Suchismita Satpathy

Inspirational

4.0  

Suchismita Satpathy

Inspirational

ରସ ବାସନ(ବିବାହ)

ରସ ବାସନ(ବିବାହ)

4 mins
305



ଅଞ୍ଜୁ ଆଜି ବହୁତ ଖୁସି । ଖୁସି ଏଥିପାଇଁ ଯେ ଭଗବାନ ଆଜି ଲକ୍ଷ୍ମୀ ପ୍ରତିମାଟିଏ ଦେଇଛନ୍ତି ଏବଂ ଏଥିପାଇଁ ଯେ ସେ କିଣିଥିବା ରସବାସନଟି କାମରେ ଲାଗିଛି । ଖାଉ ଖାଉ ମନେ ପଡିଗଲା ପୁରୁଣା ଦିନର କଥା । 

ଅଞ୍ଜୁଙ୍କର ବୟସ ଯେତେବେଳେ ଉଣେଇଶି, ସେତେବେଳେ ତାଙ୍କର ବାହାଘର ଠିକ ହୋଇଗଲା । ଭଲ ଚାକିରିଆ ଜ୍ୱାଇଁ ପାଇବାରୁ ତାଙ୍କ ବାପା ବୟସ ଅଧିକା ନ ହୋଇଥିବା ସତ୍ତ୍ୱେ କନ୍ୟାଦାନ କରିବାର ନିଷ୍ପତ୍ତି ନେଇଥିଲେ । ଅଞ୍ଜୁଙ୍କର ଇଛା ନ ଥିଲେ ବି ଘର ଲୋକଙ୍କ କଥାରେ ରାଜି ହୋଇଗଲେ । ବହୁ ଧୂମଧାମରେ ବାହାଘର ହେଲା । ସେହି ହୃଦୟ ବିଦାରକ ଦୃଶ୍ୟ ଓ ପରିସ୍ଥିତି ମଧ୍ୟ ଦେଇ ଗତି କଲେ ଅଞ୍ଜୁ । ଏହା ଭଗବାନଙ୍କର ସୃଷ୍ଟି ପ୍ରତ୍ୟେକ ନାରୀ ପାଇଁ । ସେ ବା ଏଥିରୁ ବାଦ୍ ଯିବେ କେମିତି । ସଂସାରର ନିୟମ ଓ ଚାଲିଚଳନରେ ଗୋଟେ ଝିଅର ପାଦ ଶିକୁଳିରେ ବନ୍ଧା । ବାପଘରର ଏରୁଣ୍ଡି ବନ୍ଧ ଡେଇଁ ଦିନେ ନା ଦିନେ ଶାଶୁ ଘରକୁ ଯିବାକୁ ହେବ । ଅଞ୍ଜୁଙ୍କର ବିବାହ ସମ୍ପନ୍ନ ହେଲା । ବିଦାୟ ନେଇ ଆସିଲେ ଶାଶୁ ଘର । ବଡ ପରିବାର । ବୟସ ସାନ । କଣ କରିବେ । 

କିଛି ଦିନ ପରେ ଅଜୟ ବାବୁ ନିଜ କର୍ମ ସ୍ଥଳ ଭୁବନେଶ୍ୱର ଗଲେ । ସେଠାରେ ସେ ତାଙ୍କ ସମ୍ପର୍କୀୟ ଦୁଇ ଭାଇ ଓ କକେଇଙ୍କ ସହ ଏକ ଘରେ ରହୁଥିଲେ । ଅଞ୍ଜୁ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରି ଚାଲିଥିଲେ । ବାପ ଘରର ସବୁ ସଂସ୍କାର ଓ ଶିକ୍ଷାକୁ କାର୍ଯ୍ୟରେ ଲଗାଇ ଏକ ପ୍ରକାର ସମସ୍ତଙ୍କୁ ନିଜର କରିନେଲେ ଖୁବ କମ ସମୟ ମଧ୍ୟରେ । ଅଜୟ ବାବୁ ଶନିବାରରେ ଆସନ୍ତି ପୁଣି ସୋମବାର ସକାଳୁ ବାହାରି ଯାଆନ୍ତି । ସ୍ୱଳ୍ପ ରୋଜଗାର ମଧ୍ୟରେ ଖୁବ ଖୁସିରେ ଥାନ୍ତି । ମାତ୍ର ଅଞ୍ଜୁ ଅଜୟ ବାବୁଙ୍କୁ ବହୁ ଡରି ଡରି ରୁହନ୍ତି । ଘରେ ଶିକ୍ଷା ଥାଏ, ସ୍ୱାମୀ ସହ ବେଶି କଥା ହେବୁନି, ଯୁକ୍ତି ତର୍କ କରିବୁନି କି ଉଚ୍ଚ ସ୍ୱରରେ କଥା ହେବୁନି । ସ୍ୱାମୀ ହେଉଛି ଭଗବାନ । ସେ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥାନ୍ତି ଅଞ୍ଜୁ । କିଛି ମାସ ଗଲା, ଗର୍ଭବତୀ ହେଲେ ଅଞ୍ଜୁ । ଅଜୟ ବାବୁ ଅଫିସରୁ ଛୁଟି ନେଇ ଘରକୁ ଆସିଲେ । କଥା ହେଲା ସାଙ୍ଗରେ ଗଲାବେଳେ ଆଞ୍ଜୁ ସାଙ୍ଗରେ ଯିବେ । 

