ଜୀଵନଟା ଖରା ଆଉ ଛାଇର ଖେଳ ଭିତରେ ସମୟ କରେ ଖୋଳ. ସେହି ସମୟରୁ କିଛି ଚୋରାଇ ବେଳକାଳ ଦେଖି ସ୍ୱାମୀ ସ୍ତ୍ରୀ ଦୁଇ ହଳ ସେଥର ଆସିଥିଲେ କୋରାପୁଟ ଝିଅ ଘରକୁ ବସରେ ଓ ଫେରୁଥିଲେ ସେଦିନ ବସରେ.ନାଇଟକୋଚ ବସଟା ଖାଲି ଖାଲି ଆସୁଥିଲା ସେଦିନ, କାରଣ ରଥଯାତ୍ରା ଥିଲା ସେଦିନ.ଏତେବଡ଼ ବସ ପୁଣି ଦୂର ଘାଟି ବାଟ ଯିବାର ଅଛି. ସେଥିରେ ବସଟା ଏକଦମ ଖାଲି ତ ବାଟ ପାସେଞ୍ଜର ସବୁ ଉଠୁଥିଲେ ଓ଼ ଏକ୍ସପ୍ରେସ ବଦଳରେ ଲୋକାଲ ଲାଗୁଥିଲା ବସଟା. କିଏ ବାନ୍ତି କରି କରି ବୁଡେଇ ଚାଲିଲା ବେଳେ କହୁଥିଲା ଆଜି ଆସିବାର ନଥିଲା ତ କିଏ ବାନ୍ତି ରୋକି ଅସ୍ତବ୍ୟସ୍ତ ଅନୁଭବରେ କଣ୍ଡକ୍ଟରକୁ ଦିପଦ ଶୁଣେଇ ଚାଲିଥିଲା. ଅନ୍ୟାୟ ଅନୀତି ସହୁନଥିବା ଵ୍ୟକ୍ତି ଜଣକ ଅବସରପ୍ରାପ୍ତ ଶିକ୍ଷକ ହିଁ ଥିଲେ. ନାଇଟକୋଚ ବସର ଚାରି ନମ୍ବର ସିଟରେ ବସି ତିନି ନମ୍ବର ସିଟରେ ବସି ବସ ଛାଡୁ ଛାଡୁ ଘୁମେଇ ପଡି ସିଟକୁ ପଛକୁ କରି ଲେପଟେଇ ପଡ଼ିଥିବା ଯୁବକକୁ ତାଗିଦା କରୁଥିଲେ ଯେ ଅନ୍ତତଃ ସାଢେ ନଅଟା ବାଜୁ ସିଟକୁ ବଙ୍କେଇ ଶୋଇବ ନହେଲେ ପଛରେ ବସିଥିବା ଲୋକର ଅବସ୍ଥା କଣ ହେବ!ଯୁବକ ପଛକୁ ମୁହଁ ବୁଲେଇ ଟିକେ ଦେଖିନେଲା ବୟସ୍କ ଵ୍ୟକ୍ତି ଜଣଙ୍କୁ ଓ଼ ତାତ୍ସଲ୍ୟ ଭାବରେ ଉତ୍ତର ଫୋପାଡ଼ିଲା ନିଜ ନିଜ ସିଟ ଯିଏ ଯାହାର ପଛକୁ ଅଣେଇ ଦେଲେ କ୍ଷତି କଣ ଯେ!ବସଟା ତ ପୁରା ଖାଲି. ଯଦି ସମସ୍ତେ ଥାଆନ୍ତେ ତେବେ?