STORYMIRROR

Prasanta kumar Hota

Crime

3  

Prasanta kumar Hota

Crime

ରହସ୍ୟମୟ ହତ୍ୟା

ରହସ୍ୟମୟ ହତ୍ୟା

3 mins
220


ସୁନୀତାଙ୍କ ଦେହାନ୍ତ ପରେ ସରୋଜ ଙ୍କ ଉପରେ ସମସ୍ତଙ୍କ ଦୟା ଅଜାଡି ହେବାରେ ଲାଗିଲା। ସୁନୀତା ଏମିତି ସ୍ଵଭାବରେ ଭଲ ଝିଅ ଓ ଶିକ୍ଷା ରେ ଉଚ୍ଚ ଶିକ୍ଷିତ ଥିଲେ। ତାଙ୍କ ପ୍ରତି ଅଳ୍ପ ବହୁତ ଅନୁକମ୍ପା ଆସୁଥିଲେ ମଧ୍ୟ ସରୋଜଙ୍କ ଉପରେ କିନ୍ତୁ ସାଇ ପଡିଶା ବନ୍ଧୁ ବାନ୍ଧବ ବ୍ୟତୀତ ସୁନୀତାର ବନ୍ଧୁ ବାନ୍ଧବ ମାନେ ମଧ୍ୟ ଅନୁକମ୍ପା ଦେଖାଇବାରୁ ବିରତ ନଥିଲେ। କାରଣ ଟା ଅବଶ୍ୟ ମଜଭୁତ ଥିଲା। ସରୋଜ ଓ ସୁନୀତାଙ୍କ ବୈବାହିକ ଜୀବନର ପ୍ରଥମ ପାହାଚ ସୁନୀତାଙ୍କ ପାଇଁ ବଡ ଦୁର୍ବିସହ ଥିଲା। କଥା ବିଛେଦ ପର୍ଯ୍ୟନ୍ତ ଚାଲି ଯାଇଥିଲା। କିନ୍ତୁ ହଠାତ୍ ଆଣ୍ଟିବାୟୋଟିକ ଖାଇ ସୁସ୍ଥ ହେଲା ପରି ସରୋଜଙ୍କ ପରିବର୍ତ୍ତନ ସମସ୍ତେ ଦେଖିବାକୁ ଲାଗିଲେ। ସେ ଆଗପରି ରୁକ୍ଷ ନଥିଲେ। ବ୍ୟବହାର ରେ ମଧୁରତା ଥିଲା। ସୁନୀତାଙ୍କୁ ସବୁ କାମରେ ସାହାଯ୍ୟ କରୁଥିଲେ। ସରୋଜ ସବୁଦିନ ଅଫିସ ରୁ ଫେରିଲା ବେଳକୁ ସାଙ୍ଗରେ ଚାରୋଟି ସିଙ୍ଗଡା ଆଣିଥାନ୍ତି। ଉଭୟେ ଏକାଠି ବସି ଚାହା ସହିତ ଖାଆନ୍ତି। ଉଭୟଙ୍କ ମିଳାମିଶା ଦେଖି ଅନ୍ୟ ଖୁସି ପରିବାର ମଧ୍ୟରେ ଇର୍ଷା ଭାବ ଜାଗି ଉଠୁଥିଲା। ଏମିତି କିଛି ଦିନ ଗଲା ପରେ ସରୋଜଙ୍କ ପ୍ରସ୍ତାବ ଅନୁସାରେ ସୁନୀତା ପାଖ କଲେଜରେ ଅଧ୍ୟାପିକା ଭାବରେ ଯୋଗ ଦେଇଥିଲେ। ସୁନୀତା ମଧ୍ୟ ତାଙ୍କର ବହୁତ ଦିନର ଇଛା ପୂରଣ ହେଇଥିବାରୁ ମନେ ମନେ ବହୁତ ଖୁସି ହେଉଥିଲେ। ସୁନୀତାଙ୍କ ମୁହଁରେ ଏତେ ସୁନ୍ଦର ହସ ଯେ ଥାଇପାରେ ସାହି ଲୋକେ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ପ୍ରଶ୍ନ ପ୍ରତି ପ୍ରଶ୍ନ କରୁଥିଲେ। ଅନେକ କହୁଥିଲେ ଖରାପ ସମୟ ଚାଲିଥିଲା ବୋଧେ କଟିଗଲା। କିଏ କିଏ ରାଶି ନକ୍ଷତ୍ର ପଚାରି ଜାଣିଲା ପରି କହୁଥାନ୍ତି ଶନି ସପ୍ତା ଥିଲା ସରିଗଲା। 

