ସ୍ୱତନ୍ତ୍ରତା
ସ୍ୱତନ୍ତ୍ରତା
ବସ୍ତିର ଅନତି ଦୂରରେ, ପାହାଡ ପାଖାପାଖି ଝରଣା କୂଳରେ ସେ ଘରଟି ଅବସ୍ଥିତ। ଘରଟିର ଅବସ୍ଥିତି ଯେମିତି ନିଆରା,ଘର ଭିତରେ ରହିଥିବା ଚାରିପିଢ଼ିଙ୍କୁ ଦେଖି ଲୋକେ ସେତିକି ଆଚମ୍ବିତ, ତଥା ସମସ୍ତେ ସକ୍ଷମ ଦେଖି ଲୋକମାନେ କେତେକଣ ମନ୍ତବ୍ୟ ଦିଅନ୍ତି, ଯେମିତିକି ଘରଟି ନିଶ୍ଚୟ ବାସ୍ତୁ ଅନୁଯାୟୀ ସ୍ଥାପିତ, ସମସ୍ତେ ନିଶ୍ଚୟ ଆସ୍ତିକ ସ୍ଵଭାବ ବିଶିଷ୍ଠ ତଥା ଧନୀ ହୋଇଥିବାରୁ ବୋଧହୁଏ ବହୁତ ଭଲ ଖାଇବା ଦ୍ଵାରା ସେମାନେ ସମସ୍ତେ ସୁସ୍ଥ, ଆଉ ସୁସ୍ଥ ନିରୋଗ ରହିବାରୁ ଏକାନ୍ନବର୍ତ୍ତୀ ବା ଯୌଥ ପରିବାର ହୋଇ ଚଳୁଛନ୍ତି।
ଏସବୁ କଥା ଶୁଣି ମୋର ବି ମନେପଡିଯାଏ, ମୁଁ ନିଜେ ପଢିଥିବା ଓ ପଢେଇଥିବା ସେଇ ଇଂରାଜୀ ଭାଷାର ଗଳ୍ପଟି। ଯାହାର ଶିରୋନାମା ଥିଲା,"The grain as big as a hen's egg"ଅର୍ଥାତ "କୁକୁଡ଼ା ଅଣ୍ଡା ଭଳି ଶସ୍ୟ"। ପ୍ରଥମେ ତ କେହି ତାକୁ ଚିହ୍ନି ପାରିନଥିଲେ, ପରେ ପକ୍ଷୀ ଖୁମ୍ପିବାରୁ ଶସ୍ୟ ବୋଲି ଜାଣି, ଏହା କେବେ କେଉଁଠି କିପରି ଫଳୁଥିଲା ବୋଲି ରାଜା ଜାଣିବାକୁ ଚାହିଁ ତାଙ୍କ ଦରବାରରେ ଉପସ୍ଥିତ ସବୁ ଜ୍ଞାନୀ ଗୁଣୀ ତଥା ପଣ୍ଡିତମାନଙ୍କୁ ପଚାରି ମଧ୍ୟ ଉତ୍ତର ପାଇନଥିଲେ। ଆଉ ବିଜ୍ଞ ଅନୁଭବୀ ପାରିଷଦବର୍ଗ ଲୋକଙ୍କ ପରାମର୍ଶ କ୍ରମେ, ରାଜ୍ୟର ସବୁଠାରୁ ପୁରୁଖା ବା ବୃଦ୍ଧ ଲୋକ କହିପାରିବେ ବୋଲି କହିବାରୁ, ତାଙ୍କୁ ଆଣି ହାଜର କରାଗଲା, ଯାହାଙ୍କୁ ଶୁଭୁ ନଥିଲା, ଦେଖା ଯାଉନଥିଲା ଆଉ ସେ ଦୁଇଟି ଆଶାବାଡି ସହାୟତାରେ ଚାଲୁଥିଲେ, ସେ ଉତ୍ତର ଦେଇପାରିଲେନି ସତ କିନ୍ତୁ ତାଙ୍କ ବାପା ହୁଏତ କହିପାରିବେ କହିବାରୁ, ତାଙ୍କୁ ଅଣାଗଲା, ଯାହାଙ୍କୁ ଅଳ୍ପ ଅଳ୍ପ ଦେଖା ଓ ଶୁଣା ଯାଉଥିଲା ଏବଂ ସେ ଗୋଟିଏ ଆଶାବାଡ଼ି ସାହାଯ୍ୟରେ ଚାଲୁଥିଲେ, ସେ ମଧ୍ୟ କହିନପାରି ତାଙ୍କ ବାପା ହୁଏତ କହିପାରିବେ କହି ବିଦାୟ ନେବା ପରେ ତାଙ୍କ ବାପାଙ୍କୁ ଦରବାରରେ ହାଜର କରାଗଲା, ଯିଏ ଠିକ୍ ଠାକ୍ ଦେଖି ଶୁଣି ପାରୁଥିଲେ, ଏବଂ ବିନା ଆଶାବାଡିରେ ଯିବା ଆସିବା କରିପାରୁଥିଲେ। ସେ ଚିହ୍ନିଲେ ଶସ୍ୟକୁ, ଆଉ ତାଙ୍କ ସମୟରେ ଏଭଳି ଶସ୍ୟ ସେମାନେ ଉତ୍ପାଦନ କରୁଥିଲେ କହିଲେ। ରାଜା ଆଶ୍ଚର୍ଯ୍ୟ ଚକିତ ହୋଇ କିପରି ଓ ତୁମ ପୁଅ ନାତିଙ୍କ ଠାରୁ ତୁମେ ଅଧିକ ସୁସ୍ଥ ରହିଛ କେମିତି ପଚାରିବାରେ, ସେହି ତୃତୀୟ ପୁରୁଷ କହିଥିଲେ, ଆମ ସମୟରେ ତୋର ମୋର ଭାଗ ବଣ୍ଟା ନଥିଲା, ସବୁ ଜମି ସମସ୍ତେ ବଳ ଖଟାଇ ଅର୍ଥାତ ପରିଶ୍ରମ କରି ଉତ୍ପନ୍ନ କରୁଥିଲୁ, ଆଉ ସମସ୍ତେ ସମସ୍ତଙ୍କୁ ନିଜର ଭାବି କାମ କରୁଥିଲୁ।
ଏହି ଗଳ୍ପଟି ମନେ ପଡ଼ିବା ପରେ ସେହି ବିସ୍ମୟ ଘର ସଦସ୍ୟ ମାନେ କିପରି ଏତେ ସୁସ୍ଥ ଓ ନିରୋଗ ଅଛନ୍ତି ବୋଲି ଅନୁସନ୍ଧାନରୁ ଜଣାପଡ଼ିଲା। ସେମାନେ ପ୍ରତ୍ୟେକ ପ୍ରତ୍ୟୁଷରୁ ଉଠି ଆଗ ଚାଲନ୍ତି, ପାହାଡ ଚଢ଼ନ୍ତି, ଝରଣା କୂଳରେ ସୁଲୁସୁଲିଆ ବାଆରେ ବସି ଯୋଗାସନ କରନ୍ତି। ନିଜେ ପରିଶ୍ରମ କରି ବଗିଚାରେ ଲଗାଇଥିବା ପନିପରିବା ଖାଆନ୍ତି, ଆଉ ଫୁଲ ତୋଳି ପ୍ରତ୍ୟେକ ଠାକୁର ପୁଜା କରି ଅଧ୍ୟାୟ ଲେଖାଏଁ ଭାଗବତ ଓ ଗୀତା ପଠନ ଓ ଶ୍ରବଣ କରନ୍ତି। ପ୍ରଚୁର ଫୁଟା ପାଣି ପିଇବା ସହ ଠିକ ସମୟରେ ଠିକ୍ ଠିକ୍ କାମ କରିଚଳନ୍ତି। ଆଉ ଶୁଣିବାର ଆବଶ୍ୟକତା ନଥିଲେ ବି ସେମାନେ କହୁଥାନ୍ତି ଛନ୍ଦ କପଟ, ଅନ୍ୟାୟ, ଅନୀତି, ତୋର ମୋର ବିଚାର ତ୍ୟାଗ କରି ଶରୀରକୁ ବିଶ୍ରାମ ମଧ୍ୟ ଦିଅନ୍ତି।
ବୁଝିବାକୁ ଆଉ କିଛି ବାକି ନଥିଲା। ଆମେ ସବୁ ଫେରିଆସିଲା ବେଳେ ସମସ୍ତେ ଏପରି କରିବା ଓ ଅନ୍ୟକୁ କରେଇବାର ଶପଥ ନେଇଥିଲୁ ସତ, ହେଲେ କାର୍ଯ୍ୟକାରୀ କରେଇ ସ୍ୱତନ୍ତ୍ରତା ବଜାୟ ରଖିଲେ ହେଲା।
