ବଳରାମ ବାରିକ

Inspirational

3  

ବଳରାମ ବାରିକ

Inspirational

ରାମାନୁଜ

ରାମାନୁଜ

3 mins
677


ଆମ ସମାଜରେ ଏକ ପ୍ରଥା ଅଛି ବଡ଼ ପୁଅର ବାପାଙ୍କର ସମ୍ପତି ଉପରେ ଅଧିକ ଭାଗ ରହିବ।ତାକୁ ଆମେ ଜେଷ୍ଠି ଭାଗ ବୋଲି କହୁଛେ।କେଉଁ କାରଣରୁ ଏମିତି ଭାଗ ଦିଆଯାଏ ତାହା ମୋ ବୁଦ୍ଧି ବାହାରେ । କାରଣ କଣ ମୁଁ ଏଯାଏଁ ଖୋଜି ପାଉନି।କିଛି ତ କାରଣ ନିଶ୍ଚୟ ଥିବ।ରାଜାଙ୍କ ବଡ଼ ପୁଅ ହିଁ ଯୁବରାଜ ହେବ ଓ ତାପରେ ଭାବି ରାଜା ଏହି ରୀତି ମଧ୍ୟ କେଉଁ କାଳରୁ ଚାଲି ଆସୁଛି।ଅବଶ୍ୟ କିଛି ଭାରତୀୟ ନୀତି ଶାସ୍ତ୍ରରେ ଦେଖିବାକୁ ମିଳିଛି ଯଦି ବଡ଼ ପୁଅ ଶାରୀରିକ /ମାନସିକ କ୍ଷେତ୍ରରେ ଦିବ୍ୟାଙ୍ଗ ହୋଇଥିବ ତାହେଲେ ସାନ ପୁଅକୁ ରାଜା କରିହେବ।ସେଦିନ ମହାତ୍ମା ବିଦୁର ବି ସେହି ନ୍ୟାୟ କରିଥିଲେ ଫଳ ସ୍ୱରୂପ ଦିବ୍ୟାଙ୍ଗ ଧୃତରାଷ୍ଟ୍ର ବି ରାଜା ହେବାରୁ ବଞ୍ଚିତ ହୋଇଥିଲେ କାରଣ ସେତେବେଳେ ରାଜ୍ୟ ଜୟ କରିବା ଓ ଶତ୍ରୁ ଦେଶକୁ ଅଧିନସ୍ଥ କରିବା ମୁଖ୍ୟ ଲକ୍ଷ ଥିଲା ତେଣୁ ଏ ସବୁ ସ୍ଥିତିକୁ ଖାପ ଖୁଆଇବା ପାଇଁ ରାଜା ଶାରୀରିକ ସ୍ତରରେ ସମ୍ପନ୍ନ ହେବା ନିତାନ୍ତ ଆବଶ୍ୟକ ଥିଲା।

ଏମିତି ଗୋଟିଏ ଦୁଇଟା ଉଦାହରଣ ଛାଡିଦେଲେ ବାକି ସବୁ ଜାଗାରେ ବଡ଼ ପୁଅର ଜିତାପଟ ହୋଇଛି।

ସେତେବେଳେ ଅଗ୍ରଜ ମାନେ ଅନୁଜ ମାନଙ୍କୁ ପିତୃତୁଲ୍ୟ ସ୍ନେହ ଦେଉଥିଲେ ଓ ଅଧିକାର ମଧ୍ୟ ଦେଉଥିଲେ।ସେଥିପାଇଁ ଅନୁଜ ମାନେ ଆଜ୍ଞାକାରୀ ହେବାର ପ୍ରତୀକ ଥିଲେ।ଇତିହାସରେ ଏମିତି ବି ଉଦାହରଣ ଅଛି କ୍ଷମତା ପାଇଁ ଅନୁଜ ବି ଅଗ୍ରଜ ମାନଙ୍କର ନିର୍ମମ ହତ୍ୟା କରାଇଛନ୍ତି।ବର୍ତ୍ତମାନର ସମାଜରେ ବି ସେହିପରି ଦୃଶ୍ୟ ଦେଖିବାକୁ ମିଳୁଛି।ପୈତୃକ ଜମି ଉପରେ ସ୍ୱଧିକାର ସାବ୍ୟସ୍ତ କରୁଥିବା ସମୟରେ , ହିଡ ମଝିରେ ଟାଙ୍ଗିଆ ଚୋଟରେ ସାନ ଭାଇ ,ବଡ଼ ଭାଇକୁ ଆରପାରି ପଠାଇବାକୁ ଉଦ୍ୟମ ମଧ୍ୟ କରି ସାରିଛି।ବେଳେବେଳେ କିଛି କନିଷ୍ଠ ଭାବନ୍ତି ମୁଁ କାହିଁକି ଏ ଘରେ ସାନ ପୁଅ ହେଲି କେଜାଣି।ଅବଶ୍ୟ ଆମ ସମାଜରେ ଘରେ ଘରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାବେଳ ସାନପୁଅକୁ ଅଣ ଦେଖା କରାଯାଏ।ପୁଞ୍ଜିଭୁତ କ୍ରୋଧକୁ ନେଇ କେତେବେଳେ କନିଷ୍ଠ କ୍ରୋଧି ଦୁର୍ବାସା ପାଲଟିଯାଏ ଜାଣି ହୁଏନି।ବଡ଼ ଭାଇ ହଜାର ଟା ଭୁଲ କଲେ ତା କ୍ଷମଣୀୟ କିନ୍ତୁ ସାନ ଭାଇ ଗୋଟେ ଭୁଲ କଲେ ଯମ ଦଣ୍ଡ ପରି ବିଧାନ କରାଯାଏ।

