Satyabati Swain

Inspirational

4.5  

Satyabati Swain

Inspirational

ରୁପା ଲକେଟ୍

ରୁପା ଲକେଟ୍

6 mins
224


ବନ୍ଦ ଆଖିରେ ଦିଶିଗଲା ଆଉ ଏକ ଦୃଶ୍ୟ । ଜୀବନ ଆଉ କଣ କି କେବଳ ଦୃଶ୍ୟର ଏକ ସେଟ୍ ତ! 


ଜୀବନର ପ୍ରତି କ୍ଷଣ ଗୋଟିଏ ଗୋଟିଏ ଦୃଶ୍ୟ । କିଛି ଦୃଶ୍ୟ ମନ ସିଲଟରୁ ପୋଛି ହୋଇଯାଏ ବିସ୍ମରଣ କନାରେ କିଛିକୁ ବିସ୍ମରଣ କନା ଲିଭେଇ ପାରେନି ଶତ ଚେଷ୍ଟା କରି ବି । 


ବାରମ୍ବାର ରୋଗରେ ପଡୁଥିବା ବାପା ହସ୍ପିଟାଲ ଯାଇ ଭଲ ହୋଇ ଘରକୁ ଆସୁଥିଲେ । ହସ ଖେଳୁଥିଲା ମୋ ମନ ଓ ଆମ ଘରେ । ମାଆ କିନ୍ତୁ ହସୁନଥିଲା କେବେ ବି । ବୋଧହୁଏ ଜାଣିଥାଏ କି କଣ ବାପାଙ୍କ ସୁସ୍ଥତା ସବୁଦିନ ପାଇଁ ନୁହେଁ । ମାଆର ସବୁବେଳେ ଶୁଖିଲା ମୁହଁ । କାଇଁକି ଯେ ଯେତିକି ସମୟ ସବୁ ଠିକ୍ ଠାକ୍ ସେତକ ସମୟ ମନ ଭରି ଜୀଇଁବାରେ ଅସୁବିଧା କେଉଁଠି ? ମନେ ମନେ ଭାରି ରାଗେ ମାଆ କୁ । ହୁଁ ନିଜେ ଖୁସି କରିବ ନାହିଁ କି ଆମକୁ ଖୁସି କରେଇ ଦେବ ନାହିଁ । ମୁଁ ସିନା ପିଲା ବୁଝିନଥିଲି ଜୀବନ । ସେମାନେ ତ ବଡ଼; କେମିତି ବୁଝିନଥିଲେ ଜୀବନର ପ୍ରତିଟି ମୁହୂର୍ତ୍ତ ଅତି ମୂଲ୍ୟବାନ ! ସବୁ ସମୟର ସଦ୍ ବ୍ୟବହାର ନିହାତି ଜରୁରୀ । କିଏ ଜାଣେ ବର୍ତ୍ତମାନ ଠାରୁ ପର କ୍ଷଣ ଆହୁରି ଦୁଃଖଦାୟୀ ନ ହେବ !! ଛେ ଏ ବଡ଼ ଗୁଡାଙ୍କର ଦୁଃଖର ଭାର ଯେତିକି, ଅପ୍ରାପ୍ତିର ଜ୍ଜ୍ୱାଳା ତତୋଧିକ । 


କାସ୍ ମୁଁ ବି ବଡ଼ ହୋଇ ନଥାନ୍ତି କି । ସେମିତି ସରଳ, ନିଷ୍ପାପ, ଖୋଲା ମନର ମୁକୁଳା ଜୀବନ ବଞ୍ଚୁଥାନ୍ତି । ଧେତ୍ ! ନିୟତିର ନୀତି କଣ ମୋତେ ବଡ଼ ହେବାରୁ ବାଦ୍ ଦେଉଥିଲା । 


