ରକ୍ଷା
ରକ୍ଷା
ଯାହା ପିଲାମାନେ ଭୟ କରନ୍ତି ଖାଲି ନୁହେଁ, ଜୀବନ ବଞ୍ଚେଇବା ସମସ୍ତଙ୍କର ଇଚ୍ଛା ।ବଞ୍ଚିବା ପାଇଁ ସମସ୍ତେ ଚାହାଁନ୍ତି ,କେହି ମରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଭୟ ଟା ପିଲାବେଳେ ପୁଣି ବହୁତ ଥାଏ ।ସେମିତି ଗୋଟିଏ ଦୁଇଟି ନୁହେଁ ଅନେକ କଥା ଲୋକ ମୁଖରୁ ଶୁଣିଛୁ ପିଲାବେଳେ।ଯେମିତି ନାଗିନ୍ ଚରିତ୍ର ଭଳି ।ନାଗିନ୍ ଚରିତ୍ରରେ ଯେମିତି ପୁନଃ ଜନ୍ମ ହୋଇ ଆକାଂକ୍ଷିତ ଅଭିଳାଷ ପୂର୍ଣ୍ଣ କରି ପାରିଥିଲା ବା ପ୍ରତିଶୋଧ ପୂରଣ କରି ପାରିଥିଲା ସେମିତି ଅନେକ ଘଟଣା ନ ଦେଖିଲେ ବି ଶୁଣିଛୁ ଆମେ।
ସପନା ମା ବାଲ୍ୟ ବିଧବା ଯଦିଓ ନୁହେଁ ତଥାପି କମ୍ ବୟସରେ ବୈଧବ୍ୟ ଭୋଗ କରିଥିଲା ।ତା ଶାଶୁ ବି ସେମିତି ବିଧବା । ଖୁବ୍ କମ୍ ବୟସରେ ସେମାନେ ବିଧବା ।ଘର ପରିବାର ଚଳେଇବା ପାଇଁ ସେମାନଙ୍କର କୌଳିକ ବୃତ୍ତି ଢିଙ୍କିରେ ଚୁଡା କୁଟି ଘର ଘର ବିକ୍ରି କରି ସେମାନଙ୍କ ପାଖରୁ ଧାନ ଆଣିବା ଭଳି କାର୍ଯ୍ୟ ବହୁତ କଷ୍ଟରେ କରନ୍ତି ।ଆଜି କାଲି ପ୍ରତିଯୋଗିତା ସମୟରେ ସେମାନେ ବା କେତେ ପରିଶ୍ରମ କରି ପାରିବେ ।ତଥାପି ସେମାନଙ୍କ ପ୍ରଚେଷ୍ଟା ବହୁତ ।ଯେଉଁ ଲୋକମାନଙ୍କ ଘରେ ଚୁଡା ଦିଅନ୍ତି ,ସେମାନେ ଦୟା କରି ରଖନ୍ତି ଓ ସହଯୋଗ ବି କରନ୍ତି ।କିନ୍ତୁ ପର୍ବପର୍ବାଣି ଯେମିତି ସୁନିଆଁ,କି ଦୂତିଆଓଷା ,ରଜ ଭଳି ପର୍ବରେ ବହୁତ ଆବଶ୍ୟକ ପଡେ ।ରାତି ସାରା ଶାଶୁବୋହୁ ଚୁଡା କୁଟି ସକାଳୁ ସକାଳୁ ଲୋକଙ୍କ ପାଖରେ ପହଞ୍ଚାଇ ଦିଏ ସପନା ମାଆ ।