କହିବାକୁ ଯାଇ ଅଟକି ଗଲେ ସାର. ସ୍ତ୍ରୀ ଆଖିର ଇସାରାରେ ମନା କରୁଥିଲେ ଯୁକ୍ତି ନକରି ବରଂ ପଛକୁ ପଛ ଖାଲି ପଡ଼ିଥିବା କୌଣସି ସିଟରେ ନିଜକୁ ସାମିଲ କରିନେବାକୁ. ବାଟ ସାରା କିନ୍ତୁ ଘାଟି ରାସ୍ତାରୁ ଲୋକ ଚଢ଼ୁଥିଲେ ଓ଼ ଓଲ୍ହାଉଥିଲେ. ଚଢା ଦରରେ ଟିକେଟ କାଟି ମଧ୍ୟ ସିଟ ପାଇ ଭାରି ଖୁସିରେ ଥିଲେ ବାଟ ପାସେଞ୍ଜର ଆଉ କଣ୍ଡକ୍ଟର ବି ଖୁସି. ସମସ୍ତେ ଅନଲାଇନ ବୁକିଂ କରି ଟିକେଟ କାଟି ଆସୁଥିଲା ବେଳେ ଏଇ ବାଟ ପାସେଞ୍ଜରମାନଙ୍କର ଟିକେଟ ପଇସା ତ ତାଙ୍କ ପକେଟ ମନି ନା!ଏଇ ସମୟରେ ଝଟକା ଦେଇ ପୁଣି ବସ ରହିଲା ତ ଛଅଟା ବେଳୁ ସିଟ ଚେୟାର ପଛକୁ କରି ଲୋଟି ପଡ଼ିଥିବା ଯୁବକ ଜଣକ ବାନ୍ତି କରିପକେଇଲା ବେଳକୁ ଦୁଇଜଣ କିଶୋର ଉଠିଲେ ଘାଟି ରାସ୍ତା କଡ଼ରୁ. କିଶୋର ଯଦିଓ ନଥିଲେ ଯୁବକ ବି ନଥିଲେ. କିଶୋର ବୟସ ପାର ହୋଇ ଯୁବକ ବୟସରେ ପ୍ରବେଶର ପ୍ରଥମ ପାହାଚ ଚଢ଼ୁଥିବା ଦୁଇ ବଣୁଆ ବା ସାନ୍ତାଳ ବା କୋଟିଆ ଯୁବକ ହେବେ କି କଣ, ସେ ଦୁହେଁ ଉଠୁ ଉଠୁ ଗନ୍ଧରେ ନାକ ଫାଟି ପଡୁଥିଲା ତ ନିଜକୁ ଆରାମରେ ଲୋଟେଇ ଦେଇ ସନ୍ଧ୍ୟାରୁ ଶୋଇରହିଥିବା ଓ ଭୁବନେଶ୍ୱର ଯାଉଥିବା ଯୁବକ କଣ୍ଡକ୍ଟରକୁ ମନଭରି ଶୋଧି ପଛକୁ ବୁଲି ଚାହୁଁଥିଲା ସାରଙ୍କ ପ୍ରତିକ୍ରିୟା ଦେଖିବାକୁ ହେଲେ ବୟସ୍କ ସାର ଏଇ ବାଟ ପାସେଞ୍ଜରମାନଙ୍କ ଯୋଗୁଁ ଠାକୁ ଠା ଓଲ୍ହେଇ କ୍ରିୟା କର୍ମ କରୁଥିଲେ ତ ଡରିଯାଉଥିଲେ ପତ୍ନୀ. ରାତି ବେଳ ପୁଣି ଜଙ୍ଗଲିଆ ଘାଟି ରାସ୍ତା.କିଏ କହିବ ବାଘ ଭାଲୁ ହାତୀ ଗଡୁନଥିବେ!