କିନ୍ତୁ ହଠାତ୍ ଯେ ସୁନୀତାଙ୍କ ର ଏମିତି ମୃତ୍ୟୁ ହେବ। ତାହା ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲା।


ସୁନୀତାଙ୍କ ମୃତ୍ୟୂ ରାସ୍ତା ଦୁର୍ଘଟଣାରେ ହେଇଥିଲା। କିନ୍ତୁ କାହା ସହିତ ଧକା ହେଇ ନଥିଲା। ସେ ନିଜେ ସ୍କୁଟିରେ ଆସୁଥିଲା ବେଳେ ଭାରସାମ୍ଯ ହରାଇ ପଡି ଯାଉଥିଲେ। ତଥାପି ପୋଲିସ୍ ଘଟଣାରେ କିଛି ସୁରାକ ପାଇ ଦୁର୍ଘଟଣା ର ଅନୁସନ୍ଧାନ କରାଇଥିଲେ। ଫୋରେନସିକ୍ ଲାବୋରେଟୋରୀ ର ତଥ୍ୟ ଅନୁଯାୟୀ ସୁନୀତା ଙ୍କ ଶରୀର ରୁ ଡ୍ରଗସ୍ ସେବନ କରୁଥିବା ଜଣା ପଡ଼ିଲା । ହଠାତ୍ ଦିନେ ପୋଲିସ୍ ଆସି ସରୋଜଙ୍କୁ ଆରେଷ୍ଟ କରି ନେଇ ଗଲା। 

ସରୋଜ ଙ୍କର ସପକ୍ଷବାଦୀ ଲୋକ ମାନେ ପାଟିତୁଣ୍ଡ କରିବା ଆରମ୍ଭ କରିଦେଲେ । ଥାନା ଘେରାଉ ବି ହେଲା। ପାଲଟା କେସ୍ ବି ହେଲା। ଟିଭି ଚ୍ୟାନେଲ ଖବର କାଗଜ ସବୁଠି ସେଇ ଗୋଟିଏ ଖବର ସୁନୀତାଙ୍କ ମୃତ୍ୟୂ ରହସ୍ୟ । ସମସ୍ତ ଙ୍କ ମୁହଁ ରେ ପ୍ରଶ୍ନ ସତରେ କଣ ସୁନୀତାଙ୍କୁ ମାରି ଦିଆ ହେଇଛି। ସୁନୀତା ଯୋଉ ଯାଗାରେ ସ୍କୁଟିରୁ ପଡିଥିଲେ ସେଠି ସୌଭାଗ୍ୟ ବଶତଃ ଟ୍ରାଫିକ୍ ବ୍ୟବସ୍ଥାରେ କ୍ୟାମେରା ଲଗାଯାଇ ଥିଲା ଯାହା ସ୍ପଷ୍ଟ କହୁଥିଲା ଯେ ସେ ଏକୁଟିଆ ଗାଡି ଚଲେଇ ଆସୁଥିଲେ ଓ ଭାରସାମ୍ଯ ହରାଇ ପଡି ଯାଉଥିଲେ। ଏତଦ୍ ବ୍ଯତିତ ଅନେକ ସ୍ଵଚକ୍ଷୁରେ ଦେଖିଥବା ଦର୍ଶକ ମଧ୍ୟ ଅଛନ୍ତି ଯୋଉ ମାନଙ୍କର କହିବା କଥା ତାଙ୍କ ଗାଡି କାହା ସହିତ ପିଟି ହେଇ ନାହିଁ କି କୌଣସି ଗାଡି ତାଙ୍କ ଗାଡିକୁ ଧକା ଦେଇ ନାହିଁ।


