ରୋଷେଇ
ରୋଷେଇ
ଆମ ଗାଁର ପଙ୍କଜ ଜେନାଙ୍କ ପରିବାରଟି ଅତି ଭଦ୍ର ଏବଂ ଆଦର୍ଶ ପରିବାର। ଆଜିର ସ୍ୱାର୍ଥପର ଏବଂ ଖୁଦ୍ର ପରିବାର ପାଇଁ ଏହା ଏକ ଉଦାହରଣ ସଦୃଶ। ପଙ୍କଜ ବାବୁଙ୍କ ଚାରି ପୁଅ, ଚାରି ବୋହୁ ଏବଂ ନାଟି ନାତୁଣୀକୁ ନେଇ ଷୋଳ ଜଣ ସଦଶ୍ୟ।
ବୈକୁଣ୍ଠ ସମାନ ଅଟେ ସେହି ଘର, ପରସ୍ପର ସ୍ନେହ ଯଦି ଥାଏ ନିରନ୍ତର। ପଙ୍କଜ ବାବୁଙ୍କର ଘରଟି ବୈକୁଣ୍ଠ ସମାନ କହିଲେ ଭୁଲ ହେବ ନାହିଁ। ଚାରି ବୋହୂ ଚାରି ଭଉଣୀ ପରି ମିଳିମିଶି ଚଳନ୍ତି। କିଏ ରୋଷେଇ କରେ ତ, କିଏ ବାସନ କୁସନ ମଜାମଜି କରିଦିଏ। କିଏ ପିଲାମାନଙ୍କୁ ସମ୍ଭାଳେ ତ କିଏ ଗାଈଗୋରୁ, ଜାଳକୁଟା ଇତ୍ୟାଦି ବାହାର କାମ କରିନିଏ। ଘରେ କଳହ, ଅଶାନ୍ତି କେବେ ବି ଦେଖିବାକୁ ମିଳେନି।
ପଙ୍କଜ ବାବୁ ଜଣେ ଧାର୍ମିକ ବ୍ୟକ୍ତି। ସବୁଦିନ ସନ୍ଧ୍ୟାରେ ଦାଣ୍ଡ ପଟ ଠାକୁର ଘରେ ଭାଗବତ, ରାମାୟଣ, ପୁରାଣ ଆଦି ପାଠ କରିବା ତାଙ୍କର ନିତିଦିନିଆ ଅଭ୍ୟାସ। ସାହି ଭାଇର ବୟସ୍କ ବ୍ୟକ୍ତି ମାନେ ବି ଶାସ୍ତ୍ର ଚର୍ଚ୍ଚା କରିବାକୁ ପ୍ରତିଦିନ ଆସନ୍ତି। ଏକ ସୁନ୍ଦର ପରିବେଶ ମଧ୍ୟରେ ପରିବାରଟି ବେଶ୍ ସୁଖ ଶାନ୍ତିରେ କାଳାତିପାତ କରୁଥାନ୍ତି।
ଚାରି ଭାଇଙ୍କର ଏକ ମନ ଏକ ପ୍ରାଣ। ସମସ୍ତେ ଭାତୃ ପ୍ରେମରେ ବନ୍ଧା। କଥାରେ ଅଛି ସୁଖ ବାଣ୍ଟିଲେ ବଢେ ଦୁଃଖ ବାଣ୍ଟିଲେ କମେ। ସେହି ନ୍ୟାୟରେ ଖୁବ ସୁଖଶାନ୍ତିରେ ଚଳନ୍ତି ଚାରି ଭାଇ। ଗାଁରେ କଳି ଝଗଡା ହେଲେ ସମସ୍ତେ ଏହି ପରିବାରଟିର ଉଦାହରଣ ଦିଅନ୍ତି।
