ରଫଖାତା
ରଫଖାତା
ପିଲାଦିନେ ରଫଖାତାଟି ମୋର ଭାରି ପ୍ରିୟ ଥିଲା ।ଖାଲି ମୋର ନୁହେଁ ହୁଏତ ପ୍ରାୟ ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ସେ ଭାରି ପ୍ରିୟ ହୋଇଥାଏ ବୋଲି ମୋର ଅନୁମାନ ।ସମସ୍ତ ବିଷୟର ସମାହାର ଏଇ ରଫଖାତା ।କେତେ ଯେ ଅଙ୍କର ଠିକ ଏବଂ ଭୂଲ ରୂପ ସେଥିରେ ଚିତ୍ରିତ ।କୁନି କୁନି ହାତରେ ଅନେକ ଅଙ୍କାବଙ୍କା ଚିତ୍ର ସହ ଗୁଣନଖନ୍ଦା ଏମିତି ଅନେକ କିଛି ।ଗୋଟିଏ ଦିସ୍ତାରେ ତିଆରି ଖାତାଟି ଯେମିତି ମୋର ପ୍ରିୟ ସହପାଠୀ ।
ମୁଁ ପଢୁଥାଏ ତୃତୀୟ ଶ୍ରେଣୀରେ ।ସେତେବେଳକୁ ଭଲ ପଢୁନଥିଲେ ମଧ୍ୟ ଶାନ୍ତଶିଷ୍ଠ ବିଦ୍ୟାର୍ଥୀଟିଏ ରୂପେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପ୍ରିୟପାତ୍ର ହୋଇପାରିଥିଲି ।ସାହିତ୍ୟ ବହିର ସମସ୍ତ ଗୀତ ମୋର ଭାରି ପ୍ରିୟ ।ସବୁ ଗୀତ ଦିଦି କହିବା ପୂର୍ବରୁ ଘୋଷି ଦେଉଥିଲି ।ସେଥିପାଇଁ ମୋର ଶ୍ରେଣୀ ଶିକ୍ଷୟିତ୍ରୀ ବିଳାସିନୀ ଦିଦିଙ୍କର ପ୍ରିୟ ଛାତ୍ରୀଟିଏ ଥିଲି ।ସହପାଠୀଙ୍କ ସହ ଅତ୍ୟଧିକ ମେଳାପୀ ନଥିଲେ ମଧ୍ୟ ସାଧାରଣ ସମ୍ପର୍କ ଥିଲା ।କାହାସହ କୌଣସି ଶତ୍ରୁତା କରିନଥାଏ ।
ବର୍ତ୍ତମାନର ଶିକ୍ଷାଦାନ ଶୈଳୀଠାରୁ ସେତେବେଳର ଶିକ୍ଷାଦାନ ପଦ୍ଧତି ଥିଲା ଅଲଗା ।ପ୍ରତିଦିନ ଶ୍ରେଣୀରେ ଶ୍ରୁତଲିଖନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ।ତ୍ରୁଟି ଯୁକ୍ତ ଶବ୍ଦଗୁଡିକୁ ଦଶ ଦଶ ଥର ଲେଖିବାକୁ ହୁଏ ।ସେଥିପାଇଁ ଲୋଡ଼ା ପଡେ ରଫଖାତା ।ସେଦିନ ବିଳାସିନୀ ଦିଦି
ଶ୍ରେଣୀର ଶିକ୍ଷାଦାନ ସମୟରେ ଶ୍ରୁତଲିଖନ ପାଇଁ ରଫଖାତା ବାହାର କରିବାକୁ କହିଲେ ।ମୋର ଠିକ ମନେ ଅଛି ଗୋଟିଏ ଦସ୍ତା ଟ୍ରଙ୍କରେ ମୁଁ ବହି ନେଇଯାଉଥାଏ ।ସେ ସମୟରେ ଦସ୍ତା ଟ୍ରଙ୍କର ଖୁବ ଆଦର ଥାଏ ।ଟ୍ରଙ୍କ ସାରା ଖୋଜି ଖୋଜି ମୋର ପ୍ରିୟ ରଫଖାତା ଟି ପାଇଲି
