଜମା ସାବତ ମାଆ ହେବନି।କେଜାଣି ଦେବୁର ଏଇ ପଦିକ କଥାଟା ଶିଖାର ହୃଦୟକୁ ଦୋହଲାଇଦେଲା। ଶିଖା ଦେବୁକୁ କାଖରେ କାଖେଇ ଧରି କହିଲା, ନାଇଁରେ ଧନ, ମୁଁ ହିଁ ତୋର କେବଳ ମାଆ, ତୁ ମୋର ପୁଅ। ମାଆ ତ ସବୁବେଳେ ମାଆ।ଯେପରି ସୁନା ସବୁବେଳେ ସୁନା ହୋଇରହେ।ସେ ନିଆଁରେ ପଡୁ କି ପାଣିରେ ପଡୁ।ସେହିପରି ମାଆ ଶବ୍ଦଟା ସବୁବେଳେ ମହାନ।ସେ ମାଆ ଶବ୍ଦ ପୂର୍ବରୁ ସାବତ ଶବ୍ଦଟାକୁ ତୁ କେବେ ଲଗାନା। ମୁଁ ଆଜିଠୁ କହୁଛି,ତୋ ମୁହଁକୁ ଚାହିଁ ମୁଁ ଜୀବନରେ କେବେ ଛୁଆ ଜନ୍ମ କରିବିନି।
ସେହିଦିନଠାରୁ ଦେବୁର ଜୀବନ ହେଉଛି ତା' ମାଆ ଶିଖା।ଆଉ ଶିଖାର ନୟନ ପିତୁଳା ପାଲଟିଗଲା ଦେବୁ। ମାଆ ପୁଅର ଭଲପାଇବା ଦେଖି ଗାଁ ଲୋକେ କୁହାକୁହି ହେଲେ, ମଲାମୋର,ଏଇ ସାବତ ମାଆ ଦେବୁକୁ ଏତେ ଭଲ ପାଉଛି। କ'ଣ ସତରେ ନା , ଲୋକ ଦେଖାଣିଆ।ଦେଖାଯାଉ ଆଗକୁ କ'ଣ ହେଉଛି।
କ୍ରମଶଃ ଦିନ ଗଡିଯାଇ ପାଖାପାଖି କୋଡିଏ ବର୍ଷ ବିତିଯାଇଛି ୟା ଭିତରେ। ଆଜି ଦେବୁ ଜଣେ ଯୁବକ। ଆଉ ଶିଖର ବୁଢା ପାଲଟି ଯାଇଛନ୍ତି ।ଶିଖା ତ ଷାଠିଏ ଛୁଇଁବାକୁ ଯାଉଛି। ଜୀବନର ଅନ୍ତିମ ଅବସ୍ଥାରେ ସମସ୍ତଙ୍କର ଇଚ୍ଛା ହୁଏ ଟିକେ ବୋହୂ ପରଶା ଖାଇବାକୁ । ନାତି ନାତୁଣୀ ସହ ଖେଳିବାକୁ। ତେଣୁ ଶିଖା ଠିକ୍ କଲା ଦେବୁକୁ ବିବାହ କରାଇଦେବ। ଦେବୁ ପାଇଁ ଶିଖର ଆଉ ଶିଖା ଦୁହେଁ ଝିଅ ଦେଖିବା ଆରମ୍ଭ କଲେ। ଏକଥା ଶୁଣି, ବନ୍ଧୁବାନ୍ଧବ ମାନେ,ସାହି ପଡିଶା ଲୋକ କହିଲେ, ଆରେ ଶିଖାଟା ସାବତ ମାଆ, ସେ କ'ଣ ଦେବୁ ପାଇଁ ଝିଅ ଦେଖିବ।ଦେବୁ ପାଇଁ ଝିଅ ଆମେ ଦେଖିବୁ।