ଘଟଣା ଯେତିକି ଆଲୋଚନା ହେଉଥାଏ ସେତିକି ରହସ୍ୟମୟ ହେଉଥାଏ। ଧିରେ ଧିରେ ଏହା ରାଜନୈତିକ ରୂପ ନେବାକୁ ଲାଗିଲା। ଶେଷରେ ଦାୟିତ୍ବ ସିବିଆଇ ହାତରେ ନ୍ୟସ୍ତ କରାଗଲା। 

ଯୋଉଦିନ ସିବିଆଇ ରିପୋର୍ଟ ପଦାକୁ ଆସିଲା ସାରା ସହର ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁ ବଡ ବଡ ଆଖିରେ ଅନେଇବାକୁ ଲାଗିଲେ। ମୃତ୍ୟୁ ମଧ୍ୟ ଏମିତି କଳ୍ପନା କରା ଯାଇପାରେ କେହି ଚିନ୍ତା ମଧ୍ୟ କରି ପାରୁ ନଥିଲେ। ମଣିଷର ମାନସିକତାରେ ଯେ ଏତେ ଛଳନା ରହିପାରେ ତାହା ଅଙ୍ଗେ ନ ଲିଭାଇଲେ ହୃଦୟଙ୍ଗମ କରିବା କଷ୍ଟକର ହେଇ ପଡିବ। ସାମାନ୍ୟ ସ୍ୱାର୍ଥ ପାଇଁ ମଣିଷର ମାନବିକତା କଣ ଏତେ ତଳକୁ ଖସି ପାରେ। ଯୋଉମାନେ ସୁନୀତା ମୁହଁ ରୁ ସରୋଜ ର ପ୍ରଶଂସା ଶୁଣୁଥିଲେ ସେମାନେ ସରୋଜକୁ କେମିତି ନିନ୍ଦା କରିବେ ଜାଣି ପାରୁ ନଥିଲେ। ତଥାପି କିଛି ଲୋକ ସବୁକିଛି ଆଜିକାଲି ସମ୍ଭବ ବୋଲି ଭାବି କଥାକୁ ହାଲୁକା କରି ଦେଉଥିଲେ। ସିବିଆଇ ର ରିପୋର୍ଟ ଅନୁସାରେ ସରୋଜଙ୍କ ସ଼ହ ତାଙ୍କର ଜଣେ ବାନ୍ଧବୀ ଅନୁରାଧା ମଧ୍ଯ ଏ ଷଡଯନ୍ତ୍ର ରେ ସାମିଲ ହୋଇ ଥିବାରୁ ଆରେଷ୍ଟ ହେଲେ। ଅନୁରାଧା ଆରେଷ୍ଟ ହେଲା ପରେ ସମସ୍ତ ଘଟଣା ପଦାକୁ ଆସିଲା। 


