ସାଆନ୍ତେ ବୋକା ବନିଗଲେ
ସାଆନ୍ତେ ବୋକା ବନିଗଲେ
ସାଆନ୍ତେ ପ୍ରଣାମ ।
ସାଆନ୍ତଙ୍କ ପାଦ ପାଖରେ ଆଣ୍ଠୁ ମାଡି ପ୍ରଣାମ କଲା ଗୌରାଙ୍ଗ ।
- " କେମିତି ଅଛୁ ରେ,ଗୌରାଙ୍ଗ ? " ହସିଦେଇ ପଚାରିଲେ ସାଆନ୍ତେ ।
- " କାମଦାମ ନାହିଁ । ଶୂନ୍ୟ ହାତ । ଅଭାବ, ଅନଟନ ଅସହ ହେଲାଣି । ତେଣୁ ଭେଟିବାକୁ ଆସିଥିଲି । " କହିଲା ଗୌରାଙ୍ଗ ।
- " ଅଭାବୀ ମଣିଷର ସମୟଟା ସେହିପରି । ପାଦ ପାଦକେ ଘୂର୍ଣ୍ଣିଝଡ । ପାଦେ ଆଗେଇବ ତ ଅଦିନିଆ ଝଡରେ ଆଖି, ନାକ,କାନରେ ଧୂଳି ଭର୍ତ୍ତି ହୋଇଯିବ । ଅନ୍ଧାରରେ ଦରାଣ୍ଡି ହେଉ ହେଉ ଅଟକିଯିବ ଶ୍ବାସପ୍ରଶ୍ବାସ । କିଛି ଗୋଟେ କରୁନୁ କାହିଁକି, ରେ ଗୌରାଙ୍ଗ ?କେତେଦିନ ଏମିତି ନିରାଶର ଜୀବନ ବଞ୍ଚିବୁ ?ଯନ୍ତ୍ରଣାର ଲୁହ ପିଉଥିବୁ ? " କହିଲେ ସାଆନ୍ତେ ।
ଗୌରାଙ୍ଗ ହାତ ମଳିମଳି ,ମୁହଁ କାନ ଆଉଁଷି, ଦାନ୍ତ ଦେଖେଇ ଦେଖେଇ କହିଲା - " କିଛି କରି ପାରୁନି, ସାଆନ୍ତେ । ମୋ ପାଇଁ କିଛି ହେଲେ ଆପଣ କରନ୍ତୁ । ଧର୍ମ ହେବ । "
ସାଆନ୍ତେ ମୁର୍କି ହସିଲେ । କହିଲେ - " ଦେଖୁଛି ବଡି ସକାଳରୁ ଉଠି ତୋ ସ୍ତ୍ରୀ ଗୋବର ଗୋଟେଇବାକୁ ଯାଉଛି । ଆଣି ଘଷି ତାଡୁଛି । ଅଗାଡି ଦରକାର ହେଉଥିବ । କହିବୁ ଆସି ମୋ ଖଳାରୁ ନେଇଯିବ । ବସି ଗୋଲ୍ ଗୋଲ୍ କଳାଜହ୍ନ ପରି ଘଷି ସେ ତାଡୁଥିବାର ମୁଁ ଦେଖିଛି । ତାକୁ ପଠେଇବୁ । "
- " ହଁ,ସାଆନ୍ତେ । ମୁଠେ ଅଗାଡି ଏଠି କେହି ହେଲେ ଦେଉନାହାନ୍ତି । ସେ ରାଗୁଛି । ରାଗ ମୋ ଉପରେ ସୁଝାଉଛି । ଏକଥା ଜାଣି ସେ ଖୁସି ହେଇଯିବ, ସାଆନ୍ତେ । ନିଶ୍ଚେ ତାକୁ ପଠାଇବି । " ଗୌରାଙ୍ଗ କହିଲା ।
ସାଆନ୍ତେ ପୁଣି କହିଲେ - " ଘରେ ବସ୍ତା ବସ୍ତା ଚାଉଳ । ନୂଆ ପୁରୁଣା । ଏ ପୂଜାରୀ ଟୋକାଟା ଯେ ମେଞ୍ଚେ ମେଞ୍ଚେ ରାନ୍ଧି ଦେଉଛି । ସକାଳକୁ ଖୁବ୍ ବଳିଯାଉଛି । ସେ ଆସିଲେ ମୁଁ ତାକୁ ସେସବୁ ଦେଇଦେବି । ଦିନତମାମ୍ ଆଉ ତୋର ଖାଇବା ଚିନ୍ତା ରହିବନି ରେ,ଗୌରାଙ୍ଗ । ତୁ ଯା' । କାଲି ତାକୁ ଯେମିତି ହେଲେ ପଠାଇବୁ । '