ନାହିଁ ।ମନରେ ଅନେକ ଡର ।ଆଉ ଦୃଢ଼ତା ମଧ୍ୟ ।ମୁଁ ତ କେବେ ଏମିତି ଭୁଲ କରିବି ନାହିଁ ।ମୁଁ ନିଶ୍ଚିତ ଖାତା ଆଣିଥିଲି ।ଦିଦି ମୋହର ଶଙ୍କାଗ୍ରସ୍ତ ମୁଖମଣ୍ଡଳରୁ ମୋର ଅସୁବିଧା ବିଷୟରେ ଜାଣିବାକୁ ଚାହିଁଲେ ।ଖୁବ ଡରି ଡରି ଖାତାଟି ପାଉନାହିଁ ବୋଲି ଜଣାଇଲି ।ମୁଁ
ଘରୁ ଆଣିଥିଲି କି ନାହିଁ ବୋଲି ପଚାରିଥିଲେ ।ଖୁବ ଦୃଢ଼ତାର ସହ ଘରୁ ଆଣିଛି ବୋଲି ପ୍ରକାଶ କଲି ।ଦିଦିଙ୍କର ମୋ ଉପରେ ବିଶ୍ୱାସ ଅତୁଟ ।ମନେ ମନେ କେଉଁ ଦୁଷ୍ଟ ପିଲା ମୋ ଖାତାଟିକୁ ନେଇଯାଇଛି ବୋଲି ଚିନ୍ତା କରି ସମସ୍ତଙ୍କ ବସ୍ତାନୀ ଖୋଜାଖୋଜି କଲେ ।କିନ୍ତୁ ରଫଖାତା ମିଳିଲା ନାହିଁ ।ମୋର ମନ ବିଷାଦରେ ଭରିଗଲା ।ସେଦିନର ଶ୍ରୁତଲିଖନ କାର୍ଯ୍ୟକ୍ରମ ମଧ୍ୟ ବାଧାପ୍ରାପ୍ତ ହୋଇଗଲା ।ଦିଦି ପିଲାମାନଙ୍କୁ ଏମିତି କାହାର କୌଣସି ଜିନିଷ ଚୋରି ନ କରିବା ପାଇଁ ଅନେକ ଉପଦେଶ ଦେଲେ ।ଉତ୍ତମ ଶିକ୍ଷାର୍ଥୀର ଗୁଣଗୁଡିକୁ ବୁଝାଇ ଦେଲେ ।
ମୋର ପ୍ରିୟ ରଫଖାତାଟି ହଜିଯାଇଥିବାରୁ ସେଦିନ ମୋ ଓଠରୁ ହସ
ଲିଭିଯାଇଥିଲା ।ପାଠପଢ଼ାରେ ମନ ଲାଗୁନଥାଏ ।ଏଣେ ଡର ଲାଗୁଥାଏ ବାବାଙ୍କୁ ପୁଣି ଗୋଟିଏ ରଫଖାତା ଆଣିବାକୁ କହିଲେ ଯଦି ଗାଳିଦେବେ । ଚାରିଟା ପରେ ଭାରାକ୍ରାନ୍ତ ମନ ନେଇ ଘରକୁ ଫେରିଲି । ମନ ତ କିନ୍ତୁ ରଫଖାତା ରେ ।ଘରେ ପହଞ୍ଚି ବହି ଥାକ ଖୋଜୁ ଖୋଜୁ ଖୁସିରେ ଆଖି ଦୁଇଟି ଝଲସି ଉଠିଲା ।କାହିଁକି ନା ମୋ ରଫଖାତା ଟି ଥାକରେ ସଜେଇ ହୋଇ ରହିଥିଲା ।ଖାତାଟିକୁ ଧରିନେଇ ପୃଷ୍ଠା ଗୁଡିକ ଓଲଟାଇ ଦେଲି ।ନୂଆ ନ ହୋଇଥିଲେ ବି ନୂଆ ଲାଗୁଥିଲା ପ୍ରତିଟି ପୃଷ୍ଠା ।
କିନ୍ତୁ ହଟାତ ମନେ ପଡିଗଲା ଶ୍ରେଣୀଗୃହରେ ଘଟିଯାଇଥିବା ପ୍ରତିଟି ଘଟଣା ।ମନ ରେ ଦ୍ବନ୍ଦ୍ୱ ।ଯଦି ଦିଦିଙ୍କୁ ଯାଇ ଏକଥା ଜଣାଇବି ତେବେ