କିଛି ବାଟ ଗଡ଼ିଗଲା ପରେ ସୁଙ୍କି ସାଲୁରି ଘାଟି ପାର ହେଲା ପରେ ଦୁଇ ଗୋଡ଼କୁ ଆଉ ଗୋଟେ ସିଟ ଉପରେ ଲମ୍ବେଇ ଆରାମରେ ଘୁଙ୍ଗୁଡ଼ି ମାରୁଥିବା କଣ୍ଡକ୍ଟର ଉଠିଲା, ଅସ୍ତବ୍ୟସ୍ତ ହେଲା ଓ଼ ସେହି ଜନଜାତି ଯୁବକ ଦୁହିଁଙ୍କୁ ଡାକି ଆଣି ପାଖରେ ବସର ଦ୍ୱାର ଆଡକୁ ବସେଇ କହିଲା କେତେ ଡାକିଲି ତୁମେ ଦୁହେଁ ଆସିଲ ନାହିଁ ତୁମ ଷ୍ଟପେଜ ଚାଲିଗଲା ତ ଏଇଠି ବସ. ଆଗ ଷ୍ଟପେଜରେ ଓଲ୍ହେଇ ଯିବ. ଦୁହିଁଙ୍କ ଭିତରୁ ଜଣେ କହିଲା ରାତି ଏବେ ସାଢେ ଦୁଇ. ଆଗ ଷ୍ଟପେଜରେ ବିଶ୍ରାମଗାର ନାହିଁ. ହାତୀ ବାଘ ଭାଲୁ ଗଡ଼ନ୍ତି ରାତିରେ ତ ଆମକୁ ବରଂ ବ୍ରହ୍ମପୁର ପୂର୍ବରୁ ଦିଗପହଣ୍ଡିରେ ଓଲ୍ହେଇ ଦେବ. ଆମର ଚାଲିବାର ଅଭ୍ୟାସ ଅଛି. ହେଲେ ସେଠୁ ତୁମ ଛକ ତ ପ୍ରାୟେ ଶହେ କିଲୋମିଟର ପାଖାପାଖି ହେବ. ଏତେ ବାଟ ଚାଲିବ କେମିତି?କଣ କରିବୁ ଆଉ ମେଳାରେ ଛି ଛି ଛିରେ ନନି ଗୀତରେ ନାଚି ନାଚି ଭୋକରେ ମହୁଲି ପିଇ ଦେଇଥିଲୁ ତ ନିଦ ଭାଙ୍ଗିଲା ନାହିଁ. ପଇସା ପରେ ଦେବ ବୋଲି କହି ମାଲିକ ଯିଏ ଆମକୁ ନାଚିବାକୁ ନେଇଥିଲା ଦେଇନି. ପେଟରେ ମଧ୍ୟ ଖୁବ ଭୋକ ଅଛି ଆଉ ଆଖିରେ ନିଦ.ତାଙ୍କ କଥା ଭିତରେ ପର ଷ୍ଟପେଜ ଆସିଯାଇଥିଲା. କଣ୍ଡକ୍ଟର ସଫେଇ ପରେ ସଫେଇ ଦେଇ କହୁଥିଲା କେତେ ତ ଡାକିଲି ଉଠିଲ ନାହିଁ. ଏଇଠି ଓଲ୍ହେଇ ଯାଅ ପାଖ ପଡିବ ତୁମ ଗାଁ.