ସାତରୁ ଆଠ ବର୍ଷରେ ପାଦ ଥାପୁଥିଲି । ସୁନ୍ଦର ଚେହେରା ସାଙ୍ଗକୁ ରୂପ ରଙ୍ଗ ଓ ସ୍ୱାସ୍ଥ୍ୟ ମୋତେ ସବୁରି ପ୍ରିୟ ପାତ୍ର କରୁଥିଲା । ପାଖ ଆଖରେ କାହାର ଜନ୍ମ ଦିନ, ଏକୋଇଶିଆ କି କିଛି ଖୁସିର ପର୍ବ ପର୍ବାଣୀ ହେଲେ ସାହୁ ବାବୁ ମାନେ ମୋ ବାପାଙ୍କୁ ଆଗ ଖୋଜା ପଡେ । ବେଶୀ ମୋ ପାଇଁ । ଗୀତଟିଏ ବୋଲିବି କି ରେକର୍ଡ ଗୀତ ଶୁଣି ଟିକେ ନାଚିବି । ଏଣୁ ମାସକେ ଆଠରୁ ଦଶ ଦିନ ବାପାଙ୍କ ସଂଗେ ରିକ୍ସା କିମ୍ବା ଅଟୋରେ ମୋର ଗ୍ରସ୍ତ ହେଉଥିଲା ବନ୍ଧୁବାନ୍ଧବ ଓ ଆଖପାଖ ଆତ୍ମୀୟ

ସ୍ଵଜନଙ୍କ ଘରକୁ । ବାପାଙ୍କ ଦେହ ଖରାପ ହେତୁ ନିଜେ ବାଇକ୍ ଚଲାଇବା ରିସ୍କ୍ ନେଉନଥିଲେ । ଏଣୁ ଯୁଆଡେ ଗଲେ ରିକ୍ସା କି ଅଟୋରେ ଯିବା ଥୟ । 


ସବୁଠୁ ଆଶ୍ଚର୍ଯ୍ୟ କରେ ବାପା ଅସୁସ୍ଥ ରହୁଥିଲେ ବି ସମସ୍ତ ନିମନ୍ତ୍ରଣ ରକ୍ଷା କରିବା ଗୋଟେ ବଡ଼ ଗୁଣ । କୁହନ୍ତି ଜୀବନରେ ସମ୍ପର୍କ ରଖିବାକୁ ହେଲେ ତାକୁ ନିଭାଇ ଶିଖିବା ଉଚିତ । ମୋତେ ଈଶ୍ୱର ରୋଗୀଣା କରିଛନ୍ତି ତ କରନ୍ତୁ ! ବନ୍ଧୁ ବାନ୍ଧବ ହେଉ କି ଚାକିରୀ ବ୍ୟସ୍ତତା ଭିତରେ ବୁଡ଼ିଗଲେ ମାନସିକ ଶାନ୍ତି ମିଳେ । ଖୁସି ରହିବା ଶିଖିଲେ ସିନା ଜୀବନକୁ ଭୋଗ କରିପାରିବ ! ଏକୁଟିଆ ରହିଲେ ଅନ୍ୟ ମାନଙ୍କ ସହ ନ ମିଶିଲେ ଜୀବନ ବୋଝ ହୋଇଯିବ । ବଞ୍ଚିବାରୁ ସ୍ୱାଦ କମିଯିବ । ଏଣୁ ଯଦି ଟିକେ ବି ସମ୍ଭାବନା ଅଛି "ହଁ ମୁଁ ବନ୍ଧୁ ଘରକୁ ଯାଇ ପାରିବି, " ସେତିକ କରିବା ନିହାତି ବାଞ୍ଛନୀୟ । 


ଓଃ କି ସୁନ୍ଦର ଜୀବନ ଦର୍ଶନ ବାପାଙ୍କର । ଅସୁସ୍ଥତାକୁ ବି ସେ ଭୁକ୍ଷେପ କରୁ ନଥିଲେ । ସେଇଥିପାଇଁ ବୋଧହୁଏ ଅନେକ ରୋଗର ଖଣି ହେଲେ ବି ବାପା ଯଥା ସମ୍ଭବ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ଥିଲେ । ଏବଂ ବାପା ତ ମୋର ସବୁଠୁ ଭଲ ବନ୍ଧୁ । ତାଙ୍କ ପାଖେ ମୋ ଭିତରେ ସୃଷ୍ଟ ସମସ୍ତ ସୁ ଓକୁ ଘୁର୍ଣ୍ଣି ବାତ୍ୟାକୁ ନିଦ୍ଵନ୍ଦରେ ଦେଖାଇ ପାରୁଥିଲି । 


ମନ ସେମିତି । ଥରେ ବିଶ୍ୱାସ ଓ ଭରସା କାହା ପାଖରୁ ମିଳିଗଲେ ଆଉ ତାର ପାଖ ଛାଡିବାକୁ ଇଚ୍ଛା ହିଁ କରେନି । ସହଜେ ଇଏ ତ ମୋ ବାପା । ବାପାମାନେ, ବାପା ନ ହୋଇ ବନ୍ଧୁ ହୋଇଗଲେ ସେ ଭାବଟି ଆହୁରି ମଧୁର ହୋଇଯାଏ । 


