Suchismita Satpathy

Inspirational

3.2  

Suchismita Satpathy

Inspirational

ସ୍ୱାଧୀନତା

ସ୍ୱାଧୀନତା

4 mins
49


ଭାରତ ଆଜି ସ୍ୱାଧୀନ।ବହୁ ଧୁମଧାମରେ ପାଳନ ହେଉଛି ଆମ ଦେଶରେ ସ୍ୱାଧୀନତା ଦିବସ। ଆମ ପୂର୍ବ ପୁରୁଷ ମାନେ ଅକଥନୀୟ ଅତ୍ୟାଚାର, ଇଂରେଜ ମାନଙ୍କର ଲାଠି ସହ ବହୁ ଦୁର୍ବିସହ ଜୀବନ ଯାପନ କରି ଆଣି ଦେଇଛନ୍ତି ଆମକୁ ଏ ସ୍ୱାଧୀନତା। 

ଆମ ଜନ୍ମରୁ ଆମେ ଶୁଣୁଛୁ ଦେଶ ସ୍ୱାଧୀନ। ୧୯୪୭ ମସିହା ଅଗଷ୍ଟ ୧୫।ଏହି ଦିନଟିକୁ ଆବାଳ ବୃଦ୍ଧ ବନିତା ସମସ୍ତେ ମନେରଖିଛନ୍ତି। ଶିକ୍ଷିତ ବି ମନେରଖିଛନ୍ତି ଓ ଅଶିକ୍ଷିତ ବି ମନେ ରଖିଛନ୍ତି। 

ବ୍ରିଟିଶ କବଳରୁ ଭାରତ ମାତାର ମୁକୁଳିବା ଏକ ସହଜସାଧ୍ୟ ପଦକ୍ଷେପ ନଥିଲା। କେତେ ମାଆଙ୍କର କୋଳ, କେତେ ନାରୀଙ୍କର ସିନ୍ଦୁର , କେତେ କୋମଳମତି ଶିଶୁମାନଙ୍କର ମଥାରୁ ଛାୟା, କେତେ ଭଉଣୀଙ୍କ ରାକ୍ଷୀ ଏ ମାଟିମାଆର କୋଳରେ ନିଜକୁ ଚିରଦିନ ପାଇଁ ଆଦରି ନେଇଛନ୍ତି ।କଣ ପାଇଁ ? ଏଇ ସ୍ୱାଧୀନତା ପାଇଁ।

 ଦେଶ ହେଲା ସ୍ୱାଧୀନ ଆଜକୁ ୭୪ ବର୍ଷ ହେବ। ଦେଶ ଆଜି ଉନ୍ନତିର ଶିଖରରେ। ସାରା ଭୂଲୋକରେ ଆମ ଭାରତ ମାତା ମଥା ଟେକି ଆଜି ଛିଡାହୋଇଛି। ଯାହା ପାଇଁ ଆମେ ଆଜି ଗର୍ବିତ। କଣ ପାଇଁ? ଏଇ ସ୍ୱାଧୀନତା ପାଇଁ।

ଦେଶ ସ୍ୱାଧୀନ ମାତ୍ର ଦେଶର କନ୍ୟା ଆଜିବି ପରାଧୀନ। କେଉଁଠି ଲୁଣ୍ଠିତା,ନିର୍ଜାତିତା, ତ କେଉଁଠି ସେହି ନାରୀର ଛାୟା ତଳେ ଦଳିତ। 

ଗୋଟେ ଝିଅ ଜନ୍ମ ଯେତେବେଳେ ନିଏ, ସମସ୍ତେ କୁହନ୍ତି, "ଏହେ ପୁଅଟେ ହେଲାନି"।ନିଜେ ଜନ୍ମ କଲା ମା ମନରେ ବି କିଞ୍ଚିତ ମାତ୍ରାରେ ଉଙ୍କି ମାରେ। ପରବର୍ତ୍ତୀ ସମୟରେ ମାଆ ହୃଦୟ, ତେଣୁ ଆତ୍ମା ଆପଣେଇନିଏ।ତାହାହେଲେ ଏହି ଚିନ୍ତାଧାରାରେ କାହିଁ ସ୍ୱାଧୀନତା ?