ଶିଖା କାନକୁ କଥାଟା ଗଲା। ଅଜାଣତରେ ଆଖିରୁ ଅମାନିଆ ଲୁହ ଦୁଇଟୋପା ବହିଗଲା। ସବୁବେଳେ ଖାଲି ସାବତ ମାଆ, ସାବତ ମାଆ ଶବ୍ଦଟା ଶୁଣି ଶୁଣି କାନଟା କାଲା ହୋଇଗଲାଣି।ଯାହା ମୁହଁକୁ ଚାହିଁ ,ଛାତିକୁ ପଥର କରି ଶିଖା ସନ୍ତାନ ଜନ୍ମ କଲାନି। ଅନ୍ତତଃ ଥରେ ସେ ଦେବୁକୁ ପଚାରିବ।ମୁଁ କ'ଣ ଦେବୁ ପାଇଁ ଭଲ ଝିଅ ଖୋଜି ପାରିବିନି।
ଶିଖା ଡାକିଲା, ଦେବୁ ମୁଁ ଭାବିଛି ତୋ ପାଇଁ ଝିଅ ଠିକ୍ କରି ତୋ ବାହାଘର କାମଟା ସାରିଦେବି। ଏ ବୁଢୀ ବୟସରେ ରୋଷେଇରୁ ଟିକେ ତ୍ରାହି ମିଳିବ ।ଦେବୁ କହିଲା, ବୋଉ ତୁ କାହିଁକି କଷ୍ଟ କରିବୁ। ପିଉସୀ ନାନୀ ଘର ପାଖରେ ଥିବା ଝିଅ ଦେଖିବାକୁ ସୁନ୍ଦର ।ପିଉସୀ ମୋ ପାଇଁ ତାକୁ ଠିକ୍ କରିଛନ୍ତି ।ମୁଁ ସେଥିରେ ରାଜି।
ଶିଖା ଦେବୁ ମୁହଁରୁ ଏମିତି ଉତ୍ତର ଆଶା କରି ନଥିଲା । ହେ ଭଗବାନ୍ ସତରେ କ'ଣ ଜଣେ ,ସାବତ ମାଆ ହେବା ପାପ। ଦୁନିଆରେ ସବୁ ସାବତ ମାଆ କ'ଣ ସମାନ । କେହି ଜଣେ ସାବତ ମାଆ ତ ନିଜ ଜନ୍ମ କଲା ମାଆ ଠାରୁ ଅଧିକ ହୋଇପାରେ। ଏକଥା କିଏ ବୁଝିବ। ଖାଲି ସମସ୍ତେ ତ ଗୋଟିଏ କଥା କହି ଜାଣନ୍ତି , ସାବତ ମାଆ ମାଆ ପରି ହୋଇପାରିବନି।କିନ୍ତୁ କାହିଁକି?
ହେଉ ବେଶ୍ ଭଲ କଥା ,ଦେବୁ ଖୁସିରେ ଆମେ ଖୁସି। ତେଣୁ ଶିଖା ଖୁସି ଖୁସି ଦେବୁ ପସନ୍ଦର ଝିଅ ସହ ଦେବୁର ବିବାହ କରିଦେଲା। ଦେବୁ ଆଉ ତା' ସ୍ତ୍ରୀକୁ ଦୀପ ଜାଳି ସ୍ଵାଗତ କରି ଘରକୁ ପାଛୋଟି ନେବାକୁ ଦୁଆର ମୁହଁରେ ଠିଆ ହୋଇଥାଏ ଶିଖା । ମନରେ ଭାବୁଥାଏ ଦେବୁ ମୋର ଏଡେ ବକଟେ ହୋଇଥିଲା, ଯେବେ ସେ ବାହା ହୋଇ ଘରକୁ ପ୍ରଥମେ ଆସିଲା ତ ,ଦେବୁ ତାକୁ ବୋଉ ବୋଉ କହି ଘରକୁ ପାଛୋଟି ନେଇଥିଲା।ଆଜି ଦେବୁ ବିବାହ ପରେ ଶିଖା ଦେବୁ ସହ ତା ବୋହୂକୁ ପାଛୋଟି ନେଉଛି। ହେ ଭଗବାନ୍ ଦେବୁର ବୈବାହିକ ଜୀବନ ସୁଖମୟ ହେଉ। ତା' ମନକୁ ବୁଝିଲା ପରି ସ୍ତ୍ରୀଟେ ମିଳୁ।।ଏମିତିରେ ପୁଅ ବୋହୂ ଦୁଇଜଣଙ୍କୁ ଘର ଭିତରକୁ ପାଛୋଟି ନେଲା ଶିଖା।