ବାପାଙ୍କ ପାଖେ ମୋର କଣ ଦରକାର, କି ମୁଁ କଣ ଚାହୁଁଛି କହିବାକୁ ପଡେନି । ସେ ମୋ ମୁହଁ ଓ ଆଖିରୁ ବୁଝନ୍ତି ମୋ ମନ ଭିତର କଥା, ପସନ୍ଦ, ଇଚ୍ଛା । ବାପା ସେଇଥିପାଇଁ ତ ମୋ ରୋଲ ମଡେଲ,ବମୋ ଆଖିରେ ହିରୋ, ଆଦର୍ଶର ଚଳନ୍ତି ପ୍ରତିମା । ମୋ ହସ, ନାଚ, ଗୀତର ନିଶ୍ଚିନ୍ତ ଠିକଣା ; ଖୁସିର ଅଗଣା ବାପା । ମନ ନ କହିଲେ ବି ବୁଝି ଆକାଶର ଚାନ୍ଦକୁ ଯଥା ସମ୍ଭବ ହାତପାହାନ୍ତାରେ ଆଣି ଧରେଇ ଦିଉଥିଲେ ସେ । ବାପା ମୋ ପ୍ରେରଣାର ଅଫୁରନ୍ତ ଉତ୍ସ, ଓ ଶକ୍ତି । 


ନାଚ ଗୀତ,ସଙ୍ଗୀତ ପ୍ରତି ଦୁର୍ବାର ଆକର୍ଷଣ ଓ ଅହେତୁକ ଆଗ୍ରହ ମୋର । ଗୀତର ସୁର,ସଙ୍ଗୀତର ମୂର୍ଚ୍ଛନା ମୋ ହୃଦୟରେ ଆଲୋଡନ ସୃଷ୍ଟି କରନ୍ତି । ସୃଷ୍ଟି କରନ୍ତି ଅଦ୍ୱିତୀୟ ପୁଲକ । ମଜି ଯାଏ ହଜି ଯାଏ ଏକାତ୍ମ ହୋଇ ମୁଁ ସେମାନଙ୍କ ସଙ୍ଗେ । ଫୁଲ, ପତ୍ର ହଲିଲେ;ପ୍ରଜାପତି ବୁଲିଲେ, ଭଅଁର ଗୁଣୁଗୁଣୁ ହେଲେ, ପକ୍ଷୀଟିଏ ଉଡ଼ିଗଲେ ବା କିଚିରି ମିଚିରି ହେଲେ, ଝରଣାର କଳକଳ ଶବ୍ଦ, ତାରା ଫୁଲଙ୍କ ଚିକ୍ ମିକ୍, ପବନର ସିତ୍କାର ମୋତେ ଉନ୍ମାଦ କରନ୍ତି । ମୋ ଭିତରେ ଗୋଟେ ବିଚିତ୍ର ଭାଵ ଜାଗୁରିତ ହୁଏ । ମୋତେ ଲାଗେ ସତେ କି ସେମାନେ ମୋ ଆଗେ ଘୁଙ୍ଗୁର ନାଇଁ ନାଚନ୍ତି । ସେଇ ମାନଙ୍କୁ ଦେଖି ବିନା ଶିଖାରେ ମୋ ପାଦ ନାଚିଯାଏ ଛମ୍ ଛମ୍ । 


ରେଡ଼ିଓ କି ଟିଭିରୁ ଗୀତ ଶୁଣି ଶୁଣି ପୁରା ନକଲ ପରି ଗାଇପାରେ । ସମସ୍ତେ କୁହନ୍ତି ମୋ କଣ୍ଠରେ କୁଆଡେ ମାଆ ସରସ୍ଵତୀ ବିଜେ କରିଛନ୍ତି । ଅଜବ ଅନ୍ତର ଛୁଇଁବା ପରି ମୋର କାଳେ ମିଠା ସ୍ୱର । କାହାଠାରୁ ନ ଶିଖି ବି ପୋଖତ ଶିଖାଳି ପରି ପାଦ ପକାଇ ନାଚି ପାରେ ମୋ କୁନି କୁନି ପାଦ । ଗୀତ,ନାଚ ମୋ କୁନି ମନଟି ଚୋରାଇ ନିଅନ୍ତି । ଛୁଆଁଇ ଦିଅନ୍ତି ଯାଦୁର ଛଡି । 