ପୁରାଣ କାହାଣୀ ଗୁଡିକରେ ମଧ୍ୟ ବର୍ଣ୍ଣନା ରହିଛି ଅନୁଜ ଓ ଅଗ୍ରଜ ପରସ୍ପରର ସାଥିପରି ମିଶି ଲାଭ-ହାନିର ପକ୍ଷଧର ସାଜିଛନ୍ତି।ଯୋଡ଼ା ହୋଇ ଘୋଡାକୁ ପଛକୁ ଠେଲିବାର ମଜା ନିଆରା ନଳ-ନୀଳ,ଶୁମ୍ଭ-ନିଶୁମ୍ଭ,ଦୁର୍ୟୋଧନ-ଦୁଃଶାସନ,

ରାବଣ-କୁମ୍ଭକର୍ଣ ,କୃଷ୍ଣ-ବଳରାମ ଆଦି ଅତୀବ ସୁନ୍ଦର ଉଦାହରଣ।ଏହା ମଧ୍ୟରୁ ଶ୍ରେଷ୍ଠ ନିଦର୍ଶନ ହେଉଛନ୍ତି ଶ୍ରୀ ରାମ ଓ ଶ୍ରୀ ଲକ୍ଷ୍ମଣ ।ବଡ଼ ଭାଇ ରାମଙ୍କ ସୁଖ ଓ ଦୁଃଖର ସାଥି ହେବାପାଇଁ ଚଉଦ ବର୍ଷ ଆହାର ଓ ନିଦ୍ରା ତ୍ୟାଗ କରି ଭାତୃ ପ୍ରେମର ବିରଳ କୀର୍ତ୍ତିମାନ ସ୍ଥାପନା କରିଥିଲେ ଲକ୍ଷ୍ମଣ।ବଡ଼ ଭାଇଙ୍କ ପ୍ରତିଟି ଆଜ୍ଞାକୁ ଇଶ୍ୱରଙ୍କ ଆଜ୍ଞା ଭାବି ପାଳନ କରୁଥିଲେ।ସେଥିପାଇଁ ତ ରାମଙ୍କୁ ପ୍ରେମ ନିବେଦନ କରୁଥିବା ରାକ୍ଷସୀ ସୃପନେଖା କୁ ଛୁରୀକା ଘାତ କରି ତାର ନାସା ଛେଦନ କରିଥିଲେ ଏ ରାମାନୁଜ ।

ଘରର ବଡ଼ ପୁଅ ଵା ବଡ଼ ଭାଇ ଯଦି ଶିକ୍ଷିତ ,ମାର୍ଜିତ ,ସଂସ୍କାରୀ ଓ ଗୁଣିଆ ହୁଏ ତାହେଲେ ସେ ଘରର ଅନୁଜମାନେ ସେହି ମାର୍ଗରେ ଚାଲିବେ ତଥା ସଫଳ ମଧ୍ୟ ହେବେ।ଆମ ପରିବାରରେ ଅନୁଜ କୁ ଅନେକ କାମ ଧରାଇ ଦିଆଯାଏ।ବଡ଼ ଭାଇ କେବେଳ ଆଦେଶ ଦେବାବାଲା ଓ ନିଷ୍ପତି ନେଲାବାଲା।

