ସ୍ୱାଦ
ସ୍ୱାଦ
ଆମ ପିଲାବେଳର କଥା ଇଏ। ଆମ ଗାଁର ସୂର୍ଯ୍ୟ ପଣ୍ଡା ରୋଷେୟା ଭାବେ ଆଖପାଖ ଅଞ୍ଚଳରେ ବେଶ୍ ନାଁ କମେଇ ଥିଲେ। ପିଲା ଠାରୁ ବୁଢା ଯାଏଁ ବୟସ ନିର୍ବିଶେଷରେ ସମସ୍ତେ ତାଙ୍କୁ ଆଦରରେ ସୂର୍ଯ୍ୟ ଭାଇନା ବୋଲି ଡାକନ୍ତି। ଦୀର୍ଘ ପୃଥୁଳକାୟ ଶରୀରରେ ସଦା ହସ ହସ ମୁହଁ ଭାଇନାଙ୍କର। ଆମିଷ ନିରାମିଷ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବାରେ ସେ ଥିଲେ ସିଦ୍ଧହସ୍ତ। ବେଶ୍ ଅମାୟିକ ଏବଂ ସାଧାସିଧା ମଣିଷ ସେ।
ବିବାହ ବ୍ରତ ଶ୍ରାଦ୍ଧ ମଉଛବ ପୁନିଅଁ ପର୍ବରେ ସୂର୍ଯ୍ୟ ଭାଇନାଙ୍କୁ ଖୋଜା ପଡେ। ବିଶେଷ କରି ବ୍ୟଞ୍ଜନ ଦ୍ଵାଦଶୀରେ ଦଧିବାମନ ଜୀଉଙ୍କ ମଠରେ ସେ ପ୍ରସ୍ତୁତ କରନ୍ତି ଶହ ଶହ ରକମର ନାନାଦି ପାରମ୍ପରିକ ସୁସ୍ବାଦୁ ଖାଦ୍ୟ ପଦାର୍ଥ। ତାଙ୍କ ହାତରେ କି ଯାଦୁ ଥିଲା କେଜାଣି ଘରୁଆ ଯାହା ସଉଦା ପତ୍ର ଦେଲେ ବି ସେଥିରେ ସେ ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରି ଅତିଥିମାନଙ୍କ ଠାରୁ ଭୁରି ଭୁରି ପ୍ରସଂଶା ସାଉଁଟି ଆଣନ୍ତି। କହିବା ବାହୁଲ୍ୟ ମାତ୍ର ଯେ, ଏଇ ରୋଷେଇ ବୃତ୍ତିରେ ହିଁ ଭୂମିହୀନ ସୂର୍ଯ୍ୟ ଭାଇନା ନିଜର ଆଠ ପ୍ରାଣୀ କୁଟୁମ୍ବ ସୁରୁଖୁରୁରେ ପ୍ରତିପୋଷଣ କରନ୍ତି। କେବେ କାହାକୁ ଜୁଲୁମ କରି ଅଧିକ ପାରିଶ୍ରମିକ ଦାବି କରିନାହାନ୍ତି ସେ ତାଙ୍କର ଦୀର୍ଘ ଜୀବନ କାଳରେ।
ସୂର୍ଯ୍ୟ ଭାଇନାଙ୍କ ବଡ଼ ପୁଅ ରବି ମୋର ସହପାଠୀ ସ୍କୁଲରେ। ସେ ବେଳେବେଳେ ତାଙ୍କ ସହିତ ରୋଷେଇ କରିବାକୁ ଯାଏ। ରୋଷେଇ କାମ ସରିବା ପରେ ସାଥିରେ ଆଣିଥିବା ନାନାଦି ବ୍ଯଞ୍ଜନ ଆମ ସାଙ୍ଗ ସାଥୀମାନଙ୍କୁ ତାଙ୍କ ଘରକୁ ଡାକି ଖୁବ୍ ଆଦରରେ ଖୁଆଏ। ଲମ୍ବା ଲମ୍ବା କଦଳୀ ପତ୍ର କାଟି ଆଣିବ ବାରି ଆଡୁ ଆଉ ସେଥିରେ ବାଢି ଦେବ ବ୍ଯଞ୍ଜନ ସବୁକୁ। ଆମେ ସବୁ ବେଢ଼ି ହୋଇ ବସିଥିବୁ ପତ୍ରର ଚାରିକଡରେ। ଓଃ କି