ସେଦିନ ବିମଳ ଅଙ୍କଲଙ୍କ ପୁଅର ଏକୋଇଶିଆ ହେଉଥିଲା । ଖାଇବାକୁ ନିମନ୍ତ୍ରଣ କରିଥାନ୍ତି ଆମ ସପରିବାରଙ୍କୁ । ମାନସିକ ଠିଆ ପାଲା ପୁଅ ପାଇଁ କରୁଥିଲେ ସେ । କଳିତ ଲଳିତ ଲବଙ୍ଗ ଲତା ପରି ଶୀଳନ ଗୀତଟି ବୋଲୁଥିଲେ ପାଲା ବାଲା । ହଠାତ୍ ବାପାଙ୍କ ପାଖରୁ ଉଠି ଯାଇ ମୁଁ ସେ ଗୀତର ସୁରେ ସୁରେ ଏପରି ନାଚିଲି ଯେ ସମେବେତ ଜନତା କାବା । ବାଃ ବାଃ ଏ ଝିଅଟି ବଡ଼ ହେଲେ ଚମତ୍କାର ନାଚିବ କହୁଥିଲେ ସଭିଏଁ । ପାଲା ଗାୟକଙ୍କ ଗୀତ, ବ୍ୟାୟକଙ୍କ ମୃଦଙ୍ଗ ଓ ପାଳିଆ ଙ୍କ ଗିନି ଝାଞ୍ଜର ଅପୂର୍ବ ସଙ୍ଗମରେ ମୋ ପାଦକୁ ବୁଡ଼େଇ ଦେଲା । ମୁଁ ତଲ୍ଲୀନ ହୋଇ ତାରେ ଝୁମ୍ ତା ନା ନା ସୁରରେ ଢଳି ଢଳି ଏପରି ନାଚୁଥିଲି ଯେ ଦର୍ଶକ ମନ୍ତ୍ର ମୁଗ୍ଧ ତଥା ସ୍ତବ୍ଧ ଓ ଚକିତ । 


କି ପିଲାରେ ବାବା ! ଗାୟକ ସ୍ତମ୍ଭୀଭୂତ । ସେ ମୋତେ କୋଳେଇ ନେଇ ଖୁସିରେ ଗଦ୍ ଗଦ୍ ହୋଇ ଗଲେ । ଏ ପିଲା ସାଧାରଣ ପିଲା ନୁହେଁ । ଭବିଷ୍ୟତରେ ଗାଇବା ନାଚିବାରେ ଇତିହାସ ଲେଖିବ କହିଲେ ।  


ଏ ଝିଅର ଗାର୍ଡିୟାନ୍ କିଏ ? ଦୟାକରି ଷ୍ଟେଜ୍କୁ ଟିକେ ଆସନ୍ତୁ । 


ବାପା ଷ୍ଟେଜକୁ ଗଲେ । ଗାୟକ ବାପାଙ୍କ କାନ୍ଧ ହଲେଇ ଦେଇ କହିଲେ, ଆପଣ ଅତି ଭାଗ୍ୟବାନ । ଏ ଝିଅ ତୁମ ନାଆଁ ରଖିବ । ଦେଖିବେ ଏ ଅଞ୍ଚଳ କଣ ସାରା ଜଗତରେ ଚହଳ ପକେଇବ । ୟାକୁ ଗୀତ ନାଚ ନିଶ୍ଚୟ ଶିଖିବାର ବନ୍ଦୋବସ୍ତ କରିବେ । ବିନା ଶିଖାରେ ଯେ ଏପରି ନାଚି ପାରୁଛି, ଶିଖିଲେ କଣ ନ ନାଚିବ !


ଅତ୍ୟଧିକ ଖୁସି ହୋଇ ଦୁଇ ଶହ ଟଙ୍କା ପୁରସ୍କାର ସ୍ୱରୂପ ଦେଇଥିଲେ ମୋତେ । ଦୁଇ ଶହ ଟଙ୍କା ବହୁତ ଗୋଟେ ମୂଲ୍ୟ ଥିଲା ମୋ ପିଲା ବେଳେ । ବାପାଙ୍କୁ ସବୁ ଲୋକେ ଅନୁରୋଧ କରିଥିଲେ-"ସାହୁ ବାବୁ ଝିଅଟିକୁ ନାଚ ଶିଖେଇବେ । ବଡ଼ ହେଲେ ନାଆଁ ରଖିବ ଆପଣଙ୍କର । ଈଶ୍ୱର ଏ ଝିଅଟିକୁ ଅଦ୍ଭୁତ ପ୍ରତିଭା ଦେଇ ପୃଥିବୀକୁ ଓହ୍ଲାଇଛନ୍ତି । "