ସବୁ ଶୁଣୁଥିବା ସାର କହିଲେ ତାଙ୍କୁ ଦିଗପହଣ୍ଡି ଯାଏଁ ନିଅ. ଏଇ ନିଅ ପିଲାଏ କହି ପାଞ୍ଚଶହ ନୋଟଟିଏ ବଢ଼େଇ ସାର କହିଲେ କିଛି ଜଳଖିଆ ଖାଇ ଫେରନ୍ତା ବସରେ ଗାଁ ମୁଣ୍ଡେ ଓଲ୍ହେଇବ. ସକାଳ ହୋଇସାରିଥିବ ଓ଼ ବିପଦ ଟଳି ଯାଇଥିବ. ଏଥର କଣ୍ଡକ୍ଟର କହୁଥିଲା କିନ୍ତୁ ଦିଗପହଣ୍ଡି ଯାଏଁ ତୁମ ଦୁହିଁଙ୍କୁ ଟିକେଟ ପଇସା ଦେବାକୁ ପଡିବ ନା!ଏଥର ସିଟ ଉଠାଇ ପ୍ରକୃସ୍ଥିତ ହୋଇ ବସିଲା ଭୁବନେଶ୍ୱର ଯାଉଥିବା ଯୁବକ ଓ଼ ସକ୍ରିୟ ନାଗରିକର କର୍ତ୍ତବ୍ୟରେ ପାଟି ଖୋଲିଲା ଆରେ ମୁଁ କଣ ଶୋଇଥିଲି ବୋଲି ଭାବୁଛ ନା କଣ ସବୁ ଜାଣେ କଣ୍ଡକ୍ଟର ଭାଇ.ତୁମେ ଆରାମରେ ଶୋଇ ନିଜ କର୍ତ୍ତବ୍ୟ ଭୁଲି ସେ ପିଲା ଦୁହିଁଙ୍କୁ ଡାକିନାହଁ ତାଙ୍କ ଷ୍ଟପେଜରେ ତ ତୁମର ଭୁଲ ତାଙ୍କୁ ପଇସା କଣ ମାଗୁଛ!କଣ୍ଡକ୍ଟରର ଆଉ କିଛି କହିବାର ଉପାୟ ନଥିଲା. ଜଳ ଜଳ କରି ଚାହୁଁଥିବା ଦୁଇ ଆଦିବାସୀ କିଶୋରଙ୍କୁ ଦୁଇଶତ ବଢ଼େଇ ଯୁବକ ଜଣଙ୍କ ପୁଣି ଚେୟାରକୁ ପଛ କରି ଶୋଇବାକୁ ଚେଷ୍ଟା କଲାବେଳେ ବସ ଦିଗପହଣ୍ଡି ଷ୍ଟପେଜର ବହୁ ଦୂରରେ ବ୍ରହ୍ମପୁର ରାସ୍ତାରେ ଥିଲା. ସକାଳର ସୁନେଲି ଖରା ପଡିଆସିଥିଲା ତ ଏଥର ସାର ନୁହଁନ୍ତି ବରଂ ତାଙ୍କ ସ୍ତ୍ରୀ କହୁଥିଲେ ଦିନ ହେଲାଣି ଆସି ଛଅଟା ଏଥର ତ ସିଧା ବସନ୍ତୁ. ସାରଙ୍କୁ ପଛ ସିଟରେ ଅଣନିଶ୍ଵାସୀ ଲାଗି ଅଶ୍ବସ୍ତି ଲାଗୁଛି. ସାର କହିଲେ ହଉ ହଉ ଶୁଅନ୍ତୁ ମୋର ଚଳିବ. ଯୁବକ ଜଣକ କିନ୍ତୁ ଉଠିବସି ସିଟ ଉଠେଇ ସଜାଡି ହୋଇ ବସି ସାରିଥିଲେ ଏ ଭିତରେ.ସାର କିଛି ନକହି ଚୁପ ଥିଲେ ସିନା ସ୍ତ୍ରୀ କହୁଥିଲେ ବସ ଭିତରେ ମଧ୍ୟ ଜୀବନର କେତେ ଖରା ଓ ଛାଇର ସମାହାର.ଭୁବନେଶ୍ୱର ଆସିଯାଇଥିଲା ତ ଯୁବକ ଜଣକ ଫେରୁ ଫେରୁ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ନମସ୍କାର କରି ଫେରୁଥିଲା ବେଳେ ସାର କହୁଥିଲେ ରଥଯାତ୍ରା ତ ଗଲାଣି ବାହୁଡା଼ ବେଳକୁ ପୁରୀ ଆସ ୟଙ୍ଗ ମ୍ୟାନ. ଆଜ୍ଞା ଆସିବି କହି ଓଲ୍ହେଇ ଯାଉ ଯାଉ ପଛରୁ ସାରଙ୍କ ସ୍ତ୍ରୀ ଠିକଣା ବଢ଼େଇ ଦେଇ କହୁଥିଲେ ନିଶ୍ଚୟ ଆସିବ ପୁଅ.