ମଧୁର ସେ ସ୍ବାଦ! ଆଜି ବି ଚିନ୍ତା କଲେ ମୁହଁରେ ଲାଳ ଆସିଯାଏ। ଦିବ୍ୟ ଭୋଜନ ସମ ଲାଗେ ସୂର୍ଯ୍ୟ ଭାଇନାଙ୍କ ପ୍ରସ୍ତୁତ ଖାଦ୍ୟ। ରବି ଆଣୁଥିବା ଖାଇବା ଖାଇ ଖାଇ ଆମ ସାଙ୍ଗମାନଙ୍କୁ ଆଉ ଘର ଖାଇବା ରୁଚୁ ନଥିଲା। ସବୁବେଳେ ରବିର ଡାକିବାକୁ ଚାହିଁ ରହୁଥିଲୁ।
ସମୟ କ୍ରମେ ଆମେ ବଡ଼ ହେଲୁ, ଯିଏ ଯାହାର ବାଟରେ ଚାଲିଲୁ। ସ୍କୁଲ ଛାଡ଼ି କଲେଜ ଗଲୁ। ଗ୍ରାଜୁଏସନ୍ ସରିବା ପରେ ଚାକିରି ବାକିରି କଲୁ। ସମୟ କ୍ରମେ ଘରସଂସାର ନିଜର ବସେଇଲୁ। ଏଇ ସବୁ ଭିତରେ ଜୀବନ ଜୀଇଁବା ବା ବି ଭୁଲିଗଲୁ। ପଛକୁ ଫେରି ଚାହିଁବାକୁ ବି ସମୟ ଟିକେ ଯୁଟିନି ଏ ବିଷୟ ଜଞ୍ଜାଳରେ। ସାଙ୍ଗସାଥି କିଏ କେଉଁଠି ରହିଲେ କଣ କଲେ ତାର ଖବର ନେବାକୁ କାହା ପାଖରେ ସମୟ ବା କାହିଁ? ଚର୍ବିତ ଚର୍ବଣ ଜୀବନର ଦୌଡ଼ରେ ବହୁ ପଛରେ ରହିଗଲା ଆମର ବାଲ୍ୟକାଳ ଆଉ ଅତି ଆଦରର ଗାଁ। କର୍ମଭୂମିର ମୋହରେ ଜନ୍ମଭୂମି ଅବହେଳିତ ହୋଇ ରହିଗଲା।
ଗତବର୍ଷ ଗାଁକୁ ଯାଇଥିଲି, ଆମ ଗାଁ ଆଉ ଗାଁ ହୋଇ ନାହିଁ। ରାଜଧାନୀର ପରିବର୍ଦ୍ଧିତ କଳେବରର ଚାପରେ ସହରତଳି ପୋଲୋଟି ଯାଇଛି। ଚାଳ ଛପର ଘର, ଧାନ ବିଲ, ପାଣି ମୁହାଁଣି, ଗାଁ ପୋଖରୀ, ଦୋଳ ମଣ୍ଡପ, ବୁଢୀ ଠାକୁରାଣୀ ପଡ଼ିଆ, ଶ୍ମଶାନ ଆଉ କିଛି ନାହିଁ, ଯେମିତି ଥିଲା ଆମ ପିଲାଦିନେ। ସେଠି ଠିଆ ହୋଇଥିଲା କଙ୍କ୍ରିଟ୍ ଜଙ୍ଗଲ, ଆଉ ଅପସଂସ୍କୃତିର ରାଜୁତି। ସଞ୍ଜ ହେଲାପରେ ପାଖ ବଣ ବୁଦାରୁ ହୁକେହୋ ଶୁଭୁନଥିଲା, କି ଭାଗବତ ଟୁଙ୍ଗିରେ ଭାଗବତ ଗାନ। କ୍ଲବ ଘରୁ ଶ୍ରୁତିକଟୁ ଯାନ୍ତ୍ରିକ ଗର୍ଜନ ମନକୁ ମୋର ଆକ୍ତାମାକ୍ତା କରିଦେଉଥିଲା। ଅନ୍ଧାଧୁନିଆ ସହରୀକରଣରେ ବଳି ପଡିଥିବା ସବୁଜିମା ଭରା ମୋ ଗାଁର ଏ ଦୁସ୍ଥିତିରେ ଅନ୍ତରାତ୍ମା ବିଳାପ କରୁଥିଲା ଯାହା।
