ରାତି ପାହିବନି ରାବ୍ ନି ଆଉ
ରାତି ପାହିବନି ରାବ୍ ନି ଆଉ
-ଆଲୋ କାହିଁକି ସେ ଚାଳ ଉପରେରେ ତୁଚ୍ଛାଟାରେ ବସିଛୁ ?କି ଲାଭ ବା ପାଇବୁ ?
ତୋ ଡାକ କିଏ ଅବା ଶୁଣିବ ?
ତୁ ତ ଏ ଡିଜିଟାଲ ଦୁନିଆରେ ଏକ ପ୍ରକାର ଅଲୋଡ଼ା ହେଇ ଗଲୁ ଲୋ !
-କା ,କା,କା........ସତ କଥା କହୁଛୁ ଭାଇ। ଆମ ବିଷୟରେ କେହି ଚର୍ଚ୍ଚା ହିଁ କରୁ ନାହାନ୍ତି।
-ହେ ...ଏ ମଣିଷ ଗୁଡା ବହୁରୂପୀ ଏଣ୍ଡୁଅ ।ରଙ୍ଗ ବଦଳାଇ ବା ଏମାନଙ୍କର ଧର୍ମ।
-ଠିକ ଆଉ ।
-କୁଆଡେ ଗଲା ସେ ଦିନ ?
-କୋଉଦିନ ଲୋ ?
-ମା ତା'ର ଅମାନିଆ ଛୁଆକୁ ଖୁଆଇଲା ବେଳେ ଆମ ଆଡକୁ ଅଙ୍ଗୁଳି ଦେଖାଇ କହେ....କୁନା ,ଦେଖ ଦେଖ ...ହା...ହା ଫୁର୍ ...।
ଛୁଆ ମଧ୍ୟ ହସରେ କୁରୁଳି ଉଠୁଥିଲା ।ଚୁଡାଘୋଟା ତକ ଖାଇ ଦେଉଥିଲା ।
ଆଉ ଏବେ..!!
-ଏବେ କଣ ହେଲା କି ?
-ତୁ କିଛି ଜାଣିପାରୁନୁ !
ସେଥିପାଇଁ ଆଶା ବାନ୍ଧି ରାଉ ରାଉ ହେଉଛୁ।ଏବେ ମା' ମୋବାଇଲରେ ଛୁଆକୁ ଚଢେଇ ଦେଖାଉଛି।ଏଇଟା ତ ଗାଁ କଥା।ସହର କଥା ତ... କହିଲେ ନସରେ।
-ହଁ ଠିକ କହିଲୁ ତୁ ।
-ସେ ସମୟ କଥା ଟିକେ ମନେ ପକା! ଆମେ ଆମ ଜେଜେ ବାପା ଆଉ ଜେଜେ ମା'ଙ୍କ ସାଙ୍ଗରେ ସକାଳୁ ସକାଳୁ ନୂଆ କରି ରାବିବାକୁ ଆସୁଥିଲେ। ଆମ ଡାକ ଶୁଣି ଗଞ୍ଜା ଭାଇ ବି " କକର ....କ " ବୋବାଉ ଥିଲା। ଜେଜେ କହୁଥିଲା ରାବି ବା ଆମ ଧର୍ମ।ଆମ ଜାତିକୁ ବ୍ରହ୍ମା ଆଦେଶ ଦେଇଛନ୍ତି।
-ହଁ ପରା ।ସେତେବେଳେ ବର୍ଣ୍ଣବୋଧ ବହିରେ ମଧ୍ୟ ପଢ଼ା ଯାଉଥିଲା "ରାତି ପାହିଲାଣି ରାବଇ କାଉ ,ଉଠ ଉଠ ମଠ ନକର ଆଉ "।ମାନେ ଆମକୁ କମ୍ ସେ କମ୍ ଇଜ୍ଜତ ଗୋଟେ ମିଳୁଥିଲା।
-କଥା ପଦେ କହିଲୁ।ଆମେ ଏବେ ବି ତ ଆମ କର୍ମ କରି ଚାଲିଛେ।