ଆଜି ସ୍ତ୍ରୀ ନାହାଁନ୍ତି. ମନେପଡେ ସେଦିନ କଥାସବୁ.ରୁଟିନ ଅନୁଯାୟୀ ଜୀଵନଟା ଗୋଟେ ଯନ୍ତ୍ର ପାଲଟିଗଲାଣି ଏ ଦଶନ୍ଧିରେ ତ ତା ଭିତରେ ଭାଗ୍ୟବହି ଲେଖିଥିବା ବିହି ଅନ୍ୟଥା ନହେଲା ପରି ସ୍ତ୍ରୀ ମିନାକ୍ଷୀ ଚାଲିଗଲା ପରେ ଅଭିଷେକ ସମ୍ପୂର୍ଣ୍ଣ ଏକା ହୋଇଗଲେ. ଏକା ଚଳିବାରେ କିଛି ଅସୁବିଧା ନାହିଁ ଯଦିଓ ମଣିଷ ତ ସାମାଜିକ. ବେଳକାଳ ଓ ସମୟ ଅସମୟରେ ପାଖରେ ଠିଆ ହେବାକୁ ପୁଅ ସନ୍ୟାସ ନେଇ ଯାଇଥିଲା ବେଳେ ଝିଅ ବାହା ହୋଇ ପରଘରୀ ହୋଇସାରିଛି. ଅନେକ ଥର ମୋ ପାଖକୁ ଚାଲିଆସ କହିଲେ ମଧ୍ୟ ଝିଅ ଅଭିଷେକ ଜାଣନ୍ତି ସରକାରୀ ଚାକିରୀ ସାଙ୍ଗକୁ ଛୋଟ ଝିଅର ଲାଳନ ପାଳନ ସହ ବୃଦ୍ଧ ବୃଦ୍ଧା ଶାଶୁ ଶଶୁରଙ୍କ ଦାଇତ୍ୱ ଝିଅ ପଲ୍ଲବୀ ଉପରେ ନ୍ୟସ୍ତ ତ ସେ ଏଇଠି ବରଂ ରହିବେ ଝିଅ ପାଖକୁ ଯାଇ ତାକୁ ମେସିନଟିଏ ପରି ଯନ୍ତ୍ର ହେବାକୁ ଦେବେନି. ଏମିତିରେ ଫୁଲ ଆସି ରନ୍ଧାବଢ଼ା, ମଜାମଜି, ଓଳାଓଳି, ଝଡ଼ାପୋଛୋ କରି ଚାଲିଯାଏ.ହାର୍ଟ ପେସେଣ୍ଟ ଅଭିଷେବାବୁ. ତାଙ୍କୁ ସମୟ ଅସମୟରେ ସାହାଯ୍ୟ ସହଯୋଗ କରିବା ପାଇଁ ଉପର ଘରଭଡାରେ ରହୁଥିବା ଲୋକନାଥ ହିଁ ଯଥେଷ୍ଟ.