ଅନୁରାଧା ଓ ସରୋଜଙ୍କର ଏ ଷଡଯନ୍ତ୍ର ବର୍ଷେ ଆଗରୁ ଆରମ୍ଭ ହେଲାଣି। ସରୋଜ ସୁନୀତାଙ୍କ ପାଇଁ ପ୍ରତିଦିନ ସନ୍ଧ୍ୟାରେ ଯେଉଁ ସିଙ୍ଗଡା ବରା କି ଯାହା ଖାଇବା ଆଣନ୍ତି ସେଥିରେ ଡ୍ରଗସ୍ ମିଶାଇବାରେ ସାହାଯ୍ୟ କରନ୍ତି ଅନୁରାଧା ଯାହା ଫଳରେ ତାଙ୍କର ନର୍ଭସ୍ ସିଷ୍ଟମ ଧିରେ ଧିରେ ଦୂର୍ବଳ ହୋଇ ଯାଇଛି ଓ ଡ୍ରଗସ୍ ପ୍ରଭାବ କମିଗଲେ ମାନସିକ ରୋଗୀ ପରି ଆଚରଣ କରିଛନ୍ତି। ସେଥିପାଇଁ ସୁନୀତା ସନ୍ଧ୍ୟାରେ ଆସୁଥିବା ଖାଦ୍ୟ ଖାଇ ସାରିଲା ପରେ ବହୁତ ପ୍ରଫୁଲ୍ଲିତ ଦିଶନ୍ତି। ସେଦିନ ତାଙ୍କର କଲେଜରୁ ଫେରିବା ଟିକିଏ ଡେରି ହେଇ ଯାଇଥିଲା ଓ ସେ ଘରେ ପହଞ୍ଚି ଖାଇବା ପାଇଁ ମାନସିକ ସ୍ତରରେ ବ୍ୟସ୍ତ ହୋଇ ଉଠିଥିଲେ। ସେ ଏତେ ବ୍ୟସ୍ତ ହୋଇ ଉଠିଥିଲେ ଯେ ଘରେ ପହଞ୍ଚିଲେ ବୋଲି ଭାବି ଚଳନ୍ତା ଗାଡିରୁ ଓହ୍ଲାଇବାକୁ ଚେଷ୍ଟା କରି ପଡିଗଲେ ଓ ତା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ଏକ ସିଧାସଳଖ ହତ୍ୟା ନହେଲେ ମଧ୍ୟ ଏକପ୍ରକାର ହତ୍ୟା କହିଲେ ମଧ୍ଯ ଅତ୍ୟୁକ୍ତି ହେବ ନାହିଁ। ରହସ୍ୟ ଉନ୍ମୋଚନ ହେବା ପରେ ସରୋଜଙ୍କ ଉପରୁ ସମସ୍ତ ଅନୁକମ୍ପା ହଟିଗଲା। କିନ୍ତୁ ଏହାପରଠାରୁ ସମାଜରେ କାହାର କାହା ପ୍ରତି ହଠାତ ଭାବଧାରାରେ ପରିବର୍ତ୍ତନ ଦେଖିବାକୁ ପାଇଲେ ସମସ୍ତଙ୍କର ଏଇ ରହସ୍ୟମୟୀ ମୃତ୍ୟୁ ଆଖି ଆଗରେ ଝଲସି ଉଠେ। କୌଣସି ଚିନ୍ତା ଧାରା କେବେ ଆକସ୍ମିକ ହେଇ ନପାରେ। ଏହା ସଦାବେଳେ କୌଣସି ନା କୌଣସି କାରଣ ସହ ଜଡିତ। ଏହି କାରଣର ସତ୍ୟତା ଯେପର୍ଯ୍ୟନ୍ତ ଉଦଘାଟିତ ନ ହୋଇଛି ସେ ପର୍ଯ୍ୟନ୍ତ ବ୍ୟକ୍ତି କୁ ଆରୋପ କରା ଯାଇ ନପାରେ ବୋଲି ଗ୍ରହଣ ମଧ୍ୟ ସହଜରେ କରାଯିବା ଉଚିତ୍ ନୁହେଁ। ମଣିଷଠୁ ବଳି ସମାଜରେ ବଡ ନୃଶଂସ ଓ ବିଶ୍ୱାସଘାତକ କେହି ନାହାନ୍ତି। ନଚେତ୍ ସମସ୍ତଙ୍କୁ ଏପରି ରହସ୍ୟ ଦେଇ ଗତି କରିବାକୁ ପଡ଼ିବ। 



Rate this content
Log in

Similar oriya story from Crime