ପଙ୍କଜ ବାବୁଙ୍କର ସମସ୍ତ ବୋହୁ ସର୍ବ ଗୁଣ ସଂପର୍ଣ୍ଣା ଥିଲେ ବି, ସାନ ବୋହୁ ଗୀତାର ହାତ ରନ୍ଧା ଥିଲା ଖୁବ୍ ସୁନ୍ଦର। ତା ହାତର ପରଶରେ ଖାଦ୍ୟର ସ୍ୱାଦ ଅନେକ ଗୁଣ ବଢିଯାଏ। ପୁରା ଗାଁରେ ତାର ପ୍ରଶଂସା। ଅନ୍ୟ ବୋହୁମାନେ କେବେ ଇର୍ଷା କରନ୍ତିନି। ଅନ୍ୟ ମାନଙ୍କ ପ୍ରଶଂସାରେ କେବେ ଗର୍ବ ନ କରି ଗୀତା ନମ୍ରତାର ସହ କୁହେ "ନିଆଁ ପାଣି କଥା, ବେଳେବେଳେ କେମିତି କଣ ହୋଇଯାଏ"।
ଦିନେ ପଡିଶା ଘର ଝିଆରୀ ଖୁଡି ଗୀତାକୁ ପଚାରିଲେ.. "ଖୁଡି ରୋଷେଇ କେମିତି କରୁଛ ପୁଣି ଏତେ ସୁନ୍ଦର ଟିକେ କହୁନ। ମତେ ଜମା ଆସୁନି ଭଲ ରାନ୍ଧି"। ଖୁଡି କହିଲେ ନା ସେମିତି କିଛି ନାହିଁ। ମନ ଲଗେଇ ରାନ୍ଧିଲେ ଖାଦ୍ୟ ସ୍ୱାଦ ଯୁକ୍ତ ହେବ କିନ୍ତୁ ଝିଆରୀ ଥିଲା ନ ଛାଡିବାର ଲୋକ। ଝିଆରୀର ଆଗ୍ରହ ଦେଖି ଖୁଡି କହିଲେ ସଂସାରରେ ସବୁକିଛି ଇଶ୍ୱରଙ୍କ ଆଶ୍ରିବାଦ। ଯାହାବି ଆମେ କରୁ ଭଗବାନଙ୍କୁ ସମର୍ପିତ କରିବା ଏବଂ ଶୁଦ୍ଧ ମନରେ କରିବା ଉଚିତ।
ପରିବା କାଟିବା ସମୟରେ ଭଗବାନଙ୍କୁ ସମର୍ପଣ କରିବା ଏବଂ ରୋଷେଇ ବସାଇବା ବେଳେ ମଧ୍ୟ୍ୟ ଭଗବାନଙ୍କୁ ସମର୍ପଣ କରି କହିବା ହେ ପ୍ରଭୁ ଏ ଯେଉଁ ମଣୋହି(ଖାଦ୍ୟ) ମୁଁ ପ୍ରସ୍ତୁତ କରୁଛି ଏ ସବୁ ଆପଣଙ୍କୁ ଲାଗିଲା। ପ୍ରଥମେ ଆପଣ ଏହାକୁ ଗ୍ରହଣ କରନ୍ତୁ। ଏହି ଖାଦ୍ୟ ଦ୍ଵାରା ସମସ୍ତ ଙ୍କ ଦେହ ମନ ଓ ଆତ୍ମାର ବିକାଶ ହେଉ, ଶୁଦ୍ଧ ଏବଂ ପବିତ୍ର ହେଉ। ଏତିକି ଯଦି କହି ତୁମେ ରୋଷେଇ କରିବ, ସେ ରୋଷେଇ କେବେ ଖରାପ ହେବନି କିମ୍ବା ସେ ପରିବାରରେ କେବେ ଅଶାନ୍ତି ସୃଷ୍ଟି ହେବନି।
ପଡିଶା ଘର ଝିଆରୀଟି କେବେ ଠୁଁ ବିଭା ହୋଇଗଲାଣି। ଖୁଡିଙ୍କ ନିକଟରୁ ରୋଷେଇ କରିବା କଳା ଠିକ ସେ ଶିଖିନେଇଥିଲା ବୋଧେ। କାରଣ ସେ ବି ଥିଲା ତା ଶାଶୁ ଘରେ ଏକ ଆଦର୍ଶ ବୋହୁ ଏବଂ ତା ରୋଷେଇ ବି ଥିଲା ଖୁବ ସୁନ୍ଦର।