ଖାଲି ଲମ୍ବା କାମ ନୁହେଁ ପ୍ରତି ମୁହୂର୍ତ୍ତରେ ତାକୁ ଆଦେଶ ଉପରେ ଆଦେଶ ମିଳେ।

ବଡ଼ ଭାଇ କହେ , ଯା ମାମୁଁ-ମାଇଁ କୁ ଟିକେ ଷ୍ଟେସନରୁ ନେଇ ଆସିବୁ।

ମା ' କହେ ଯା ବାପାଙ୍କୁ ବସ୍ ଷ୍ଟାଣ୍ଡରେ ଛାଡିଦେଇ ଆସିବୁ।

ଜେଜେ ମା ଆଦେଶ ଦିଏ! ଆରେ ମୋ ପାଇଁ ପାନ,ଗୁଆ ,ଗୁଣ୍ଡି ଧରି ଆସିବୁ।

ବାପା କହନ୍ତି ଯା ଟିକେ ମାର୍କେଟରୁ ପରିବା ନେଇଆ ।

ବିଚରା ଅନୁଜ କଣ କରିବ???ବେଳେବେଳେ ସେ ବିରକ୍ତ ବି ହୋଇଯାଏ।କାହାକୁ କିଛି କହିପାରେନି ! ଏବେ ବି କିଛି ଦୃଷ୍ଟାନ୍ତ ଅଛି, ଯେଉଁଠି ଅନୁଜ ମାନେ ଅଗ୍ରଜଙ୍କ ଅଦେଶକୁ ଲକ୍ଷ୍ମଣ ପରି ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି।ବଡ଼ ଭାଇ କହିବା ପୂର୍ବରୁ ତାଙ୍କ କାମ ହେଇ ଯାଉଛି।

ଥରେ ଚିନ୍ତା କରନ୍ତୁ ଯଦି ଆମର ସାନ ଭାଇ ନାଥାନ୍ତେ ତାହେଲେ ବଡ଼ ଭାଇ ମାନଙ୍କ ଅବସ୍ଥା କଣ ହୋଇଥାନ୍ତା !!!କିନ୍ତୁ ଆଜିକାଲି ମାପ ଚୁପ ଯୁଗରେ ନା ଲକ୍ଷ୍ମଣ ଜନ୍ମ ନେଇ ପାରୁଛନ୍ତି ନା ଅର୍ଜୁନ !!

ଏବେ କିଛି ଫାମିଲି ଗୋଟିଏ ସନ୍ତାନରେ ଅପୂର୍ବ ସନ୍ତୁଷ୍ଟି ଲାଭ କରୁଛନ୍ତି।ମୁଁ ଭାଗ୍ୟବାନ ମୋର ଅନେକ ଅନୁଜ ଅଛନ୍ତି ଯେଉଁମାନେ ମୋର ଯାବତୀୟ କାର୍ଯ୍ୟ ବିନା କୌଣସି ପ୍ରଶ୍ନରେ ସମ୍ପାଦନା କରିଛନ୍ତି।।ଜଣେ ରକ୍ତ ସମ୍ପର୍କର,ମାନେ ଗୋଟିଏ ସାଙ୍ଗରେ ଆଉ ଗୋଟେ ମାଗଣା ପରି ମୋତେ ମିଳି ଯାଇଛି ।ଆଉ କିଛି ଅନୁଜଙ୍କୁ ଈଶ୍ୱରଙ୍କ ବରଦାନ ରୂପେ ପାଇଛି। ଯେଉଁମାନେ ମୋର ଆଦେଶକୁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ହସ ହସ ବଦନରେ ପାଳନ କରିଛନ୍ତି।ସେମାନଙ୍କ ମୁଖ ମଣ୍ଡଳରେ ଭୃକୁଞ୍ଚନ କେବେ ବି ଦେଖିନାହିଁ।ସମସ୍ତଙ୍କ ନାମ ଏଠାରେ ନେଇ ହେବନି ,କିନ୍ତୁ ସର୍ବ ସମ୍ମୁଖରେ ଏତିକି ସ୍ୱୀକାର କରୁଅଛି ଯେ ଜୀବନକୁ ମୋର ଅନୁଜ ମାନେ ବହୁତ ମାତ୍ରାରେ ପ୍ରଭାବିତ କରିଛନ୍ତି।ମୋତେ ବଡ଼ ହେବାର ଅନୁଭବ କରାଇଛନ୍ତି।ମୋତେ ପ୍ରତିଷ୍ଠିତ କରାଇବାରେ ସର୍ବଦା ଚେଷ୍ଟିତ ଅଛନ୍ତି।ମୁଁ ସେମାନଙ୍କ ପାଇଁ ରାମ କି ନୁହେଁ ସେମାନେ ଜାଣନ୍ତି କିନ୍ତୁ ମୋର ସମସ୍ତ ଅନୁଜ ମୋ ଚକ୍ଷୁରେ ଲକ୍ଷ୍ମଣ.....

✍️ବଳରାମ ବାରିକ।

ନଟିଲ ,ଯାଜପୁର/ଝାରସୁଗୁଡା।


Rate this content
Log in

Similar oriya story from Inspirational