ପ୍ରାୟତଃ ଅସୁସ୍ଥ ରହୁଥୁବା ବାପାଙ୍କ ମୁହଁ ସେଦିନ ଖୁବ୍ ଉଜ୍ଜ୍ୱଳ ଦିଶୁଥିଲା । ସମସ୍ତଙ୍କୁ ନମସ୍କାର ହୋଇ ଖୁସି ଜାହିର କରୁଥିଲେ । 


ଆମେ ସେଠୁ ବିଦାୟ ଆଣି ଆସିଲୁ । ଖୁବ୍ ଖୁସିରେ ଦଉଡ଼ି ଯାଇ ମାଆକୁ ଜାବୁଡି ଧରି କହିଥିଲି, ମାଆ ମୁଁ ଆଜି ନାଚି କି ଦୁଇ ଶହ ଟଙ୍କା ପୁରସ୍କାର ପାଇଛି । 


ମାଆ ମୋ ହାତ ଛିଞ୍ଚାଡି କହିଲା, "ନାଚବାଲି ହୋଇ ପୁରସ୍କାର ପାଇଛୁ ବୋଲି ଏତେ ଖୁସି ! ଯା ମୋ ଆଗରୁ ଯା କହୁଛି । "


ହାଇ ଭୋଲ୍ଟେଜରେ ଜଳିବା ଖୁସି ମୋର ଧପ୍ କିନା ଲିଭିଗଲା । ନାଚିବା ଯେ ଗୋଡେ ଭଲ କଥା ନୁହେଁ ଏ କଥା ମୋ ପିଲା ମନକୁ କଟ୍କଟ୍ କଲା । ବଲ ବଲ କରି ମାଆ ମୁହଁକୁ ଚାହିଁ କେବଳ ଭାବିଲି, ଯଦି ଏଇଟା ଏତେ ଖରାପ କଥା ଗାୟକ ଓ ଦର୍ଶକ ବାଃ ବାଃ କଲେ କାହିଁକି ! ଭଲ କଥା ସବୁ ସ୍ଥାନରେ ଭଲ ନୁହେଁ କି ! ବିଚିତ୍ର ଭାବାନ୍ତର ମୋ ଭିତରେ ଏ ଦ୍ୱନ୍ଦ୍ୱକୁ ନେଇ । ଝାଉଁଳି ପଡିଲା ମୋ ହସ ହସ ମୁହଁ । 


ବାପା ମାଆକୁ କହିଲେ, ପିଲାଟା ଖୁସିରେ ଖୁସି ହେବା ଶିଖ । ସବୁ କଥାରେ ତୁମର ପ୍ରତିବାଦ । ନାଚ, ଗୀତ ସଭିଙ୍କ ଦ୍ୱାରା ସମ୍ଭବ ନୁହେଁ । ପାଠ ଯାହା ଯେମିତି ହେଲେ ସମସ୍ତେ ପଢ଼ନ୍ତି, କିନ୍ତୁ ନାଚ, ଗୀତ ବିଧି ଦତ୍ତ ପ୍ରତିଭା । ତା ଛଡା ତୁମେ ମାଆ, ଜନ୍ମ ଦେଇଛ । କିନ୍ତୁ କଣ ଜାଣିଛ ତୁମ ପିଲାମାନେ କଣ ହେବେ ! କି ଉଦ୍ଦେଶ୍ୟ ନେଇ ଈଶ୍ୱର ଏମାନଙ୍କୁ ସୃଷ୍ଟି କରିଛନ୍ତି ! ପିଲା ପାଖେ ଯେଉଁ ଗୁଣ ଅଛି, ତାକୁ ଚିହ୍ନ ଓ ତାର ବିକାଶ କେମିତି ହେବ ଚେଷ୍ଟା କର । ପ୍ରତ୍ୟେକ ବାପା ମାର ପ୍ରଥମ କର୍ତ୍ତବ୍ୟ ତାଙ୍କ ପିଲାଙ୍କୁ ବୁଝିବା ଓ ତାଙ୍କ ଭିତରେ ଥିବା ଗୁଣକୁ ଚିହ୍ନଟ କରି ବିକଶିତ ହେବାକୁ ସୁଯୋଗ ଦେବା । ତୁମେ କିନ୍ତୁ ଅଦ୍ଭୁତ । ଝିଅ ଖୁସିରେ ଖୁସି ହେବା ବି ଶିଖନ !