ଲୋକ ମୁଖରୁ ଶୁଣାଯାଏ କି ସପନା ବାପା ଅଦୃଶ୍ୟରେ ଥାଇ ବହୁତ କାମ କରିଦିଏ ସେମାନଙ୍କର ।ହେଲେ ଆମେ ବା କେମିତି ଦେଖିବୁ ।ଇତି ମଧ୍ୟରେ ସପନା ବୁଢୀମା ବି ଆରପାରିକୁ ଚାଲିଗଲା ।ସପନାକୁ ମାତ୍ର ୬ ବର୍ଷ ବୟସ ।କଣ କରିବ ସପନା ମା ।ତା ମୁଣ୍ଡରେ ଯେମିତି ଚଡକ ପଡିଲା ।ଯେମିତି ସେମିତି କ୍ରିୟା କର୍ମ ସରିଲା ।ସପନା ମାଆ ଚିନ୍ତା କରି ବସିଛି ।ରାତି ପାହିଲେ ସୁନିଆଁ ।ତିନି ବସ୍ତା ଧାନକୁଟି ଲୋକଙ୍କ ଘରେ ଚୁଡା ଦିଆଯିବ । ହେଲେ ଏଡ଼େ ବକଟେ ପୁଅକୁ ନେଇ ଏତେ ଧାନ କୁଟିବ କେମିତି ।ଧାନ ସିଝେଇ ରଖିଛି ।ରାତିରୁ ଉଠି ଯେତିକି ପାରିବ କରିବ।ଆରପାଖ ସାହିର ନେତି ବୋହୁକୁ ଡାକିଛି, ସେ ଆସିବ ଖାଇପିଇ କରି ରାତି ୧୦ ଟା ବେଳକୁ । ଗାଆଁ କଥା, କେହି ମରଦ ପୁଅ ଘରେ ନ ଥିଲା ବେଳକୁ ମାଆ ପୁଅ ରାତି୭/୮ବେଳକୁ ଖିଆପିଆ ସାରି ଦିଅନ୍ତି ।ସେଦିନ ଖାଇପିଇ ଶୋଇ ପଡିଲେ।ନେତି ବୋହୁ ଆସିଲେ ଡାକିବ କହିଛି ।ରାତି କେତେ ହେବ କେଜାଣି କାହାର ଡାକରେ ସପନା ମାଆ ଉଠିଲା ।ସେ ଜାଣିଛି ନେତି ବୋହୁ ଆସିଥିବ ,କବାଟ ଖୋଲିଦେଲା ନିଦ ବାଉଳାରେ ।କାନ୍ଥିନିରେ ଡିବିଟା ଜଳୁଛି ମେଁ ମେଁ ହୋଇ ।ଏଠିକୁ ସେଠି ଦେଖା ଯାଉନାହିଁ।।
ସପନା ମାଆ କହିଲା ଖାଇ ପିଇ ଏତେ ଡେରିରେ ଆସିଲୁ ତୁ ।ନେତି ବୋହୁ କହିଲା ,ନାହିଁ ଲୋ ନାନୀ ଖାଇପିଇ ଶୋଇପଡିଲି ଯେ ଏବେ ନିଦ ଭାଙ୍ଗିଲା ।ପୁଅକୁ କହିଲି ତ ।ସେ ଆଣି ଛାଡି ଦେଇ ଗଲା ।ଚାଲ ,ଆମେ ଏତିକି ବେଳୁ ଚୁଡା କୁଟିଦେବା ।ପାହାନ୍ତିଆ ପାହାନ୍ତିଆ ସରିଯିବ ।ତୁ ଢିଙ୍କି ମୁହଁ ପାଖରେ ବସି ଶୁଙ୍ଗେଇ ଦେ ,ମୁଁ କୁଟି ଦେବି ।ସରିଯିବ ଶୀଘ୍ର ।ସେୟା ହେଲା ।ଦୁହେଁ ଯାକ ସବୁ ଧାନକୁଟି ଚୁଡା କରିଦେଲେ ବି ରାତି ପାହୁ ନ ଥାଏ । ନେତି ବୋଉ କହିଲା, ନାନୀ ଚୁଡା କୁଟା ତ ସରିଲା ।ମୋ ଶାଶୁ ଜାଣିନାହିଁ ,ମୁଁ ଯାଉଛି ପୁଅ ବି ବସିଥିଲା ତୋ ପିଣ୍ଢାରେ ।ମାଆ ପୁଅ ସାଙ୍ଗହୋଇ ପଳେଇବୁ ।ତୋର ଯେତେବେଳେ ଦରକାର ମୋତେ କହିବୁ ।ତା ପରେ ସପନା ମାଆ ଧୁଆଧୋଇ ହୋଇ ଶୋଇ ଗଲା ।ରାତି ପାହୁନ ଥାଏ।କଣ କରିବ ।ଏମିତି ସବୁ ପର୍ବପର୍ବାଣି ରେ ଧାନକୁଟିବାକୁ ନେତିବୋହୁକୁ ଡାକିବା ଆଗରୁ ଘରେ ପହଞ୍ଚି ଯାଇଥାଏ ।ରାତିରେ ଆସି ଚୁଡାକୁଟିବାକୁ ଆପେଆପେ କହେ ।