ଲୋକନାଥ ଉପରେ ରହେ. ବ୍ୟବସାୟରେ ଯନ୍ତ୍ରବତ ଲାଗିଥାଏ. ରୋଷେଇବାସ ମଧ୍ୟ ହୁଏ. ସ୍ତ୍ରୀ ମିନାକ୍ଷୀ ଥିଲାବେଳୁ ତାକୁ ପୁଅ ପରି ଦେଖନ୍ତି.ନିଜ ପୁଅର ସନ୍ୟାସ ନେବା କଥା କହି ତା ଆଗରେ କାନ୍ଦି ପକାନ୍ତି. ପୁନିଅଁ ପରବରେ ଯାହା କରନ୍ତି ମିନାକ୍ଷୀ ସାଇତି ରଖିଥାନ୍ତି ଲୋକନାଥ ପାଇଁ. ଘରକୁ ଝିଅ ଆସିଲେ ତା ଟିକିଝିଅର ମାମୁଁ ବନଯାଏ ଲୋକନାଥ.ସେ ଝିଅ ପଲ୍ଲବୀ ସାଙ୍ଗରେ ଆସି ଫେରିବା ପର୍ଯ୍ୟନ୍ତ ଲୋକନାଥକୁ ମାମୁଁ ଡାକି ବରାଦ କରୁଥାଏ କେତେ କଣ.ସେଥର ଝିଅ ଆସି ଫେରିବା ସମୟରେ ଜିଦ କରି ବାପା ଅଭିଷେକ ଓ ମାଆ ମିନାକ୍ଷୀଙ୍କୁ ସାଙ୍ଗରେ ନେଇଯାଇଥିଲା. ନାଇଟକୋଚ ବସରେ ଯିବା ଯେତିକି କଷ୍ଟ ଦାୟକ ନୁହେଁ ଫେରିବା ସେତିକି କଷ୍ଟ କାରଣ ଫେରିବା ବେଳେ ସନ୍ଧ୍ୟା ସାତଟା ବେଳକୁ ବସି ରାତି ତିନିଟା ପର୍ଯ୍ୟନ୍ତ ଘାଟି ରାସ୍ତା ପାର ହେଲାବେଳକୁ ମୁଣ୍ଡ ବିନ୍ଧୁଥାଏ ଟାଇଁ ଟାଇଁ, ବାନ୍ତି ଚାପି ରଖୁ ରଖୁ କେଵେ ହୋଇଯାଇ ତ କେଵେ ପଲିଥିନ ସମ୍ଭାଳିବାକୁ ପଡେ ତ କେଵେ ଅଶ୍ବସ୍ତି ଲାଗୁଥାଏ. ସେଇ ଭିତରେ ଲୋକନାଥଙ୍କ ଫୋନ କୋଉଠି ହେଲେଣି ମଉସା?
କେତେବେଳେ ପହଞ୍ଚିବେ ଇତ୍ୟାଦି ଲାଗୁଥାଏ ସତେ ଯେମିତି ଏକାନ୍ତ ଆତ୍ମୀୟ କେହିଜଣେ. ଅଭିଷେକ କୁହନ୍ତି ଆମ ପୁଅର ଚିହ୍ନା ଜଣା ହୋଇଥିବାରୁ ସେ ଆମକୁ ପିତୃ ମାତୃ ତୁଲ୍ୟ ମନେକରୁଛି କିନ୍ତୁ ପ୍ରକୃତରେ ସେ ପୁଅ ପରି ଓ ଭାରି ଭଲ ପିଲାଟିଏ ବୋଲି ମିନାକ୍ଷୀ କୁହନ୍ତି. ଆସି ପହଁଚିଲା ପରେ ଖୁସି ହୋଇଯାଆନ୍ତି ଲୋକନାଥ. ମୁଁ ଆଜି ରୋଷେଇ କରି ଦେଇଦେବି ଆପଣ ଆଉ ଅଯଥାରେ ହଇରାଣ ନହୋଇ ରାତିଅନିଦ୍ରାର ରେଷ୍ଟ ନେଇନିଅନ୍ତୁ କହୁଥାଏ ଲୋକନାଥ
ତ ମିନାକ୍ଷୀ ଗଦଗଦ ହୋଇଯାଆନ୍ତି.