ବାହାଘର ପର ଦିନ ସକାଳ ଆଠଟା ବାଜିଯାଇଥାଏ। ଶିଖା ବୋହୂକୁ ଡାକିଲା, ଝିଅ ଉଠିପଡ ,ଯାଆ ଗାଧୋଇ ପଡ। ସାହି ପଡିଶା ଲୋକ ଘରକୁ ଆସିବେ,ତତେ ଦେଖିବାକୁ। ବୋହୂ ସଙ୍ଗେ ସଙ୍ଗେ ଉତ୍ତର ଦେଇ କହିଲା, କାହିଁକି ମିଛ ଟାରେ ପାଟି କରୁଛ। ଭଲରେ ଟିକେ ଶୁଆଇ ଦେଉନ। ଆରେ ,ମିଛଟାରେ କ'ଣ ଆମ ଘର ଲୋକ କହୁଥିଲେ, ତୋ ଶାଶୁଟା ନିଜ ଶାଶୁ ନୁହେଁ ,ସେ ସାବତ ଶାଶୁ ତାଠୁ ଅଲଗା ରହିବୁ। ସେ କ'ଣ ତତେ ଭଲରେ ରଖେଇ ଦେବ।
ବୋହୂ କଥା ଶୁଣି, ଶିଖା ପୁରା ସ୍ଥାଣୁ ପାଲଟିଗଲା। ବୋହୂକୁ କିଛି ଉତ୍ତର ନଦେଇ,ଦେବୁକୁ କହିଲା, ଦେବୁ ଟିକେ ତୁ ବୋହୂକୁ ବୁଝା।
ଦେବୁ କହିଲା, ବୋଉ ତୋର ଆମ କଥା ବୁଝିବା ଦରକାର ନାହିଁ ।ଆଜିଠୁ ଆମେ ଅଲଗା ,ତୁମେ ବାପାର ତୋର ଅଲଗା ରୁହ। ଶିଖା ଆଉ ଶିଖର ଦୁହେ ନାଚାର।ବାଧ୍ୟ ହୋଇ ଦୁହେଁ ବୁଢା ବୁଢୀ ବୟସରେ ଅଲଗା ରୋଷେଇ କରି ଖାଇଲେ। ଯେଉଁ ମନରେ ଇଚ୍ଛା ଥିଲା ଯେ ପୁଅ ବୋହୂ ଆସିବେ।ରାନ୍ଧିକି ସେମାନଙ୍କୁ ଖାଇବାକୁ ଦେବେ। ନାତି ନାତୁଣୀ ସହ ଖେଳିବେ। ସେସବୁ ପାଣି ଫୋଟକା ଭଳି ମିଳେଇଗଲା। ଦୁହେଁ ମନେ ମନେ କାନ୍ଦିବା ଛଡା ଉପାୟ ହିଁ କିଛି ନଥିଲା।ସେ ଯାହା ହେଉ ପୁଅ ବୋହୂ ଦୁଇଜଣ ଭଲରେ ରୁହନ୍ତୁ ଏହାହିଁ ଥିଲା ମନର ଭାବନା।
ଜୀବନରେ ପ୍ରଥମ ଥର ପାଇଁ ଗୋଟିଏ ଘରେ ଦୁଇଟି ଚୁଲି ଜଳିଲା। ଯେବେ ଶିଖା କିଛି ଭଲ ଖାଇବା ରାନ୍ଧୁଥିଲା ତ ତା' ପାଟିକୁ ରୁଚୁନଥିଲା। ଇଚ୍ଛା ହୋଉଥିଲା ଦେବୁକୁ ଟିକେ ଖୁଆଇ ଦିଅନ୍ତା,ସତେ ଯେପରି ପିଲାବେଳେ ସେ ଦେବୁକୁ ଖୁଆଇଦିଏ।କିନ୍ତୁ ବୋଧହୁଏ ସେ ଖୁସି ତା' ଭାଗ୍ୟରେ ନଥିଲା ।