କ୍ରମେ ଝିଅଟି ବଡ ହୁଏ, ବିଦ୍ୟାଳୟ ର ମାଟି ମାଡେ।ସେତେବେଳେ ତଥାକଥିତ ଦୁରାଚାରୀଙ୍କ ଲୋଲୁପ ଦୃଷ୍ଟି ରୁ ବଞ୍ଚାଇବା ପାଇଁ ଶିକ୍ଷା ଦେବାକୁ ପଡେ। କ୍ରମେ ସେହି କୋମଳ ମନ ଉପରେ ଲାଗେ ଅଙ୍କୁଶ। ଇଛା ଅନୁସାରେ ଆକାଶକୁ ଚାହିଁବାର ଶକ୍ତି ହରାଇବସେ।ସେଇଠି ଚାଲିଯାଏ ତାର ସ୍ୱାଧୀନତା। 

ପାଠ ଭଲ ପଢିବା ପାଇଁ ବାପାମାଆ ଦିଅନ୍ତି ଘରୋଇ ଟିଉସନ। ସେଠିମଧ୍ୟ ଭ୍ରଷ୍ଟ, ବ୍ୟଭିଚାରି, କାମୁକ ମାନଙ୍କ କୁଦୃଷ୍ଟି। ବହୁ ସ୍ଥାନରେ ଶିକ୍ଷକ ସାଜନ୍ତି ଭକ୍ଷକ। ବିଚରା ଝିଅଟି କହିବାକୁ ଚାହିଁ ବି ବାପାମାଆଙ୍କ ଆଗରେ ଆସି କରିପାରେନି। ପ୍ରତ୍ୟେକ ଦିନ ସେହି କାମୁକ ରାକ୍ଷସ ର ବଶବର୍ତ୍ତୀ ହୋଇ ନିଜ ଲୁହ କୁ ନିଜେ ପିଇ ଯାଏ। ମାତ୍ର ମୁହଁ ଖୋଲି ପଦେ କରିପାରେନି। ଭୟ ଓ ଲଜ୍ଜା ରେ। ଏହି କୋମଳମତି ଶିଶୁକନ୍ୟା ଯେତେବେଳେ ଶରୀରର ଶିହରଣ ର ଧାରଣା ନଥିବ ସେସମୟରୁ ଏହି କାମକୁ ରାକ୍ଷସ ମାନଙ୍କ ଆୟତକୁ ଚାଲିଯାଆନ୍ତି। ମାତ୍ର ମୁହଁ ଖୋଲନ୍ତିନି। ତେବେ କାହିଁ ସେ ସ୍ୱାଧୀନତା। 

ଧିରେ ଧିରେ ବଡ ହୁଏ ଓ ତାର ପରିପୂର୍ଣ୍ଣ ରୁପ ନିଏ। କଲେଜ ଯାଏ। ବାଟରେ, କଲେଜରେ କେତେ କମେଣ୍ଟ ଶୁଣେ। ମହାବିଦ୍ୟାଳୟ ଓ ମହାନ ପରିବେଶ। ସେଠି ମଧ୍ୟ ଅସହ୍ୟ ହୋଇପଡେ।

 ରାସ୍ତାରେ,ଯାନବାହନ ରେ ଗଲାବେଳେ କେତେ ନିର୍ଲଜ, ଓ ଭ୍ରଷ୍ଟ ମାନଙ୍କ ହାବୁଡରେ ପଡେ। କେତେବେଳେ କିଏ କେଉଁଠି ହାତ ଦେଲାଣି ତାର ଆଲୋଚନା ନ କରିବା ଭଲ। ସେଠି ମଧ୍ୟ ଚୁପ। କାରଣ ଲୋକ ଲଜ୍ଜା। ତାହାହେଲେ କାହିଁ ସ୍ୱାଧିନତା ?