ଧୀରେ ଧୀରେ ଏମାନଙ୍କ ଅବସ୍ଥାରେ ପରିବର୍ତ୍ତନ ହେଲା ।ଭଲ ରୋଜଗାର ବି ହେଉଥାଏ।ଭଲରେ ମାଆ ପୁଅ ଚଳିଲେ ।ଦିନେ ଉପର ଓଳି ନେତି ବୋହୁ ଆସି ପହଞ୍ଚି ଗଲା ।ଏହି ସମୟରେ ସେ ଗାଆଁର ବଡ଼ ସାଧକ ଜଣେ ସେଇବାଟରେ ଯାଉଥିଲେ ।ସପନା ମାଆ ପୁଅ ହାତ ଦେଖିବାକୁ ଡାକିଲେ ।ସାଧକ ସପନାର ହାତ ଦେଖୁ ଥିଲେ ।କିନ୍ତୁ ହଠାତ ସାଧକ ଗର୍ଜନ କରି କହିଲେ ,ଏ ନେତି ବୋହୁ ନୁହେଁ ।ଗୋଟିଏ ପ୍ରତାତ୍ମା ।ଏମିତି ଚିତ୍କାର ଶୁଣି ଗାଁର ଲୋକେ ରୁଣ୍ଡ ହୋଇଗଲେ ।ଇତି ମଧ୍ୟରେ ନେତି ବୋହୁ ଗର୍ଜନ କରି ସାଧକକୁ ବାଡେଇ ପିଟି କ୍ଷତାକ୍ତ କରି ପକେଇଲାଣି ।କେତେବେଳେ କୁକୁର ତ କେତେବେଳେ ଭାଲୁ ରୂପ ହୋଇ ,ପୁଣି କେତେବେଳେ ମଣିଷ ହୋଇ ଗଁ ଗଁ ହୋଇ ସାଧକଙ୍କୁ ଆକ୍ରମଣ କରୁଥିଲା ,ଆଉ କହୁଥିଲା ଗୁଣିଗାରେଡି କରି ମୋ ସଂସାରକୁ ତୁ ଖାଇଗଲୁ ,ଆଜି ମୁଁ ତୋତେ ଛାଡିବିନି ।ପୁଣି ଆସିଛୁ ମୋ ନାତିଟାକୁ ଖାଇବୁ ।ଜମା ଛାଡିବିନି ।ଏମିତି ଭିତରେ କେତେବେଳେ ଯେ ସାଧକକୁ ମାରି ଦେଲା କେହି ବି ଜାଣି ପାରି ନଥିଲେ ।ସାଧକ ପାଖରେ କେବଳ ଗୋଟିଏ ମଲା କୁକୁର ପଡିଥିଲା।ସମସ୍ତେ ଦେଖି ଆଶ୍ଚର୍ଯ୍ୟ।ଘଟଣା ସାଙ୍ଗେ ସାଙ୍ଗେ ବିଜୁଳି ବେଗରେ ଗାଆଁ ସାରା ଖେଳିଗଲା ।ନେତି ବୋହୁ ପାଖରେ ବି ।ନେତି ବୋହୂ ଆସିଲା ଦେଖିବାକୁ ।ତାକୁ ସବୁ କଥା ପଚରା ଗଲା ।ହେଲେ ସେ କେବେବି ଆସିନାହିଁ ଚୁଡା କୁଟିବାକୁ ବୋଲି କହିଲା ।ସମସ୍ତେ କହିଲେ କି ସପନା ବୁଢୀମା ନେତି ବୋହୁ ରୂପରେ ସବୁବେଳେ ଏମାନଙ୍କୁ ରକ୍ଷା କରୁଥିଲା।