ହଠାତ୍ ଦିନେ ସକାଳୁ ସକାଳୁ ଦେବୁ ଆଉ ତା' ସ୍ତ୍ରୀର ଝଗଡା ଲାଗିଲା। ରାଗିକରି ଦେବୁ କବାଟ କିଳି ଘର ଭିତରେ ରହିଲା।ସକାଳୁ ସଞ୍ଜ ହେଲା କବାଟ ଫିଟିଲାନି।ଶିଖା ଆଉ ସମ୍ଭାଳି ପାରିଲାନି।ଯାଇ କବାଟ ବାଡେଇ ଡାକିଲା, ଆରେ ମୋ ଧନ ଦେବୁ କିରେ,କବାଟ ଖୋଲେ, ମୁଁ ତୋ ମାଆ ଡାକୁଛି।ତଥାପି କବାଟ ଖୋଲିଲାନି।ଶିଖା କାନ୍ଦି କାନ୍ଦି ଡାକିଲା,ଆରେ ଦେବୁ କବାଟ ଖୋଲ ,ମୁଁ ତୋ ସାବତ ମାଆ ଡାକୁଛି।ହଠାତ୍ ଦେବୁ ଦୁଆର ଖୋଲି ଦେଇ ଶିଖାର ପାଦ ଦୁଇଟି ଧରି କହିଲା, ବୋଉ ମତେ କ୍ଷମା କରିଦିଅ । ମୋର ଭୁଲ୍ ହୋଇଯାଇଛି। ଆରେ ଶିଖା ଦେବୁକୁ ଆଉଁସି ଦେଲା ,ଦେଖିଲା, ଦେବୁ ମୁହଁରେ ଫେଣ ଲାଗିଛି। ଶିଖା ଚମକି ଯାଇ କହିଲା, ଦେବୁ ଧନ ସତ କହ କଣ କରିଛୁ?
ବୋଉଲୋ ମୁଁ ବିଷ ପିଇଛି।ଆରେ ଧନ କ'ଣ କଲୁ। ମୋତେ ସତରେ ତୁ ସାବତ ମାଆ ସଜେଇ ଦେଲୁ।ମୁଁ ଇଚ୍ଛା କରିଥିଲି ତୁ ବଡ ହେଲେ ମୋ ଦୁଃଖ ଯିବ। ମୁଁ ମଲେ ତୁ ମୋ ମୁହଁରେ ନିଆଁ ଦେବୁ। ଦେବୁର ଆଖି ମୁଦି ହୋଇ ଆସୁଥାଏ,କଣ୍ଠ ରୁଦ୍ଧ ହୋଇଆସୁଥାଏ । ଶିଖା ଆଖିରୁ ଲୁହ ଝରିଯାଉଥାଏ।ଶିଖା କୋଳରେ ଦେବୁ ଟଳିପଡିଲା।ଶିଖା ଉପରେ ଆକାଶଟା ଛିଣ୍ଡିଲା ପରି ଲାଗୁଥାଏ। ସାହି ପଡିଶା ଲୋକ ସମସ୍ତେ ଆସି ଗଦା ହୋଇଥାନ୍ତି ।ଦେବୁର ସ୍ତ୍ରୀ କହୁଥାଏ, ଏ ସାବତ ମାଆ ପାଇଁ ମୋ ସ୍ବାମୀ ମଲା।କିନ୍ତୁ ଶିଖା କାହାକୁ କହିବ ଯେ ତା'ର କୁଳଟା ଆଜି ବୁଡିଗଲା।ଆଖିର ଜ୍ୟୋତିଟା ଆଜି ଲିଭିଗଲା। ସାବତ ମାଆର ଶବ୍ଦଟା କିନ୍ତୁ ଆଜି ବି ସତେଜ।