ବିଷାଦଗ୍ରସ୍ତ ମନକୁ ଟିକେ ଶାନ୍ତ୍ୱନା ଦେବା ପାଇଁ ମୁଁ ବାଲ୍ଯ ବନ୍ଧୁ ରବି ଘରକୁ ଗଲି। ତା ସାନ ଭାଇଠୁ ଯାହା ବୁଝିଲି ସଂକ୍ଷେପରେ : ସୂର୍ଯ୍ୟ ଭାଇନା ଆଉ ନାହାନ୍ତି ଇହଧାମରେ। ରବି ଏବେ କୋଟିପତି ହୋଟେଲ ବ୍ଯବସାୟୀ, ଆମ ୱାର୍ଡ଼ର କର୍ପୋରେଟର ବି। ଆଉ ଗାଁରେ ରୁହେନି ସେ, ରାଜପଥ କଡରେ ନୂଆ କରି ଗଢି ଉଠିଥିବା ହୋଟେଲ ସୂର୍ଯ୍ଯ ମହଲ ତାର ନୂଆ ଠିକଣା।
ସେଦିନ ରାତିରେ ମୋର ଭେଟ ହେଲା ରବି ସହ ତାର ସେ ସୁରମ୍ୟ ହୋଟେଲରେ। ଦୀର୍ଘବର୍ଷର ବ୍ଯବଧାନରେ ଭେଟ ହୋଇଥିଲେ ମଧ୍ୟ କେହି କାହାରିକୁ ଚିହ୍ନିବାରେ ବିଶେଷ ଅସୁବିଧା ହେଲା ନାହିଁ। ଦୁହେଁ ଦୁହିଁଙ୍କୁ କୋଳାଗ୍ରତ କରିନେଲୁ ଯଥା କୃଷ୍ଣ ସୁଦାମା ପରି। ପ୍ରଚୁର ଅର୍ଥ ଏବଂ ପ୍ରତିପତ୍ତିର ଅଧିକାରୀ ହୋଇ ମଧ୍ୟ ରବି ସେଇ ଆମର ବାଲ୍ୟ ସାଥି ପରି ମନେ ହେଉଥାଏ। କଥାଭାଷା ଚାଲିଚଳଣ ହାବଭାବରେ କୌଣସି ପ୍ରକାର ପରିବର୍ତ୍ତନ ମୁଁ ଲକ୍ଷ୍ୟ କରିପାରିଲି ନାହିଁ ରବିର।
ବେଶ୍ କିଛି ସମୟ ଧରି ଚାଲିଲା ମଧୁର ଆଳାପ। ଏହା ଭିତରେ ଆଉ ଦୁଇ ଚାରି ଜଣ ସହପାଠୀ ବି ଆସିଲେ। ଅତୀତଟା ଯେମିତି ପୁଣିଥରେ ଜୀଇଁଉଠିଲା। ସ୍କୁଲ ପଢା ସମୟରୁ ଆଜିର ସମୟ ଯାଏଁ କେତେ ସ୍ମୃତି ବିସ୍ମୃତି ଉପରେ ଆଲୋଚନା ଚାଲିଲା ଆମର। ରବି ବରାଦ କଲା ଦେଶୀ ବିଦେଶୀ ଭଳିକି ଭଳି ଖାଇବା ଜିନିଷ। ପୂର୍ବ ଭଳି ଢେର୍ ଆଦରରେ ଖୁଆଇଲା ସଭିଙ୍କୁ। ଆମେ ସମସ୍ତେ ଭୋଜନ ବିଳାସୀ ସାଙ୍ଗମାନେ ଉଦର ଭର୍ତ୍ତି କରିଖାଇଲୁ।
ହେଲେ ପିଲାଦିନେ ରବି କଦଳୀ ପତ୍ରରେ ପରଶି ଖୁଆଇ ଥିବା ଖାଦ୍ୟର ସ୍ବାଦ କିନ୍ତୁ ମିଳିଲା ନାହିଁ ତା'ର ଏ ତାରକା ହୋଟେଲର କଣ୍ଟିନେଣ୍ଟାଲ୍ ଡିନରରେ। ପିଲାଦିନ ପରି ରବିର ସେ ଆଦର ଥିଲା ସତ କିନ୍ତୁ ସୂର୍ଯ୍ୟ ଭାଇନାଙ୍କ ହାତ ରନ୍ଧାର ଦିବ୍ୟ ସ୍ବାଦ ନଥିଲା। ସମୟ ସହ ଆମ ଠାରୁ କେବଳ ଦୂରେଇ ଯାଏ ନାହିଁ ଆମ ଗାଁ, ଆମ ସଂସ୍କୃତି, ଆମ ପରମ୍ପରା, ତା ସହ ଆମ ଖାଦ୍ୟରୁ ସ୍ବାଦ ବି ହଜିଯାଏ ମର୍ମେ ମର୍ମେ ଅନୁଭବ କରୁଥିଲି ମୁଁ !!!