ଏକଥା ଶୁଣି ଅଞ୍ଜୁଙ୍କର ପିଳେହି ପାଣି ହୋଇଗଲା । ଏକେ ତ ସ୍ୱାମୀଙ୍କ ସହ ଯିବେ ସେଥିରେ ପୁଣି ଭୁବନେଶ୍ୱର । 

ଜନ୍ମ ହେବା ଠାରୁ ଗାଆଁର ପାଣିପବନ, ଗଛ ଲତା, ନଦୀ ଝରଣା, ଚାଷ ଜମି ମଧ୍ୟରେ ସମୟ କଟେଇଥିବା ଗାଁର ସିଙ୍ଗାଣିନାକି ଝିଅ ଯିବ ରାଜଧାନୀ । ମନ ମଧ୍ୟରେ ଖୁସି ବି ଭୟ ବି । 

ସେଇ ଦୋଦୁଲ୍ୟମାନ ପରିସ୍ଥିତିରେ ଅଞ୍ଜୁ ଯାଇ ପହଞ୍ଚିଲେ ଭୁବନେଶ୍ୱରରେ । ଅଜୟ ବାବୁ ପୂର୍ବରୁ ରହୁଥିବା ବସାର ପାଖ ବସାଟି ଭଡାରେ ନେଲେ । ଅନ୍ୟ ସମସ୍ତ ସଦସ୍ୟ ଗୋଟିଏ ଘରେ ଓ ତା ପାଖ ରୁମରେ ଅଞ୍ଜୁ ଓ ଅଜୟ । ପାଖ ପଡୋଶୀ ସମସ୍ତେ ଜାଣିଲେ ଅଜୟ ବାବୁଙ୍କ ସ୍ତ୍ରୀ ଆସିଛନ୍ତି ତେଣୁ ଧିରେ ଧିରେ ସମସ୍ତେ ଆସିଲେ । ପାଖ ପଡୋଶୀଙ୍କ ସହ ଅଞ୍ଜୁଙ୍କର ଚିହ୍ନା ପରିଚିତ ବଢିଲା । 

ଦିନେ ଅଞ୍ଜୁ ସବୁ କାମ ସାରି ଅଗଣାରେ ବସିଛନ୍ତି ଜଣେ ବାସନ ବିକାଳୀ ଆସି କଲୋନୀ ଭିତରେ ଡାକିଲା । ପଡିଶା ଘରର ପଣ୍ଡା ବାବୁଘର ତାକୁ ଡାକି କିଛି ବାସନ ରଖିଲେ । ଦୂରରେ ଥାଇ ଅଞ୍ଜୁ ସବୁ ଦେଖିଥାନ୍ତି । ତାଙ୍କୁ ଦେଖି ପଣ୍ଡା ବାବୁଙ୍କ ସ୍ତ୍ରୀ ଡାକ ପକାଇଲେ । 

ଅଞ୍ଜୁ ବାସନ ରଖିବକି । ଦୋ ଦୋ ପାଞ୍ଚ ହୋଇ ଅଞ୍ଜୁ ଗଲେ । ପଇସା ପାଖରେ ବହୁତ କମ ଥାଏ । ଯାହା ବାହାଘର ସମୟରେ ତାଙ୍କ ବାପା ଦେଇଥିଲେ ସେଥିରୁ କିଛି ସଞ୍ଚୟ କରି ରଖିଥିଲେ । ବହୁ ଡରି ଡରି ଗୋଟିଏ ଥାଳି ଓ ଗୋଟିଏ ଗିନା କିଣିଲେ ୧୨ ଟଙ୍କା ଦେଇ । ମନ ଭାରିଖୁସି । ଜୀବନରେ ନିଜେ କିଛି ଗୋଟେ କିଣିଛନ୍ତି ବୋଲି । ତେଣୁ ବ୍ୟାକୁଳତାର ସହ ଅପେକ୍ଷା କରି ରହିଥାନ୍ତି ଅଜୟ ବାବୁଙ୍କ ଅଫିସରୁ ଫେରିବାକୁ । 