ମାଆ ମୁହଁ ଫୁଲେଇ କୁହେ, ତୁମରି ମୁହଁ ପାଇଁ ତ ଏ ଝିଅଟି ନାଚବାଲି ହେବାକୁ ପ୍ରସ୍ତୁତ ହେଲାଣି । ଭଲ ରୋଜଗାର ହେବ ସାହୁଏ, ଝିଅକୁ ସମସ୍ତଙ୍କ ଆଗରେ ନଚେଇ ଦେଲେ ବହେ । 


ହେ ଗଲ, ତୁମପରି ଅବୁଝା ଲୋକଙ୍କୁ କିଏ ବୁଝାଇବ, କହି ବାପା ମୋତେ ଟାଣି ନେଇ ଠାକୁର ଘର ଭିତରକୁ ଚାଲି ଗଲେ । 


ସେ ଦୁଇ ଶହ ଟଙ୍କା ନେଇ ଠାକୁରଙ୍କ ପାଦ ତଳେ ଥୋଇ ଦେଇଦେଲେ ସଯତ୍ନେ, ସରାଗରେ । ପରେ ରୁପା ଲକେଟଟିଏ ଆଣି ତା ଭିତରେ ସେ ଦୁଇ ଶହ ଟଙ୍କା ପୁରାଇ ବାପା କହିଥିଲେ, "ନେ ପକା ୟାକୁ ବେକରେ । ଏ ତୋତେ ଆଗକୁ ବାଟ କଢେଇ ନେବ । ତୋ ସ୍ୱପ୍ନକୁ ସତ କରିବାରେ ସାହାଯ୍ୟ କରିବ ।"


ଛୁଇଁଲି ଲକେଟଟିକୁ । ଯାହାକୁ ଆଜିଯାଏ ସାଇତି ରଖିଛି ଛାତିକୁ ଲଗାଇ, ବେକରେ ଓହଲାଇ । କ୍ଷଣେ ବି ନିଜ ଦେହରୁ କି ମନରୁ ଦୂର କରିନି । ଏଇ ଦେହ ମାଟିରେ ମାଟି ହେବା ଯାଏ ଏମିତି ଝୁଲୁଥିବ ଏ ରୁପା ଲକେଟ ଟି । ମନେ ପକାଇ ଦେଉଥିବ ବାପାଙ୍କ ଶ୍ରଦ୍ଧା, ପ୍ରୋତ୍ସାହନ ଓ ମୋ ଜୀବନର ପ୍ରଥମ ପୁରସ୍କାର । 


ଜୀବନର ସବୁ ପ୍ରଥମ ରଙ୍ଗ ଏତେ ଗାଢା ! ଯେପରି ପଢା, ପ୍ରେମ, ଷ୍ଟେଜସୋ, ସଫଳତା, ବିଫଳତା, ପାଇବା, ହରାଇବା ଓ ଉପହାର ଆଦି ମନ ତଳେ ଦାଉ ଦାଉ ଜଳେ ଲିଭିବା ନାଁ ନ ନେଇ କାହିଁକି ?


ଲକେଟଟା ଭିତରେ ସତେକି ଜାକି ଜୁକି ଶୋଇଥିଲେ ମୋ ସ୍ୱପ୍ନ ସମ୍ଭାବନା ; ଗୋଟିଏ ସକାଳ ଅପେକ୍ଷାରେ । 


ଯାଦୁର ଛଡି ପରି ଲକେଟ୍ ଯେପରି ମୋତେ କୁହନ୍ତି, ଯା ସୋନା ଉଡ୍, ଉଡ୍ ସାରା ଆକାଶ ଖେଦି । ଦେଖ୍ ତୋ ମୁଣ୍ଡ ଉପର ଏ ଯେଉଁ ଆକାଶଟା ଦେଖୁଛୁ ସେଇଟି କେବଳ ତୋର । ମାଟିରେ ତୋର ପାଦ ଥାପି ସେଇ ଆକାଶରେ ଲେଖେ ଭିନ୍ନ ଇତିହାସ । 


ରୁପା ଲକେଟଟି "ସୋନା" ଭାରତର ସର୍ବଶ୍ରେଷ୍ଠ ଓଡିଶୀ ନୃତ୍ୟାଙ୍ଗନା ମାନେ ମୋ ଜୀବନ ଯାତ୍ରାର ବତୀଘର ସଦୃଶ୍ୟ । 



Rate this content
Log in

Similar oriya story from Inspirational