ଝିଅର ଏଇ ସହରକୁ ଏବେ ବଦଳି ହୋଇଛି. ତାର ଇଛା ସେ ଉପର ଘରେ ରହି ଝିଅକୁ ପାଖରେ ରଖି ରହିଯାଆନ୍ତା ତ ତାକୁ ଆଉ ଘରଭଡା ଖୋଜିବାକୁ ପଡନ୍ତା ନାହିଁ ଓ ବାପା ଅଭିଷେକଙ୍କର ଦେଖାଶୁଣା କରିପାରନ୍ତା. ଲୋକନାଥକୁ କିନ୍ତୁ ଏକଥା କହିହୁଏନି. ତାର ବ୍ୟବସାୟରେ ହୁଏତ ବାଧା ଆସିପାରେ ଭାବି ତାକୁ ଘର ଛାଡିବାକୁ କହିପାରୁନଥାନ୍ତି ଅଭିଷେକ. ଝିଅ ପଲ୍ଲବୀ ଆସିଥାଏ. ନୂଆ ଚାକିରୀରେ ଜଏନ କରିବାର ଥାଏ ତାର. ବାପା ଝିଅ ଆଲୋଚନା କଲା ବେଳେ ଲୋକନାଥ ଦୁହିଁଙ୍କ ପାଇଁ ଚା ଜଳଖିଆ ଆଣି ପହଁଞ୍ଚି କହିଲେ ମୁଁ ନୂଆଘର ବୁଝିଛି. ଝିଅ ଏଇ ଉପରେ ରହୁ ମଉସାଙ୍କର ସୁବିଧା ଅସୁବିଧାରେ ସହାୟକ ହେବ. ମୁଁ ଏ ଭିତରେ ଚାଲିଯିବି.ଏତିକି କହୁ କହୁ ଲୋକନାଥ ଆଖି କଣରେ ଲୁହ ଜକେଇ ଆସୁଥିଲା କାରଣ ସେ କହୁଥିଲା ଝିଅ ଏଠି ରହିଲେ ମଉସାଙ୍କର ସବୁ ସୁବିଧା ହେବ ମତେ କେବଳ ମାଉସୀଙ୍କ ସ୍ମୃତି ଆବୋରି ବସିଥିବାରୁ ଏ ଘର ଛାଡିବାରେ ଟିକେ ଦୁଃଖ ହେବ. ପଲ୍ଲବୀ କହିଲା ଆମେ ଆଜିକାଲି ଯନ୍ତ୍ରପରି କାମ କରୁଥିଲେ ମଧ୍ୟ କେହି ରୋବର୍ଟ ନୁହେଁ ଲୋକନାଥ ଭାଇ. ତୁମେ ଯେଉଁଠି ଅଛ ସେଇଠି ରୁହ. ମୁଁ ଏଇ ବାପାଙ୍କ ରୁମ ପାଖ ରୁମରେ ରହିଯିବି ବରଂ ତୁମେ ମୋ ଭାଇ ପରି ମୋର ସହାୟକ ହେଉଥିବ. ମୋ ଭାଇ ପରା ସନ୍ୟାସ ନେଇଯାଇଛି. ତୁମେ ଚାଲିଗଲେ ବାପା ଶାନ୍ତି ପାଇବେ ନା ମୋ ବୋଉ ସ୍ୱର୍ଗରେ ଥାଇ ଖୁସି ହୋଇପାରିବ ଭାଇ!ଲୋକନାଥ ହାତରୁ ଚା କପ ନେଉ ନେଉ ପଲ୍ଲବୀ କାନ୍ଦିପକେଇଥିଲା ଖୁବ. ସେ ଲୁହ ଅଭିଷେକ ଓ ଲୋକନାଥ, ଉଭୟଙ୍କ ଆଖିକୁ ସଂକ୍ରମିତ କରୁଥିଲା ବେଳେ ଏବେ ଦଶମ ପରୀକ୍ଷା ଦେବାକୁ ଥିବା ଛୋଟ ନାତୁଣୀ ଡୁଗୁ କହୁଥିଲା ତୁମେ ରହିଯାଅନା ମାମୁଁ. ସନ୍ୟାସ ନେଇସାରିଥିଲେ ମଧ୍ୟ ବାପାଙ୍କ କଥା ଓ ମାଆ କଥା ତଥା ଘରର ଭଲମନ୍ଦ ଫୋନ କରି ବୁଝୁଥିବା ପୁଅ ମଧ୍ୟ ଅନୁରୋଧ କରିଥିଲା ଲୋକନାଥଙ୍କୁ ରହିଯିବା ପାଇଁ.