ତାପରେ ଆସେ ଆଉ ଏକ ପର୍ଯ୍ୟାୟ। ବିବାହ। ଗୋଟିଏ ପରିବାରରୁ ଆଉ ଏକ ପରିବାର। ପ୍ରକୃତରେ ସୃଷ୍ଟିର ନିୟମ ଅନୁଯାୟୀ ଯିଏ ତା ମନ ଓ ଶରୀରର ଅଧିକାରୀ ସିଏ ଆସେ ତା ଜୀବନକୁ। ମାତ୍ର ତା ସହ ଆସନ୍ତି କିଛି ଅଭଦ୍ର ବନ୍ଧୁବାନ୍ଧବ ଭଦ୍ର ମୁଖା ପିନ୍ଧା । ଶାଶୁଘର କୁଣିଆ ହିସାବରେ ଆରମ୍ଭ କରନ୍ତି ଅଶ୍ଳୀଳ ଇଙ୍ଗିତ। ଯାହା ହୋଇଯାଏ ସବୁଠାରୁ ଅସହ୍ୟ। ତା ଉପରେ ଶାଶୁ ନାରୀଟିଏ ହୋଇ ମଧ୍ୟ ଆରମ୍ଭ କରେ ମାନସିକ ନିର୍ଯ୍ୟାତନା। ସେଠି ମଧ୍ୟ ଓଠ ଦୁଇଟି ଖୋଲିବାର ସାହସ ଯୋଗାଡ କରି ପାରେ ନାହିଁ। କାରଣ ବାପଘର ଲୋକେ କଥା ଶୁଣିବେ।ଶିଷ୍ଟାଚାର ଶିଖିନି। ତେଣୁ ମଥା ନୁଆଁଇ ବାକୁ ପଡେ ସବୁକୁ ହୃଦୟ ଭିତରେ ଚାପିରଖି। ତାହେଲେ କାହିଁ ସ୍ୱାଧୀନତା। ଏଇ କଣ ସ୍ୱାଧୀନତା। 

ଯଦି ବିବାହ ପୂର୍ବରୁ କୌଣସି ମତେ ନିଜ ଗୋଡରେ ଛିଡା ହେବାର ଓ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇବାର ଚେଷ୍ଟାରେ ସଫଳ ହେଲା ତେବେ କେଉଁଠି ଅଫିସର କର୍ମଚାରୀ ତ କେଉଁଠି ଉପରିସ୍ଥ ଅଧିକାରୀଙ୍କ ଲୋଲୁପ ଦୃଷ୍ଟି ର ଶିକାର ହେବାକୁ ପଡେ। ସେଠି ବି ଚୁପ କାରଣ ପାଟି ଖୋଲିଲେ ନିଜର ପରିଚୟ ଯିବାର ଭୟ ଓ ଲୋକଲଜ୍ଜା। ତାହାହେଲେ କାହିଁ ସ୍ୱାଧୀନତା ?

ଯଦି ଜଣେ ନିଜକୁ ଏକ ଭଲ ଗୃହିଣୀ ଭାବେ ସାବ୍ୟସ୍ତ କରିବାକୁ ଚେଷ୍ଟା କରେ ତେବେ ସେ ସେଠିବି ନିର୍ଯ୍ୟାତିତା ନିଜ ପରିବାର ଦ୍ୱାରା, କାରଣ କମ ପାଠ ପାଇଁ ଆଜିକାର ଉଗ୍ର ଆଧୁନିକ ସମାଜରେ ସେ ଅପାଠୁଆ। ସେଠି ବି ନିରବତା ତା ମୁହଁରେ ଶୋଭାପାଏ ଘରର ଚାରି କାନ୍ଥ ଭିତରେ। ସେଠି ସରିଯାଏ ତାର ସ୍ୱାଧୀନତା।

ଶେଷରେ ସେହି ଏରୁଣ୍ଡି ବନ୍ଧ ଡେଇଁ ବାହାରକୁ ଆସେ ତାର ଆତ୍ମା ନଥିବା ରକ୍ତମାଂସର ଶରୀର। ଯାହାକୁ ସେ ଏଇ ଭାରତ ମାତା ର ଭୂଇଁରେ ପାଦ ଥାପିବା ଦିନଠୁ ଝୁଣି ଝୁଣି ଖାଇଚାଲିଥାନ୍ତି ଏଇ ସମାଜର ତଥାକଥିତ ଭଦ୍ର ବୋଲାଉଥିବା, ଭଦ୍ରତାର ମୁଖା ପିନ୍ଧି ଥିବା ନର ରୂପି ରାକ୍ଷସ ମାନେ। 