ଦିଦି ଏବଂ ମୋର ସହପାଠୀମାନେ ମୋତେ ମିଛୁରୀ ଭାବିବେ ଆଉ ଦିଦି ଗାଳିଦେବେ ।ଆଉ ଯଦି ସତ ନ କୁହେ ତେବେ ମୋ ନିଜ ଆଗରେ ମୁଁ ମିଛୁରୀ ହୋଇଯିବି ।ବହୁତ ଭାବିଲି ଶେଷରେ ବୋଉ କୁ ସମସ୍ତ ଘଟଣା ଜଣାଇଲି ।ସେ ଟିକିଏ ଚୁପ ରହିଲା ଏବଂ ବୁଝାଇ ଦେଲା ସତ କହିବାକୁ କିଆଁ ଡରିବି ସତ କହିପଛେ ମଲେ ମରିବି ର ତାତ୍ପର୍ଯ୍ୟ ।ବାସ ସମାଧାନ ହୋଇଗଲା ମୋର ଦ୍ବନ୍ଦ୍ୱ ।
ପରଦିନ ଶ୍ରେଣୀରେ ଶିକ୍ଷୟିତ୍ରୀ ପ୍ରବେଶ କରୁ କରୁ ମୁଁ ରଫଖାତା ଘରେ ଥିବା ଜଣାଇଲି ।ଦିଦି ବହୁତ ଗାଳି ଦେଲେ ।ପୂର୍ବଦିନ ମୋ ଯୋଗୁଁ ପାଠପଢ଼ା ରେ ବ୍ୟାଘାତ ସୃଷ୍ଟିର କାରଣ ସାଜିଥିବାରୁ ଦଣ୍ଡ ସ୍ୱରୂପ ୧00 ଥର ବସଉଠା କରାଇଲେ ।ସେତେବେଳେ ଦଣ୍ଡମୁକ୍ତ ଅଞ୍ଚଳ ନଥିଲା ବିଦ୍ୟାଳୟରେ ।ଶହେଥର ବସଉଠା ପରେ ଗୋଡ଼ ଦୁଇଟି ଥରି ଉଠୁଥିଲା ,ଆଖିରେ ଲୁହ ଭର୍ତ୍ତି ହୋଇସାରିଥିଲା ।ସାଙ୍ଗମାନଙ୍କର ନଜରରୁ ମୁଁ ବୁଝିସାରିଥିଲି ସେମାନେ ମୋତେ ଭୁଲ ବୁଝିଛନ୍ତି ବୋଲି ।ବସି ପଡ଼ି ବୋତଲରୁ ଦୁଇ ଢ଼ୋକ ପାଣି ପିଇ ମୁହଁ ପୋତି ରହିଲି ଲଜ୍ଜ୍ୟା ଆଉ ଅପମାନରେ ।
ଦିଦି ତାପରେ ସବୁ ପିଲାଙ୍କୁ କହିଲେ ପିଲେ ସେ ଦଣ୍ଡ ପାଇଲା କିନ୍ତୁ ମିଛ ପାଇଁ ନୁହେଁ ତାହାର ଦାୟିତ୍ବହୀନତା ପାଇଁ ।ଜୀବନରେ ସବୁ ଜିନିଷର ଦାୟିତ୍ୱ ନେବା ଜଣେ ଉତ୍ତମ ଶିକ୍ଷାର୍ଥୀର ଧର୍ମ ।ସବୁଠୁ ବଡ଼ କଥା ହେଲା ସେ ସତ କହିଛି ।ମୁଁ ପାଟି କରିବି ଜାଣି ମଧ୍ୟ ସେ ଖାତା ମିଳିଥିବା କଥା ଜଣାଇଲା ।ପିଲେ ଏହି ଗୁଣ ଥିଲେ ତୁମେ ଜଣେ ଭଲ ମଣିଷ ହୋଇପାରିବ ।ଏଥିପାଇଁ ତାକୁ ତାଳିଦେଇ ଉତ୍ସାହିତ କର ।ସମସ୍ତଙ୍କ ଓଠରେ ଥିଲା ହସ ।ମୋ ପ୍ରତି ଥିବା ମନୋଭାବ ପରିବର୍ତ୍ତନ ହୋଇସାରିଥିଲା ।ଭୁଲି ଯାଇଥିଲି ମୋର ସମସ୍ତ କଷ୍ଟ ।ମୁଁ ଦିଦିଙ୍କୁ ଶପଥ ନେଇ କହିଥିଲି ଏମିତି ଦାୟିତ୍ୱହୀନ ହେବିନାହିଁ ।ଦିଦି ଖୁସିରେ ମୋ ମୁଣ୍ଡ ଆଉଁସି ଦେଇଥିଲେ ।
ଆଜିର ସମୟରେ ମୁଁ ନିଜେ ଜଣେ ଶିକ୍ଷୟିତ୍ରୀ ।କିନ୍ତୁ ମୋ ଡାଏରୀର ଅଲିଭା ପୃଷ୍ଠାରେ ସେଦିନର ସେଇ ସ୍ମୃତି ଆଜି ବି ଜୀବିତ ।ସେହି ଅନୁଭୂତିକୁ ପ୍ରୟୋଗ କରିଛି ଶ୍ରେଣୀ ଗୃହରେ ମୋ ଛାତ୍ରଛାତ୍ରୀଙ୍କ ପାଇଁ ।