କଣ ନ କରୁଛେ ଏ ମଣିଷ ଆଉ ଜୀଵ ଜଗତ ପାଇଁ।ପଶୁ ଙ୍କ ପଚା ସଢା ମାଂଶ ଖାଇ ପରିବେଶକୁ ଦୁର୍ଗନ୍ଧମୁକ୍ତ କରୁଛେ।
--ହଁ ବା...ଆମେ ମାନେ ସବୁ ମୁନ୍ସୀପାଲଟି ଵାଲାଙ୍କ କାମ କରୁଥାନ୍ତି।ତାଙ୍କୁ ହେଲେ ପଇସା ପତର ମିଳୁଛି।ସନ୍ଧ୍ୟା ରେ ସେଥିପାଇଁ ପାଉଚୁ ଗୋଟେ ଗୋଟେ ମାରିଦେଇ ଚାନ୍ଦିନୀ ଉପରେ ଗଡୁଛନ୍ତି।
ଆମକୁ ବାସିରେ କିଛି ବି ମିଳୁନାହିଁ।
-ଆଲୋ ବାସି କଥାରୁ ମନେ ପଡ଼ିଲା ।କେତେ ବାସି ରୁଟି ଖାଇବାକୁ ମିଳୁଥିଲା କହିଲୁ ! ଆଃ କେତେ ସୁଆଦିଆ ସେ ବାସି ରୁଟି!
ଏବେ ସକାଳୁ ସକାଳୁ ତ ବରା, ଇଟିଲି ,ଚଉମିନି ଖାଇଲେ ଲୋକ, ଆଉ ଟିକେ ହେଲେ ବଳକା ରଖୁ ନାହାଁନ୍ତି ।
ଆମକୁ କିଅଣଟା ମିଳିବ ଯେ !
-ଦେଖିଆ କହିଲୁ ଆମ ଡାକ ଶୁଣି କିଏ ଵା ଉଠୁଛି ।ସବୁ ଚେଇଁ ଶୋଉଛନ୍ତି।ଠିକ ସମୟରେ ଶେଜ ଛାଡ଼ୁନାହାଁନ୍ତି।ନିତ୍ୟକର୍ମ କରୁ ନାହାଁନ୍ତି।
-ଆଲୋ କେମିତି ସକାଳୁ ଉଠିବେ ! ରାତି ସାରା ତ ଚାଟିଙ୍ଗ କଲେ ନହେଲେ "ଇୟୁ ଟ୍ୟୁବ " ଭିତରେ ମୁଣ୍ଡଟାକୁ ପୁରେଇ ଦେଲେ।ଏମାନଙ୍କର ରାତି ଦିନ ବୋଲି କିଛି ନାହିଁ ଆଉ।
-ସେଥିପାଇଁ ତ ଏମାନେ ରୋଗରେ ପଡୁଛନ୍ତି।ଆମେ ରାବିଲେ କି ନରାବିଲେ ଏମାନଙ୍କର ଫରକ ପଡୁନାହିଁ।
-ଚାଲ ଯିବା ସେ ଛକ ଆଡେ ଟିକେ ବୁଲି ଆସିବା।ରବିବାର ଅଛି।ଛକରେ ସୁଦାମା କେଉଟ ମାଛ କାଟୁଥିବ।
-ଚାଲ୍ ,ଦୁଇ ଚାରିଟା ଲେଖାଏଁ ଅନ୍ତ ବୁଜୁଳି ଖାଇଦେବା।
-କୃଷ୍ଣ ଚା ଦୋକାନରେ ରାଜନୀତି ଚର୍ଚ୍ଚା ହେଉଥିବ ଶୁଣି ଆସିବା।ଏବେ ଯୁଆଡେ ଯାଅ ଖାଲି କାଳିଆ ଯୋଜନା ଉପରେ ଆଲୋଚନା ଲୋ।କିଏ କହୁଛି ଲୁଟିନେଲେ ।କିଏ କହୁଛି ଦୁର୍ନୀତି ହୋଇଛି।କିଏ କହୁଛି ଭୋଟ୍ ପାଇଁ ଥିଲା ଏ ଯୋଜନା।
-ହଁ ପରା ,ଏବେ ପିଲା ବୁଢା ଯାହାକୁ ଦେଖ ସଭିଏଁ କହୁଛନ୍ତି ।ମୁଁ ଖୁସି।ଆପଣ ଖୁସି ତ !