ଗୌରାଙ୍ଗ ଖୁସି ହୋଇ ସାଆନ୍ତଙ୍କୁ ପ୍ରଣାମ କରି ଫେରିଆସିଲା । ଇସ୍ ! କି ଖୁସି ସେ ସେଦିନ !ଘରେ ପହଞ୍ଚି ବିଜୁଳିକି ସବୁ କଥା କହିଲା ।
- " ଯିବି, ନିଶ୍ଚୟ ଯିବି । ସାଆନ୍ତେ କହିଛନ୍ତି ଯେତେବେଳେ... । " ଖୁସିଖୁସିରେ କହିଲା ବିଜୁଳି ।
ପରଦିନ ବାସି ପାଇଟି ସାରି ଯାଇ ସାଆନ୍ତଙ୍କ ଖଳାରେ ପହଞ୍ଚିଲା । ଅଗାଡି ସଂଗ୍ରହରେ ଲାଗିଲା ।
ସେ ଆସିଛି ଜାଣି ସାଆନ୍ତେ ଆସି ତା' ପାଖରେ ପହଞ୍ଚିଲେ । ହସିଦେଇ କହିଲେ - " ଦେଖୁଛି ଗୌରାଙ୍ଗର ହାତ ଧରି ବଡ ଦୁଃଖରେ ଅଛୁ ତୁ । ମୋର ଏଡେ ବଡ ଖଞ୍ଜା ଘର ପଡିଛି । ତୁ ଏଇଠି ରହିଯାଉନୁ କାହିଁକି ?କେଉଁ ସୁଖରେ, କେଉଁ ଆଶାରେ ଏତେ କଷ୍ଟ କରୁଛୁ । ସାଆନ୍ତାଣୀ ଗଲାଦିନୁ ଭାରି ଦହଗଞ୍ଜ ହେଉଛି ପରା ମୁଁ । ସାଆନ୍ତାଣୀ ହେଲା ଭଳି ଚେହେରା ପାଇଛୁ,ଗରିବ ଘରଣୀ ହୋଇ ଦୁଃଖ କଷ୍ଟରେ ଦିନ କାଟୁଛୁ । "
ଦ୍ବିପହର ଗଡିଲାଣି ସେତେବେଳକୁ । ଘରକୁ ଫେରି ନ ଥିଲା ବିଜୁଳି । - " ଓଃ! କେତେ ଶାନ୍ତି ଲାଗୁଛି ଘରଟା ଆଜି !ସବୁବେଳେ ଅଭିଯୋଗ, ଗାଳିଗୁଲଜ । ଗରିବ ଘରେ ଏମିତି ମଣିଷକୁ ସମ୍ଭାଳିବା ଭାରି କଷ୍ଟ ସତରେ । ଇଏ ତ ବେଡି ଉପରେ କୋରଡା । ରହନ୍ତା କି ସିଆଡେ । ଭଲ ହୁଅନ୍ତା । ଶାନ୍ତି ପାଆନ୍ତା ମଣିଷ । " ମନକୁମନ କହିଲା ଗୌରାଙ୍ଗ ।
ତାହା ହିଁ ହେଲା । ସତରେ ସେଇଦିନରୁ ଆଉ ଘରକୁ ଫେରି ନ ଥିଲା ବିଜୁଳି ।
ଘରେ ଶାନ୍ତିରେ ନିଃଶ୍ବାସ ମାରୁଥିଲା ଗୌରାଙ୍ଗ ।
କିଛି ଦିନ ପରେ । ଦିନେ ଗୌରାଙ୍ଗ ଯାଇ ସାଆନ୍ତଙ୍କ ପାଖରେ ପହଞ୍ଚିଲା କ୍ଷଣି ସାଆନ୍ତେ ପଚାରିଲେ - " ଗୌରାଙ୍ଗ କିରେ ? ଆଉ ଭଲ ତ ? କେମିତି ଅଛୁ ? "
- " ଆପଣଙ୍କ ଦୟାରୁ ଖୁବ୍ ଭଲରେ ଅଛି, ସାଆନ୍ତେ । " ଗୌରାଙ୍ଗ ହସିଦେଇ କହିଲା ।
ସାଆନ୍ତେ ବୋକା ବନିଗଲେ । ଅସଲ କଥାଟା କ'ଣ,କେମିତି ବା ବୁଝି ପାରିଥାନ୍ତେ ସେ !