ଆତ୍ମା ତ ସେବେ ଠାରୁ ପରାଧୀନ ଯେବେଠୁ ସେ ଆକାଶରେ ଉଡିବାର ସ୍ୱପ୍ନ ଦେଖିବା ଆରମ୍ଭ କରେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗୋଟେ ନାରୀ ପରାଧୀନ। ଯେଉଁ ପର୍ଯ୍ୟନ୍ତ ସେ ଏକ ମୁଖା ପିନ୍ଧା ହସ ହସିପାରେ ସେ ସଭ୍ୟ, ଭଦ୍ର ଓ ଗୃହର ଲକ୍ଷ୍ମୀ। ଆଉ ଯେଉଁଠି ସେ ନିଜକୁ ସେହି ବ୍ୟଭିଚାରି,ଭ୍ରଷ୍ଟାଚାରୀ ପାଷାଣ୍ଡ ମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ମୁହଁ ଖୋଲିଲା, ସେ ହେଲା, କୁଲକ୍ଷଣି,।ତାହା ହେଲେ ଏହାହିଁ କଣ ସ୍ୱାଧୀନତା। 

ଯଦି ଜୀବନରେ କିଛି ବନ୍ଧୁ ବାନ୍ଧିବାର ଇଛା ରଖି ବନ୍ଧୁତା କଲା ତେବେ କେତେବେଳେ ସେହି ବନ୍ଧୁଟି କାମୁକ ରାକ୍ଷସର ରୂପ ନିଏ ଓ କେତେବେଳେ ସମାଜ। ଗୋଟେ ନାରୀକୁ ଏବେବି ଏ ସମାଜ ଉପଯୁକ୍ତ ନଜରରେ ଦେଖିପାରିନି କି ତାକୁ ସେ ଅଧିକାର ଦେଇନି କି ନିଜେ ସେ ସମାଜକୁ ଦେଖୁ ବୋଲି। 

ତେବେ କଣ ୭୪ ବର୍ଷର ସ୍ୱାଧୀନତା ପରେ ଆହୁରି ପରାଧୀନତାର ବଶବର୍ତ୍ତୀ ନାରୀ। କାହିଁକି ସବୁ କ୍ଷେତ୍ରରେ ନାରୀକୁ ହିଁ ନିଜର ସବୁକିଛି ଜଳାଞ୍ଜଳି ଦେବାକୁ ହୁଏ। କାହିଁକି ସେ ମୁଁହ ଖୋଲିବାର ତାର ଅଧିକାର ନାହିଁ। କାହିଁକି ମୁଁହ ଖୋଲିଲେ ହୁଏ ସମାଲୋଚିତ,କଳଙ୍କିତ।ତେବେ ଏହାହିଁ କଣ ସ୍ୱାଧୀନତା ?

ନା, ଦେଶ ସିନା ହୋଇଛି ସ୍ୱାଧୀନ ମାତ୍ର ମାନସିକତାରେ ହୋଇନାହିଁ ପରିବର୍ତ୍ତନ। ଆଜିବି ମଣିଷର ମାନସିକତାରେ କେଉଁଠି ନା କେଉଁଠି ଶାସନ କରୁଛି ବ୍ରିଟିଶ ସରକାର। କେଉଁଠି ନା କେଉଁଠି ଲୁହା ଶିକୁଳିରେ ବନ୍ଧା ଏଇ ନାରୀ। ମାନସିକତାରେ କେଉଁଠି ରହିଛି ଜାଲିଆନା ବାଗ ର ସେହି ଅମୁହା କୂଅ ଯେଉଁଠି ଝାସ ଦେଉଛନ୍ତି ଅସଂଖ୍ୟ ଲୁଣ୍ଠିତା ନାରୀ।ପ୍ରକୃତ ସ୍ୱାଧୀନତା ର ସ୍ୱାଦ ସେହିଦିନ ହିଁ ଚାଖିହେବ ଯେଉଁ ଦିନ ମାଆ, ଭଉଣୀ, ଝିଅମାନେ ନିଜକୁ ସ୍ୱାଧୀନ ବୋଲି ଅନୁଭବ କରିବେ। ଦୁସ୍ଥ ମାନସିକତା ନେଇ ବଞ୍ଚୁଥିବା ନରରୁପି ରାକ୍ଷସ ତାର ମାନସିକତାକୁ ସୁସ୍ଥ କରିବ। ସମସ୍ତ ନାରୀଙ୍କୁ ନିଜର ମାଆ ଓ ଭଉଣୀ ପରି ଦେଖିବ। ତେବେ ଯାଇ ଦେଶ ହେବ ସ୍ୱାଧୀନ। 

ସେତେବେଳେ ମାନିବ ପ୍ରକୃତ ସ୍ୱାଧୀନତା।


Rate this content
Log in