-ହା ହା ହା...ତୁ ଯାହା କହ ମିତ ,ଏ ମଣିଷ ଗୁଡା ଖୁବ୍ ବିଚିତ୍ର।
-ହଁ ପରା।ସବୁ ସ୍ୱାର୍ଥପର ହୋଇସାରିଲେଣି ମଧ୍ୟ।ମଣିଷଙ୍କ ମଧ୍ୟରେ ସେ ମେଳାପି ଗୁଣଟା ନାହିଁ।ଜଣେ ଆଉ ଜଣଙ୍କର ନିନ୍ଦା ଶୁଣି ଖୁସିରେ ତାଳି ମାଡ଼କରେ। ସମ୍ପର୍କ କଥା ଛାଡ୍।
-ହଁ ଲୋ ।ଆଗେ କାହା ଘରକୁ କୁଣିଆ ଆସିବାର ଥିଲେ ଆମେ ଯାଇ ତା ଘର ଅଗଣାରେ ନହେଲେ ପିଢ଼ା ଉପରେ ବସି କା ...କା... ରାବୁଥିଲେ।ସେ ଘରର ଲୋକ ଆଭାସ୍ ପାଇଯାଉଥିଲା।ନବେ ପ୍ରତିଶତ ତ ଆମ ଅନୁମାନ ସତ୍ୟ ହେଉଥିଲା।ଏବେ ସେ ଅତିଥି ସତ୍କାର କାହିଁ ?ଲାଗୁଛି ଯେମିତି କାହାରି ଆନ୍ତରିକ ଇଛା ନାହିଁ କି ତା ଘରକୁ କୁଣିଆ ଆସୁ ବୋଲି।କେହି କାହା ଘରକୁ ଯିବା ଆସିବାର ଥିଲେ ମୋବାଇଲରେ ଦଶଥର କୁହାକୁହି ହେଉଛନ୍ତି ।
ଅତିଥି ଶବ୍ଦର ଅର୍ଥକୁ ହିଁ ବିଗାଡି ଦେଇଛନ୍ତି।ସବୁ ଆଇଁସ ବାର ଦେଖିକି ଫୋନ ରେ କଥା ହୋଇ ବନ୍ଧୁ ଘରକୁ ଯିବା ଆସିବା କରୁଛନ୍ତି।
-ଏବେ କାହିଁ ସେ ମମତା।ଖରା ଛୁଟିରେ ମାମୁଁ ଘରକୁ ଛୁଆ ଆଉ ଯିବାକୁ ଚାହିଁଲା ବେଳେ ବାପା-ମା ସମର କୋର୍ଷ ରେ ପୁରେଇ ଦେଉଛନ୍ତି।ଛୁଟିଟା ବି ପିଲାଙ୍କର ପଢ଼ାରେ ଯାଉଛି।
-ହଁ ଏବେ ଭଲା ପ୍ରବେଶିକା ପରୀକ୍ଷା ହିଁ ଏମିତି କରିଛି।ସର୍ବାଧିକ ଅଙ୍କ ନ ରଖିଲେ ଭଲ ସ୍କୁଲ, କଲେଜ ରେ ସିଟ୍ ମିଳିବ ନାହିଁ ପରା।
-ସତ କହିଲୁ ,ଏବେ ପିଲା ପଢ଼ା ବେଳେ ପଢୁଛି , ଖେଳ ବେଳେ ବି ପଢୁଛି । ସିଟ୍ ଖଣ୍ଡେ ପାଇବାକୁ ରାତିଦିନ ଲଢ଼ୁଛି।
-ହା ହା ହା ....ତୁ ତ କବି ପାଲଟି ଗଲୁଣି।
-ହା ହା ହା, ହଉ ଚାଲ ସନ୍ଧ୍ୟା ହେଲାଣି ବସାକୁ ଫେରିଯିବା। ପୁଣି ଆଉ କେବେ ଆଲୋଚନା କରିବା।