ସଂଧ୍ୟାରେ ଅଜୟ ବାବୁ ଅଫିସରୁ ଫେରିଲେ । ଖୁସି ହୋଇ ଅଞ୍ଜୁ ଚା ନେଇ ଗଲେ ତା ସହ କିଣିଥିବା ବାସନ । ଅଜୟ ବାବୁ ଚା ପିଉଥିବା ସମୟରେ ଅଞ୍ଜୁ ବାସନଟି କାଢି ଦେଖାଇଲେ ଓ କହିଲେ ଆଜି ଦାଣ୍ଡକୁ ବାସନ ବାଲା ଆସିଥିଲା, ମୋ ପାଖରେ କିଛି ପଇସା ଥିଲା ମତେ ଭଲ ଲାଗିଲା ପଣ୍ଡା ବାବୁ ଘର କିଣୁଥିଲେ ତେଣୁ ମୁଁ କିଣିଲି । ବାସନକୁ ଦେଖି ଅଜୟ ବାବୁ ବହୁ ଜୋରରେ କହିଲେ, ଏ କଣ କଲ ତୁମେ ରସ ବାସନ କାହିଁକି କିଣିଲ । ଏଥିରେ କିଏ ଖାଇବ । ତୁମେ ଦେଖିନକି ଆମର ପିତ୍ତଳ ବାସନରେ ଖାଉଛେ । ଆମ ଘରେ ଏଥିରେ କେହି ଖାଆନ୍ତି ନାହିଁ । କକେଇ ଓ ଭାଇମାନେ ଦେଖିଲେ କଣ କହିବେ । 

ଏତିକି ଶୁଣି ଅଞ୍ଜୁ କାନ୍ଦି କାନ୍ଦି ବେଦମ । ଯଦିଓ ସେ ବାସନ କିଣିଛନ୍ତି ତାହା ରସ ଏବଂ ସେଥିରେ ଖାଆନ୍ତି ନାହିଁ ବୋଲି ତାଙ୍କୁ ଜଣାନଥିଲା ବୋଲି କହିଲେ । ଅଜୟ ବାବୁ ଏହା ଦେଖି ଟିକେ ନରମି ଗଲେ । କଥାକୁ ସମ୍ଭାଳି ନେଇ କହିଲେ ଏଇ ବାସନରେ ଆମର ଖାଇବା ନାହିଁ, ଯଦି ବାସନ କମ ଅଛି କାଲି ବଜାର ଯାଇ ନେଇ ଆସିବା । ଏହା କହି ବାସନ କୁ ଚାଜା ଉପରକୁ ପକାଇଦେଲେ । 

ତା ପରଦିନ ନୂଆ ବାସନ ଆସିଲା ଓ ଅଞ୍ଜୁଙ୍କର ମନ ଖୁସି ହୋଇଗଲା । ମାତ୍ର ଦୁଃଖ ଥାଏ ଏତେ ମନ କରି କିଣିଥିଲେ ହେଲେ ବ୍ୟବହାର କରି ପାରିଲେ ନାହିଁ । 

କିଛି ଦିନ ଗଲା ଅଞ୍ଜୁଙ୍କର ପ୍ରସବ ସମୟ ଆସିଲା । ଏବଂ ଠିକ୍ ସମୟରେ ଡାକ୍ତରଖାନାରେ ଏକ ସୁସ୍ଥ ଓ ସୁନ୍ଦର କନ୍ୟାକୁ ଜନ୍ମ ଦେଲେ । 

ଅଜୟ ବାବୁ ବହୁତ ଖୁସି । ସବୁଆଡେ ଯାଇ ମିଠା ବାଣ୍ଟି ଆସିଲେ । ଅଞ୍ଜୁଙ୍କର ବି ମନ ବହୁତ ଖୁସି । କେମିତି ଡାକ୍ତରଖାନାରୁ ଘରକୁ ଯିବେ ତର ନଥାଏ । ତିନି ଦିନ ପରେ ଘରକୁ ଆସିଲେ । ମାତ୍ର ୨୧ ଦିନ ଯାଏଁ ତ କିଛି ଛୁଇଁବେ ନାହିଁ । ରହିବାର ବନ୍ଦୋବସ୍ତ ପାଖ ରୁମରେ ହୋଇଗଲା ମାତ୍ର ଖାଇବେ କେଉଁଥିରେ । ଯେଉଁ ବାସନରେ ଖାଇବେ ତାହା ଆଉ ବ୍ୟବହାର ହେବ ନାହିଁ । କଣ କରିବେ । 

ଅଜୟ ବାବୁଙ୍କର ମନେ ପଡିଗଲା ସେହି ରସ ବାସନ କଥା । ଧିରେ ଯାଇ ଚାଜା ଉପରୁ ବାସନଟିକୁ କାଢି ଆଣିଲେ । ଓ ସେଥିରେ ହିଁ ଖାଇବାକୁ ଦେଲେ । ତାକୁ ଦେଖି ଅଞ୍ଜୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଏଥିରେ କଣ? ଅଜୟ ବାବୁ ଟିକେ ଗମ୍ଭୀର ହୋଇ କହିଲେ, ଏହି କାମରେ ଲାଗିବ ବୋଲି ବୋଧେ ଏହି ବାସନ କିଣା ଯାଇଥିଲା । ଏହା ଶୁଣି ଅଞ୍ଜୁ ଟିକେ ମୁରୁକି ହସ ହସିଦେଲେ । ତା ଦେଖାଦେଖି ଅଜୟ ବାବୁ ମଧ୍ୟ ଏକ ଖୁସିର ହସ ହସିଲେ । ବିବାହ ବନ୍ଧନର ଏହା ଯେ ଏକ ସ୍ୱାଦ ତାହା ଜାଣିବାକୁ ଆଉ ବାକି ରହିଲା ନାହିଁ । 



Rate this content
Log in

Similar oriya story from Inspirational